ନିଜ କୁକର୍ମର ପ୍ରାୟଶ୍ଚିତ କଲେ ସରକାର : କଂଗ୍ରେସ

ଭୁବନେଶ୍ୱର : ରାଜ୍ୟ ସରକାର ଚୁକ୍ତି ଭିତିକି ନିଯୁକ୍ତି ପ୍ରଥାକୁ ଉଚ୍ଛେଦ କରିବାପାଇଁ ରବିବାର ଦିନ ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ୨୦୧୩ ମସିହାରେ ଚୁକ୍ତି ଭିତିକ ନିଯୁକ୍ତି ପାଇଁ ନିୟମ ପ୍ରଣୟନ କରି ଗ୍ରୁପ ‘ବି’, ଗ୍ରୁପ ‘ସି’, ଗ୍ରୁପ ‘ଡି’ ବର୍ଗର କର୍ମଚାରୀମାନଙ୍କୁ ବିଭିନ୍ନ ବିଭାଗରେ ନିଯୁକ୍ତି କରାଇଥିଲେ । ଏହା ଏକ କୁତ୍ସିତ ପ୍ରଥା ଯାହା ବିରୁଦ୍ଧରେ ଚୁକ୍ତି ଭିତିକ କର୍ମଚାରୀମାନେ ବହୁଦିନ ଧରି ପ୍ରତିବାଦ ଓ ଆନ୍ଦୋଳନ କରି ଆସୁଥିଲେ । ଏହି ପ୍ରଥାକୁ ଉଚ୍ଛେଦ କରି ସେମାନଙ୍କୁ ସ୍ଥାୟୀ ନିଯୁକ୍ତି ପାଇଁ ସରକାର ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ବାସ୍ତବରେ ଏହା ଠିକା କର୍ମଚାରୀମାନଙ୍କର ବହୁଦିନର ଆନ୍ଦୋଳନର ଫଳ ଏବଂ ସେଥିପାଇଁ କଂଗ୍ରେସ ଦଳ ସେମାନଙ୍କୁ ଅଭିନନ୍ଦନ ଜଣାଉଛି । ରାଜ୍ୟ ସରକାର ଏହି ପ୍ରଥାକୁ ଉଚ୍ଛେଦ କରି କର୍ମଚାରୀମାନଙ୍କୁ ଭେଟି ଦେଇ ନାହାନ୍ତି ବରଂ ନିଜେ କରିଥିବା କୁକର୍ମର ପ୍ରାୟଶ୍ଚିତ କରିଛନ୍ତି ବୋଲି ରବିବାର ଦିନ ଏକ ସାମ୍ବାଦିକ ସମ୍ମିଳନୀରେ ପିସିସିର ରାଜ୍ୟ ପ୍ରବକ୍ତା ଶ୍ରୀ ସୁଦର୍ଶନ ଦାସ ଆକ୍ଷେପ କରିଛନ୍ତି । ସରକାରଙ୍କ ଘୋଷଣା ଅନୁଯାୟୀ ରାଜ୍ୟର ୫୭ ହଜାର ଠିକା କର୍ମଚାରୀ ଏହି ଚୁକ୍ତି ଭିତିକ ନିଯୁକ୍ତିର ଘୃଣ୍ୟ ପ୍ରଥାରୁ ମୁକ୍ତି ହେବେ । କିନ୍ତୁ ଏହି ସଂଖ୍ୟା ବାହାରେ ଆହୁରି ହଜାର ହଜାର କର୍ମଚାରୀ ରହିଛନ୍ତି ଯେଉଁମାନେ ଠିକାରେ କାମ କରୁଛନ୍ତି । ଜାତୀୟ ସ୍ୱାସ୍ଥ୍ୟ ମିଶନ ଅଧିନରେ ପ୍ରାୟ ୧୦,୦୦୦, ପ୍ରାଥମିକ ସ୍କୁଲରେ ଜୁନିୟର ଶିକ୍ଷକ ଭାବରେ ୧୩ ହଜାର, ଓସେପାରେ ୬ ହଜାର, ଏପରିକି ୨୦୨୦ ମସିହାରେ ନୂଆ ଗ୍ରାଣ୍ଟ – ଇନ-ଏଡ ପଲିସ ଅଧିନସ୍ଥ କାର୍ଯ୍ୟରତ ଶିକ୍ଷକ ଓ ଅଧ୍ୟାପକ, ବିଭିନ୍ନ ସରକାରୀ ଯୋଜନାରେ କାର୍ଯ୍ୟରତ କର୍ମଚାରୀ ଇତ୍ୟାଦିକୁ ମିଶାଇଲେ ଏହି ସଂଖ୍ୟ ୫୦ ହଜାରରୁ ଉର୍ଦ୍ଧ୍ୱ ହେବ । ଏମାନେ ମଧ୍ୟ ଠିକା କର୍ମଚାରୀ ଭାବରେ କାର୍ଯ୍ୟ କରୁଛନ୍ତି ଯେଉଁ ମାନଙ୍କର ଚାକିରୀରେ ସ୍ଥାୟୀତ୍ୱ ବା ସୁରକ୍ଷା କିଛି ନାହିଁ କହିଲେ ଚଳେ, ଏମାନଙ୍କ ପ୍ରତି ସରକାର ତାଙ୍କର ଆଭିମୁଖ୍ୟ ସ୍ପଷ୍ଟ କରନ୍ତୁ ବୋଲି କଂଗ୍ରେସ ଦାବୀ କରୁଛି । ସଂପ୍ରତି ରାଜ୍ୟରେ ପ୍ରାୟ ୧ଲକ୍ଷ ଆଉଟସୋର୍ସିଂ କର୍ମଚାରୀ ଅଛନ୍ତି । ଏମାନେ ସେବା ପ୍ରଦାନକାରୀ ସଂସ୍ଥାମାନଙ୍କ ଅଧିନରେ କାର୍ଯ୍ୟରତ । ଅତି କମ୍ ଦରମାରେ ଏମାନେ କାମ କରୁଛନ୍ତି । ଚାକିରୀର ସ୍ଥାୟୀତ୍ୱ ନାହିଁ କିମ୍ବା କର୍ମଚାରୀ ଭାବେ ଯେଉଁ ସାମାଜିକ ନିରାପତା ସେମାନେ ପାଇବା କଥା ତାହା ସେମାନେ ପାଉ ନାହାନ୍ତି । ରାଜ୍ୟ ସରକାର ସେହି କର୍ମଚାରୀ ମାନଙ୍କୁ ଅତ୍ୟନ୍ତ ଦୁର୍ବିସହ ଜୀବନ ବିତାଇବାକୁ ବାଧ୍ୟ କରୁଛନ୍ତି । ଏମାନଙ୍କୁ ତୁରନ୍ତ ନ୍ୟାୟ ପ୍ରଦାନ କରିବା ସହିତ ସେମାନଙ୍କ ନିଯୁକ୍ତି କ୍ଷେତ୍ରରେ ଅସଙ୍ଗତକୁ ସରକାର ତୁରନ୍ତ ଦ୍ୱର କରନ୍ତୁ ବୋଲି କଂଗ୍ରେସ ଦାବୀ କରିଛି । ବର୍ତମାନ ରାଜ୍ୟରେ ନାମ ପଞ୍ଜିକୃତ କରିଥିବା ବେକାର ସଂଖ୍ୟା ହେଉଛି ୮ଲକ୍ଷ ୮୦ ହଜାର । କିନ୍ତୁ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ଖାଲି ପଡ଼ିଥିବା ସ୍ଥାନ ସଂଖ୍ୟା ୧ଲକ୍ଷ ୫୬ ହଜାର । ସରକାର ଖାଲି ପଡ଼ିଥିବା ଏହି ପଦବୀ ପୂରଣ କରିବେ କେବେ ? ବିଜେଡ଼ି ଦଳ ବର୍ଷକୁ ୨ଲକ୍ଷ ଚାକିରୀ ଦେବେ ବୋଲି ନିର୍ବାଚନ ପ୍ରତିଶୃତି ଦେଇଥିଲେ, କୁଆଡ଼େ ଗଲା ସେ ପ୍ରତିଶୃତି ? ରାଜ୍ୟର ଲକ୍ଷ ଲକ୍ଷ ଯୁବକ ଯୁବତୀ ବେକାର ହୋଇ ଅନ୍ୟ ରାଜ୍ୟକୁ ଯାଇ ଦାଦନ ଖଟିବାକୁ ବାଧ୍ୟ ହେଉଛନ୍ତି । ରାଜ୍ୟର ଯୁବ ସମାଜ ପ୍ରତି ଓଡ଼ିଶା ସରକାରଙ୍କର ଏହା ପ୍ରତାରଣା ବୋଲି କଂଗ୍ରେସ ଅଭିଯୋଗ କରିଛି । ସାମ୍ବଦିକ ସମ୍ମିଳନୀରେ ଶ୍ରୀ ସୁଦର୍ଶନ ଦାସଙ୍କ ସମେତ ପିସିସିର ସାମାଜିକ ଗଣମାଧ୍ୟମ ଅଧ୍ୟକ୍ଷ ଶ୍ରୀ ଅଭିଷେକ ମହାନନ୍ଦ ଓ ମୁଖପାତ୍ର ଶ୍ରୀ ରଜନୀ କୁମାର ମହାନ୍ତି ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *