ଗ୍ରାମ୍ୟ ଉନ୍ନୟନ ବିଭାଗର ମାସିକ ସମୀକ୍ଷା ବୈଠକ ।

ଭୁବନେଶ୍ୱର : ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନସ୍ଥ ସମସ୍ତ ଯୋଜନା ଓ ପ୍ରକଳ୍ପଗୁଡିକ ତ୍ୱରାନ୍ୱିତ ପ୍ରକ୍ରିୟାରେ ସମ୍ପୂର୍ଣ୍ଣ କରିବା ସହ ଠିକ ସମୟରେ ପ୍ରକଳ୍ପ ସମାପ୍ତି ରିପୋର୍ଟ ପ୍ରଦାନ କରିବା ପାଇଁ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସଞ୍ଜୟ କୁମାର ସିଂହ ନିର୍ଦ୍ଦେଶ ଦେଇଛନ୍ତି । ଆଜି ଅପରାହ୍ନରେ ଲୋକସେବା ଭବନସ୍ଥ ଗ୍ରାମ୍ୟ ଉନ୍ନୟନ ବିଭାଗ ଓସ୍ୱାନ ହଲରେ ବିଭାଗର ମାସିକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀ ସିଂହ ଏଥିରେ ଅଧ୍ୟକ୍ଷତା କରି କହିଲେ ଯେ ବିଭାଗର ସମସ୍ତ କାର୍ଯ୍ୟ ଶୃଙ୍ଖ ଳିତ ହେବା ଆବଶ୍ୟକ । ଏହି ଆଧାରରେ ବିଭାଗୀୟ କର୍ମଚାରୀ ଓ ଅଧିକାରୀମାନଙ୍କ ପେନ୍‌ସନ୍‌ ଓ ଶୃଙ୍ଖଳାଗତ ପ୍ରକ୍ରିୟା ଉପରେ ବିଭାଗ ବିଶେଷ ଭାବେ ଧ୍ୟାନ ଦେଉଛି । ଜଣେ ଅବସର ନେବାର ଅବ୍ୟବହିତ ପୁର୍ବରୁ ତାଙ୍କର ପେନସନ ସମ୍ବନ୍ଧିୟ କାଗଜପତ୍ର ବିଭାଗରେ ପହଞ୍ଚିବା ଆବଶ୍ୟକ । ଅଦାଲତ ସମ୍ବନ୍ଧୀୟ କେଶଗୁଡିକୁ ଅଗ୍ରାଧିକାର ଭିତ୍ତିରେ ସମାଧାନ କରି କର୍ମଚାରୀମାନଙ୍କ ଗ୍ରାଚୁଇଟି, ପେନସନ ଆଦିକୁ ସହଜ କରିବା ପାଇଁ ସେ ପରାମର୍ଶ ଦେଇଥିଲେ । ସେହିପରି ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠରୁ ଆସୁଥିବା ବିଭାଗ ସମ୍ବନ୍ଧୀୟ ସମସ୍ତ ଅଭିଯୋଗଗୁଡିକର ଯଥା ସମୟରେ ତ୍ୱରିତ ସମାଧାନପୂର୍ବକ ଅନୁପାଳନ ରିପୋର୍ଟ ବିଭାଗକୁ ପ୍ରଦାନ କରିବା ଜରୁରୀ ବୋଲି ସେ ପ୍ରକାଶ କରିଥିଲେ । ଗ୍ରାମ୍ୟ ଉନ୍ନୟନ ବିଭାଗର ବିଭିନ୍ନ ପ୍ରକଳ୍ପଗୁଡିକର ସମୀକ୍ଷା ଅବସରରେ ଶ୍ରୀ ସିଂହ କହିଲେ ଯେ ସଡକ, ସେତୁ ଓ ଗୃହ ନିର୍ମାଣ କ୍ଷେତ୍ରରେ ବିଭାଗ ସମସ୍ତ ସର୍କଲମାନଙ୍କୁ ପର୍ଯ୍ୟାପ୍ତ ପାଣ୍ଠି ହସ୍ତାନ୍ତର କରିଛି । ଏଣୁ ଯେଉଁ ଡିଭିଜନମାନେ ସେମାନଙ୍କୁ ଦିଆ ଯାଇଥିବା ଅନୁଦାନର ୮୦ ପ୍ରତିଶତ ଅଦ୍ୟାବଧି ବ୍ୟୟ କରି ସାରିଛନ୍ତି ସେହିମାନଙ୍କୁ ଅତିରିକ୍ତ ଅନୁଦାନ ଡିସେମ୍ବର ମାସରେ ପ୍ରଦାନ କରାଯିବ । ସମସ୍ତ ନିର୍ମାଣ କାମ ତ୍ୱରାନ୍ୱିତ ପ୍ରକ୍ରିୟାରେ ଏବଂ ଧାର୍ଯ୍ୟ ସମୟରେ ସମ୍ପୂର୍ଣ୍ଣ ହେବା ବିଭାଗର ଗୁରୁଦାୟିତ୍ୱ ଏ ଦିଗରେ ବିଭାଗର ସମସ୍ତ ଯନ୍ତ୍ରୀମାନେ ଯନିବାନ ହେବା ଆବଶ୍ୟକ । ସେହିପରି ଆର.ଆଇ.ଡି.ଏଫ ଯୋଜନା ଅଧିନରେ ଚାଲୁ ରହିଥିବା ପ୍ରକଳ୍ପଗୁଡିକ ଧାର୍ଯ୍ୟ ସମୟରେ ସାରିବା ସହ ଆଗାମୀ ଡିସେମ୍ବର ସୁଦ୍ଧା ପିସିଆର ପ୍ରଦାନ କରିବାକୁ ଶ୍ରୀ ସିଂହ ନିର୍ଦ୍ଦେଶ ଦେବା ସହ ରୋଡ ଏବଂ ବ୍ରିଜ ସେକ୍ଟରରେ ସ୍ଥଗିତ ରହିଥିବା ଡିପିଆର ଦାଖଲ କରିବାକୁ କହିଥିଲେ । ଏଥି ସହିତ ଶତପ୍ରତିଶତ ପ୍ରଶାସନିକ ଅନୁମୋଦନ ସହ ବାକି ରହିଥିବା ଟେଣ୍ଡର ପ୍ରକ୍ରିୟା ଯଦି କିଛି ରହିଥାଏ ତା’କୁ ଶେଷ କରିବାକୁ କହିଥିଲେ । ସେହିପରି ବିଜୁସେତୁ ଯୋଜନା ଅଧିନରେ ବିଭିନ୍ନ ଜିଲ୍ଲାରେ ଚାଲୁ ରହିଥିବା ପ୍ରକଳ୍ପଗୁଡିକର ଅଗ୍ରଗତି ସମ୍ବନ୍ଧରେ ପଚାରି ବୁଝିବା ସହ ଆପ୍ରୋଚ ରୋଡଗୁଡିକୁ ଯଥା ସମୟରେ ସାରିବାକୁ ବୈଠକରେ ବିଭାଗୀୟ ଯନ୍ତ୍ରୀମାନଙ୍କୁ ନିର୍ଦ୍ଦେଶ ଦିଆ ଯାଇଥିଲା । ନିର୍ବାହୀ ଯନ୍ତ୍ରୀମାନେ ପ୍ରକଳ୍ପର ଫିଜିବିଲିଟି ରିପୋର୍ଟ ପ୍ରଦାନ କରିବା ସମୟରେ କେଉଁ ଯୋଜନା ଏବଂ ଧାର୍ଯ୍ୟ ଲକ୍ଷ୍ୟ ପୂରଣ ହେଇ ପାରୁଛି ସେଗୁଡିକୁ ଅନୁଧ୍ୟାନ ପୂର୍ବକ ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ୨୦୨୧-୨୨ ଆର୍ଥିକ ବର୍ଷ ପୂର୍ବରୁ ବାକି ରହିଥିବା ପ୍ରକଳ୍ପଗୁଡିକର ଅଗ୍ରଗତି ସମ୍ବନ୍ଧରେ ବୁଝିବା ସହ ୨୦୨୨-୨୩ ଓ ୨୦୨୩-୨୪ ଆର୍ଥିକ ବର୍ଷରେ ହାତକୁ ନିଆ ଯାଇଥିବା ସମସ୍ତ ପ୍ରକଳ୍ପଗୁଡିକର ବାକି ରହି ଯାଇଥିବା ଡିପିଆର ଫାଇନାଲ କରିବାକୁ ପରାମର୍ଶ ଦେଇଥିଲେ । ବିଜୁ ସେତୁ ଯୋଜନା ଅଧିନରେ ଥିବା ଅସମ୍ପୂର୍ଣ୍ଣ ଆପ୍ରୋଚ ରୋଡ କାମକୁ ତ୍ୱରାନ୍ୱିତ ପ୍ରକ୍ରିୟାରେ ସାରିବାକୁ ବୈଠକରେ ଗୁରୁତ୍ୱ ଦିଆ ଯାଇଥିଲା । ମୁଖ୍ୟମନ୍ତ୍ରୀ ସଡକ ଯୋଜନା