ନାରୀ ନିର୍ଯ୍ୟାତନା, ନାରୀ ହିଂସା, ନାରୀ ଧର୍ଷଣ, ଶିଶୁ ଅପହରଣ ଆଦି ବଢ଼ିବାରେ ଲାଗିଛି ।

ଭୁବନେଶ୍ୱର:ବିଗତ ଦିନମାନଙ୍କରେ ନାରୀ ନିର୍ଯ୍ୟାତନା ଏବଂ ଅପରାଧିଙ୍କୁ ସୁରକ୍ଷା ଦେବାରେ ନବୀନ ବାବୁ ୧ ନମ୍ବର ମୁଖ୍ୟମନ୍ତ୍ରୀ । ପ୍ରକାଶ ଥାଉକି ବେବିନା, କୁନ୍ଦୁଲି, ଟିକିରି ଶିକ୍ଷୟତ୍ରୀ, ପରୀ, ପିହୁ, ମାଧବତୀଲତା, ମମିତା, ସୁଜାତା ଏବଂ ମାହାଙ୍ଗାର ଡବଲ ମର୍ଡର କେସ୍‌ରେ ରାଜ୍ୟ ସରକାରଙ୍କର ବିଧାୟକ ଓ ମନ୍ତ୍ରୀ ସଂପୃକ୍ତ ଥିବାର ଅଭିଯୋଗ ଥାଇ ମଧ୍ୟ ନବୀନ ବାବୁଙ୍କ ନୈରାଶତା ଦେଖିବାକୁ ମିଳୁଛି । ନିର୍ଯ୍ୟାତିତ ମହିଳାଙ୍କୁ ନ୍ୟାୟ ମିଳିବା ପରିବର୍ତେ ନାରୀ ନିର୍ଯ୍ୟାତନା ଓ ଶିଶୁ ନିର୍ଯ୍ୟାତନାରେ ସଂପୃକ୍ତ ବ୍ୟକ୍ତି ବିଶେଷଙ୍କୁ ପରବର୍ତୀ ସମୟରେ ଦଳର ଉଚ୍ଚସ୍ତରୀୟ ପଦବୀରେ ଥଇଥାନ କରି ନବୀନ ପଟ୍ଟନାୟକ ନାରୀ ନିର୍ଯ୍ୟାତନ ଓ ଶିଶୁ ନିର୍ଯ୍ୟାତନାକୁ ପ୍ରୋତ୍ସାହନ ଦଉଛନ୍ତି ବୋଲି ଆଜି କଂଗ୍ରେସ ଭବନରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମହିଳା କଂଗ୍ରେସ ଉପସଭାନେତ୍ରୀ ତଥା ପିସିସି ମୁଖପାତ୍ର ଶ୍ରୀମତୀ ରଶ୍ମି ମହାପାତ୍ର ଅଭିଯୋଗ କରିଛନ୍ତି । ସେ କହିଛନ୍ତି ବିଜେଡ଼ି ଦଳର ମା’କୁ ସମ୍ମାନ ଗାଁକୁ କାମ କେବଳ ସ୍ଲୋଗାନ ହୋଇ ରହିଯାଇଛି । ସନ୍ଦେହର ବଳୟରେ ଥିବା ରାଜନେତାମାନଙ୍କୁ ଟିକଟ ଦିଆଯାଉଛି । ତେଣୁ ଅପରାଧି ମାନଙ୍କୁ ପ୍ରୋତ୍ସାହିତ ବା ଉତ୍ସାହିତ କରିବାରେ ନବୀନ ବାବୁ ମାହିର । ସଦ୍ୟ ପ୍ରକାଶିତ ଏନସିଆରବି ରିପୋର୍ଟ ଅନୁଯାୟୀ ମହିଳାଙ୍କ ଉପରେ ଅତ୍ୟାଚାର ୨୦୨୧ ରେ ୧୩୮୯ ମାମଲା ରୁଜୁ ହୋଇଥିବା ବେଳେ ୨୦୨୨ ରେ ୧୪୦୨ ମାମଲା ବୃଦ୍ଧି ପାଇଛି । ସମଗ୍ର ଦେଶରେ ମଧ୍ୟ ଏନସିଆରବି ରିପୋର୍ଟ ଅନୁଯାୟୀ ଶିଶୁ ମାନଙ୍କ ଉପରେ ଅତ୍ୟଚାର ୮.୭ ବୃଦ୍ଧି ପାଇଛି ଏବଂ ମହିଳା ମାନଙ୍କ ଉପରେ ଅତ୍ୟାଚାର କ୍ଷେତ୍ରରେ ଓଡ଼ିଶା ଦେଶରେ ୭ ନମ୍ବରରେ ପହଞ୍ଚିଛି ଏବଂ ଆହୁରି ମଧ୍ୟ ରାଜ୍ୟରେ ଅର୍ଥନୈତିକ ଅପରାଧ, ସାଇବର ଅପରାଧ ୨୪.୪ % ବୁଦ୍ଧି ପାଇଛି । ସେହିଭଳି ବିଭିନ୍ନ ଠକେଇ ଅପରାଧରେ ୧୧.୮ ଯାହାକି ରାଜ୍ୟ ସରକାର ନିୟନ୍ତ୍ରଣ ଉପରେ ବିଫଳ ସୂଚାଉଛି ବୋଲି ଶ୍ରୀମତୀ ମହାପାତ୍ର କହିଛନ୍ତି । ଶ୍ରୀମତୀ ମହାପାତ୍ର କହିଛନ୍ତି ରାଜ୍ୟରେ ଡବ୍ଲୁଆଣ୍ଡସିଡି, ଶିଶୁ ଆୟୋଗ କମିଶନ, ମହିଳା କମିଶନ ସହିତ ଅନେକଗୁଡ଼ିଏ କମିଶନ ଏବଂ ପରାମର୍ଶ ଦାତା କମିଟି ଗଠନ କରାଯାଇଛି । ଏସବୁ କମିଶନ, ଆୟୋଗ ଏବଂ ପରାମର୍ଶ ଦାତା କମିଟିରେ ମୁଖ୍ୟମନ୍ତ୍ରୀ ତାଙ୍କ ଦଳର ନେତା ଓ ନେତ୍ରୀମାନଙ୍କୁ ବିଭିନ୍ନ ପଦପଦବୀରେ ରଖି କେବଳ ଥଇଥାନ କରିଛନ୍ତି । ରାଜନୈତିକ କରଣ ଯୋଗୁଁ ଉକ୍ତ ସଂସ୍ଥାଗୁଡ଼ିକୁ ପଙ୍ଗୁ କରିଦିଆଯାଇଛି । ସେମାନଙ୍କ ବାବଦରେ ରାଜ୍ୟ ତହବିଲ୍‌ରୁ ସାଧାରଣ ଜନତାଙ୍କ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିଲେ ମଧ୍ୟ ଫଳ ଶୂନ । ଫଳରେ ରାଜ୍ୟରେ ନାରୀ ନିର୍ଯ୍ୟାତନା, ନାରୀ ହିଂସା, ନାରୀ ଧର୍ଷଣ, ଶିଶୁ ଅପହରଣ ଆଦି ବଢ଼ିବାରେ ଲାଗିଛି । ସବୁ କ୍ଷେତ୍ରରେ ଯଦି ମୁଖ୍ୟମନ୍ତ୍ରୀଙ୍କୁ ଶ୍ରେୟ ଦିଆଯାଉଛି ତେବେ ରାଜ୍ୟରେ ନାରୀ ନିର୍ଯ୍ୟାତନା, ଶିଶୁ ନିର୍ଯ୍ୟାତନା ୭ ନମ୍ବରରେ ଥିବା ଓଡ଼ିଶାର ଶ୍ରେୟ ମୁଖ୍ୟମନ୍ତ୍ରୀ ନ ଅନ୍ୟ କାହାକୁ ଦେବୁ ବୋଲି ଶ୍ରୀମତୀ ମହାପାତ୍ର ପ୍ରଶ୍ନ କରିଛନ୍ତି । ଦୀର୍ଘ ୨୪ ବର୍ଷ ଧରି ଶାସନରେ ଥିବା ବିଜେଡ଼ି ସରକାରଙ୍କ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି ବୋଲି ଶ୍ରୀମତୀ ମହାପାତ୍ର କହିଛନ୍ତି । ଏଣୁ କଂଗ୍ରେସ ଦାବି କରୁଛି ଯେତେ କମିଶନ, ଆୟୋଗ ପରାମର୍ଶ ଦାତ କମିଟି ଗଠନ କରାଯାଇଛି ଏବଂ ରାଜ୍ୟ ସରକାର ବାହାଦୁର ନେବା ପାଇଁ ପ୍ରତ୍ୟେକ ଥାନାରେ ଯେଉଁ ମହିଳା ଓ ଶିଶୁ ଡେକ୍ସ ନାମକୁ ମାତ୍ର ଗଠନ କରଛନ୍ତି ସେ ସବୁକୁ ସଠିକ୍ ଭାବରେ ଦୃଢ଼ତାର ଓ ନିଷ୍ଠାର ସହିତ କାର୍ଯ୍ୟ କରାଗଲେ ରାଜ୍ୟରେ ନାରୀ ନିର୍ଯ୍ୟାତନା, ଶିଶୁ ନିର୍ଯ୍ୟାତନା ଏବଂ ଦୁର୍ନିତର ପରିମାଣ ହ୍ରାସ ପାଇବ ବୋଲି ଶ୍ରୀମତୀ ମହାପାତ୍ର କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ମହିଳା କଂଗ୍ରେସ ନେତ୍ରୀ ଚୈତାଳି ପଟ୍ଟନାୟକ ଉପସ୍ଥିତ ଥିଲେ ।