ବୀରେନ୍‌ ମିତ୍ର ସରଳ ଜୀବନ, ପରୋପକାର, ସଫଳ ସଂଗଠକ, ନିର୍ଭୀକତା ଇତ୍ୟାଦି ବିଶେଷଗୁଣର ଅଧିକାରୀ ଥିଲେ ।

ଭୁବନେଶ୍ୱର : ପୂର୍ବତନ ମୁଖ୍ୟମନ୍ତ୍ରୀ ବୀରେନ୍‌ ମିତ୍ର ଜନଗଣର ନେତା ଓ ସମାଜ-ସଂସ୍କାରକ ଭାବେ ସାଧାରଣ ମଣିଷ ଓ ସମାଜର ନିମ୍ନବର୍ଗରେ ରହୁଥିବା ଲୋକମାନଙ୍କ ବିଶ୍ୱାସଭାଜନ ହୋଇପାରିଥିଲେ । ସେ ସରଳ ଜୀବନ, ପରୋପକାର, ଅନ୍ୟାୟର ପ୍ରତିବାଦ, ସଫଳ ସଂଗଠକ, ଜାତିଭେଦର ବିରୋଧ, ନିର୍ଭୀକତା ଇତ୍ୟାଦି ବିଶେଷଗୁଣର ଅଧିକାରୀ ଥିଲେ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ସୂଚନା ଓ ଲୋକସଂପର୍କ ବିଭାଗ ଏବଂ ବୀରେନ୍‌ ମିତ୍ର ଫାଉଣ୍ଡେସନ୍‌ର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ଜୟଦେବ ଭବନଠାରେ ଆୟୋଜିତ ଜନଗଣର ନେତା ବୀରେନ୍‌ ମିତ୍ରଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବରିଷ୍ଠ ରାଜନେତା ତଥା ପୂର୍ବତନ ମନ୍ତ୍ରୀ ଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇ ବୀରେନ୍‌ ମିତ୍ର ଜଣେ ଲୋକପ୍ରିୟ ଜନପ୍ରତିନିଧି ଏବଂ ନିଃସ୍ୱାର୍ଥପର ଜନସେବକ ଥିଲେ ବୋଲି ମତବ୍ୟକ୍ତ କରିଥିଲେ । ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କର ଜଣେ ଘନିଷ୍ଠ ସହଯୋଗୀ ଭାବେ ସ୍ୱର୍ଗତ ବୀରେନ ମିତ୍ର ନବ ଓଡ଼ିଶାର ସ୍ୱପ୍ନ ଚରିତାର୍ଥ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ମୁଖ୍ୟମନ୍ତ୍ରୀ ଭାବେ ତାଙ୍କର କାର୍ଯ୍ୟାବଳୀ ଉଲ୍ଲେଖଯୋଗ୍ୟ ଥିଲା । ଜଣେ ହୃଦୟବାନ, ନିଃସ୍ୱାର୍ଥପର ସାମାଜସେବୀ ତଥା ନିରହଙ୍କାରୀ ମଣିଷ ଭାବେ ସେ ଓଡ଼ିଶାବାସୀଙ୍କ ନିକଟରେ ଚିରସ୍ମରଣୀୟ ରହିବେ ବୋଲି ମନ୍ତ୍ରୀ ଶ୍ରୀ ଘଡ଼ାଇ ପ୍ରକାଶ କରିଥିଲେ । ବିଶିଷ୍ଟ ବକ୍ତା ଭାବେ ଯୋଗଦେଇ ପୂର୍ବତନ ସାଂସଦ ତଥା ଧରିତ୍ରୀର ସଂପାଦକ ଶ୍ରୀ ତଥାଗତ ଶତପଥୀ ବୀରେନ୍‌ ମିତ୍ରଙ୍କ ପ୍ରତିଭା ଓ ବ୍ୟକ୍ତିତ୍ୱର ବିଭିନ୍ନ ଦିଗ ଉପରେ ଆଲୋକପାତ କରି କହିଲେ ଯେ ଜନଗଣର ନେତା ବୀରେନ୍‌ ମିତ୍ର ଥିଲେ ସାଧାରଣ ମଣିଷର ବନ୍ଧୁ । ରାଜନୀତିରେ ଦଳଗତ ମତଭେଦ ଥିଲେ ମଧ୍ୟ ପାରସ୍ପରିକ ସଂପର୍କକୁ ସେ ସବୁବେଳେ ଗୁରୁତ୍ୱ ଦେଉଥିଲେ । ବଡ଼ଚଣା ବିଧାୟକ ଶ୍ରୀ ଅମର ପ୍ରସାଦ ଶତପଥୀ ବୀରେନ୍‌ ମିତ୍ରଙ୍କୁ ଏକାଧାରେ ସ୍ୱାଧୀନତା ସଂଗ୍ରାମୀ, ସଂଗଠକ, ରାଜନେତା, ସାମ୍ବାଦିକ, ସଂସ୍କୃତିପ୍ରେମୀ, ସମାଜ ସଂସ୍କାରକ ଭାବେ ଅଭିହିତ କରିଥିଲେ । ଓଡ଼ିଶାର ସହର-ମଫସଲ, ଶିକ୍ଷିତ-ଅଶିକ୍ଷିତ, ଧନି ଓ ନିର୍ଦ୍ଧନ ସବୁ ମହଲରେ ସବୁଶ୍ରେଣୀର ଲୋକ ତାଙ୍କୁ ବୟସ ନିର୍ବିଶେଷରେ ‘ଦାଦା’ ବୋଲି ଡାକିବା ଥିଲା ତାଙ୍କର ଶ୍ରେଷ୍ଠ ପରିଚୟ ବୋଲି ସେ ପ୍ରକାଶ କରିଥିଲେ । ବୀରେନ୍‌ ମିତ୍ର ଫାଉଣ୍ଡେସନ୍‌ର ସଭାପତି ଶ୍ରୀ ପିୟଦର୍ଶୀ ମିଶ୍ର ଅନ୍ୟତମ ସମ୍ମାନିତ ଅତିଥି ଭାବେ ଯୋଗଦେଇ କହିଲେ ଯେ ଜଣେ ଦକ୍ଷ ଛାତ୍ରସଂଗଠକ ଭାବେ ବିଚକ୍ଷଣ ନେତୃତ୍ୱର ପରାକାଷ୍ଠା ପ୍ରତିପାଦନ କରିଥିବା ବୀରେନ୍‌ ମିତ୍ର ପରବର୍ତ୍ତୀ ସମୟରେ ମୁଖ୍ୟମନ୍ତ୍ରୀ ଭାବେ ରାଜ୍ୟର ପ୍ରଗତିକୁ ଏକ ନୂତନ ଦିଶା ପ୍ରଦାନ କରିଥିଲେ । ତାଙ୍କର ଜନପ୍ରିୟତାକୁ ପ୍ରମାଣ କରି ସେ କଟକ ଆସନରୁ କ୍ରମାଗତ ୪ ଥର ବିଧାନସଭାକୁ ନିର୍ବାଚିତ ହୋଇପାରିଥିଲେ ବୋଲି ଶ୍ରୀ ମିଶ୍ର ପ୍ରକାଶ କରିଥିଲେ । ସୂଚନା ଓ ଲୋକସଂପର୍କ ବିଭାଗର ନିର୍ଦ୍ଦେଶକ ଶ୍ରୀ ସରୋଜ କୁମାର ସାମଲ ଅତିଥିମାନଙ୍କୁ ସ୍ୱାଗତ ଭାଷଣ ପ୍ରଦାନ କରି ବ୍ୟକ୍ତିଗତ ଜୀବନରେ ସରଳତା, ତ୍ୟାଗ, ସେବା, ରାଜନୈତିକ ଜୀବନରେ ଦକ୍ଷତା ଓ ନିର୍ଭୀକତା ଏବଂ ଛାତ୍ରବତ୍ସଳତା ନିମନ୍ତେ ବୀରେନ୍‌ ମିତ୍ର ଚିରସ୍ମରଣୀୟ ରହିବେ ବୋଲି କହିଥିଲେ । ପ୍ରାରମ୍ଭରେ ଅତିଥିମାନେ ପୂର୍ବତନ ମୁଖ୍ୟମନ୍ତ୍ରୀ ବୀରେନ୍‌ ମିତ୍ରଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ମୋନାଲିସା ପଣ୍ଡା ଏବଂ ସାଥି ପ୍ରାରମ୍ଭିକ ସଂଗୀତ ଗାନ କରିଥିଲେ । ଏହି ଅବସରରେ ଅତିଥିମାନଙ୍କ ଦ୍ୱାରା ସମାଜସେବୀ ଜନକର ସାହୁ ଓ ରବିନ୍ଦ୍ର ପାତ୍ର, ବରିଷ୍ଠ କ୍ରୀଡ଼ା ପ୍ରଶିକ୍ଷକ (କ୍ରିକେଟ୍‌) ଶ୍ରୀ ବ୍ରହ୍ମାନନ୍ଦ ବେହେରା, ଆସାମ୍‌ ରାଇଫେଲସ୍‌ର କର୍ଣ୍ଣେଲ ଦେବାଶିଷ ମିଶ, ଆରକ୍ଷୀ ନିରୀକ୍ଷକ ସନ୍ତୋଷିନୀ ବେହେରାଙ୍କୁ ସେମାନଙ୍କ ଉଲ୍ଲେଖନୀୟ ଅବଦାନ ନିମନ୍ତେ ସମ୍ବର୍ଦ୍ଧିତ କରାଯାଇଥିଲା । ବୀରେନ୍‌ ମିତ୍ର ଫାଉଣ୍ଡେସନ୍‌ର ସଂପାଦକ ଶ୍ରୀ ସୌମିତ୍‌ ମିତ୍ର ଧନ୍ୟବାଦ ଅର୍ପଣ କରିଥିବାବେଳେ ସହକାରୀ ନିର୍ଦ୍ଦେଶକ (କ୍ଷେତ୍ର) ସୁଚେତା ପ୍ରିୟଦର୍ଶିନୀ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଏହି କାର୍ଯ୍ୟକ୍ରମରେ ସୂଚନା ଓ ଲୋକସଂପର୍କ ବିଭାଗର ବହୁ ବରିଷ୍ଠ ଅଧିକାରୀ ଏବଂ କର୍ମଚାରୀଙ୍କ ସମେତ ଛାତ୍ରଛାତ୍ରୀ, ଗଣମାଧ୍ୟମର ପ୍ରତିନିଧି ଏବଂ ବୁଦ୍ଧିଜୀବୀ ଯୋଗ ଦେଇଥିଲେ ।