ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆତ୍ମ ପ୍ରଚାରର ପ୍ରତିଯୋଗିତା କରୁଛନ୍ତି ।

ଭୁବନେଶ୍ୱର : ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଶରତ ପଟ୍ଟନାୟକ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆତ୍ମ ପ୍ରଚାରର ପ୍ରତିଯୋଗୀତା କରୁଛନ୍ତି । କେନ୍ଦ୍ର ସରକାରଙ୍କର ୟୁଜିସି ସମସ୍ତ ବିଶ୍ୱବିଦ୍ୟାଳୟ ଏବଂ କେନ୍ଦ୍ରୀୟ ଶିକ୍ଷାନୁଷ୍ଠାନମାନଙ୍କରେ ଏକ ସେଲ୍‌ଫି ପଏଣ୍ଟ କରିବା ପାଇଁ ନିର୍ଦ୍ଦେଶାନାମା ଜାରି କରିଛନ୍ତି । ଏହାଦ୍ୱାରା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଫଟୋ ରହିବ, ଛାତ୍ର ଛାତ୍ରୀମାନେ ସେଲ୍‌ଫି ପଏଣ୍ଟରେ ନିଜ ଏଣ୍ଡ୍ରୋଏଡରେ ଫୋନରେ ସେଲ୍‌ଫି ନେବେ ଏବଂ ତାକୁ ଅପଲୋଡ଼ କରିବେ । ମୂଳ ଉଦ୍ଦେଶ୍ୟ ହେଲା ନିଜର ଆତ୍ମ ପ୍ରଚାର କରିବା । ଏଥିପାଇଁ ଭାରତ ସରକାରଙ୍କର ରାଜକୋଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ ହେବ । ଏହା ହେଉଛି ଭାରତ ବିକାଶ ନୂଆ ନାରା କି ? ଅମୃତକାଳରେ ଦେଶ ଆଗେଇଛି । ପ୍ରଧାନମନ୍ତ୍ରୀଙ୍କ ସେଲ୍‌ଫି ନେବା ଅମୃତକାଳରେ ସବୁଠାରୁ ବଡ଼ କାର୍ଯ୍ୟ ବୋଧ ହୁଏ । ଆସନ୍ତା କିଛି ବର୍ଷ ଭିତରେ ଗାନ୍ଧୀ, ନେହେରୁ, ପଟେଲ, ସୁବାଷ ବୋଷ, ମୋଲାନା ଅବୁଲ୍‌କଲାମ୍ ଆଜାଦ୍ ଏବଂ ଉତ୍କଳମଣି ଗୋପବନ୍ଧୁ, କୂଳବୁଦ୍ଧ ମଧୁସୁଦନଙ୍କ ନାମ ଓ ନିଶାନ ସବୁଦିନ ଧରି ଇତିହାସ ପୃଷ୍ଠାରୁ ଲୁଚେଇ ଦେବା ପାଇଁ ଏ ବୋଧ ହୁଏ ବିଜେପି ଓ ବିଜେଡ଼ିର ଏହା ମିଳିତ ଷଡ଼ଯନ୍ତ୍ର । ଓଡ଼ିଶା ବିଜୁ ଜନତା ଦଳର ସରକାର ଓଡ଼ିଶା ଗରିବ ଟିକସ ଦାତା ପଇସାକୁ ନିଜ ଦଳୀୟ ପାଣ୍ଠି ଭାବି ଖର୍ଚ୍ଚ କରିବାରେ ଲାଗିଛନ୍ତି । ଏବେ ଏବେ ଏହି ନଭେମ୍ବର ମାସରେ ଓଡ଼ିଶା ସରକାର “ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ” ମାଧ୍ୟମରେ ନିଜ ଦଳର ଯୁବ ଓ ଛାତ୍ର ସଂଗଠନକୁ ଅଧିକ ସୁଦୃଢ଼ କରିବା ପାଇଁ ରାଜ୍ୟ ରାଜକୋଷରୁ ଶହ ଶହ କୋଟି ଟଙ୍କା ପାଣି ଭଳି ଖର୍ଚ୍ଚ କରୁଛନ୍ତି । ୨୪ ବର୍ଷର ନବୀନ ସରକାରରେ ଏ ରାଜ୍ୟର ଯୁବକମାନେ ଆଜି ଦିଗହରା ନିଜର ଭବିଷ୍ୟତକୁ ନେଇ । ୨୪ ବର୍ଷ ଭିତରେ ରାଜ୍ୟ ସରକାର କେବେ ଥରେ ହେଲେ ବି ଯୁବ ନୀତି ପ୍ରଣୟନ କରିନାହାନ୍ତି । ୨୦୧୩ ମସିହାରେ ଯେଉଁ ଯୁବନୀତି ପ୍ରଣୟନ ହେଲା ସେଥିରେ ଯୁବକମାନଙ୍କ ନିଯୁକ୍ତି ସଂପର୍କରେ ଶବ୍ଦଟିଏ ନଥିଲା । ନବୀନ ସରକାର ପ୍ରତିବର୍ଷ ୨ ଲକ୍ଷ ନିଯୁକ୍ତି ଦେବା ପାଇଁ ପ୍ରତିଶ୍ରୁତି ପାଣିର ଗାରରେ ପରିଣତ ହେଲା । ଠିକ୍ ସେହିଭଳି ଭାବରେ କେନ୍ଦ୍ରର ବିଜେପି ସରକାର ପ୍ରତିବର୍ଷ ୨ କୋଟି ନିଯୁକ୍ତି ଦେବାର କଥା କହିଥିଲେ ମଧ୍ୟ ତାହା ୧୦ ବର୍ଷ ମଧ୍ୟରେ ସମ୍ଭବ ହେଲା ନାହିଁ । ବିଜେଡ଼ି ସରକାର ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ନାମରେ ସମସ୍ତ ସରକାରୀ ଏବଂ ସମସ୍ତ ସରକାରୀ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟ ମାନଙ୍କରେ ଛାତ୍ର ଛାତ୍ରୀମାନଙ୍କରେ କ୍ରୀଡା, ନାଚ, ଗୀତ ଓ ସାଂସ୍କୃତିକ ଉତ୍ସବ ନାମରେ ନିଜର ଦଳୀୟ କାର୍ଯ୍ୟକ୍ରମ ଜାରି ରଖୁଛନ୍ତି । ୨୪ ବର୍ଷ ଭିତରେ ରାଜ୍ୟର ବିଶ୍ୱବିଦ୍ୟାଳୟ ଓ ମହାବିସଦ୍ୟାଳୟମାନଙ୍କରେ ଛାତ୍ର ଛାତ୍ରୀମାନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରାଯାଇପାରିଲା ନାହିଁ । ସବୁଠାରୁ ଦୁଃଖର କଥା ଓଡ଼ିଶାର ଉଚ୍ଚତର ଶିକ୍ଷାର ଏନ୍ତୁଡ଼ିଶାଳ କୁହାଯାଉଥିବା ରେଭେନ୍‌ସା ବିଶ୍ୱବିଦ୍ୟାଳୟ, ଉତ୍କଳ ବିଶ୍ୱବିଦ୍ୟାଳୟ, ରମାଦେବୀ ବିଶ୍ୱବିଦ୍ୟାଳୟ, ମଧୁସୁଦନ ଆଇନ ବିଶ୍ୱବିଦ୍ୟାଳୟ, ଫକିର ମୋହନ ବିଶ୍ୱବିଦ୍ୟାଳୟ, ଉତର ଓଡ଼ିଶା ବିଶ୍ୱବିଦ୍ୟାଳୟ, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ, ସମ୍ବଲପୁର ବିଶ୍ୱବିଦ୍ୟାଳୟ ଏବଂ ରାଜ୍ୟର ସମସ୍ତ ମହାବିଦ୍ୟାଳୟ ମାନଙ୍କରେ ବିଭିନ୍ନ ବିଭାଗରେ ଅଧାରୁ ଅଧିକ ଶିକ୍ଷକ ପଦବୀ ଖାଲି ପଡ଼ିଛି ଏବଂ ସମ ପରିମାଣରେ ଅଣଶିକ୍ଷକ ପଦବୀ ବର୍ଷ ବର୍ଷ ଧରି ପୂରଣ କରାଯାଉନାହିଁ । ରାଜ୍ୟ ରାଜକୋଷରୁ ହଜାର ହଜାର କୋଟି ପାଣି ଭଳି ଦଳୀୟ ସଂଗଠନକୁ ସୁଦୃଢ଼ କରିବା ପାଇଁ ଖର୍ଚ୍ଚ କରାଯାଉଥିଲାବେଳେ ବିଭିନ୍ନ ଆଳ ଦେଖାଇ ଏ ସବୁ ପଦବୀ ପୂରଣ କରାଯାଉନାହିଁ । ଠିକା ଶିକ୍ଷକ ନିଯୁକ୍ତି କରି ସରକାର ବାଃ ବାଃ ନେଉଛନ୍ତି । କିନ୍ତୁ ରାଜ୍ୟର ଛାତ୍ର ଓ ଯୁବକ ଗୁଣାତ୍ମକ ଶିକ୍ଷାରୁ ସଂପୂର୍ଣ୍ଣରୂପେ ବଞ୍ଚିତ । ଉତ୍କଳ ବିଶ୍ୱବିଦ୍ୟାଳୟର ୪୭ ଟି ମଞ୍ଜୁର ପ୍ରାପ୍ତ ପ୍ରଫେସର ପଦବୀରୁ ୩୫ ଟି ପଦବୀ ଖାଲି ପଡ଼ିଛି । ଏଠାରେ ଗଣିତ ବିଭାଗର ଜଣିଏ ମାତ୍ର ଶିକ୍ଷୟତ୍ରୀ ଆଜିକୁ ୫ ବର୍ଷ ଧରି ବିଭାଗକୁ ଚଳାଉଛନ୍ତି । ସେହିଭଳି ଭାବରେ ପଦାର୍ଥ ବିଜ୍ଞାନରେ ମାତ୍ର ୪ ଜଣ ପୂର୍ଣ୍ଣାଙ୍ଗ ଶିକ୍ଷକ ଅଛନ୍ତି । ରସାୟନ ବିଜ୍ଞାନସ୍ଥିତି ସମାନ । ଲାଇବ୍ରେରୀ ସାଇନ୍‌ସ୍‌ରେ ସ୍ଥାୟୀ ଶିକ୍ଷକ ହିଁ ନାହାନ୍ତି । ଏହିଭଳି ସ୍ଥିତି ସବୁ ବିଶ୍ୱବିଦ୍ୟାଳୟରେ । ବହୁ ବିଶ୍ୱବିଦ୍ୟାଳୟରେ ସ୍ଥାୟୀ କୁଳପତି ନାହାନ୍ତି । ପ୍ରଫେସର, ଆସୋସିଏଟ୍ ପ୍ରଫେସର, ସିନିୟର ପ୍ରଫେସର ମାନଙ୍କର ମରୁଡ଼ୀ ପଡ଼ିଛି ରାଜ୍ୟରେ । ଏହା ଗୋଟିଏ ଦିନ ବା ବର୍ଷର ଘଟଣା