ସମ୍ବଲପୁର ରୁ ସ୍ୱତନ୍ତ୍ର ପ୍ରତିନିଧି ଶ୍ରୀ ଅନିଲ ଶ୍ରୀରାମକା
ସମ୍ବଲପୁର: ଫେବ୍ରୁଆରୀ ୧୧ ତାରିଖରେ ଜିଲ୍ଲା ପ୍ରଶାସନ ପକ୍ଷରୁ ‘ମହାନଦୀ ହାଫ୍ ମାରାଥନ୍’ ଆୟୋଜନ କରାଯାଉଛି । ଓଡ଼ିଶା ଆଥଲେଟିକ୍ ଆସୋସିଏସନ୍ ଆୟୋଜିତ ହେଉଥିବା ଏହି ମାରାଥନ୍ ରେ ଉତ୍କୃଷ୍ଟ ଆଥଲେଟିକ୍ ଏବଂ ସାମୂହିକ ବନ୍ଧୁତ୍ୱକୁ ଉତ୍ସାହିତ କରିବ । ଆଜି ପୂର୍ବାହ୍ନ ୧୧ଟାରେ ତପସ୍ୱିନୀ ହଲରେ ଏକ ପ୍ରେସ୍ର ମିଟ୍ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ ଆଇ.ଏ.ଏସ୍, ସମ୍ବଲପୁର ଏସ୍ପି ମୁକେଶ ଭାମୁ ଆଇ.ପି.ଏସ୍, ଏସ୍ଏମ୍ସି କମିସନର ବେଦ ଭୂଷଣ, ଆଇ.ଏ.ଏସ୍, ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ପ୍ରଦୀପ କୁମାର ସାହୁ, ଟାଟା ଷ୍ଟିଲ୍ ର ମୁଖ୍ୟ କ୍ରୀଡ଼ା ଅଧିକାରୀ ମୁକୁଲ ଚୌଧୁରୀ ପ୍ରମୁଖ ଉପସ୍ଥିତ ଥିଲେ । ଏହି ମାରାଥନ କ୍ରୀଡ଼ାପ୍ରେମୀଙ୍କୁ ଉତ୍ସାହିତ କରିବା ସହ ସ୍ୱାସ୍ଥ୍ୟ, ସମ୍ପ୍ରଦାୟ ଓ ମହାନଦୀ ପ୍ରତି ସାମୂହିକ ପ୍ରତିବଦ୍ଧତା ସୃଷ୍ଟି କରିବ ବୋଲି ଜିଲ୍ଲାପାଳ ସମ୍ବଲପୁର କହିଛନ୍ତି । ମହାନଦୀର ଭାବନାକୁ ବର୍ଣ୍ଣନା କରି ସେ କହିଥିଲେ ଯେ ମହାନଦୀ ସର୍ବଦା ଗତିଶୀଳ ରହିଛି, ସେମିତି ଆମେ ବି ଗତିଶୀଳ ହୋଇ ନିଜ ସୁସ୍ଥ ଜୀବନଶୈଳୀ ଅବଲମ୍ବନ କରିବା । ମାରାଥନ୍ ପାଇଁ ପଞ୍ଜୀକରଣ ଖୋଲାଯାଇଅଛି ଏବଂ ଏହା ଆସନ୍ତା 3 ଫେବୃଆରୀ 2024 ପର୍ଯ୍ୟନ୍ତ ଚାଲିବ । ମାରାଥନ୍ ପାଇଁ ଚାରିଟି ବର୍ଗ ଅଛି ଯେଉଁଠାରେ ଜଣେ ନାମ ଲେଖାଇପାରିବେ : 21 କିଲୋମିଟର, 10 କିମି, 5 କିମି ଏବଂ 1 କିଲୋମିଟର । ୨୧ କିଲୋମିଟର ରେଜିଷ୍ଟ୍ରେସନ ଫି ୪୦୦ ଟଙ୍କା ଏବଂ ୧୯ ବର୍ଷ ରୁ ଅଧିକ ବୟସ ବର୍ଗର ଅଂଶଗ୍ରହଣ କରିପାରିବେ, ୧୦ କିଲୋମିଟର ପାଇଁ ୩୦୦ ଟଙ୍କା ଓ ୧୯ ବର୍ଷ ରୁ ଅଧିକ ବୟସ ର ବ୍ୟକ୍ତି ଅଂଶଗ୍ରହଣ କରିପାରିବେ, ୫ କିଲୋମିଟର ପାଇଁ ୧୫୦ ଟଙ୍କା ଏବଂ ୧୪ ବର୍ଷରୁ ୧୯ ବର୍ଷ ବୟସ ପର୍ଯ୍ୟନ୍ତ ଅଂଶଗ୍ରହଣ କରିପାରିବେ ଏବଂ 1 କିଲୋମିଟର ପାଇଁ 100 ଟଙ୍କା । ଏହି ମାରାଥନ୍ ର ମାର୍ଗ ନେଲସନ ମଣ୍ଡେଲା ଛକରୁ ଆରମ୍ଭ ହୋଇ ବ୍ରିଜ୍ ପାର ହେବା ପରେ ପେଟ୍ରୋଲ ପମ୍ପ ପର୍ଯ୍ୟନ୍ତ, ତା ପରେ ପୁଣି ୟୁ ନେଇ ବ୍ରିଜ୍ ଦେଇ ସମଲେଇ ମନ୍ଦିର ଆଡ଼କୁ ଲିଙ୍କ୍ ରୋଡ୍ ସହ ସଂଯୋଗ କରି ନେଲସନ ମଣ୍ଡେଲା ଛକକୁ ଫେରିବେ । ଆଜି ମାରାଥନ ପାଇଁ ଟି-ସାର୍ଟ ମଧ୍ୟ ଉନ୍ମୋଚନ କରାଯାଇଥିଲା ।ମହାନଦୀ ହାଫ୍ ମାରାଥନ୍ କେବଳ ଏକ ଦୌଡ଼ ନୁହେଁ; ଏହା ଫିଟନେସ୍, ଏକତା ଭାବନାର ଏକ ଉତ୍ସବ ।