ବିବେକାନନ୍ଦ ଶିକ୍ଷାକେନ୍ଦ୍ରର ବାର୍ଷିକୋତ୍ସବ ।

ସମ୍ବଲପୁରରୁ ସ୍ୱତନ୍ତ୍ର ପ୍ରତିନିଧି ଶ୍ରୀ ଅନିଲ ଶ୍ରୀରାମକାଙ୍କ ରିପୋର୍ଟ

ସମ୍ବଲପୁର : ସ୍ୱାମୀ ବିବେକାନନ୍ଦଙ୍କ 162 ତମ ଜନ୍ମ ଜୟନ୍ତୀ ତଥା ଜାତୀୟ ଯୁବ ଦିବସ ପାଳନ ଶୁଭ ଅବସରରେ ଶୁକ୍ରବାର ଦିନ ପୂର୍ବାହ୍ନରେ ସ୍ଥାନୀୟ ବଡ଼ବଜାର ଠାରେ ବିବେକାନନ୍ଦ ଶିକ୍ଷାକେନ୍ଦ୍ରର 24 ତମ ବାର୍ଷିକୋତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି ସମାରୋହରେ ସମାଜସେବୀ ଓ ସଂସ୍କୃତିରତ୍ନ ଶ୍ରୀଯୁକ୍ତ କାର୍ତ୍ତିକ ପ୍ରସାଦ ବହିଦାର ମୁଖ୍ୟ ଅତିଥି ଭାବରେ ଏବଂ ସମ୍ବଲପୁର ଚିନ୍ମୟ ମିଶନ୍ ର ଆଚାର୍ଯ୍ୟା ସ୍ୱାମୀନୀ ବିଷ୍ଣୁପ୍ରିୟା ନନ୍ଦା ସରସ୍ବତୀ ମୁଖ୍ୟବକ୍ତା ଭାବରେ ଯୋଗଦାନ କରି ସ୍ୱାମୀ ବିବେକାନନ୍ଦଙ୍କ ଜୀବନାଦର୍ଶର ସ୍ମୃତିଚାରଣ ସହ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଶିକ୍ଷାକେନ୍ଦ୍ରର ଅଧ୍ୟକ୍ଷା ଶ୍ରୀମତୀ ବବିତା ଦାସ ବାର୍ଷିକୋତ୍ସବରେ ଅଧ୍ୟକ୍ଷତା କରି ବାର୍ଷିକ ବିବରଣୀ ଉପସ୍ଥାପନ କରିଥିବା ବେଳେ ଆଇନ ପରାମର୍ଶଦାତା ସୁଧାଂଶୁ ପୂଜାରୀ ସମ୍ମାନୀତ ଅତିଥି ଭାବରେ ଯୋଗଦାନ କରିଥିଲେ । ସ୍ୱାମୀନୀ ବିଷ୍ଣୁପ୍ରିୟା ନନ୍ଦା ସରସ୍ବତୀ, ମୁଖ୍ୟଅତିଥି ସଂସ୍କୃତିରତ୍ନ ଶ୍ରୀଯୁକ୍ତ କାର୍ତ୍ତିକ ପ୍ରସାଦ ବହିଦାର୍ ଏବଂ ସମସ୍ତ ଅତିଥି ବୃନ୍ଦ ଶିକ୍ଷାକେନ୍ଦ୍ର ପକ୍ଷରୁ ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀ ମାନଙ୍କୁ ପ୍ରଶଂସାପତ୍ର ଓ ପୁରସ୍କାର ବିତରଣ କରିଥିଲେ । ପ୍ରାରମ୍ଭରେ ମୁଖ୍ୟଅତିଥି ଏବଂ ଅନ୍ୟାନ୍ୟ ଅତିଥି ବୃନ୍ଦ ମାଁ ସମଲେଶ୍ୱରୀ ଓ ସ୍ୱାମୀ ବିବେକାନନ୍ଦଙ୍କ ଫଟୋଚିତ୍ର ସମ୍ମୁଖରେ ପ୍ରଦୀପ ପ୍ରଜ୍ୱଳନ, ଫଟୋଚିତ୍ରରେ ପୁଷ୍ପ ମାଲ୍ୟାର୍ପଣ, ଧୂପଦୀପ ପ୍ରଦାନ ସହ ପୂଜାର୍ଚ୍ଚନା କରିଥିଲେ । ସୁଶ୍ରୀ ତୃପ୍ତି ମାଝୀ, ସୁଶ୍ରୀ ସୁଜ୍ଞାନୀ ମାହାଣା, ମୌସୁମୀ ସରକାର, ସରସ୍ବତୀ ନାୟକ, ସନ୍ତୋଷିନୀ ସୁନା, ଶ୍ରୀ ଅଭିଜିତ ଦାସ ପ୍ରମୁଖ କାର୍ଯ୍ୟକ୍ରମ ସୁପରିଚାଳନାରେ ସହଯୋଗ କରିଥିଲେ । ଏହି ସମାରୋହରେ ଶିକ୍ଷାକେନ୍ଦ୍ରର ଛାତ୍ରଛାତ୍ରୀ, ଅଭିଭାବକ, ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ସ୍ଥାନୀୟ ଗଣ୍ୟମାନ୍ୟ ଭଦ୍ରବ୍ୟକ୍ତି ଓ ଭଦ୍ରମହିଳା ଏବଂ ବୁଦ୍ଧିଜୀବୀ ବୃନ୍ଦ ବହୁସଂଖ୍ୟାରେ ଯୋଗଦାନ କରି ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ । ଶିକ୍ଷାକେନ୍ଦ୍ରର ଛାତ୍ରଛାତ୍ରୀ ମାନେ ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଶିକ୍ଷାକେନ୍ଦ୍ରର ଛାତ୍ରଛାତ୍ରୀମାନେ ଦାଦାନାନୀ ଅଜାଆଈମାନଙ୍କୁ ଫୁଲଚନ୍ଦନ ଦେଇ ସମ୍ମାନ ଜ୍ଞାପନ କରିଥିଲେ । ସାମୁହିକ ଜାତୀୟ ସଂଗୀତ ଗାନ ପରେ ଶେଷରେ ସୁଶ୍ରୀ ସୁଜ୍ଞାନୀ ମାହାଣା ଧନ୍ୟବାଦ ଅର୍ପଣ କରିଥିଲେ ।