ଓଡ଼ିଶା ଶିକ୍ଷା ଓ ସ୍ୱାସ୍ଥ୍ୟ ବିଭାଗରେ ୧ ଲକ୍ଷରୁ ଉର୍ଦ୍ଧ୍ୱ ପଦବୀ ଖାଲି, ଏହାର ଉତର ଦେବେ କି ମନ୍ତ୍ରୀ ପ୍ରମିଳା ମଲ୍ଲିକ?

ଭୁବନେଶ୍ୱର : ରାଜ୍ୟରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ଶିକ୍ଷା ଓ ସ୍ୱାସ୍ଥ୍ୟ ବିଭାଗରେ ୧ ଲକ୍ଷରୁ ଉର୍ଦ୍ଧ୍ୱ ପଦବୀ ଖାଲି ପଡିଥିବା ବେଳେ ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକ ଏହାର ଉତର ରଖିବେ କି ବୋଲି ପ୍ରଶ୍ନ କରିଛନ୍ତି ପୂର୍ବତନ ମନ୍ତ୍ରୀ ତଥା ରାଷ୍ଟ୍ରୀୟ ମହିଳା ମୋର୍ଚ୍ଚାର ପୂର୍ବତନ ସଭାନେତ୍ରୀ ସୁରମା ପାଢୀ । ସେ କହିଛନ୍ତି ଯେ  ଆମ ନେତା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦେଇଥିବା ମନ୍ତବ୍ୟକୁ ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକ ଭଲରେ ଶୁଣିନଥିବା ପରି ମନେହେଉଛି । ନ ହେଲେ ସେ କେନ୍ଦ୍ର ସରକାର କଣ କରିଥିବାର ତଥ୍ୟ ମାଗିନଥାନ୍ତେ । ଆଜି ରାଜ୍ୟରେ ଶିକ୍ଷା ଓ ସ୍ୱାସ୍ଥ୍ୟ ବିଭାଗରେ କେତେ ପଦବୀ ଖାଲି ଅଛି, ତାହା ଭଲ ଭାବେ ପ୍ରମିଳା ମଲ୍ଲିକଙ୍କୁ ଜଣାଥିବ । ଶାସକ ଦଳର ମନ୍ତ୍ରୀ ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଓଡ଼ିଶା ବିଧାନସଭାରେ ଦେଇଥିବା ତଥ୍ୟନୁସାରେ ରାଜ୍ୟରେ ବିଭିନ୍ନ ବିଭାଗରେ ୨ ଲକ୍ଷ ୨୬ ହଜାରରୁ ଉର୍ଦ୍ଧ୍ୱ ପଦବୀ ଖାଲି ପଡ଼ିଛି । ସେଥିଧ୍ୟରୁ କେବଳ ସ୍କୁଲ ଓ ଗଣଶିକ୍ଷା ବିଭାଗରେ ୬୧,୮୩୬ଟି ପଦବୀ ଖାଲି ପଡ଼ିଛି । ଉଚ୍ଚ ଶିକ୍ଷା ବିଭାଗରେ ୧୧,୫୨୨ ପଦବୀ ଖାଲି ପଡ଼ିଥିବା ବେଳେ ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ବିଭାଗରେ ୩,୧୦୬ ପଦବୀ ଖାଲି ପଡ଼ିଛି ଏବଂ ଗୁରୁତ୍ୱପୂର୍ଣ୍ଣ ସ୍ୱାସ୍ଥ୍ୟ ବିଭାଗରେ ୩୬ ହଜାରରୁ ଉର୍ଦ୍ଧ୍ୱ ପଦବୀ ଖାଲି ରହିଛି । ଏ ସବୁକୁ ପୂରଣ କରିବା ରାଜ୍ୟ ସରକାର କଣ କରିଛନ୍ତି, ଏହାର ଜବାବ ମନ୍ତ୍ରୀ ପ୍ରମିଳା ମଲ୍ଲିକ ଦେବେ କି? ରାଜ୍ୟ ସରକାର ଶିକ୍ଷା ଏବଂ ସ୍ୱାସ୍ଥ୍ୟ ଭଳି ଦୁଇଟି ଗୁରୁତ୍ୱପୂର୍ଣ୍ଣ ବିଭାଗରେ କେତେ ପଦବୀ ଖାଲି ପଡ଼ିଛି ଓ ସେଥିମଧ୍ୟରୁ କେତେ ଜଣ ସ୍ଥାୟୀ ନିଯୁକ୍ତି ପାଇବେ,ତାହାର