ଓଡ଼ିଶା ବିକାଶରେ ବିଫଳ,ରାଜ୍ୟରେ ୮ଲକ୍ଷ ୮୦ହଜାରରୁ ଊର୍ଦ୍ଧ୍ୱ ଯୁବକ ଯୁବତୀ ଓଡ଼ିଶା ସରକାରଙ୍କ ଏମ୍ପ୍ଲୟମେଣ୍ଟ ଏକ୍ସଚେଞ୍ଜ ନାମ ରେଜିଷ୍ଟିଭୁକ୍ତ କରି ନିଯୁକ୍ତି ଅପେକ୍ଷାରେ

ଭୁବନେଶ୍ୱର : ଓଡ଼ିଶାରେ ନିର୍ବାଚନ ବିଗୁଲ ବାଜିଲେ ବିଜେଡି ସୁପ୍ରିମ ନବୀନବାବୁ ଭୋଟ୍ ଡ୍ରାମା କରନ୍ତି । ନିର୍ବାଚନ ଆସିଲେ ନବୀନବାବୁ ଓଡ଼ିଶାବାସୀଙ୍କ ଲାଗି ମାଳ ମାଳ ଯୋଜନା ଭେଟି ଦେଇଥାନ୍ତି । ସେହି ଯୋଜନା ନିର୍ବାଚନ ସରିବା ପରେ କାର୍ଯ୍ୟକାରୀ ହୁଏ କି ନାହିଁ ତାହାର ଜବାବ ନବୀନବାବୁଙ୍କ ପାଖରେ ନଥାଏ । ଏବେ ନିର୍ବାଚନ ପାଖେଇ ଆସିବାରୁ ଓଡ଼ିଶାର ଯୁବପୀଢ଼ିଙ୍କୁ ନିଯୁକ୍ତି ପ୍ରଥା ଉଚ୍ଛେଦର ନାରା ଦେଇ ଏକ ନୂଆ ଡ୍ରାମା ଆରମ୍ଭ କରିଛନ୍ତି । ଉଚ୍ଛେଦ ପ୍ରଥାକୁ ଭିତି କରି ବିରୋଧୀ ଦଳ ନେତା ଶ୍ରୀ ଜୟ ନାରାୟଣ ମିଶ୍ର କହିଛନ୍ତି ଯେ,ରାଜ୍ୟରେ କଂଟ୍ରାକ୍ଟର ଜରିଆରେ ଯେତେ ଠିକା କର୍ମଚାରୀ ନିଯୁକ୍ତି ହୋଇଛନ୍ତି, ସେମାନଙ୍କ ଭବିଷ୍ୟତ ସମ୍ପର୍କରେ ନବୀନ ବାବୁ ଉତର ରଖନ୍ତୁ ।ବ୍ଲକଗ୍ରାଣ୍ଡ ଶିକ୍ଷକ, ଗ୍ରାମସାଥୀ, କୃଷକସାଥୀ, ପ୍ରାଣୀମିତ୍ର, ରିସୋର୍ସ୍ କର୍ମଚାରୀ ଓ ଚୌକିଦାରଙ୍କ ଭବିଷ୍ୟତ କଣ ବୋଲି ମଧ୍ୟ ପ୍ରଶ୍ନ କରିଛନ୍ତି । ଓଡ଼ିଶା ସରକାର ଠିକାରେ ଚାଲିବା ସହ ସମସ୍ତ ସରକାରୀ କାର୍ଯ୍ୟ ମଧ୍ୟ ଠିକାରେ ଚାଲିଛି ବୋଲି ଶ୍ରୀ ମିଶ୍ର କଟାକ୍ଷ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଘୋଷଣାରେ କିଛି ନୂତନ୍ୱତ ନାହିଁ ଏହା କେବଳ ଧୂଆଁ ବାଣ ସଦୃଶ । ଯଥାଶୀଘ୍ର ରାଜ୍ୟରୁ ବି ଠିକା ସରକାର ଉଚ୍ଛେଦ ହେବା ଦରକାର ବୋଲି ଶ୍ରୀ ମିଶ୍ର କହିଛନ୍ତି । ପ୍ରକାଶଥାଉ କି, ୨୦୧୩ରେ ରାଜ୍ୟରେ ଚୁକ୍ତି ଭିତିକ ନିଯୁକ୍ତି ବ୍ୟବସ୍ଥା ଲାଗୁ କରି ଓଡ଼ିଶା