
୨୦୧୯ ମେ’ ୩ ତାରିଖ । ପୁରୀରେ ତାଣ୍ଡବ ରଚିଲା ‘ଫନି’ ବାତ୍ୟା । ଉଜାଡ଼ି ଦେଲା ଶ୍ରୀକ୍ଷେତ୍ର। ଘରଦ୍ବାର ମାଟିରେ ମିଶିଲା । ଗଛଲତା ଭୂଇଁରେ ଶୋଇଲା । ଶତାଧିକ ପଶୁପକ୍ଷୀଙ୍କ ଜୀବନ ବି ଗଲା । ଫନି ଦାଉରୁ ରକ୍ଷା ପାଇପାରିଲାନି ମଣିଷ । ଅନେକ ଧନଜୀବନ ନଷ୍ଟ ହେଲା । ଦୁଃଖ, ଦୁର୍ଦ୍ଦଶା, ନିରାଶାର କଳା ଅନ୍ଧାର ଭିତରେ ଗୁମୁରି କାନ୍ଦୁଥିବା ପୁରୀବାସୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଢ଼ାଇଥିଲେ ଭରସାର ହାତ । ପୁରୀ ଗସ୍ତ କରି ସୁବିଧା ଅସୁବିଧା ବୁଝିଲେ, ସହାୟତା ଯୋଗାଇଲେ । ପୁଣି ଥରେ ନୂଆ ଆରମ୍ଭ କରିବାକୁ ସହଯୋଗର ହାତ ବଢ଼ାଇଲେ । ସେହି ସମୟରେ ଭୁବନେଶ୍ବରରୁ ପୁରୀ ଯାଉଥିବା ବେଳେ ମହାପ୍ରଭୁଙ୍କୁ ସ୍ମରଣ କରୁଥାନ୍ତି ମୁଖ୍ୟମନ୍ତ୍ରୀ । ବାଟରେ ଲାଗିଥିବା ହୋର୍ଡିଂ ଦେଖି ହାତ ଯୋଡ଼ି ପ୍ରଣାମ କରୁଥା’ନ୍ତି । ଶ୍ରୀମନ୍ଦିରରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ । ଶହଶହ ବର୍ଷ ଧରି ସହର ଓ ଦୋକାନ ବଜାର ମନ୍ଦିର ଆଡ଼କୁ ବଢ଼ି ଆସି ମନ୍ଦିରରେ ବାଧା ସୃଷ୍ଟି କରୁଥିଲା । ତୀର୍ଥ ଯାତ୍ରୀଙ୍କ ପାଇଁ ମଧ୍ୟ ଅନେକ ସମସ୍ୟା ଉପୁଜୁଥିଲା । ହିନ୍ଦୁ ଧର୍ମରେ ମନ୍ଦିର ପରିକ୍ରମାର ଏକ ଗୁରୁତ୍ବପୂର୍ଣ୍ଣ ମହତ୍ବ ରହିଛି । କିନ୍ତୁ ସେ ସମୟରେ ଚାରିପାଖ ମନ୍ଦିର ଚାରିପାଖର ପରିବେଶ ଦେଖି ମୁଖ୍ୟମନ୍ତ୍ରୀ ଦୁଃଖ ପ୍ରକାଶ କରିଥିଲେ । ମହାପ୍ରଭୁଙ୍କ ଆଜ୍ଞା ହେଲା । ସେଇଠୁ ଆରମ୍ଭ ହେଲା ‘ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ’ର ପରିକଳ୍ପନା ।
ମହାପ୍ରଭୁଙ୍କ ଆଜ୍ଞାରେ ମୁଖ୍ୟମନ୍ତ୍ରୀଙ୍କ ସ୍ବପ୍ନର ଏହି ପ୍ରକଳ୍ପକୁ ସାକାର ରୂପ ଦେବାକୁ ସାରଥୀ ସାଜିଲେ ‘୫-ଟି’ ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ । କୋଟି ଓଡ଼ିଆଙ୍କ ମଉଡ଼ମଣି ମହାପ୍ରଭୁ ଜଗନ୍ନାଥଙ୍କ କାର୍ଯ୍ୟକୁ କେମିତି ଗୁରୁତ୍ବ ଦେବା କଥା, କେତେ ନିଷ୍ଠା ରହିବା କଥା, କେତେ ସମର୍ପଣ ଭାବ ରହିବା କଥା, ତାହା ଶ୍ରୀ ପାଣ୍ଡିଆନଙ୍କ ନିକଟରେ ଦେଖିବାକୁ ମିଳିଥିଲା । ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ, ପ୍ରକଳ୍ପର ମାଷ୍ଟର୍ପ୍ଲାନ୍ ଆରମ୍ଭ ହେବା ପୂର୍ବରୁ ୫୧ଥର ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଶ୍ରୀ ପାଣ୍ଡିଆନ୍ ବୈଠକ ଡାକି ଆଲୋଚନା କରିଥିଲେ । ଏଥିସହ ସାଂସ୍କୃତିକ ପରାମର୍ଶଦାତାଙ୍କ ସହ ୮ଥର, ବୈଷୟିକ ପରାମର୍ଶଦାତାଙ୍କ ସହ ୬ଥର, ବିଭିନ୍ନ ବିଭାଗ ସହ ୨୨ଥର, ଡିଜାଇନ୍ କମିଟି ସହ ୧୫ଥର ବୈଠକ କରିବା ପରେ ପ୍ରକଳ୍ପର ରୂପରେଖ ସ୍ଥିର ହୋଇଥିଲା । ପ୍ରକଳ୍ପ ଆରମ୍ଭ ହେବା ପୂର୍ବରୁ ମନ୍ଦିର ଚାରିପାଖର ସରକାରୀ ଓ ବେସରକାରୀ ପ୍ରାୟ ୧୫ ଏକର ଜମିକୁ ଖାଲି କରାଯାଇଥିଲା । ଜମି ଦାନ କରିଥିବା ବ୍ୟକ୍ତିଙ୍କୁ ଉପଯୁକ୍ତ କ୍ଷତିପୂରଣ ସହ ଥଇଥାନ କରାଗଲା । ନାନା ସମସ୍ୟା ପ୍ରତିବନ୍ଧକ ଆସିଲା କିନ୍ତୁ ହାର୍ ନମାନି ଆଗକୁ ବଢ଼ିଥିଲେ ମୁଖ୍ୟମନ୍ତ୍ରୀ। ୨୦୨୧ ମସିହା ନଭେମ୍ବର ୨୪ ତାରିଖରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶିଳାନ୍ୟାସ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀଙ୍କ ଏହି ସ୍ବପ୍ନର ପ୍ରକଳ୍ପକୁ ବାସ୍ତବରୂପ ଦେବାକୁ ପ୍ରଥମ ଦିନରୁ ଲାଗି ପଡ଼ିଥିଲେ ଶ୍ରୀ ପାଣ୍ଡିଆନ୍ । ଦିନରାତି ଏକ କରି ଦେଇଥିଲେ । ୨୦୧୯ ମସିହାରୁ ପ୍ରତି ସପ୍ତାହରେ ଅତି କମ୍ରେ ଦୁଇରୁ ତିନିଥର ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ ସହ ପରିକ୍ରମା ପ୍ରକଳ୍ପର ସମୀକ୍ଷା କରିଥିଲେ। ସବୁଠାରୁ ଗରୁତ୍ବପୂର୍ଣ୍ଣ ହେଲା, ସେ ଭୋର୍ ୪ଟାରେ ଶ୍ରୀମନ୍ଦିର ସମ୍ମୁଖରେ ପହଞ୍ଚୁଥିଲେ । ପୁରୀ ଜିଲ୍ଲାପାଳ, ଏସପି, ଓବିସିସି ଅଧିକାରୀ ଓ ଅନ୍ୟାନ୍ୟ ଅଧିକାରୀଙ୍କ ସହ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ଆଲୋଚନା କରି ପୁଣି ଫେରି ଆସୁଥିଲେ । ଗତ ୪ ବର୍ଷରେ ସେ ୫ଶହରୁ ଅଧିକଥର ଭୋର୍ ୪ଟାରୁ ଯାଇ ସମୀକ୍ଷା କରିଛନ୍ତି । ଶ୍ରୀ ପାଣ୍ଡିନଙ୍କ ନିଷ୍ଠା, ସମର୍ପଣଭାବ ଓ କାର୍ଯ୍ୟଶୈଳୀ କାର୍ଯ୍ୟରେ ନିୟୋଜିତ ଥିବା ଅଧିକାରୀ, କର୍ମଚାରୀ ତଥା ଯୁବବର୍ଗଙ୍କୁ ବଡ଼ ପ୍ରେରଣା ଦେଇଛି। ଏମିତିକି ତାଙ୍କୁ ସାରା ଭାରତବର୍ଷରେ ‘ଫୋର୍ ଏମ୍ ଅଫିସର’ଭାବେ ନାମିତ କରାଯାଇଛି । ଗୋଟିଏ ପ୍ରକଳ୍ପ ପାଇଁ ଏତେ ମାତ୍ରାରେ ତ୍ୟାଗ, ସମର୍ପଣ ଭାବ ପୂର୍ବରୁ କେବେ ଦେଖିବାକୁ ମିଳିନାହିଁ । ଏବେ ମହାପ୍ରଭୁଙ୍କ ଇଚ୍ଛାରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପୂର୍ଣ୍ଣାଙ୍ଗ ରୂପ ନେବାକୁ ଯାଉଛି । ଶ୍ରଦ୍ଧାଳୁମାନେ ଏବେ ବିନା ଦ୍ବିଧାରେ ଅନ୍ତ ପରିକ୍ରମା ଓ ବାହ୍ୟ ପରିକ୍ରମା କରିପାରିବେ । ପ୍ରାକୃତିକ ପରିବେଶ ଓ ସୁନ୍ଦର ଗବିଚା ସହ ତୀର୍ଥ ଯାତ୍ରୀଙ୍କ ପାଇଁ ବିଭିନ୍ନ ପ୍ରକାର ସୁବିଧା ଉପଲବ୍ଧ କରାଯାଇଛି । ବର୍ତ୍ତମାନ ଶ୍ରଦ୍ଧାଳୁମାନେ ଶାନ୍ତିପୂର୍ଣ୍ଣ ଦର୍ଶନ ଓ ପୂଣ୍ୟ ଲାଭ କରିପାରିବେ । ଏହି ପରିକ୍ରମା ପ୍ରକଳ୍ପ ତୀର୍ଥଯାତ୍ରୀଙ୍କ ସୁରକ୍ଷା ଓ ମନ୍ଦିରର ନିରାପତ୍ତାକୁ ସୁନିଶ୍ଚିତ କରିବାରେ ମଧ୍ୟ ସହାୟକ ହେବ । ଆସନ୍ତା ପୌଷ ମାସ ଶୁକ୍ଳ ପକ୍ଷ ସପ୍ତମୀ ତିଥି ଜାନୁଆରୀ ୧୭ ତାରିଖରେ ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ହେବାକୁ ଯାଉଛି ।