ଶ୍ୱେତପତ୍ର ପ୍ରକାଶ କରିବେ ନା ନାହିଁ ସ୍ପଷ୍ଟ କରନ୍ତୁ । ଅଗ୍ରାଧିକାର ଭିତିରେ ଏହି ଦୁଇଟି ବିଭାଗରେ ଖାଲିଥିବା ପଦବୀ ସଂଖ୍ୟା ପୂର୍ଣ୍ଣ କରିବା ସହ ସ୍ଥାୟୀ ନିଯୁକ୍ତି ଦିଆଯାଉ ବୋଲି ଶ୍ରୀମତୀ ପାଢୀ କହିଛନ୍ତି । ଭାରତ ସରକାରଙ୍କ ଆୟୁଷ୍ମାନ ଯୋଜନା ଓ ରାଜ୍ୟର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ମଧ୍ୟରେ କେଉଁ ଯୋଜନା ଭଲ, ତାହା ମନ୍ତ୍ରୀ ପ୍ରମିଳା ମଲ୍ଲିକ ନିଜେ ତର୍ଜମା କରନ୍ତୁ । ଆଜି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅନ୍ତର୍ଭୃକ୍ତ ହସ୍ପିଟାଲ ଗୁଡ଼ିକରେ କେତେ ବକେୟା ଟଙ୍କା ରହିଛି ଓ କଣ ସେବା ମିଳୁଛି, ଓଡ଼ିଶାର ଜନତା ସବୁ ଜାଣିଛନ୍ତି । ଭାରତ ସରକାରଙ୍କ ଆୟୁଷ୍ମାନ ଯୋଜନାରେ ମିଳୁଥିବା ସେବା ବିଷୟରେ ଯଦି ମନ୍ତ୍ରୀଙ୍କୁ ଜଣାନାହିଁ, ତେବେ ଆୟୁଷ୍ମାନ ଯୋଜନା କାର୍ଯ୍ୟକାରୀ ଅନ୍ୟ ରାଜ୍ୟରେ ବସବାସ କରୁଥିବା ଓଡ଼ିଆ ଲୋକଙ୍କ ଠାରୁ ବୁଝିନିଅନ୍ତୁ । ମିଛ ପ୍ରହେଳିକା ତିଆରି କରିବାରେ ନବୀନ ସରକାର ଧୂରନ୍ଧର । ସେଥିରୁ ପ୍ରମିଳା ମଲ୍ଲିକା କିପରି ବାଦ୍ ପଡିବେ ବୋଲି ଶ୍ରୀମତୀ ପାଢୀ କହିଛନ୍ତି । ଅପରପକ୍ଷରେ ମୋଦି ସରକାର ରାଜ୍ୟରେ ସ୍ୱାସ୍ଥ୍ୟ ଭିତିଭୂମିୁକୁ ସୁଦୃଢ଼ କରିବା ଦିଗରେ ନିରନ୍ତର କାମ କରୁଛନ୍ତି । ୧୫ ତମ ଆର୍ଥକ କମିଶନ ସୁପାରିଶ ଅନୁସାରେ ଓଡ଼ିଶାକୁ ସ୍ୱାସ୍ଥ୍ୟ ଅନୁଦାନ ପାଇଁ ମୋଦି ସରକାରଙ୍କ ପକ୍ଷରୁ ୨,୪୫୪ କୋଟି ଟଙ୍କା ଦିଆଯାଇଛି । ୨୨ ବର୍ଷର ଲମ୍ବା ଶାସନ ପରେ ମଧ୍ୟ ରାଜ୍ୟ ସରକାରଙ୍କ ଦ୍ୱାରା ନିଜ ଉଦ୍ୟମରେ ଗୋଟିଏ ମେଡିକାଲ କଲେଜ ନିର୍ମାଣ ହୋଇନାହିଁ । ରାଜ୍ୟରେ ୩ଟି ପିଏସୟୁ ନିର୍ମିତ ମେଡ଼ିକାଲ ସହ ମୋଦି ସରକାରଙ୍କ ୯୨୦କୋଟିରୁ ଉର୍ଦ୍ଧ୍ୱ ଟଙ୍କା ସହାୟତାରେ ବାଲେଶ୍ୱର, ମୟୂରଭଞ୍ଜ, ବଲାଙ୍ଗୀର, କୋରାପୁଟ, ପୁରୀ, ଯାଜପୁର ଏବଂ କଳାହାଣ୍ଡି ଜିଲ୍ଲାରେ ମେଡ଼ିକାଲ ନିର୍ମାଣ କାମ କିଛି ଶେଷ ହୋଇଥିବା ବେଳେ ଆଉ କିଛିର କାମ ଚାଲୁ ରହିଛି ବୋଲି ଶ୍ରୀମତୀ ପାଢୀ କହିଛନ୍ତି ।

Leave a Reply

Your email address will not be published. Required fields are marked *