୨୯ରେ ଓଡ଼ିଶା ଆସିବେ ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍‌ଗେ ।

ଭୁବନେଶ୍ୱର : ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍‌ଗେ ଆସନ୍ତା ୨୯ ତାରିଖରେ ‘ଓଡ଼ିଶା ବଞ୍ଚାଅ’ ସମାବେଶରେ ଯୋଗଦେବେ । ସେ ଅଧ୍ୟକ୍ଷ ହେବା ପରେ ଏହା ତାଙ୍କର ପ୍ରଥମ ଓଡ଼ିଶା ଗସ୍ତ । ଏହି ପରିପ୍ରେକ୍ଷୀରେ କଂଗ୍ରେସ ଭବନଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ପ୍ରଦେଶ କଂଗ୍ରେସ କମିଟିର ସଭାପତି ଶରତ ପଟ୍ଟନାୟକ କହିଥିଲେ ଯେ ଶ୍ରୀ ଖଡ୍‌ଗେ ତଳସ୍ତରରୁ ଜଣେ ସାଧାରଣ କଂଗ୍ରେସ କର୍ମୀଭାବେ ଜୀବନ ଆରମ୍ଭ କରି ନିଜର ଚେଷ୍ଟା, ନିଷ୍ଠା ଓ ସମର୍ପଣ ପାଇଁ ଏବେ ସେ ଅଖିଳ ଭାରତ କଂଗ୍ରେସ କମିଟିର ଅଧ୍ୟକ୍ଷ ପଦରେ ଅବସ୍ଥାପିତ ହୋଇପାରିଛନ୍ତି । ସେ ଜଣେ ଅନୁଭବୀ ନେତା ଭାବେ ଦେଶକୁ ଅତି ନିକଟରୁ ଦେଖିଥିବାବେଳେ ଓଡ଼ିଶାର ଅବସ୍ଥାକୁ ମଧ୍ୟ ଭଲଭାବେ ବୁଝିଛନ୍ତି । ଶ୍ରୀ ପଟ୍ଟନାୟକ କହିଥିଲେ ଯେ ବିଜେଡି ଶାସନର ୨୪ ବର୍ଷ ପରେ ମଧ୍ୟ ୫୨% ଲୋକ ଆଜିବି ଗରିବ । ରାଜ୍ୟରେ ହାରାହାରି ୨ଲକ୍ଷ ସରକାରୀ ପଦବୀ ଖାଲି ପଡ଼ିଥିବାବେଳେ ୧୦ଲକ୍ଷ ପଞ୍ଜୀକୃତ ବେକାର ଶିକ୍ଷିତ ଯୁବକଯୁବତୀ ବେସାହାରା ହୋଇପଡ଼ିଛନ୍ତି । ଆଜି ବି ସାଧାରଣ ଲୋକ ମୌଳିକ ସୁବିଧା ସୁଯୋଗରୁ ବଞ୍ଚିତ ହେଉଛନ୍ତି । ଅପରପକ୍ଷରେ ଓଡ଼ିଆ ଜାତିକୁ ଧ୍ୱଂସ କରିବାକୁ ରୀତିମତ ଷଡଯନ୍ତ୍ର ରଚାଯାଉଛି ।

ଏପରିକି ଅଣଓଡ଼ିଆଙ୍କ ହାତକୁ ଶାସନ କ୍ଷମତା ଟେକି ଦେବାପାଇଁ ମସୁଧା ଚାଲିଛି, ଯାହାକୁ କଂଗ୍ରେସ କେବେ ବରଦାସ୍ତ କରିବ ନାହିଁ । ଓଡ଼ିଶାରେ ଓଡ଼ିଆଙ୍କ ହକ୍ ରହିଛି । ଏହି ହକ୍ ଉପରେ ଆକ୍ରମଣ ହେଲେ ଓଡ଼ିଶା କଂଗ୍ରେସ କେବେ ଚୁପ୍ ହୋଇ ବସିବ ନାହିଁ । ଉକ୍ତ ସାମ୍ବାଦିକ ସମ୍ମିଳନୀରେ ଏଆଇସିସି