ଜନସ୍ୱାର୍ଥ ମାମଲାଟି ସରକାରୀ ଦଳର ପ୍ରାୟୋଜିତ ଥିଲା ।

ଭୁବନେଶ୍ୱର : ସାଧାରଣ ଲୋକକଥା ଅଛି ‘ବ୍ରହ୍ମା ବିଳିବିଳି ହେଲେ ବେଦ’ କିନ୍ତୁ ବିଜୁ ଜନତା ଦଳର ମୁଖିଆ ନବୀନ ବାବୁ ଯାହା ବିଳିବିଳି ହୋଇ କୁହନ୍ତି ତାହା ସିଦ୍ଧ ବୋଲି ବିଜେଡି ବିଶ୍ୱାସ କରେ । ବାସ୍ତବତା ହେଉଛି କୌଣସିଥିରେ ବି ସିଦ୍ଧାନ୍ତରେ ପହଁଚିପାରନ୍ତି ନାହିଁ । ଏଥିପାଇଁ ଓଡ଼ିଶା ତଥା ଓଡ଼ିଶାବାସୀଙ୍କ ସମ୍ମାନହାନୀ ହୋଇଥାଏ ସାରା ଦେଶରେ । ଗତକାଲି ନୂଆ ଜିଲ୍ଲା ଘୋଷଣା ନେଇ ମାନ୍ୟବର ହାଇକୋର୍ଟ ରାଜ୍ୟ ସରକାରଙ୍କ ଘୋଷଣା ଉପରେ ଅଙ୍କୁଶ ଲଗାଇଛନ୍ତି । ପଦ୍ମପୁର ନିର୍ବାଚନ ସମୟରେ ସେଠାକାର ଲୋକଙ୍କ ପାଖରୁ ଭୋଟ ହାତେଇବା ପାଇଁ “ପଦ୍ମପୁର”କୁ ଜିଲ୍ଲା ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ । ୨୦୨୩ ଡିସେମ୍ବର ସୁଦ୍ଧା ଜିଲ୍ଲା ହେବ କିନ୍ତୁ ଗତକାଲି ରାଇରଙ୍ଗପୁର ‘କ୍ରିୟାନୁଷ୍ଠାନର ପିଟିସନ’ ଉପରେ ରୋକ୍ ଲଗାଇଛନ୍ତି ମାନ୍ୟବର ହାଇକୋର୍ଟ । ମୁଖ୍ୟମନ୍ତ୍ରୀ କାହିଁକି ଏମିତି ନିଷ୍ପତି ନେଉଛନ୍ତି ଯାହାକି ପରବର୍ତୀ ସମୟରେ ମାନ୍ୟବର କୋର୍ଟ ରୋକ୍ ଲଗାଉଛନ୍ତି । ମୁଖ୍ୟମନ୍ତ୍ରୀ ଜାଣିଶୁଣି “ଡାହାଣୀ ହୋଇ ଲାଗୁଛନ୍ତି ଓ ଗୁଣିଆ ହୋଇ ଝାଡୁଛନ୍ତି” ବୋଲି ରାଜ୍ୟ ମୁଖପାତ୍ର ମନୋଜ ମହାପାତ୍ର କହିଛନ୍ତି । ଶ୍ରୀ ମହାପାତ୍ର କହିଛନ୍ତି ଯେ, ଜନସ୍ୱାର୍ଥ ମାମଲାଟି ସରକାରୀ ଦଳର ପ୍ରାୟୋଜିତ ଥିଲା । ତାହାର ନିର୍ଦ୍ଦେଶକ ରାଜ୍ୟ ଆଡଭୋକେଟ ଜେନେରାଲ ଥିଲେ, ଯିଏ କି ବିଜୁ ଜନତା ଦଳର ଆଶା ବାଡି ଭଳି କାମ କରୁଛନ୍ତି । ସାଧାରଣ ଲୋକ ତଥା ଓଡ଼ିଶାବାସୀଙ୍କ ଭାବ ପ୍ରବଣତା ସହ ବିଜେଡି ସରକାର ଖେଳ ଖେଳୁଛି । ରାଜ୍ୟ ସରକାରଙ୍କୁ କିଏ ଚଳାଉଛି ? ମୁଖ୍ୟମନ୍ତ୍ରୀ ନିଜର ନିଷ୍ପତିକୁ ବାରମ୍ବାର ବଦଳାଉଛନ୍ତି । ଏହା ପୂର୍ବରୁ କ୍ୟାବିନେଟ୍‌ରେ ଆଦିବାସୀ ଜମିକୁ ନେଇ ନିଷ୍ପତି ନେଲେ ପରବର୍ତୀ ସମୟରେ ତାକୁ ବଦଳାଇବାକୁ ପଡିଲା । ସେହିପରି ରତ୍ନଭଣ୍ଡାର ପ୍ରସଙ୍ଗରେ ମାନ୍ୟବର ହାଇକୋର୍ଟଙ୍କ ଦ୍ୱାରା ବାରମ୍ବାର ଭତ୍ସନା ଶୁଣିବାକୁ ପଡୁଛି । ୧୯୭୫ ମସିହାରେ ଜଷ୍ଟିସ ରାଜ କିଶୋର ଦାସ କମିଶନଙ୍କୁ ଅନୁସରଣ କରିଛନ୍ତି ନା ତାଙ୍କ ବାପା ବିଜୁ ବାବୁଙ୍କ ସମୟର ମନ୍ତ୍ରୀସ୍ତରୀୟ ସବ୍‌କମିଟି ଗଠନ ନିଷ୍ପତିକୁ ଅନୁସରଣ କରିଛନ୍ତି ? ମୁଖ୍ୟମନ୍ତ୍ରୀ କ’ଣ ସମ୍ବିଧାନରୁ ଊର୍ଦ୍ଧ୍ୱରେ କି ? ବିଜୁ ଜନତା ଦଳ ଉତର ରଖୁ ୨୦୨୩ ଡିସେମ୍ବର ସୁଦ୍ଧା ପଦ୍ମପୁରକୁ ନୂଆ ଜିଲ୍ଲା କରିପାରିବେ କି ? ରାଇରଙ୍ଗପୁର, ଚଣ୍ଡିଖୋଲ, ଘୁମୁସର, କଂଟାବାଝି, ଟିଟିଲାଗଡ, କୁଚିଣ୍ଡା ଆଦି ଅନେକ ଅଂଚଳବାସୀ ଜିଲ୍ଲାଦାବି କରୁଛନ୍ତି । ସରକାର ଗମ୍ଭୀରତାର ସହ ସମସ୍ତ ଦାବିକୁ ଗ୍ରହଣ କରନ୍ତୁ । ଭୋଟ ହାତେଇବା ପାଇଁ ମନ୍ଦ ଉଦ୍ଦେଶ୍ୟ ରଖି ନିର୍ବାଚନ ସମୟରେ ମନଇଛା ଜିଲ୍ଲା ଗଠନର ପ୍ରତିଶ୍ରୁତି ଦେଇ ଚାଲିଛନ୍ତି । ଓଡ଼ିଶାବାସୀଙ୍କୁ ପ୍ରତାରଣା ଓ ବିଶ୍ୱାସଘାତକତା କରିବାରେ ସମସ୍ତ ସୀମା ଉଲ୍ଲଂଘନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୋଲି ଶ୍ରୀ ମହାପାତ୍ର କହିଛନ୍ତି । ଜିଲ୍ଲା ଗଠନ ସକାଶେ ଆନ୍ଧ୍ରରେ ନିଜସ୍ୱ ଆଇନ “ଆନ୍ଧ୍ର ଡିଷ୍ଟ୍ରିକ୍ଟ ଫର୍ମେସନ ଆପ୍‌” ଥିବାବେଳେ ଓଡ଼ିଶାରେ କାହିଁକି ନାହିଁ ? ମୁଖ୍ୟମନ୍ତ୍ରୀ ନିଜର ଏବଂ ନିଜ ଦଳୀୟ ସ୍ୱାର୍ଥ ପାଇଁ ସବୁବେଳେ ଏଭଳି ଏକ ତରଫା ନିଷ୍ପତି ନିଅନ୍ତି, ଯାହାର ବାସ୍ତବ ରୂପ ଦେବା ତାଙ୍କ କ୍ଷମତା ବାହାରେ । ଫିତା ମାପିଲେ ଜିଲ୍ଲା ହୁଏ ନାହିଁ ବରଂ ସେଥିପାଇଁ ବିଧିବ୍ୟବସ୍ଥା ରହିଛି । କ’ଣ ପାଇଁ ମୁଖ୍ୟମନ୍ତ୍ରୀ ବିଧି ବ୍ୟବସ୍ଥାକୁ ଅନୁସରଣ ନକରି ମନଇଛା ନିଷ୍ପତି ଥୋପି ଦେଉଛନ୍ତି ତାହାର ଉତର ରଖିବାକୁ ଶ୍ରୀ ମହାପାତ୍ର ଦାବି କରିଛନ୍ତି । ଯଦି ମୁଖ୍ୟମନ୍ତ୍ରୀଙ୍କର ଜିଲ୍ଲା ଗଠନ କରିବା ପାଇଁ ଆନ୍ତରିକତାଥାନ୍ତା ତାହାଲେ ଗତ ଶୀତକାଳୀନ ଅଧିବେଶନରେ ବିଧିବଧ ଆଇନ ଆଣିଥାନ୍ତେ । ଯଦି ତାଙ୍କର ଇଛାଶକ୍ତି ଅଛି ତାହେଲେ ଦଳୀୟ ରାଜନୀତିରୁ ଊର୍ଦ୍ଧ୍ୱକୁ ଉଠନ୍ତୁ । ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଡାକି ଆଇନ ପ୍ରଣୟନ କରି ପଦ୍ମପୁର ସମେତ ଅନ୍ୟାନ୍ୟ ଅଂଚଳରେ ଯେଉଁ ଜିଲ୍ଲା ଗଠନ ଦାବି ହେଉଛି ସମସ୍ତଙ୍କୁ ନ୍ୟାୟଦେଇ ପାରନ୍ତେ । ବିଜେପି ସରକାରକୁ ଆସିଲେ ଜିଲ୍ଲା ଗଠନକୁ ଗୁରୁତର ସହ ବିଚାର କରି ଲୋକଙ୍କୁ ନ୍ୟାୟ ଦେବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।