ଗ୍ରାମ୍ୟ ଉନ୍ନୟନ ବିଭାଗ ପ୍ରମୁଖ ଶାସନ ସଚିବଙ୍କ କୁଶଭଦ୍ରା ହାଇଲେଭଲ ସେତୁ ପରିଦର୍ଶନ

ଭୁବନେଶ୍ୱର : ଗୁରୁବାର ଦିନ ଗ୍ରାମ୍ୟ ଉନ୍ନୟନ ବିଭାଗ ତଥା ସୂଚନା ଓ ଲୋକ ସଂପର୍କ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସଂଜୟ କୁମାର ସିଂ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଲିପାଟଣା ବ୍ଲକର ବାଲିପାଟଣା ଓ ବନମାଳିପୁର ଅଂଚଳ  ପରିଦର୍ଶନ କରି ଗ୍ରାମ୍ୟ ଉନ୍ନୟନ ବିଭାଗର ବିଭିନ୍ନ କାର୍ଯ୍ୟର ଅନୁଧ୍ୟାନ କରିଛନ୍ତି । ପ୍ରମୁଖ ଶାସନ ସଚିବ ଶ୍ରୀ ସିଂ ପ୍ରଥମେ କୁଶଭଦ୍ରା ନଦୀରେ ନିର୍ମିତ ହାଇଲେଭଲ ସେତୁ  ପରିଦର୍ଶନ କରିଥିଲେ । ଶିଶୁ ଅନନ୍ତ ପୀଠ ଠାରୁ ଜୟଦେବ ପୀଠ ସହିତ ସଂଯୋଗ କରୁଥିବା ଏହି ହାଇଲେଭଲ ସେତୁ ୩୭ କୋଟି ୨୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଛି । ଏହି ସେତୁ ନିର୍ମାଣ ସରିଥିବା ବେଳେ ଏହାର  ସଂଯୋଗୀକରଣ  ରାସ୍ତା  ଉନ୍ନତିକରଣ କାର୍ଯ୍ୟ ଜାରି ରହିଛି ।  ଏହି ସେତୁ ଫଳରେ ସ୍ଥାନୀୟ ଗାରେଡିପାଂଚଣ, ଅଠାନ୍ତର,ପମ୍ପାଲୋ, ଜୟଦେବ, ପ୍ରତାପରୁଦ୍ରପୁର ଆଦି ୪ଟି  ଗ୍ରାମ ପଂଚାୟତର  ପ୍ରାୟ  ୧୮୦୦୦ରୁ ଊର୍ଦ୍ଧ୍ୱ ଜନସାଧାରଣ ଉପକୃତ ହେଉଛନ୍ତି  ।  ସେହିପରି ପ୍ରମୁଖ ଶାସନ ସଚିବ ଶ୍ରୀ ସିଂ, ମୁଖ୍ୟମନ୍ତ୍ରୀ ସଡକ ଯୋଜନାରେ ୬ କୋଟି ୧ଲକ୍ଷ ଟଙ୍କା ବ୍ୟୟରେ ଉନ୍ନତିକରଣ କରାଯାଉଥିବା ଚଣାହାଟ- ରାସ୍ତା ଏବଂ ୫ କୋଟି ୬୨ ଲକ୍ଷ ଟଙ୍କା ଖର୍ଚ୍ଚ ଅଟକଳରେ  ବନମାଳିପୁର-ବଳଙ୍ଗା ରାସ୍ତା ଉନ୍ନତିକରଣ କାର୍ଯ୍ୟର ତଦାରଖ କରିଛନ୍ତି । ଏହି ଗସ୍ତ ସମୟରେ ପୂର୍ତ୍ତ ସଚିବ ଶ୍ରୀ ପ୍ରଦୀପ କୁମାର ସାମଲ, ମୁଖ୍ୟ ଯନ୍ତ୍ରୀ, ସେତୁ ଓ ବିଲ୍ଡିଂ ଶ୍ରୀ ରମେଶ ଚନ୍ଦ୍ର ବେହେରା, ମୁଖ୍ୟ ଯନ୍ତ୍ରୀ-ଯୋଜନା ଓ ରାସ୍ତା ନିର୍ମାଣ ଶ୍ରୀ ସଂଜୀବ କୁମାର ମହାନ୍ତି, ମୁଖ୍ୟ ନିର୍ମାଣ ଯନ୍ତ୍ରୀ –କେନ୍ଦ୍ରୀୟ ଗ୍ରାମ୍ୟ ନିର୍ମାଣ ସର୍କଲ ଶ୍ରୀ ସତ୍ୟବ୍ରତ ବେହେରା ଓ ଅଧିକ୍ଷଣ ଯନ୍ତ୍ରୀ(ପୂର୍ତ୍ତ) ଶ୍ରୀ ଅଶୋକ କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ଅନୁଧ୍ୟାନ ସମୟରେ ପ୍ରମୁଖ ଶାସନ ଶ୍ରୀ ସିଂ ବିଭାଗର ଯନ୍ତ୍ରୀମାନଙ୍କ ସହିତ  ନିର୍ମାଣ କାର୍ଯ୍ୟରେ ଗୁଣବତ୍ତା ବଜାୟ ରଖିବା,  ନିର୍ଦ୍ଧାରିତ  ସମୟ ସୀମା ମଧ୍ୟରେ କାର୍ଯ୍ୟ ଶେଷ କରିବା, ଆବଶ୍ୟକ  ସ୍ଥାନରେ ଗାର୍ଡଓ୍ୱାଲ ନିର୍ମାଣ ଆଦି ସଂପର୍କରେ  ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଥିଲେ । ଏହି ପରିପ୍ରେକ୍ଷୀରେ ଶ୍ରୀ ସିଂ ବାଲିପାଟଣାର ପ୍ରସିଦ୍ଧ ଶିଶୁ ଅନନ୍ତ ପୀଠ ପରିଦର୍ଶନ କରିଥିଲେ । ସେଠାରେ ଶିଶୁ ଅନନ୍ତ ପୀଠର ମହିମା ସଂପର୍କରେ ପୀଠର ସଂପାଦିକା ତନୟା ଦାସ ଗୋସ୍ୱାମୀଙ୍କ ଠାରୁ ବିଶେଷ ଭାବେ ଅବଗତ ହୋଇଥିଲେ । ଏହି ଅବସରରେ ସଂପାଦିକା ତନୟା ଦାସ ଗୋସ୍ୱାମୀ  ପ୍ରମୁଖ ଶାସନ ସଚିବଙ୍କ ସହିତ ପୀଠର ଉନ୍ନତିକରଣ ସଂପର୍କରେ ଅନୁରୋଧ କରିଥିଲେ ।

Leave a Reply

Your email address will not be published. Required fields are marked *