ଲୋକମହୋତ୍ସବରେ ଆଲୋଚନାଚକ୍ର ।

ସମ୍ବଲପୁର ରୁ ସ୍ୱତନ୍ତ୍ର ପ୍ରତିନିଧି ଶ୍ରୀ ଅନିଲ ଶ୍ରୀରାମକା

ସମ୍ବଲପୁର : ଆଜି ସମ୍ବଲପୁର ଲୋକମହୋତ୍ସବର ଦ୍ୱିତୀୟ ଦିନ ଆଲୋଚନା ଚକ୍ର ଆୟୋଜିତ ହୋଇଯାଇଛି । ଏହି ଆଲୋଚନାଚକ୍ରର ପ୍ରଥମ ଅଧିବେଶନରେ ଆଲୋଚନାଚକ୍ରର ନୋଡାଲ ଅଧିକାରୀ ତଥା ପର୍ଯ୍ୟଟନ ଅଧିକାରୀ ହେମନ୍ତ କୁମାର ପ୍ରଧାନ ଉଦ୍‌ଘାଟନ କରିଥିଲେ । ଆବାହକ ମାହେଶ୍ୱରୀ ପ୍ରସାଦ ପାଣିଗ୍ରାହୀ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ ସଭ୍ଯ ଡ. ସତ୍ୟନାରାୟଣ ଠାକୁର ଅତିଥି ପରିଚୟ ପ୍ରଦାନ କରିଥିଲେ । “ସମ୍ବଲପୁରୀ ଲୋକଗୀତରେ ଲୋକସଂସ୍କୃତି” ବିଷୟ ଉପରେ ମୁଖ୍ଯବକ୍ତା ଡ. ଶ୍ୟାମସୁନ୍ଦର ଧର ତାଙ୍କ ବକ୍ତବ୍ୟରେ କହିଥିଲେ ଯେ ସଂସ୍କୃତି ହେଉଛି ମାନବ ଜୀବନ ଏକ ଧାରା । ଲୋକଗୀତରେ ଲୋକସଂସ୍କୃତିର ପ୍ରତିଫଳନ ଅତି ଜୀବନ୍ତ ଭାବରେ ରହିଥାଏ ସେ ସମ୍ବଲପୁରୀ ଲୋକଗୀତର ବିଭିନ୍ନ ପ୍ରକାରର ଦୃଷ୍ଟାନ୍ତ ଉପସ୍ଥାପନ କରି କହିଥିଲେ ଯେ,କୌଣସି ଲୋକଗୀତକୁ ନେଲେ ସେଥିରେ ଆମେ ସଂସ୍କୃତିର କିଛିନା କିଛି ଛଟା ଉପଲବ୍ଧ ।ଡାଲଖାଇ,ରସରକେଲୀ,ମାଏଲାଜଡ,ହଳିଆ ନଚନିଆ,ବଜନିଆ,ଝୁମେର ଆଦି ଲୋକଗୀତର ବିଭିନ୍ନ ପ୍ରକାର ଉପରେ ସେ ଆଲୋଚନା କରିଥିଲେ । ଡ. ଲକ୍ଷ୍ମୀନାରାୟଣ ପାଣିଗ୍ରାହୀ ସଂସ୍କୃତିକୁ ସୀମାରେ ରଖି ହେବନାହିଁ । ଡାଲଖାଇର ‘ରହେଲା’ ସହ ପୂର୍ବ ଓଡିଶାର ରାଉଳ ସମ୍ପ୍ରଦାୟର ସମ୍ପର୍କ ଉପସ୍ଥାପନ କରି ସେ ତାଙ୍କ ବକ୍ତବ୍ୟ ରଖିଥିଲେ । ଡ. ସିଦ୍ଧାର୍ଥ ପଣ୍ଡା ଲୋକଗୀତରେ କିଭଳି ଭାବରେ ଲୋକସଂସ୍କୃତି ରହିଛି କେତେକ ଦୃଷ୍ଟାନ୍ତ ସହ ଉପସ୍ଥାପନ କରି ତାଙ୍କ ବକ୍ତବ୍ୟ ରଖି କହିଥିଲେ ଯେ ଏହାର ସଂଗ୍ରହ ଓ ସଂରକ୍ଷଣର ଉପରେ ଗବେଷକମାନେ ଅଧିକ ଯତ୍ନଶୀଳ ହେବା ଉଚିତ ବୋଲି କହିଥିଲେ । ପ୍ରାରମ୍ଭିକ ସଙ୍ଗୀତ ପରିବେଷଣ କରିଥିବା ଗାୟକ ମୋତିଲାଲ ଦୋରା ତାଙ୍କ ବକ୍ତବ୍ୟରେ କହିଥିଲେ ଏନ୍ତୁଡିଶାଳରୁ ଅନ୍ତ୍ୟେଷ୍ଟି କ୍ରିୟା ପର୍ଯ୍ୟନ୍ତ ମାନବ ଜୀବନର ପ୍ରତିଟି ଘଟଣା ତା’ର ସଂସ୍କୃତି ପର୍ଯ୍ଯାୟ ଭୁକ୍ତ ହୋଇ ପାରିବ । ଗାୟିକା ପୁଷ୍ପା ମିଶ୍ର କେତେକ ସଂଗ୍ରୃହୀତ ଲୋକଗୀତ ପରିବେଷଣ କରିଥିଲେ । ସଂଯୋଜକ ଭୋଲା ଶଙ୍କର ମହତ୍ତମ ତାଙ୍କ ବକ୍ତବ୍ୟରେ ସଂସ୍କୃତିକୁ ସମ୍ମାନ ଦେବା ଆମର କର୍ତ୍ତବ୍ୟ ବୋଲି କହିଥିଲେ । ଆଲୋଚନାଚକ୍ରର ଦ୍ୱିତୀୟ ଅଧିବେଶନର ବିଷୟ ଥିଲା “ସମ୍ବଲପୁରୀ ଲୋକ ନୃତ୍ଯ ଓ ବାଦ୍ୟରେ ପାରମ୍ପରିକ ପାର” ଉପରେ ମୁଖ୍ୟ ଆଲୋଚକ ଡ. ଲକ୍ଷ୍ମୀନାରାୟଣ ପାଣିଗ୍ରାହୀ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ ଲୋକବାଦ୍ୟରେ ଢୋଲ,ନିଶାନ,ତାସା,ମୁହୁରି,ଟିମକିଡିକୁ ନେଇ ଆମର ପଞ୍ଚବାଦ୍ୟ ସେଥିରେ କେତେକ ସ୍ଥଳରେ ଝାଞକୁ ସାମିଲ କରାଯାଇଛି । ଦେବୀ ଆବାହନୀରେ ଏହାର ବିଶେଷ ଭୂମିକା ରହିଛି । ଷୋହଳ ଭରଣୀ ପାର୍‌ରେ ଏହାର ପ୍ରୟୋଗ ଗୁରୁତ୍ତ୍ବପୂର୍ଣ୍ଣ ବୋଲି କହି ସେ ଏହାର ଧ୍ୱନିତାତ୍ତ୍ୱିକ ଦୀଗ ଉପରେ ବୈଜ୍ଞାନିକ ଗବେଷଣା ଆବଶ୍ୟକ ବୋଲି କହିଥିଲେ । ଆଲୋଚିକା ଡ.ସଙ୍ଗୀତା ନାୟକ ତାଙ୍କ ବକ୍ତବ୍ୟରେ ନାଦବ୍ରହ୍ମକୁ ସବୁ ସଂସ୍କୃତିର ମୂଳ ଭାବରେ ବ୍ୟାଖ୍ୟା କରି କହିଥିଲେ ଧ୍ୱନି ସୃଷ୍ଟିର ମୂଳରୁ ରହିଥିବାରୁ ସାଂସ୍କୃତିକ ଆଲୋଚନା ପ୍ରସଙ୍ଗରେ ଅବଶ୍ୟ ଚର୍ଚ୍ଚାକୁ ଆସିଥାଏ । ଗୋପିନାଥ ଷଡଙ୍ଗୀ,ନିତେଇ ସରାଫ୍‌,କଳାପରିଷଦର ସମ୍ପାଦକ ସୁଶାନ୍ତ କୁମାର ମିଶ୍ର,ବିଭୂତି ଭୂଷଣ ମିଶ୍ର,ସତ୍ୟନାରାୟଣ ଠାକୁର ଆଲୋଚନାରେ ଭାଗ ନେଇଥିଲେ। ଆଲୋଚନା ପରେ ଗୁରୁ ରଞ୍ଜନ ସାହୁ ଓ କପିଳ ସାହୁ କର୍ମଶାଳାରେ ବିଭିନ୍ନ ସମ୍ବଲପୁରୀ ବାଦ୍ୟ ବଜାଇ ତାଳମାନଙ୍କ ଉପରେ ଆଲୋଚନା କରିଥିଲେ ।ଆମକୁ ନିଜର ବାଦ୍ୟର ତାଳକୁ ଅନୁଧ୍ୟାନ କରି ଏହାର ମହତ୍ତ୍ୱକୁ ପ୍ରସାର କରିବାକୁ ପଡିବ ବୋଲି ସଭାରେ ମତପ୍ରକାଶ ପାଇଥିଲା ଶେଷରେ ସହ-ଆବାହକ ଜୟକୃଷ୍ଣ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।