ଜାନୁଆରୀ ୪,୫ ଓ ୬ ତିନିଦିନ ଧରି ଅନୁଷ୍ଠିତ ହେବ ସମ୍ବଲପୁର ଲୋକମହୋତ୍ସବ ।

ସମ୍ବଲପୁର ରୁ ସ୍ୱତନ୍ତ୍ର ପ୍ରତିନିଧି ଶ୍ରୀ ଅନିଲ ଶ୍ରୀରାମକା

ସମ୍ବଲପୁର : ଆଜି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ସମ୍ବଲପୁର ଲୋକମହୋତ୍ସବ ୨୦୨୪ ପାଇଁ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଛି । ଲୋକମହୋତ୍ସବର ମିଡିଆ ଉପସମିତିର ଆବାହକ ସାମ୍ବାଦିକ ସୁକାନ୍ତ କରଙ୍କ ସଂଯୋଜନାରେ ହୋଇଥିବା ଏହି ସଭାରେ ଲୋକମହୋତ୍ସବ ଆୟୋଜନ ଉପରେ ଆଲୋଚନା କରାଯାଇଥିଲା । ଜାନୁଆରୀ ୪,୫ ଓ ୬ ତିନିଦିନ ଧରି ପାଳିତ ହେବାକୁ ଥିବା ଏହି ସାଂସ୍କୃତିକ ମହାକୁମ୍ଭରେ ଛଅଟି ସ୍ଥାନୀୟ ଦଳ ସମେତ ଆଠଟି ରାଜ୍ୟସ୍ତରୀୟ ଓ ଛଅଟି ଜାତୀୟ ଲୋକନୃତ୍ୟ ଦଳ ତାଙ୍କ ନୃତ୍ଯ ପ୍ରଦର୍ଶନ କରିବେ । ଏତଦ୍ ବ୍ୟତିତ ଥାଇଲାଣ୍ଡରୁ ଏକ ଆନ୍ତର୍ଜାତୀୟ ଲୋକନୃତ୍ୟ ଦଳ ମଧ୍ୟ ତାଙ୍କ ନୃତ୍ଯ ପ୍ରଦର୍ଶନ କରିବେ । ପ୍ରଥମ ଦିନ ପୂର୍ବାହ୍ଣ ୧୦ଟାରୁ ବାଲିବନ୍ଧା ସୋମନାଥ ମନ୍ଦିର ନିକଟରୁ ମ୍ୟୁନିସିପାଲିଟି ଛକ ପର୍ଯ୍ୟନ୍ତ ଏକ ସାଂସ୍କୃତିକ ଶୋଭାଯାତ୍ରା ହେବ । ଏଥିରେ ତେରରୁ ଅଧିକ ଲୋକନୃତ୍ୟ ଦଳ ସାମିଲ ହେବ ଜଣାଯାଇଛି । ଶୋଭାଯାତ୍ରା ପରେ ପିଏଚ୍‌ଡି ପଡିଆରେ ପ୍ରଦର୍ଶନୀ କଳାଗ୍ରାମ ଉଦଘାଟନୀ କାର୍ଯ୍ୟକ୍ରମ ରହିଥିବା ବେଳେ ସନ୍ଧ୍ୟାରେ ଫଟୋ,ଚିତ୍ରକଳା ପ୍ରଦର୍ଶନୀ ଓ ଲୋକମହୋତ୍ସବ ଉଦଘାଟନୀ କାର୍ଯ୍ୟକ୍ରମ ରଖାଯାଇଛି । ପ୍ରତିଦିନ ମଞ୍ଚ କାର୍ଯ୍ୟକ୍ରମ ପୂର୍ବରୁ ଦୁଇଟି ଲେଖାଏଁ ଅବଲୁପ୍ତ ପ୍ରାୟ ଲୋକବାଦ୍ୟ ଅନୁଷ୍ଠିତ ହେବାକୁ ଥିବାବେଳେ ଦ୍ୱିତୀୟ ଓ ତୃତୀୟ ଦିନ ଆଲୋଚନା ଚକ୍ର, କର୍ମଶାଳା ଓ ସମ୍ବଲପୁରୀ କବିତା ପାଠୋତ୍ସବ ଅନୁଷ୍ଠିତ ହେବ ବୋଲି ସମ୍ମିଳନୀରେ ସୂଚନା ଦିଆଯାଇଥିଲା । ଜିଲ୍ଲା ସଂସ୍କୃତି ପରିଷଦର ଅଧ୍ୟକ୍ଷା ତଥା ଜିଲ୍ଲାପାଳ ଅନନ୍ୟା ଦାସଙ୍କ ସମେତ ମୁଖ୍ୟ ସଂଯୋଜକ ଭୋଲା ଶଙ୍କର ମହତ୍ତମ,ମହାନଗର ନିଗମ କମିଶନର ତଥା ନୋଡାଲ ଅଧିକାରୀ ବେଦଭୂଷଣ,ଡେପୁଟୀ କଲେକ୍ଟର ତଥା ସହନୋଡାଲ ଅଧିକାରୀ ସୁଶାନ୍ତ କୁମାର ସାହୁ,ଜିଲ୍ଲା ସଂସ୍କୃତି ଅଧିକାରୀ ଫକୀର ମୋହନ ମାଝୀ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସଂଯୁକ୍ତା କୁଲୁ ପ୍ରମୁଖ ମଞ୍ଚରେ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ । ଶେଷରେ ସହ ସଂଯୋଜକ ଅନୁପ ତରିଆ ଧନ୍ୟବାଦ ଅର୍ପଣ କରିଥିଲେ । ଲୋକ ମହୋତ୍ସବରେ ୧୫୦ ଟି ଷ୍ଟଲ ଓ ୧୫ଟି ଖାଦ୍ୟ ଷ୍ଟଲ ହେବ । ଷ୍ଟଲ ଗୁଡିକ ୩ ରୁ ୭ ତାରିଖ ପର୍ଯ୍ୟନ୍ତ ପାଞ୍ଚ ଦିନ ପାଇଁ ଖୋଲିବ ବୋଲି ସୂଚନା ଦିଆଯାଇଛି ।