ସରକାର ସରକାରୀ ନିଯୁକ୍ତି କ୍ଷେତ୍ରରେ ଗୋତି ଶ୍ରମିକ ପ୍ରଥାର ଆରମ୍ଭ କରିଥିଲେ । ରାଜ୍ୟ ସରକାର ଏହି ଠିକା ନିଯୁକ୍ତି ପ୍ରକ୍ରିୟାକୁ ନିଜେ ଆରମ୍ଭ କରି ଏକ ଐତିହାସିକ ଭୁଲ କରିଥିଲେ । ଶେଷରେ ଦୀର୍ଘ ୯ବର୍ଷ ପରେ ଠିକା ବ୍ୟବସ୍ଥାକୁ ଉଠାଇ ଦିଆଗଲା ବୋଲି ଘୋଷଣା କରି ବାଃ ବାଃ ନେବାର ଅର୍ଥ କିଛି ବୁଝା ପଡୁନାହିଁ । ଏହା ପଛର କାରଣ ଯେ, ଗତବର୍ଷ ଠିକା ନିଯୁକ୍ତି ଉଚ୍ଛେଦ ପ୍ରସଙ୍ଗରେ ମାନ୍ୟବର ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଥିବା କାରଣରୁ ରାଜ୍ୟରେ ଠିକା ନିଯୁକ୍ତିରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କୁ ନିୟମିତ କରିବା ପାଇଁ ରାଜ୍ୟ ସରକାର ବାଧ୍ୟ ହୋଇଛନ୍ତି । ରାଜ୍ୟରେ ୮ଲକ୍ଷ ୮୦ହଜାରରୁ ଊର୍ଦ୍ଧ୍ୱ ଯୁବକ ଯୁବତୀ ଓଡ଼ିଶା ସରକାରଙ୍କ ଏମ୍ପ୍ଲୟମେଣ୍ଟ ଏକ୍ସଚେଞ୍ଜ ନାମ ରେଜିଷ୍ଟିଭୁକ୍ତ କରି ନିଯୁକ୍ତି ନିମନ୍ତେ ଅପେକ୍ଷା କରିଛନ୍ତି । ଅପରପକ୍ଷରେ ନିଯୁକ୍ତି ମିଳୁନଥିବାରୁ ରାଜ୍ୟ ସରକାରଙ୍କ ଏହି ସଂସ୍ଥାରେ ନିଜର ନାମ ପଞ୍ଜୀକରଣ କରିବା ପାଇଁ ଓଡ଼ିଶାର ଯୁବକ ଯୁବତୀମାନେ ଆଗ୍ରହ ପ୍ରକାଶ କରୁନାହାନ୍ତି ବରଂ ବେସରକାରୀ ସଂସ୍ଥା ଓ କିଛି ନିଯୁକ୍ତି ଦଲାଲମାନଙ୍କ ପାଖରେ ନିଜ ନାମକୁ ପଞ୍ଜୀକରଣ କରିବାକୁ ଶ୍ରେୟ ମଣୁଛନ୍ତି । ଏଥି ନେଇ ସରକାର ସ୍ପଷ୍ଟୀକରଣ ଦେବା ପାଇଁ ଶ୍ରୀ ମିଶ୍ର ପ୍ରଶ୍ନ ଉଠାଇଛନ୍ତି । ଠିକା ନିଯୁକ୍ତି ସମ୍ପର୍କରେ ବିଜେପି ବାରମ୍ବାର ନବୀନ ସରକାରଙ୍କୁ ପ୍ରଶ୍ନ କରିଛି । କିନ୍ତୁ ମୁଖ୍ୟମନ୍ତ୍ରୀ ନବୀନବାବୁଙ୍କ ପାଖରେ ଠିକା ନିଯୁକ୍ତିର କୌଣସି କାଗଜ ନଥିବା ଦର୍ଶାଇଛନ୍ତି । ଠିକା ନିଯୁକ୍ତି ଦେଇନଥିଲେ ବୋଲି କହି ଆସୁଥିବା ବେଳେ ଆଜି କିପରି ନବୀନବାବୁ ଠିକା