ଓଡିଶାରେ ସରକାରୀ ଶିକ୍ଷାନୁଷ୍ଠାନକୁ ନଷ୍ଟ କରିବା ପାଇଁ ଚାଲିଛି ଷଡଯନ୍ତ୍ର : ଅନିଲ ବିଶ୍ୱାଳ ।

ଭୁବନେଶ୍ୱର : ରାଜ୍ୟ ସରକାର ଏକ ଘରୋଇ ଶିକ୍ଷାନୁଷ୍ଠାନ ସହିତ ବୁଝାମଣା ପତ୍ର ସ୍ୱାକ୍ଷର କରିବା ସହିତ ଆଜି ମୁଖ୍ୟମନ୍ତ୍ରୀ ଏହାର ସ୍ଥାପନା ପାଇଁ ଭିତିପ୍ରସ୍ତର ସ୍ଥାପନା କରିଛନ୍ତି । ବିଜେଡି ସରକାର ଗୋଟିଏ ପଟରେ ଘରୋଇ ବିଶ୍ୱବିଦ୍ୟାଳୟ ସହିତ ଏମଓୟୁ କରି ଘରୋଇ ଶିକ୍ଷାନୁଷ୍ଠାନ ସ୍ଥାପନା କରିବା ପାଇଁ ଆଗଭର ହେଉଛନ୍ତି କିନ୍ତୁ ଅପରପଟେ କେନ୍ଦ୍ର ସରକାରଙ୍କ ରାଜ୍ୟରେ ସରକାରୀ ଶିକ୍ଷାନୁଷ୍ଠାନମାନଙ୍କର ବିକାଶ ପାଇଁ ଥିବା ଉଦ୍ଧିଷ୍ଟ ଥିବା ବିଭିନ୍ନ ଯୋଜନା ଯଥା ପିଏମିଶ୍ରୀ, ପିଏମଉଶା, ମେରିଟି ଆଦିକୁ ଲାଗୁ କରିବା ପାଇଁ ଚାହୁଁ ନାହାନ୍ତି କି ସେଥିପାଇଁ ଉଦ୍ଦିଷ୍ଟ ଏମଓୟୁ ସ୍ୱାକ୍ଷର କରୁନାହାନ୍ତି । ରାଜ୍ୟ ସରକାର ଗୋଟିଏ ପଟରେ ଘରୋଇ ଶୀକ୍ଷାନୁଷ୍ଠାନମାନଙ୍କୁ ପ୍ରୋସ୍ତ୍ରାହନ ଦେଉଥିବା ବେଳେ ଅନ୍ୟପଟରେ ସରକାରୀ ଶିକ୍ଷାନୁଷ୍ଠାନର ବିକାଶ ପାଇଁ ଥିବା ଯୋଜନାକୁ କାହିଁକି ବିରୋଧ କରୁଛନ୍ତି । ଓଡିଶାରେ ସରକାରୀ ଶିକ୍ଷାନୁଷ୍ଠାନକୁ ନଷ୍ଟ କରିବା ପାଇଁ ସରକାରୀ ସ୍ତରରେ ଷଡଯନ୍ତ୍ର ଚାଲିଛି ବୋଲି ଆଜି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖପାତ୍ର ଅନିଲ ବିଶ୍ୱାଳ କହିଛନ୍ତି । ଶ୍ରୀ ବିଶ୍ୱାଳ କହିଛନ୍ତି ଯେ, ରାଜ୍ୟ ସରକାର କାହିଁକି ଏକ ରାଜ୍ୟ ବାହାରର ଘରୋଇ ଶିକ୍ଷାନୁଷ୍ଠାନକୁ ୩୦୦ କୋଟି ଟଙ୍କାର ଅନୁଦାନ ଦେବେ? ସେହି ଶିକ୍ଷାନୁଷ୍ଠାନର କୋର୍ସ ଫି ଏତେ ଅଧିକ ଯେ ସାଧାରଣ ପରିବାରର ଓଡିଆ ପିଲା ସେଥିରେ ନାମ ଲେଖାଇ ପାରିବେ ନାହିଁ । ଯେହେତୁ ସେହି ଶିକ୍ଷାନୁଷ୍ଠାନ ସରକାରଙ୍କଠାରୁ ଅନେକ ସୁବିଧା ସୁଯୋଗ ପାଉଛି ତେଣୁ ସେଠାରେ ୩୦% ଆସନରେ ଓଡିଆ ପିଲାଙ୍କୁ ମାଗଣାରେ ପଢାଯିବା ପାଇଁ ସରକାର ପଦକ୍ଷେପ ନେବା ଉଚିତ୍ । ପ୍ରଧାନମନ୍ତ୍ରୀ ମୋଦିଙ୍କ ଏକ ଯୁଗାନ୍ତକାରୀ ଯୋଜନା ପିଏମ ସ୍କୁଲ ଫର ରାଇଜିଙ୍ଗ ଇଣ୍ଡିଆକୁ ଓଡିଶାରେ ଲାଗୁ କରାଇ ଦେଉନାହାନ୍ତି । ବାରମ୍ବାର କେନ୍ଦ୍ର ଶୀକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅନୁରୋଧ ପରେ ମଧ୍ୟ ରାଜ୍ୟ ସରକାର ଏହାକୁ କାହିଁକି ଲାଗୁ କରିବା ପାଇଁ ଚାହୁଁ ନାହାନ୍ତି । ଯଦି ଏହି ଯୋଜନା ଲାଗୁ ନହୁଏ ତାହେଲେ ଓଡିଶା ୧୬୦୦ କୋଟି ଟଙ୍କାର କେନ୍ଦ୍ରୀୟ ଅନୁଦାନ ହରାଇବ । ଏଥିପାଇଁ ଦାୟୀ କିଏ ରହିବ? ଏହା ଓଡିଶାର ସରକାରୀ ସ୍କୁଲରେ ପଢୁଥିବା ଗରିବ ପିଲାମାନଙ୍କ ସହିତ ପ୍ରତାରଣା । ରାଜ୍ୟ ସରକାରଙ୍କ ହିନ ରାଜନୀତି ପାଇଁ ଓଡିଶାର ଛାତ୍ରଛାତ୍ରୀମାନଙ୍କ ଅଧୀକାରରୁ ସେମାନେ ବଂଚିତ ହେଉଛନ୍ତି , ଗୁଣାତ୍ମକ ଶୀକ୍ଷାରୁ ବଂଚିତ ହେଉଛନ୍ତି । କେବଳ ସେତିକି ନୁହେଁ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟର ଆଉ ଏକ ଯୋଜନା ପିଏମଉସା ଯୋଜନା ଯାହା ରାଜ୍ୟର ବିଶ୍ୱବିଦ୍ୟାଳୟମାନଙ୍କ ବିକାଶ ପାଇଁ ଉଦ୍ଦିଷ୍ଟ ତାକୁ ମଧ୍ୟ ରାଜ୍ୟ ସରକାର ଲାଗୁ କରିବା ପାଇଁ ଚାହୁଁନାହାନ୍ତି । ଯାନ୍ତ୍ରିକ ଶିକ୍ଷାନୁଷ୍ଠାନର ବିକାଶ ପାଇଁ ଥିବା ମେରିଟି ଯୋଜନାକୁ ମଧ୍ୟ ରାଜ୍ୟ ସରକାର ଲାଗୁ କରାଇ ଦେଉନାହାନ୍ତି ବୋଲି ଶ୍ରୀ ବିଶ୍ୱାଳ କହିଛନ୍ତି । ରାଜ୍ୟ ସରକାରଙ୍କ ଏହି ମନୋଭାବ ପଛର କାରଣ କଣ? କାଳେ କେନ୍ଦ୍ରୀୟ ଯୋଜନା ଲାଗୁ ହେଲେ ଓଡିଶାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଓଡିଶାର ଗର୍ବ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଲୋକପ୍ରିୟତା ଆହୁରି ବଢିବ ସେହି ଭୟ ଘାରିଛି କି ବିଜୁ ଜନତା ଦଳକୁ ବୋଲି ଶ୍ରୀ ବିଶ୍ୱାଳ ପ୍ରଶ୍ନ କରିଛନ୍ତି । ରାଜ୍ୟରେ ୬୨ ହଜାର ସ୍କୁଲ ଅଛି । ସେଥିରୁ ୫ଟି ସ୍କୁଲ ଯୋଜନାରେ ମାତ୍ର ୬୦୦୦ ସ୍କୁଲ ନିଆଯାଇଛି । ବାକି ୫୮ ହଜାର ସ୍କୁଲ ଅବସ୍ଥା ନକହିଲେ ଭଲ । ଯେଉଁ ୫୮ ହଜାର ସ୍କୁଲକୁ ସରକାର ୫ଟି ଉପକ୍ରମରେ ସାମିଲ କରିନାହାନ୍ତି ସେଥିରୁ ମାତ୍ର ୮୦୦ ସ୍କୁଲକୁ ପିଏମଶ୍ରୀ ଯୋଜନାରେ ସାମିଲ କରିବାରେ ଅସୁବିଧା କଣ ଅଛି ? ଏବଂ ଯେଉଁ ୬୦୦୦ ସ୍କୁଲକୁ ସ୍ମାର୍ଟ ସ୍କୁଲ ବୋଲି ସରକାର ଘୋଷଣା କରିଛନ୍ତି, ସେଥିରେ ମଧ୍ୟ ଦୁର୍ନିତି ହୋଇଛି । ପାଖାପାଖି ୪୦୦୦ କୋଟି ଟଙ୍କାର ଦୁର୍ନୀତି ହୋଇଛି ଏହି ୫ଟି ସ୍କୁଲ ରୁପାନ୍ତରଣ ନାଁରେ । କେଉଁଠି ବାହାର ଚକାଚକ ଭିତର ଫମ୍ପା ତ ଆଉ କେଉଁଠି ପାଚେରି ଭୁଶିଡି ପଡିଛି, ଛାତରୁ ପ୍ଲାଷ୍ଟର ଖସୁଛି । କେଉଁଠି ସ୍କୁଲ ନିର୍ମାଣରେ ୧ କୋଟି ଟଙ୍କା ଖର୍ଚ୍ଚ ହୋଇଛି କିନ୍ତୁ ଗୋଟିଏ କ୍ଲାସରୁମରେ ଦୁଇଟି ଶ୍ରେଣୀର ପିଲା ପାଠ ପଢୁଛନ୍ତି । କାଳେ ପିଏମଶ୍ରୀ ଯୋଜନା ଲାଗୁ ହେଲେ ସ୍ମାର୍ଟ ସ୍କୁଲ ଦୁର୍ନୀତି ପଦାରେ ପଡିଯିବ ସେହି ଭୟ ଘାରିଛି କି ବୋଲି ଶ୍ରୀ ବିଶ୍ୱାଳ ପ୍ରଶ୍ନ କରିଛନ୍ତି । ଅନିଲ କହିଛନ୍ତି ଯେ, ରାଜ୍ୟରେ ସରକାରୀ ଶିକ୍ଷାନୁଷ୍ଠାନକୁ ନଷ୍ଟ କରିବା ପାଇଁ ଏକ ରିତିମତ ଷଡଯନ୍ତ୍ର ଚାଲିଛି । ସେଥିପାଇଁ ସରକାରୀ ସ୍କୁଲ, କଲେଜ, ବିଶ୍ୱବିଦ୍ୟାଳୟ ସବୁଠାରେ ସରକାର ଜାଣିଶୁଣି ଅବ୍ୟବସ୍ଥା ସୃଷ୍ଟି କରୁଛନ୍ତି । କିନ୍ତୁ ଘରୋଇ ଶିକ୍ଷାନୁଷ୍ଠାନମାନଙ୍କୁ ଯଥେଷ୍ଟ ପୋସ୍ତ୍ରାହନ ଦିଆଯାଉଛି । ରାଜ୍ୟ ସରକାରଙ୍କ ଏହି ମାନସିକତା ପାଇଁ ଓଡିଶାର ଗରିବ ଘରର ମେଧାବି ପିଲାମାନେ ହଇରାଣ ହେଉଛନ୍ତି । ରାଜ୍ୟ ସରକାର ଓଡିଶାର ଓଡିଶାର ଗରିବ ଘରର ମେଧାବି ଛାତ୍ରଛାତ୍ରୀମାନଙ୍କ ବିରୋଧରେ କରୁଥିବା ଷଡଯନ୍ତ୍ରର କ୍ଷମା ନାହିଁ ।