ନିଶାସେବନ ବିରୋଧରେ ବ୍ୟାପକ ସଚେତନତା ଜରୁରୀ ।

ଭୁବନେଶ୍ୱର : ନିଶାସେବନ ଓ ନିଶା କାରବାର ନେଇ ତଦାରଖ, ଶାସ୍ତିବିଧାନ, ପ୍ରତିଷେଧକ ଓ ନିଶାମୁକ୍ତି ନେଇ ବ୍ୟାପକ ଜନସଚେତନତା ଜରୁରୀ । ଓଡ଼ିଶାରେ ନିଶାଦ୍ରବ୍ୟ ସେବନର ପରିମାଣ ମାତ୍ରାଧିକ ଓ ମୁଖକର୍କଟ ରୋଗ ଘଟଣା ଦେଶରେ ସର୍ବାଧିକ ବୋଲି ନିଶାମୁକ୍ତ ଭାରତ ଅଭିଯାନର ରାଜ୍ୟ କମିଟି ବୈଠକରେ ମତ ପ୍ରକାଶ ପାଇଛି । ଆଜି ପୂର୍ବାହ୍ନରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ଆନୁକୂଲ୍ୟରେର ଅନୁଷ୍ଠିତ ଏହି ରାଜ୍ୟ କମିଟି ବୈଠକରେ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ବିଷ୍ଣୁପଦ ସେଠୀ ଅଧ୍ୟକ୍ଷତା କରିଥିଲେ । କଟକ-ଭୁବନେଶ୍ୱର ପୋଲିସ୍‌ କମିଶନର ଶ୍ରୀ ସୌମେନ୍ଦ୍ର ପ୍ରିୟଦର୍ଶୀ ବୈଠକରେ ଯୋଗଦେଇ ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନଗୁଡ଼ିକରେ ଛାତ୍ରଛାତ୍ରୀମାନଙ୍କୁ ନିଶାସେବନରୁ ବିରତ ରହିବାକୁ ବ୍ୟାପକ ହସ୍ତକ୍ଷେପର ଆବଶ୍ୟକତା ରହିଛି ବୋଲି କହିଥିଲେ । ସେ ଓଡ଼ିଶାରେ ନିଶାଦ୍ରବ୍ୟ ଜବତ ମାମଲାର ବିବରଣୀ ଉପସ୍ଥାପନା କ୍ରମେ ରାଜ୍ୟରେ ନିଶାଦ୍ରବ୍ୟ ସେବନକୁ ପ୍ରତିହତ କରିବା ନିମନ୍ତେ ସରକାରୀ ଓ ବେସରକାରୀ ଉଦ୍ୟମ ଉପରେ ଗୁରୁତ୍ୱ ଦେଇଥିଲେ । ପ୍ରମୁଖ ଶାସନ ସଚିବ ଶ୍ରୀ ସେଠୀ ବ୍ୟାପକ ସଚେତନତା ନିମନ୍ତେ ସୋସିଆଲ ମିଡିଆ ଅଭିଯାନକୁ ଜୋରଦାର କରିବାକୁ ପରାମର୍ଶ ଦେଇ ଏହି ଅଭିଯାନରେ ସରକାରୀ ବିଭାଗ, ସ୍ଵେଛାସେବୀ ସଂଗଠନ, ଛାତ୍ର ଓ ଯୁବଗୋଷ୍ଠୀ, ଯୁବନେତୃତ୍ୱ, କ୍ରୀଡ଼ାବିତ୍‌ ଓ ନାଗରିକ ସମାଜର ସହଯୋଗ ଅପରିହାର୍ଯ୍ୟ ବୋଲି ଉଲ୍ଲେଖ କରିଥିଲେ । ବୈଠକରେ ଉଚ୍ଚଶିକ୍ଷା, ବିଦ୍ୟାଳୟ ଓ ଗଣଶିକ୍ଷା, ମହିଳା ଓ ଶିଶୁବିକାଶ, ଅବାକରୀ, ପୋଲିସ୍‌, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଏବଂ ବିଭିନ୍ନ ସାମାଜିକ ଓ ସ୍ଵେଛାସେବୀ ସଂଗଠନ, ରାମକୃଷ୍ଣ ମିଶନର କର୍ମକର୍ତ୍ତା, ଆଇନ୍‌ଜୀବୀ ଓ ସମାଜକର୍ମୀ ସମବେତ ହୋଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଏମାନଙ୍କ ସହିତ ପ୍ରାକ୍ତନ ପ୍ରଶାସକ ଉଦ୍ଧବ କର, ଡ. ହାସାନ୍‌ ଇମାମ୍‌ ଖାନ୍‌, ମନସ୍ତତ୍ତ୍ୱବିତ୍‌ ଯଶୋବନ୍ତ ମହାପାତ୍ର, ସମାଜସେବୀ ସ୍ମୃତିଲେଖା ଦାସ, ଭୋଳାନାଥ ଜେନା, ସୁଧୀର ଦାଶ ପ୍ରମୁଖ ମଧ୍ୟ ମତାମତ ଉପସ୍ଥାପନ କରିଥିଲେ । ଉଲ୍ଲେଖଯୋଗ୍ୟ ଯେ ରାଜ୍ୟରେ ପ୍ରଥମ ପର୍ଯ୍ୟାୟରେ ୧୫ଟି ଜିଲ୍ଲାରେ ନିଶାମୁକ୍ତି ଅଭିଯାନ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିବାବେଳେ ଚଳିତବର୍ଷ ତାହା ୩୦ଟି ଜିଲ୍ଲାକୁ ସଂପ୍ରସାରିତ ହୋଇଛି । ୧୦ଟି ଜିଲ୍ଲାରେ ସଚେତନତା ନିମନ୍ତେ ବିଭିନ୍ନ ପ୍ରତିଯୋଗିତା ଆୟୋଜନ ସମେତ ପ୍ରାୟ ୫ ଶହ ପ୍ରମୁଖ ସ୍ଵେଛାସେବୀଙ୍କୁ ତାଲିମ୍‌ ପ୍ରଦାନ କରାଯାଇଛି । ନିଶାମୁକ୍ତି ଅଭିଯାନରେ ପ୍ରଭାବୀ ଓ ଦକ୍ଷ ସ୍ଵେଛାସେବୀଙ୍କୁ ପୁରସ୍କୃତ କରାଯିବାର ବ୍ୟବସ୍ଥା କରାଯାଇଛି ବୋଲି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ କୁହାଯାଇଛି । ବିଭାଗର ଅତିରିକ୍ତ ଶାସନ ସଚିବ ଶ୍ରୀ ସନ୍ତୋଷ କୁମାର ପ୍ରଧାନ ବିଭାଗ ପକ୍ଷରୁ ଗ୍ରହଣ କରାଯାଇଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିବାବେଳେ ବିଭାଗର ନିର୍ଦ୍ଦେଶିକା ନିୟତି ପଟ୍ଟନାୟକ ବୈଠକରେ ଯୋଗଦେଇଥିବା ସଦସ୍ୟମାନଙ୍କୁ ସ୍ୱାଗତ ଜଣାଇଥିଲେ ।