ନିଯୁକ୍ତି ଉଠେଇ ଦେଲେ ବୋଲି ଶ୍ରୀ ମିଶ୍ର କହିଛନ୍ତି । ଯଦି ସରକାରଙ୍କ ପାଖରେ ଠିକା କର୍ମଚାରୀଙ୍କ ରିପୋର୍ଟ ନାହିଁ ତାହାଲେ ସରକାରୀ କିପରି ସ୍ଥାୟୀ ନିଯୁକ୍ତି ଦେଲେ । ସରକାରଙ୍କ ପାଖରେ ଓଡ଼ିଶାର କେତେ କୃଷକ, କେତେ ଭାଗଚାଷୀ ଅଛନ୍ତି ଏହାର ଜବାବ ରଖିବାକୁ ଶ୍ରୀ ମିଶ୍ର ଦାବି କରିଛନ୍ତି । ୨୩ବର୍ଷର ସରକାରଙ୍କ ପାଖରେ ଓଡ଼ିଶା ସମ୍ପର୍କରେ କୌଣସି ତଥ୍ୟ ନାହିଁ । “ଓଡିଶାରେ ଚାଷ କଲେ ଧାନ ବିକ୍ରି ହୁଏ ନାହିଁ କି ପାଠ ପଢ଼ିଲେ ଏଠି ନିଯୁକ୍ତି ନାହିଁ” ବୋଲି ଶ୍ରୀ ମିଶ୍ର କହିଛନ୍ତି । ଓଡ଼ିଶାର ଯୁବକ ଯୁବତୀଙ୍କୁ ଚାକିରୀ ଦେବାକୁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଅସମର୍ଥ । ରାଜ୍ୟ ସରକାର କ୍ଷମତାର ଲାଳସାରେ ଓଡ଼ିଶାର ନିରୀହ ଜନସାଧାରଣଙ୍କ ଭାବନା ସହ ଖେଳ ଖେଳୁଛନ୍ତି । ଓଡ଼ିଶାରେ ଯୁବକ ଯୁବତୀମାନେ ଶିକ୍ଷା ଲାଭ କରି ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି । ଯାହାକି ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରୁ ସର୍ବାଧିକ ଲୋକ ବାହର ରାଜ୍ୟରେ ଦାଦନ ଖଟୁଛନ୍ତି । କିନ୍ତୁ ନବୀନବାବୁ ଏହାର ସଠିକ୍ ପଦକ୍ଷେପ ନେବାରେ ବିଫଳ ହୋଇଛନ୍ତି । ୨୩ବର୍ଷ ବିଜେଡି ସରକାର ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ନିଯୁକ୍ତି ଓ ନାରୀ ସୁରକ୍ଷାରେ ବିଫଳ ସାବ୍ୟସ୍ତ ହୋଇଛନ୍ତି । ନବୀନ ବାବୁ କେବଳ ନିର୍ବାଚନ ଜିତିବା ଲାଗି ଓଡ଼ିଶାର ପ୍ରତ୍ୟେକ ଓଡ଼ିଆଙ୍କ ଭାବନା ସହ ଖେଳ ଖେଳିବାକୁ ପଛାଉ ନାହାନ୍ତି ବୋଲିଶ୍ରୀ ମିଶ୍ର କହିଛନ୍ତି ।

 

Leave a Reply

Your email address will not be published. Required fields are marked *