ନୁହେଁ । ଏ ହେଉଛି ଆମ ମୁଖ୍ୟମନ୍ତ୍ରୀଙ୍କର ଓଡ଼ିଶାର ଛାତ୍ର ଓ ଯୁବକଙ୍କର ଭଲପାଇବାର ଜ୍ୱଳନ୍ତ ଉଦାହାରଣ । ସମାନସ୍ଥିତି ସମସ୍ତ ମହାବିଦ୍ୟାଳୟ ମାନଙ୍କରେ । ଆଦିବାସୀ ଅଧ୍ୟୁଷିତ ଅଂଚଳର ବିଶେଷ କରି ମୟୁରଭଞ୍ଜ, ସୁନ୍ଦରଗଡ଼, କେନ୍ଦୁଝର, ଫୁଲବାଣୀ, କୋରାଫୁଟ, ମାଲ୍‌କାନାଗିର ଓ ନବରଙ୍ଗପୁର ଜିଲ୍ଲା ମାନଙ୍କର ଶିକ୍ଷାର ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟମାନଙ୍କର ସ୍ଥାୟୀ ଶିକ୍ଷକ ଅଭାବ ଅତ୍ୟନ୍ତ ଉତ୍କଟ । ରାଜ୍ୟର ଶିକ୍ଷା ବିଭାଗକୁ ଠିକା ଶିକ୍ଷକଙ୍କ ହାତରେ ଟେକିଦେଇ ମୁଖ୍ୟମନ୍ତ୍ରୀ ଖୁବ୍ ଖୁସିରେ । ନିର୍ବାଚନ ଆସିଲେ ଯୁବକ ଓ ଛାତ୍ରମାନଙ୍କ କଥା ମନେପଡେ । ନିର୍ବାଚନ ସରିଲେ ସଂପର୍କ ତୁଟିଯାଏ । ୨୦୧୯ ମସିହାରେ ସାଧାରଣ ନିର୍ବାଚନ ପୂର୍ବରୁ ବିଜୁ ଯୁବ ବାହିନୀ ଗଠନ କରାଯାଇଥିଲା । ଶହ ଶହ କୋଟି ଟଙ୍କା ଖର୍ଚ୍ଚ ହେଲା । ନିର୍ବାଚନ ସରିଲା ବିଜୁ ଯୁବ ବାହିନୀ ସରିଲା । ଏ ହେଉଛି ବିଜୁ ଜନତା ଦଳର ଓଡ଼ିଶାର ଯୁବକ ମାନଙ୍କ ପ୍ରତି ଥିବା ସମ୍ନାନର ଆଉ ଏକ କୃର ପ୍ରମାଣ । ୨୦୧୪ ମସିହା ରୁ ୨୦୨୨ ମସିହା ମଧ୍ୟରେ ୬୪୯୧ କୋଟି ଟଙ୍କାରୁ ଅଧିକ ଟଙ୍କା ଆଜି ପର୍ଯ୍ୟନ୍ତ ନରେନ୍ଦ୍ର ମୋଦୀ ନିଜର ଆତ୍ମ ପ୍ରଚାର ପାଇଁ ଦେଶର ଜନସାଧାରଣ ଟିକସ ପଇସାକୁ ଖର୍ଚ୍ଚ କରିଛନ୍ତି । ଏବେ ସେଲ୍‌ଫି ପଏଂଟ ମାଧ୍ୟମରେ ଆଉ ହଜାର ହଜାର କୋଟି ଟଙ୍କା ଖର୍ଚ୍ଚ କରି ନିଜର ଆତ୍ମ ପ୍ରଚାରରେ ଲାଗିପଡ଼ିଛନ୍ତି । ନବୀନ ପଟ୍ଟନାୟକ ସରକାର ୨୦୧୮ ମସିହାରୁ ନେତୃତ୍ୱ ବିକାଶର ଭୂଣ ହତ୍ୟା କରିଛନ୍ତି । ଛାତ୍ର ନିର୍ବାଚନକୁ ବିିଭିନ୍ନ କାରଣ ଦେଖାଇ ବନ୍ଦ କରିଦେଇଛନ୍ତି । ମୂଳକଥାଟି ଭବିଷ୍ୟତରେ ଛାତ୍ର ନେତା ସୃଷ୍ଟି ପରିବର୍ତେ ସେ କିଛି ତୋଷାମତକାରୀଙ୍କୁ ସୃଷ୍ଟି କରିବା ପାଇଁ ଏ ନିଷ୍ପତି ନେଇଛନ୍ତି । ଓଡ଼ିଶା ଦେଶର ସର୍ବାଧିକ ରାଗିଙ୍ଗ ହେଉଥିବା ରାଜ୍ୟମାନଙ୍କ ମଧ୍ୟରୁ ୪ର୍ଥ ସ୍ଥାନ ଅଧିକାର । ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ଧନ୍ୟବାଦ ଦେବା ଉଚିତ୍ । ସାରା ଦେଶରେ ୬୫୪୯ ଶିକ୍ଷକ ପଦବୀ ଖାଲି ପଡ଼ିଛି । ସୁବଠାରୁ ଦୁଃଖର କଥା ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ୯୦୦ ପଦବୀ ଖାଲି ପଡ଼ିଛି । ପ୍ରଧାନମନ୍ତ୍ରୀଙ୍କ ଏଥିପ୍ରତି ଦୃଷ୍ଟି ନାହିଁ । ପ୍ରଧାନମନ୍ତ୍ରୀ ମୋଦୀ ସେଲ୍‌ଫି ପଏଣ୍ଟ ପାଇଁ ଏତେ ବ୍ୟାକୁଳ କିନ୍ତୁ ଶିକ୍ଷକ ନିଯୁକ୍ତି ପାଇଁ ନାମ ମଧ୍ୟ ଧରୁନାହାନ୍ତି । ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରେ ୪୯୮ ଟି ଶିକ୍ଷକ ପଦବୀ ଓ ଜବାହାରଲାଲ୍ ନେହୁରୁ ବିଶ୍ୱବିଦ୍ୟାଳୟରେ ୩୨୬ ପଦୀବ ଫାଙ୍କା ପଡ଼ିଛି । ଉଭୟ ନରେନ୍ଦ୍ର ମୋଦୀ ଓ ନବୀନ ପଟ୍ଟନାୟକ ଉଚ୍ଚ ଶିକ୍ଷାନୁଷ୍ଠାନମାନଙ୍କରେ ଶୈକ୍ଷିକ ବାତାବରଣ ନଷ୍ଟ କରିବାକୁ ଉଦ୍ୟମ କରୁଛନ୍ତି । ଏବେ ଏହି ଦୁଇ ଜଣଙ୍କ ସେଲ୍‌ଫି ଉଚ୍ଚ ଶିକ୍ଷାନୁଷ୍ଠାନମାନଙ୍କରେ ଲାଗିବା ପାଇଁ ଯେଉଁ ସରକାରୀ ସ୍ତରରେ ଯେଉଁ କସରତ ଆରମ୍ଭ ହେଲାଣି ଏହାକୁ ବୁଦ୍ଧିଜୀବିମାନେ ନାପସନ୍ଦ କରୁଛନ୍ତି । ଏହି ସାମ୍ବାଦିକ ସମ୍ମଳନୀରେ ପ୍ରଦେଶ ଛାତ୍ର କଂଗ୍ରେସର ସଭାପତି ୟାସିର ନୱାଜ ଉପସ୍ଥିତ ରହି କହିଥିଲେ ଯେ ଉଭୟ ମୋଦୀ ଓ ନବୀନ ଛାତ୍ର ସମାଜକୁ ପ୍ରତାରିତ କରିଛନ୍ତି । ଓଡ଼ିଶାରେ ୨୦୧୮ ମସିହାରୁ ଛାତ୍ର ସଂସଦ ନିର୍ବାଚନ ବନ୍ଦ କରାଯାଇଛି । ମାତ୍ର ବିଜୁ ଜନତା ଦଳ କ୍ୟାମ୍ପସ କମିଟି କରି କ୍ୟାମ୍ପସରେ ଆତଙ୍କରାଜ ଚଲାଇଛନ୍ତି । ରାଗିଙ୍ଗରେ ବିଜୁ ଛାତ୍ର ଜନତା ଦଳର କର୍ମକର୍ତାମାନେ ସଂପୃକ୍ତ । ରାଜ୍ୟ ସାରା ସରକାରୀ ମହାବିଦ୍ୟାଳୟ ମାନଙ୍କରେ ଆଡ଼ିମିସନ ଜାଲିଆତି ଚାଲିଛି । ସେଥିରେ ବି ବିଜୁ ଜନତା ଦଳ କର୍ମକର୍ତାଙ୍କର ସଂପୃକ୍ତି ରହିଛି । ଶିକ୍ଷାନୁଷ୍ଠାନର ଭିତିଭୂମି ନିର୍ମାଣରେ ବ୍ୟାପକ ଦୁର୍ନୀତି-ରମାଦେବୀ ବିଶ୍ୱବିଦ୍ୟାଳୟର ନୂତନ ଭାବେ ନିର୍ମିତ ପାଚେରୀ ଭୂଷିଡ଼ିବା ଘଟଣା ଏବଂ ବାଙ୍କି ସ୍ୱୟଂଶାସିତ ମହାବିଦ୍ୟାଳୟର ଖେଳ ପଡ଼ିଆର ଗ୍ୟାଲେରି ଉଦ୍‌ଘାଟନ ଦିନ ଭୂଷୁଡ଼ିବା ଘଟଣା ଏହାର ସଦ୍ୟତମ ଉଦାହରଣ । ଉଚ୍ଚ ଶିକ୍ଷାନୁଷ୍ଠାନର କ୍ୟାମ୍ପସରେ ମହିଳା ଅସୁରକ୍ଷିତ । ରମାଦେବୀ ବିଶ୍ୱବିଦ୍ୟାଳୟରେ ରାଗିଙ୍ଗ ଯୋଗୁ ଆଦିବାସୀ ଛାତ୍ରୀ ଟିସି ନେଇଯିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏଭଳି ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥା ଭିତରେ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ଜନସାଧାରଣଙ୍କର ଟିକସର ଅର୍ଥ ଅପବ୍ୟୟ କରାଯାଇ ମୋଦୀ ଓ ନବୀନ ସେଲିଫ୍ ପଏଣ୍ଟ କରିବା ଦୁର୍ଭାଗ୍ୟଜନକ ବୋଲି ଶ୍ରୀନୱାଜ କହିଛନ୍ତି । ଉଭୟ ସରକାରର ଛାତ୍ର ବିରୋଧି ନୀତି ପ୍ରତିବାଦରେ ଡିସେମ୍ବର ୨୦ ରୁ ଜାନୁୟାରୀ ୨୦ ମଧ୍ୟରେ ରାଜ୍ୟର ପ୍ରମୁଖ ଶିକ୍ଷାନୁଷ୍ଠାନ ମାନଙ୍କରେ ପ୍ରଦେଶ ଛାତ୍ର କଂଗ୍ରେସ ବିକ୍ଷୋଭ କରିବ ବୋଲି ଶ୍ରୀ ନୱାଜ ଘୋଷଣା କରିଛନ୍ତି । ଏହି ସମ୍ବାଦିକ ସମ୍ମିଳନୀରେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ବିଶ୍ୱଜିତ୍ ଦାସ ଏବଂ କଟକ ନଗର ଯୁବ କଂଗ୍ରେସ ସଭାପତି ଶ୍ରୀ ବିପ୍ଳବ ଶିଳାଦିତ୍ୟ ଉପସ୍ଥିତ ଥିଲେ ।