ମଦ ବ୍ୟବସାୟୀଙ୍କ ସହ ମନ୍ତ୍ରୀ ତଥା ଟିଟଲାଗଡ ବିଧାୟକ ଟୁକୁନି ସାହୁଙ୍କ ଫଟୋ ।

ଭୁବନେଶ୍ୱର : ଅଣଓଡିଆ ବ୍ୟବସାୟୀମାନେ ଓଡ଼ିଶାର ଖଣି, ଚିଟଫଣ୍ଡକୁ ଲୁଟ୍ କରିଥିଲେ କିନ୍ତୁ ଏବେ ଅଣଓଡିଆ ମଦବେପାରୀମାନେ ଓଡିଶାକୁ ଲୁଟ୍ କରୁଛନ୍ତି । ଗତ ୩ ଦିନ ହେଲାଣି ଜଣେ ଅଣଓଡିଆ ମଦ ବେପାରୀଙ୍କଠାରୁ ୫୦୦କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଜବତ୍ କରାଯାଇଛି ଏବଂ ଏହା ଆଜି ମଧ୍ୟ ଜାରୀ ରହିଛି । ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଥିବା ଏହି ଜବତ୍ ଟଙ୍କା କାହାର ? ଏତେ ଟଙ୍କା କେଉଁଠୁ ଆସିଲା ଓ ଗୋଟିଏ ଜାଗାରେ କିପରି ଠୁଳ ହେଲା? ବାର୍ଷିକ ୧୨୦ କୋଟି ଟଙ୍କାର କାରବାର କରୁଥିବା “ସାହୁ ବଦର୍ସ ଆଣ୍ଡ କୋ”ଙ୍କ ନିକଟକୁ ନଗଦ ୫୦୦ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଆସିଲା କେଉଁଠୁ ? ଜବତ ହୋଇଥିବା ଏହି ଟଙ୍କା “ସାହୁ ବଦର୍ସ ଆଣ୍ଡ କୋ”ର ନିଜସ୍ୱ ନା ଆହୁ କାହାର କଳା ଟଙ୍କା ଏଥିରେ ସାମିଲ ଅଛି ? ଅତୀତରେ ସମଗ୍ର ରାଜ୍ୟରେ ଲୋକଙ୍କ ଆର୍ଥକ ମେରୁଦଣ୍ଡ ଭାଙ୍ଗି ଦେଇଥିଲା ଚିଟଫଣ୍ଡ୍ ଦୁର୍ନୀତି । ଆଜି ଦେଶୀ ମଦ ରାକେଟ ସମଗ୍ର ଉପାନ୍ତ ଅଞ୍ଚଳର ଗରିବ ଲୋକଙ୍କୁ ଶୋଷଣ କରି ସାମାଜିକ ଓ ଆର୍ଥକ ମେରୁଦଣ୍ଡ ଭାଙ୍ଗିଦେଇଛି ବୋଲି ରାଜ୍ୟ ମୁଖପାତ୍ର ଶ୍ରୀ ମନୋଜ ମହାପାତ୍ର ଦାବୀ କରିଛନ୍ତି । ନିର୍ବାଚନବେଳେ ଭୋଟ ହାତେଇବା ପାଇଁ ବିଜୁ ଜନତା ଦଳ ଅଜସ୍ର ଅର୍ଥ ଖର୍ଚ୍ଚ କରେ ଏବଂ ମଦର ବନ୍ୟା ସୃଷ୍ଟି କରେ । ଗତ ମୌସୁମୀ ଅଧିବେଶନରେ ରାଜ୍ୟ ସରକାର ତରବରିଆ ଭାବେ ସପ୍ଲିମେଣ୍ଟାରୀ ବଜେଟ୍ ଆଗତ କରିବା ସହ ତଥାକଥିତ ସିଏମ୍‌ଓ ସମସ୍ତ ଜିଲ୍ଲା ଭ୍ରମଣ କରି ବୈଠକ କରୁଥିଲେ । ଓଡ଼ିଶାରେ କମ୍ ଦିନ ଭିତରେ ବିଧାନସଭାକୁ ଭଙ୍ଗ କରି ଆଗୁଆ ବିଧାନସଭା ନିର୍ବାଚନ କରିବା ପାଇଁ ଶାସକ ଦଳ ଖସଡା ପ୍ରସ୍ତୁତ କରିଥିଲା । ଜବତ ଟଙ୍କା ମଧ୍ୟରେ ୫୦୦ଟଙ୍କା, ୨୦୦ଟଙ୍କା ଓ ୧୦୦ଟଙ୍କା ବାହାରୁଛି । ଯାହା ନିର୍ବାଚନ ସମୟରେ ବଣ୍ଟା ହେବା ପାଇଁ ରଖାଯାଇଥିଲା କି ? ପ୍ରାପ୍ତ ସୁଚନା ଅନୁଯାୟୀ, “ସାହୁ ବଦର୍ସ ଆଣ୍ଡ କୋ” ସହ ବୌଦ୍ଧ, ସୋନପୁର, ଟିଟିଲାଗଡ, ରାୟଗଡାରୁ ଯେଉଁମାନେ ମନ୍ତ୍ରୀ ଅଛନ୍ତି ଏବଂ ବରଗଡର ପୂର୍ବତନ ମନ୍ତ୍ରୀଙ୍କ ସହ ସମ୍ପର୍କ ଅଛି । ସେହିପରି ମଦ ବ୍ୟବସାୟୀଙ୍କ ସହ ମନ୍ତ୍ରୀ ତଥା ଟିଟଲାଗଡ ବିଧାୟକ ଟୁକୁନି ସାହୁଙ୍କ ଫଟୋ ଗଣମାଧ୍ୟମରେ ପ୍ରକାଶ ପାଇଛି । ବୌଦ୍ଧ ରାଇସ ମିଲ୍ ସହ “ସାହୁ ବଦର୍ସ ଆଣ୍ଡ କୋ”ର ସମ୍ପର୍କ କ’ଣ ରହିଛି ? ଏପରିକି ଶାସକ ବିଜେଡିର ବହୁ ନେତା ଓ ମନ୍ତ୍ରୀଙ୍କ ସହ ମଧ୍ୟ ସଂପର୍କ ରହିଛି । ଆଗୁଆ ନିର୍ବାଚନ ପରିଚାଳନା ପାଇଁ “ସାହୁ ବଦର୍ସ ଆଣ୍ଡ କୋ” ପାଖରେ ବିଜୁ ଜନତା ଦଳ ଟଙ୍କା ରଖିଥିଲା କି ? “ସାହୁ ବଦର୍ସ ଆଣ୍ଡ କୋ” ସହ ବିଜେଡିର କଣ ସଂପର୍କ ରହିଛି, ତାହା ରାଜ୍ୟ ସରକାର ସ୍ପଷ୍ଟ କରିବାକୁ ଶ୍ରୀ ମହାପାତ୍ର ଦାବୀ କରିଛନ୍ତି । ପୂର୍ବରୁ ଓଡ଼ିଶାରେ ବ୍ରାଉନସୁଗାର, କ୍ରୋକେନ, ଗଞ୍ଜେଇ, ସାପ ଗରଳ ବେପାରର ପେଣ୍ଠସ୍ଥଳୀ ନବୀନ ଓଡ଼ିଶା । “ସାହୁ ବଦର୍ସ ଆଣ୍ଡ କୋ” ପାଖରେ ଏତେ ଟଙ୍କା କୁଆଡୁ ଆସିଲା ସେ ନେଇ ତଦନ୍ତ କରାଯାଉ । ମୁଖ୍ୟମନ୍ତ୍ରୀ ଯଦି ସ୍ୱଚ୍ଛତା କଥା କହୁଛନ୍ତି, ତେବେ ଏହା କଣ ଜନବିରୋଧୀ ନୁହେଁ କି ? ବିଜେଡି ନିଜର ସ୍ୱଚ୍ଛତା ଓ ଜନସାଧାରଣଙ୍କ ସ୍ୱାର୍ଥ ଦୃଷ୍ଟିରୁ ତୁରନ୍ତ ତଦନ୍ତ ଭାର ସିବିଆଇ ହାତରେ ହସ୍ତାନ୍ତର କରନ୍ତୁ ବୋଲି ଶ୍ରୀ ମହାପାତ୍ର ଦାବି କରିଛନ୍ତି ।