କଂଗ୍ରେସର “ଭାରତ ନ୍ୟାୟ ଯାତ୍ରା” ଓଡ଼ିଶା ଦେଇ ଅତିକ୍ରମ କରିବ ।

ଭୁବନେଶ୍ୱର : ଅଖିଳ ଭାରତ କଂଗ୍ରେସ କମିଟି ପକ୍ଷରୁ ଅନୁଷ୍ଠିତ ହେବାକୁ ଥିବା “ଭାରତ ନ୍ୟାୟ ଯାତ୍ରା” ଦେଶର ୧୪ ଗୋଟି ରାଜ୍ୟ ଯଥା: ମଣିପୁର, ନାଗାଲାଣ୍ଡା, ଆସାମ, ମେଘାଳୟ, ପଶ୍ଚିମବଙ୍ଗ, ବିହାର, ଝାଡ଼ଖଣ୍ଡ, ଓଡ଼ିଶା, ଛତିଶଗଡ଼, ଉତରପ୍ରଦେଶ, ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଗୁଜୁରାଟ ମଧ୍ୟ ଦେଇ ମହାରାଷ୍ଟ୍ରରେ ପହଞ୍ଚିବ । ଏହି ଭାରତ ନ୍ୟାୟ ଯାତ୍ରା ୧୪ ଗୋଟି ରାଜ୍ୟର ୮୫ ଟି ଜିଲ୍ଲା ଦେଇ ୬୨୦୦ କିଲୋମିଟର ପଥ ଅତିକ୍ରମ କରିବ । ଯାତ୍ରା କେତେକ ସ୍ଥାନରେ ବସ ଯୋଗେ ହେବ ଏବଂ ପଦଯାତ୍ରା ଯୋଗେ ହେବ । ଏହି ଯାତ୍ରା ଆସନ୍ତା ଜାନୁଆରୀ ୧୪ ତାରିଖ ମକର ସଂକ୍ରାନ୍ତି ଦିନ ମଣିପୁର ରାଜଧାନୀରୁ ଇମଫାଲରୁ ଆରମ୍ଭ ହେବ । ଏହି ନ୍ୟାୟ ଯାତ୍ରାକୁ ଅଖିଳ ଭାରତ ଜାତୀୟ କଂଗ୍ରେସ ସଭାପତି ଶ୍ରୀ ମଲ୍ଲିକାର୍ଜ୍ଜୁନ ଖଡ଼ଗେ ପତାକା ହଲାଇ ଶୁଭାରମ୍ଭ କରିବେ । ମାର୍ଚ୍ଚ ମାସ ୨୦ ତାରିଖ ଦିନ ଏହି ଯାତ୍ରା ମୁମ୍ବାଇ ଠାରେ ପହଞ୍ଚି ପରିସମାପ୍ତି ହେବ । ଏହି ନ୍ୟାୟ ଯାତ୍ରା ଭାରତ ବର୍ଷର ଜନସାଧାରଣଙ୍କର ସାମାଜିକ, ଅର୍ଥନୈତିକ ଓ ରାଜନୈତିକ ନ୍ୟାୟ ବ୍ୟବସ୍ଥାକୁ ସୁରକ୍ଷିତ ରଖିବା ପାଇଁ ଉଦିଷ୍ଟ । ନ୍ୟାୟ ଯାତ୍ରା ଓଡ଼ିଶା ଦେଇ ଯିବାର କାର୍ଯ୍ୟକ୍ରମ ସ୍ଥିର ହୋଇଥିବା ହେତୁ ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଶରତ ପଟ୍ଟନାୟକ ଅଖିଳ ଭାରତ ଜାତୀୟ କଂଗ୍ରେସ ସଭାପତି ଏବଂ ପୂର୍ବତନ ଅଧ୍ୟକ୍ଷ ଶ୍ରୀ ରାହୁଲ ଗାନ୍ଦୀ ତଥା ଏଆଇସିସି ସାଧାରଣ ସଂପାଦକ ଶ୍ରୀ କେସି ଭେନୁ ଗୋପାଳ ଏବଂ ଗଣମାଧ୍ୟମ ଓ ଯୋଗାଯୋଗ ବିଭାଗର ସାଧାରଣ ସମ୍ପାଦକ ତଥା ପୂର୍ବତନ ମନ୍ତ୍ରୀ ଶ୍ରୀ ଜୟରାମ ରମେଶ ଓ ନ୍ୟାୟ ଯାତ୍ରାର ଅନ୍ୟ ବରିଷ୍ଠ ନେତୃବର୍ଗଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି । ଏହି ଯାତ୍ରାରେ ସାମିଲ ହେବାପାଇଁ ଓଡ଼ିଶାର ଲକ୍ଷ ଲକ୍ଷ କଂଗ୍ରେସ କର୍ମୀ, ଶୁଭେଚ୍ଛୁ ଏବଂ କଂଗ୍ରେସ ନେତୃବର୍ଗ, ବୁଦ୍ଧିଜିବୀ ତଥା ସାଧାରଣ ଜନତା ଉତ୍ସାହ ପ୍ରକଟ କରିଛନ୍ତି ।