ଅଧ୍ୟକ୍ଷଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ପାଇଁ ନିଯୁକ୍ତ ଅଧ୍ୟକ୍ଷ ତଥା ପିସିସିର ପୂର୍ବତନ ସଭାପତି ଜୟଦେବ ଜେନା କହିଛନ୍ତି ଯେ ରାଜ୍ୟରେ ଭ୍ରଷ୍ଟାଚାର, ଦୁର୍ନୀତି ଓ ଅତ୍ୟାଚାର ସୀମା ଟପିଛି । ବିଜେଡି-ବିଜେପି ଅଘୋଷିତ ମେଣ୍ଟ ଏବେ ସାର୍ବଜନୀନ ହୋଇଛି । ଏମାନଙ୍କର ଦୌରାତ୍ମ୍ୟରୁ ରାଜ୍ୟକୁ ମୁକ୍ତ କରିବା ପାଇଁ ‘ଓଡ଼ିଶା ବଞ୍ଚାଅ’ ସମାବେଶରେ ଯୋଗଦେବାକୁ ଖଡ୍‌ଗେ ଜୀ ଓଡ଼ିଶା ଆସୁଛନ୍ତି । ସ୍ୱତଃପ୍ରବୃତ ଭାବେ ‘ଓଡ଼ିଶା ବଞ୍ଚାଅ’କାର୍ଯ୍ୟକ୍ରମରେ ଯୋଗଦେବାକୁ ଶ୍ରୀ ଜେନା ରାଜ୍ୟବାସୀଙ୍କୁ ନିବେଦନ କରିଛନ୍ତି । ସାମ୍ବାଦିକମାନଙ୍କୁ ସମ୍ବୋଧନ କରି ପିସିସିର ପୂର୍ବତନ ସଭାପତି ପ୍ରସାଦ ହରିଚନ୍ଦନ କହିଛନ୍ତି ଯେ ୨୦୨୪ ମସିହାରେ ହେବାକୁ ଥିବା ଅଷ୍ଟାଦଶ ଲୋକସଭା ଓ ସପ୍ତଦଶ ବିଧାନସଭା ନିର୍ବାଚନ ପୂର୍ବରୁ ଏଆଇସିସି ସଭାପତିଙ୍କ ଓଡ଼ିଶାଗସ୍ତ କାର୍ଯ୍ୟକ୍ରମ ଦୁଇଟି ଦିଗରୁ ମହତ୍ୱପୂର୍ଣ୍ଣ । ସେ ଆହୁରି କହିଥିଲେ ଯେ ଉଭୟ ବିଜେଡି ଓ ବିଜେପିଙ୍କ ଚୋରା ପୀରତି ଧରାପଡ଼ିଯାଇଛି । ୧୦ ବର୍ଷ ମିଶି ସରକାର କରିବା ପରେ ଲିଭ୍‌ଇନ୍ ରିଲେସନ୍‌ସିପ ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ୁଛି । ବିଜେଡି ୨୪ ବର୍ଷ ପରେ ନୂଆ-ଓଡ଼ିଶା ଗଢିବା କଥା କହୁଛି ତେବେ ୨୩ବର୍ଷ ପୂର୍ବରୁ ଗଢିପାରିଲେନି କାହିଁକି ବୋଲି ସେ ପ୍ରଶ୍ନ କରିଥିଲେ । ଉଭୟଙ୍କ ଚିତ୍ର ଓ ଚରିତ୍ରକୁ ରାଜ୍ୟବାସୀ ବୁଝି ଗଲେଣି ଏବେ ବିଜେଡି ଓ ବିଜେପିକୁ ହଟାଇବାର ସମୟ ଆସିଛି । ଏହି ସମ୍ମିଳନୀରେ ପିସିସି ଗଣମାଧ୍ୟମ ବିଭାଗର ଅଧ୍ୟକ୍ଷ ଡଃ ବିଶ୍ୱରଂଜନ ମହାନ୍ତି ,ଏଆଇସିସିର ସମ୍ପାଦକ ତଥା ଓଡ଼ିଶାର ସହପ୍ରଭାରୀ ଶ୍ରୀ ସାହାନାୱାଜ ଚୌଧୁରୀ ଏବଂ ପିସିସି ସାମାଜିକ ଗଣମାଧ୍ୟମର ଅଧ୍ୟକ୍ଷ ଶ୍ରୀ ଅମୀୟ ପାଣ୍ଡବ ଉପସ୍ଥିତ ଥିଲେ ।