ମହିଳା ସାଂସଦଙ୍କୁ ବିରୋଧ ସଂପୂର୍ଣ୍ଣ ଭାବେ ଶାସକ ବିଜୁ ଜନତା ଦଳ ଦ୍ୱାରା ପ୍ରାୟୋଜିତ ।

ଭୁବନେଶ୍ୱର : ବିରୋଧୀଙ୍କୁ ଦମନ କରିବାର ଅପଚେଷ୍ଟା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ମହିଳାଙ୍କୁ ସମ୍ମାନ ଦେବା ଶିଖି ନାହିଁ ବିଜେଡି । ଭୁବନେଶ୍ୱର ସାଂସଦ ଶ୍ରୀମତୀ ଅପରାଜିତା ଷଡଙ୍ଗୀ ସ୍ଥାନୀୟ ଅଂଚଳବାସୀଙ୍କ ସମସ୍ୟା ଓ ଅଭିଯୋଗ ସଂପର୍କରେ ପଚାରି ବୁଝିବା ପାଇଁ ଆଜି ନିଜ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଭୁବନେଶ୍ୱର କଟକର ବୁଦ୍ଧେଶ୍ୱରୀ କଲୋନୀକୁ ଯାଉଥିବା ସମୟରେ ଯେଉଁ ଭଳି ଭାବେ ତାଙ୍କ ଗାଡିକୁ ଜୋରଜବରଦସ୍ତ ଅଟକ ରଖାଯାଇ ବିରୋଧ ପ୍ରଦର୍ଶନ କରାଗଲା, ତାହା ଅତ୍ୟନ୍ତ ଲଜ୍ଜାଜନକ । ଏହି ବିରୋଧ ସଂପୂର୍ଣ୍ଣ ଭାବେ ଶାସକ ବିଜୁ ଜନତା ଦଳ ଦ୍ୱାରା ପ୍ରାୟୋଜିତ ବୋଲି ରାଜ୍ୟ ଗଣମାଧ୍ୟମ ମୁଖ୍ୟ ଶ୍ରୀ ଦିଲୀପ ମଲ୍ଲିକ କହିଛନ୍ତି । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଓ ଭାରତୀୟ ଜନତା ପାର୍ଟିର ଲୋକପ୍ରିୟତାରେ ଶାସକ ବିଜେଡି ଅସହିଷ୍ଣୁ ଓ ଭୟଭୀତ ହୋଇ ପଡିଛି । ସେହି କାରଣରୁ ବିଜେପି ଲୋକପ୍ରତିନିଧିମାନଙ୍କୁ ଅଯଥାରେ ବିରୋଧ କରିବା ସହ ରାଜ୍ୟରେ ଅଶାନ୍ତିର ବାତାବରଣ ସୃଷ୍ଟି କରାଯାଉଛି । ଶାସକ ବିଜୁ ଜନତା ଦଳ ଏଭଳି ହୀନ କାର୍ଯ୍ୟରୁ ନିବୃତ ରହନ୍ତୁ, ନଚେତ ତାଙ୍କ ଦଳର ନେତା ଓ ମନ୍ତ୍ରୀ ଆଗାମୀ ଦିନରେ ଭୀଷଣ ବିରୋଧର ସମ୍ମୁଖୀନ ହେବେ ବୋଲି ଶ୍ରୀ ମଲ୍ଲିକ କହିଛନ୍ତି ।