ଓଡିଶାରେ “ମଦର ମହାନଦୀ” କାହା ସ୍ୱାର୍ଥରେ ?

ଭୁବନେଶ୍ୱର : ଓଡିଶାରେ ମଦ ମାଫିଆଙ୍କ ଆଡ୍ଡା ଉପରେ ଆୟକର ବିଭାଗ ଦ୍ୱାରା ଚଢାଉରେ ବିପୁଳ କଳାଟଙ୍କା ଜବତ ଘଟଣାରେ ରାଜ୍ୟ ସରକାର ୭ ଦିନ ପରେ ମଧ୍ୟ କାହିଁକି ଚୁପ ଅଛନ୍ତି ? ଯେଉଁ କମ୍ପାନୀ ଏହି ମଦ ଭାଟି ସବୁ ଚଲାଉଥିଲା ସେହି କମ୍ପାନୀ ସହିତ ସରକାରଙ୍କର କି ସର୍ମ୍ପକ ଅଛି ? ମୁଖ୍ୟମନ୍ତ୍ରୀ କାହିଁକି ୨୦୧୯ ମସିହାରେ ବୌଦ୍ଧ ଡିଷ୍ଟିଲାରିର ମଦ କାରଖାନା ଉଦଘାଟନ ଉତ୍ସବରେ ନିଜେ ଉପସ୍ଥିତ ଥିଲେ । କେବଳ ସେତିକି ନୁହେଁ ସେହି ମଦ ମାଫିଆମାନଙ୍କୁ “ମେକ ଇନ ଓଡିଶା” ଭଳି ସରକାରୀ କାର୍ଯ୍ୟକ୍ରମରେ ଅଯାଚିତ ସହାୟତା କାହିଁକି ଦିଆଯାଇଛି ? ସରକାର ସାଧାରଣ ଲୋକଙ୍କୁ ପିଇବା ପାଇଁ ପାଣି ଦେଇପାରୁନଥିବା ବେଳେ ମଦ କାରଖାନାକୁ ମହାନଦୀରୁ ପାଣି କେଉଁ ସ୍ୱାର୍ଥରେ ଦିଆଯାଉଛି ? ସାଧାରଣ ଲୋକଙ୍କ ମନରେ ଏବେ ଏକ ଧାରଣା ତିଆରି ହୋଇଛି ଯେ, ରାଜ୍ୟ ସରକାର ମଦ ମାଫିଆଙ୍କ ସ୍ୱାର୍ଥରେ କାମ କରୁଥିଲେ । ଏଭଳି ଅନେକ ପ୍ରସଙ୍ଗ ଉପରେ ଏବେ ରାଜ୍ୟ ସରକାର ତୁରନ୍ତ ସ୍ପଷ୍ଟିକରଣ ଦିଅନ୍ତୁ ବୋଲି ଆଜି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖପାତ୍ର ଶ୍ରୀ ଅନିଲ ବିଶ୍ୱାଳ କହିଛନ୍ତି । ଶ୍ରୀ ବିଶ୍ୱାଳ କହିଛନ୍ତି ଯେ, ସମ୍ବିଧାନର ୭ତମ ଅନୁଛେଦ ଅନୁସାରେ ମଦ ବିକ୍ରି ସମ୍ବଦ୍ଧିୟ ସମସ୍ତ ବିଷୟ ହେଉଛି ରାଜ୍ୟ ସରକାରଙ୍କ ବ୍ୟାପାର । ହେଲେ ସାରା ଦେଶ ଏବେ ଓଡିଶାର ମଦ ଭାଟି ଉପରେ ହୋଇଥିବା ଚଢାଉକୁ ନେଇ ହଲଚଲ ହେଉଥିବା ବେଳେ ରାଜ୍ୟ ସରକାର ଏକ ଅସମ୍ଭବ ନିରବତା ଅବଲମ୍ବନ କରୁଛନ୍ତି । ଏତେ ବଡ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ପାଟି ନଖୋଲିବା ବଡ ଆଶ୍ଚର୍ଯ୍ୟର ବିଷୟ । “ମେକ ଇନ ଓଡିଶା”ରେ କିଭଳି ଓ କେଉଁ ପରିସ୍ଥିତିରେ ଏହି କମ୍ପାନୀକୁ ସାମିଲ କରାଯାଇଥିଲା ତାହା ମଧ୍ୟ ଆଉ ଏକ ବଡ ପ୍ରସଙ୍ଗ । ଓଡିଶାରେ ସରକାରଙ୍କର ଆଳୁ ମିଶନ, ପିଆଜ ମିଶନ ଆଦି ଫେଲ ହୋଇଥିଲା ବେଳେ ମଦ ମିଶନ କିନ୍ତୁ ବେଶ ସଫଳ ହୋଇଛି । ବିବାଦ ଭିତରେ ଥିବା ବୌଦ୍ଧ ଡିଷ୍ଟିଲାରିର ଓଡିଶାରେ ଦେଶି ମଦ ବେପାରରେ ଏକ ଚାଟିଆ ଆଧିପତ୍ୟ ରହିଛି । ଏହା ପଛରେ ସରକାରଙ୍କ ଅବକାରୀ ନୀତି ଦାୟୀ । ଓଡିଶାରେ ୨୦୦୦ ମସିହାରୁ ଦେଶି ମଦଭାଟି କେବଳ ନବିକରଣ ହେଉଛି । ଏହାର ରିଅକ୍ସନ ବା ରିଟେଣ୍ଡରଙ୍ଗି ହେଉନାହିଁ । ଓଡିଶାରେ ୫୦ ହଜାର କୋଟି ଟଙ୍କାର ମଦ ଦୁର୍ନୀତି ହୋଇଛି । ଓଡିଶାରେ ଆଜି “ମଦର ମହାନଦୀ” ସୃଷ୍ଟି ହୋଇଛି । କେବଳ ବଲାଙ୍ଗିର ଜିଲ୍ଲାରେ ଅଛି ମୋଟ ୬୨ଟା ମଦ ଭାଟି । ଦିନକୁ ୮ ଲକ୍ଷ ଲିଟର ମଦ ବିକ୍ରି ହେଉଛି ଓଡିଶାରେ । “ନ୍ୟାସନାଲ ଫ୍ୟାମିଲ ହେଲ୍‌ଥ ସର୍ଭେ” ଅନୁସାରେ ଗ୍ରାମାଞ୍ଚଳରେ ୩୦ ପ୍ରତିଶତ ଲୋକ ମଦ ପିଉଛନ୍ତି । ବିଜୁ ଜନତା ଦଳ ସରକାରର ଗୋଟିଏ ଲକ୍ଷ ଲୋକଙ୍କୁ ମଦୁଆ କରି ନିର୍ବାଚନ ପାଇଁ ଟଙ୍କା ଆଦାୟ କରିବା । ବିଜେଡି ବର୍ତମାନ ସମସ୍ତ ଆଞ୍ଚଳିକ ଦଳ ଭିତରେ ସବୁଠାରୁ ଧନି ଦଳ । ସେହି ଦଳ ପାଖରେ ଏତେ ପଇସା ଆସିଲା କେଉଁଠୁ ? ଏହା କେଉଁ ମଦ ମାଫିଆଙ୍କ ଅର୍ଥ କି ବୋଲି ଶ୍ରୀ ବିଶ୍ୱାଳ ପ୍ରଶ୍ନ କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଗଣମାଧ୍ୟମ ସହପ୍ରମୁଖ ସୁଜିତ ଦାସ ଉପସ୍ଥିତ ଥିଲେ ।