
ମହାପ୍ରଭୁ-ଦିବ୍ୟାଙ୍ଗ ଭକ୍ତଙ୍କ ମଧ୍ୟରେ ବାଧକ ହେଉନି ଭିଡ଼। ବରିଷ୍ଠ ନାଗରିକମାନେ ବି ଶ୍ରୀମନ୍ଦିରକୁ ଦର୍ଶନ ପାଇଁ ଯିବାକୁ ଲମ୍ବା ଧାଡ଼ିର ସାହାରା ନେବାକୁ ପଡ଼ୁନାହିଁ । ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକମାନଙ୍କ ପାଇଁ ବିହିତ ପଦକ୍ଷେପ ନିଆଯାଇଛି । ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ନିକଟରେ ଖୋଲାଯାଇଛି ସ୍ବତନ୍ତ୍ର ବରିଷ୍ଠ-ଦିବ୍ୟାଙ୍ଗ ହେଲ୍ପ-ଡେସ୍କ କାଉଣ୍ଟର । ପରିବାରବର୍ଗଙ୍କ ସହ ଆସୁଥିବା ଦିବ୍ୟାଙ୍ଗମାନେ ଉକ୍ତ ହେଲ୍ପ-ଡେସ୍କ କାଉଣ୍ଟର ନିକଟରେ ପହଞ୍ଚିଲେ, ସେମାନଙ୍କୁ ଦର୍ଶନ ପାଇଁ ନେବାର ବ୍ୟବସ୍ଥା କରି ଦେଉଛନ୍ତି ଶ୍ରୀମନ୍ଦିର ପ୍ରଶାସନ` ମୁଖ୍ୟତଃ ବରିଷ୍ଠ ନାଗରିକମାନେ ମହାପ୍ରଭୁଙ୍କୁ ଦର୍ଶନ ପାଇଁ ବ୍ୟାକୁଳ ହେଉଥିଲେ ହେଁ ଭିଡ଼ ଓ ଲମ୍ବା ଧାଡ଼ି ଦେଖି ନିରାଶ ହୁଅନ୍ତି । ତେବେ କୌଣସି ଭକ୍ତ ଯେପରି ମହାପ୍ରଭୁଙ୍କ ଦିବ୍ୟ ସାନ୍ନିଧ୍ୟରୁ ବଞ୍ଚିତ ନହୁଏ, ସେନେଇ ବିଶେଷ ଭାବେ ରାଜ୍ୟ ସରକାରଙ୍କ ପକ୍ଷରୁ ଗୁରୁତ୍ବ ଦିଆଯାଇଛି । ବରିଷ୍ଠ ନାଗରିକଙ୍କୁ ନେଇ ପରିବାରଲୋକେ ପହଞ୍ଚିବା ପରେ ସେମାନଙ୍କୁ ସ୍ବତନ୍ତ୍ର ମାର୍ଗରେ ଦର୍ଶନ ପାଇଁ ନିଆଯାଉଛି । ହ୍ବିଲ୍-ଚେୟାର୍ ମାଧ୍ୟମରେ ସ୍ବେଚ୍ଛାସେବୀ ଅବା କର୍ମଚାରୀମାନେ ଦର୍ଶନ ପାଇଁ ନେଇ ଯାଉଛନ୍ତି । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଦିବ୍ୟାଙ୍ଗ ଓ ଭିନ୍ନକ୍ଷମମାନେ ବିଶ୍ରାମ ନେବା ଲାଗି ସ୍ବତନ୍ତ୍ର ସେଡ୍ ସହ ହେଲ୍ପ-ଡେସ୍କ ବ୍ୟବସ୍ଥା ହୋଇଛି । ଜିଲ୍ଲା ସାମାଜିକ ସୁରକ୍ଷା ଦପ୍ତର ପକ୍ଷରୁ ସେମାନଙ୍କୁ ଦର୍ଶନ ପାଇଁ ନେବା ଲାଗି ୮ଟି ହ୍ବିଲ୍ ଚେୟାର ଯୋଗାଇ ଦିଆଯାଇଛି ବୋଲି ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶୁଭ୍ରାଂଶୁ ମହାରଣା କହିଛନ୍ତି । ଫଳରେ ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକମାନେ ସ୍ବଚ୍ଛନ୍ଦରେ ଦର୍ଶନ ସୁବିଧା ପାଉଛନ୍ତି । ଜଗନ୍ନାଥବଲ୍ଲଭ ପରିସରରେ ଗାଡ଼ି ପାର୍କିଂ କରିବା ପରେ ଶ୍ରୀମନ୍ଦିର ପର୍ଯ୍ୟନ୍ତ ଦିବ୍ୟାଙ୍ଗ ଓ ବରିଷ୍ଠ ବର୍ଗର ଭକ୍ତମାନେ ପହଞ୍ଚିବା ଲାଗି ବ୍ୟାଟେରି ଚାଳିତ ଅଟୋର ବନ୍ଦୋବସ୍ତ କରାଯାଇଛି । ଜଗନ୍ନାଥବଲ୍ଲଭରୁ ଶ୍ରୀମନ୍ଦିରର ଦୂରତା ୧ କିଲୋମିଟରରୁ ଊର୍ଧ୍ବ ହୋଇଥିବାରୁ ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକମାନେ ଚାଲିଚାଲି ଯିବା ସମ୍ଭବ ନୁହେଁ । ସେଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ୧୦ଟି ଏବଂ ନାଲ୍କୋ ସହଯୋଗରେ ୧୦ଟି ବ୍ୟାଟେରି ଚାଳିତ ଅଟୋ ଯୋଗାଇ ଦିଆଯାଇଛି । ଏଥିସହ ଆଉ କିଛି ଇ-ଅଟୋର ବ୍ୟବସ୍ଥା କରାଯାଇଛି । ଏହି ଅଟୋ ଜରିଆରେ ଦିବ୍ୟାଙ୍ଗ ଭକ୍ତମାନେ ଶ୍ରୀମନ୍ଦିର ପର୍ଯ୍ୟନ୍ତ ଯିବା ପରେ ସେଠାରୁ ହ୍ବିଲ୍ ଚେୟାରରେ ଯାଉଛନ୍ତି। ସେମାନଙ୍କ ସହ ପରିବାର ବର୍ଗଙ୍କ ମଧ୍ୟରୁ ଜଣକୁ ସାଙ୍ଗରେ ଛଡ଼ାଯାଉଛି । ବଡ଼ଦାଣ୍ଡ ବ୍ୟତୀତ ନବନିର୍ମିତ ଶ୍ରୀଦାଣ୍ଡରେ ମଧ୍ୟ ସମାନ ବ୍ୟବସ୍ଥା ଆପଣାଯିବ । ମୁଖ୍ୟତଃ ଜଗନ୍ନାଥ ବଲ୍ଲଭ ମଧ୍ୟରେ ପାର୍କିଂ କରୁଥିବା ଭକ୍ତମାନେ ଶ୍ରୀଦାଣ୍ଡ ଦେଇ ଶ୍ରୀମନ୍ଦିରକୁ ଯିବେ । ତେଣୁ ସେମାନେ ଯେପରି ସେଇ ଶ୍ରୀଦାଣ୍ଡରେ ଅଟୋର ସୁବିଧା ପାଆନ୍ତି ସେଥିଲାଗି ବ୍ୟବସ୍ଥା ହୋଇଛି । ଶ୍ରୀଦାଣ୍ଡରେ କିଛି ସ୍ଥାନ କେବଳ ସରକାରଙ୍କ ପ୍ରଦତ୍ତ ବ୍ୟାଟେରି ଅଟୋ ଚଳାଚଳ କରିବ। ବିନା କୌଣସି ଦେୟରେ ଦିବ୍ୟାଙ୍ଗ ଓ ବରିଷ୍ଠ ଭକ୍ତମାନେ ଉକ୍ତ ଅଟୋରେ ଯାଇ ମହାପ୍ରଭୁଙ୍କ ଦର୍ଶନ କରିପାରିବେ । ମହାପ୍ରଭୁଙ୍କ ରଥଯାତ୍ରା, ନୂଆବର୍ଷ, ଅନ୍ୟାନ୍ୟ ପର୍ବପର୍ବାଣୀରେ ଦିବ୍ୟାଙ୍ଗ ଓ ବରିଷ୍ଠ ଭକ୍ତଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ଯୋଗାଇ ଦିଆଯାଉଛି । ସ୍ବେଚ୍ଛାସେବୀମାନଙ୍କ ପ୍ରମୁଖ ଯୋଗଦାନ ରହୁଛି । ୧୭ତାରିଖ ପରିକ୍ରମା ପ୍ରକଳ୍ପ ଦିନ ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବା ନେଇ ପଦକ୍ଷେପ ନିଆଯାଉଛି ବୋଲି ପୌରନିର୍ବାହୀ ଅଧିକାରୀ ସରୋଜ ସ୍ବାଇଁ କହିଛନ୍ତି ।