ଅଧିନରେ ଚାଲୁ ରହିଥିବା ପ୍ରକଳ୍ପଗୁଡିକୁ ଅଗ୍ରାଧିକାର ଭିତ୍ତିରେ ସାରିବା ସହିତ ୨୦୨୧-୨୨ ପୂର୍ବରୁ ଚାଲୁ ରହିଥିବା ପ୍ରକଳ୍ପକୁ ଆସନ୍ତା ଡିସେମ୍ବର ସୁଦ୍ଧା ସମ୍ପୂର୍ଣ୍ଣ ହେବା ଜରୁରୀ ବୋଲି ଶ୍ରୀ ସିଂହ କହିଥିଲେ । ଏଥି ସହିତ ୨୦୨୨-୨୩ ଏବଂ ୨୦୨୩-୨୪ ଆର୍ଥିକ ବର୍ଷରେ ଶତପ୍ରତିଶତ ପ୍ରଶାସନିକ ଅନୁମୋଦନ ସହ ସମସ୍ତ ପ୍ରକଳ୍ପ ପ୍ରକ୍ରିୟା ଚୂଡାନ୍ତ କରିବାକୁ କହିଥିଲେ । ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା ଅଧିନରେ ସମ୍ପୂର୍ଣ୍ଣ ହୋଇଥିବା ରାସ୍ତାଗୁଡିକର ନିୟମିତ ଓ ସାମୟିକ ରକ୍ଷଣାବେକ୍ଷଣ ନିମନ୍ତେ ସମ୍ପୃକ୍ତ ସଂସ୍ଥାଗୁଡିକ ସହିତ ବୁଝାମଣା କରି କାର୍ଯ୍ୟ ଆଗେଇ ନେବାକୁ ପରାମର୍ଶ ଦେଇଥିଲେ । ପ୍ରକଳ୍ପ କାର୍ଯ୍ୟ ସମୟରେ ଜମି ଅଧିଗ୍ରହଣରେ ଉପୁଜୁ ଥିବା ସମସ୍ୟା, ବିଶେଷ କରି ଜଙ୍ଗଲ ଜମିଗୁଡିକ ପାଇଁ ଔପଚାରିକତା ସମ୍ପୂର୍ଣ୍ଣ କରି ବିଭାଗକୁ ଜଣାଇବାକୁ ଶ୍ରୀ ସିଂହ ନିର୍ଦ୍ଦେଶ ଦେଇଥିଲେ । ବୈଠକରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା, ମୁଖ୍ୟମନ୍ତ୍ରୀ ସଡକ ଯୋଜନା, କୋଠାବାଡି, ଗ୍ରାମ୍ୟ ଉନ୍ନୟନ ବିଭାଗର ସମସ୍ତ ଯୋଜନା ଏବଂ ମୁଖ୍ୟମନ୍ତ୍ରୀ ଅଭିଯୋଗ ଶୁଣାଣି ସମ୍ପର୍କରେ ଆଲୋଚନା କରା ଯାଇଥିଲା । ପ୍ରତ୍ୟେକ ସର୍କଲ ଓ ଡିଭିଜନର ସମସ୍ତ ଯନ୍ତ୍ରୀମାନଙ୍କୁ ଉପରୋକ୍ତ ସମସ୍ତ କାର୍ଯ୍ୟକ୍ରମର ଅଗ୍ରଗତି ଓ ବର୍ତ୍ତମାନର ସ୍ଥିତି ସମ୍ପର୍କରେ ପ୍ରମୁଖ ଶାସନ ସଚିବ ଶ୍ରୀ ସିଂ ପଚାରି ବୁଝିଥିଲେ । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଗ୍ରାମ୍ୟ ଉନ୍ନୟନ ବିଭାଗ, ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ସୁଦର୍ଶନ ପରିଡା, ଇ.ଆଇ.ସି ଶ୍ରୀ ଅକ୍ଷୟ କୁମାର ପ୍ରଧାନ, ଇ.ଆଇ.ସି ଶ୍ରୀ ଜୀବନାନନ୍ଦ ନାୟକଙ୍କ ସମେତ ବିଭାଗୀୟ ବରିଷ୍ଠ ପଦାଧିକାରୀମାନେ ଯୋଗ ଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।