ଭୁବନେଶ୍ୱର : ଭ୍ରଷ୍ଟାଚାର, ଦୁର୍ନୀତି, ଯୌନ କେଳେଙ୍କାରୀ, ଅପରାଧ, ମହିଳାଙ୍କୁ ଦୁଷ୍କର୍ମ, ଯୁବକଙ୍କ ବେରୋଜଗାରୀ ଓ ସମାଜକୁ ନଷ୍ଟ କରିବା ଭଳି ବିଭିନ୍ନ କାର୍ଯ୍ୟରେ ବିଜୁ ଜନତା ଦଳ ଦୀର୍ଘ ୨୨ବର୍ଷ ଶାସନରେ ରହି ଓଡ଼ିଶାକୁ ଭେଟି ଦେଇଛି । ନିମାପଡା ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣା, ଭୁବନେଶ୍ୱରର ଅର୍ଚ୍ଚନା ନାଗ କେଳେଙ୍କାରୀ ସମେତ ରାଜ୍ୟରେ ଘଟିଥିବା ଯୌନ କେଳେଙ୍କାରୀ, ଦୁର୍ନୀତି, ଟେଣ୍ଡର ଫିକ୍ସିଂ, ମନି ଲଣ୍ଡରିଂରେ ଶାସକ ଦଳର ମାଳ ମାଳ ମନ୍ତ୍ରୀ, ବିଧାୟକ ଓ ନେତା ଜଡ଼ିତ । ଓଡ଼ିଶାବାସୀ ଟିକସ ଦେଉଥିବା କୋଟି କୋଟି ଟଙ୍କା ବିଜୁ ଜନତା ଦଳର ନେତାଙ୍କ ବିଳାଶବ୍ୟସନରେ ଲାଗୁଛି । ଗଣଶିକ୍ଷାମନ୍ତ୍ରୀ ସମୀର ଦାଶଙ୍କ କଥା ହେଉକି ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ଘଟଣାରେ ଶାସକ ବିଜୁ ଜନତା ଦଳର ନେତାମାନେ ଜଡ଼ିତ ବୋଲି ଜଳ ଜଳ ପ୍ରମାଣ ମିଳୁଛି । ଶାସକ ଦଳ ନେତାଙ୍କ ପୃଷ୍ଠପୋଷକତା, ତତ୍ୱାବଧାନରେ ଅପରାଧ କରାଯିବା ସହ ଅପରାଧି ସୃଷ୍ଟି କରାଯାଇ ଓଡ଼ିଶାବାସୀଙ୍କୁ ଶୋଷଣ କରାଯାଉଛି । ପୁରୀ ଜିଲ୍ଲା ନିମାପଡାର ଜିଲ୍ଲା ପରିଷଦ ସଭ୍ୟ ସ୍ୱର୍ଗତଃ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା କରିବା ପୂର୍ବରୁ ଜଣେ ବନ୍ଧୁଙ୍କୁ ଫୋନ କରି ତାଙ୍କ ଆତ୍ମହତ୍ୟା ଲାଗି ବାରମ୍ବାର ଗଣଶିକ୍ଷାମନ୍ତ୍ରୀ ସମୀର ଦାଶଙ୍କ ନାମ ନେଇଥିବା ଅଡିଓ ଭାଇରାଲ ହୋଇଥିଲା । ବିନ୍ଦାସ ଚିନୁ, ମୁନା ମହାପାତ୍ର ମଧ୍ୟ ସ୍ୱର୍ଗତଃ ସାହୁଙ୍କୁ ଆତ୍ମହତ୍ୟା ଲାଗି ଦାୟୀ ବୋଲି ଅଡିଓ ଭାଇରାଲ ହୋଇଥିଲେ ମଧ୍ୟ କାହିଁକି ଓଡ଼ିଶା ପୋଲିସ ଏହି ୩ ଅଭିଯୁକ୍ତଙ୍କୁ ଏ ଯାଏଁ ଗିରଫ କିମ୍ବା ସେମାନଙ୍କୁ ତଦନ୍ତ ପରିସରଭୁକ୍ତ କରିନାହିଁ ବୋଲି ରାଜ୍ୟ ସାଧାରଣ ସମ୍ପାଦିକା ଡ.ଲେଖାଶ୍ରୀ ସାମନ୍ତସିଂହାର ପ୍ରଶ୍ନ କରିଛନ୍ତି । ବୁଧବାର ଦିନ ସାମ୍ବାଦିକ ସମ୍ମିଳନୀରେ ଡ. ଲେଖାଶ୍ରୀ କହିଛନ୍ତି, ସମୀର ଦାଶ ସ୍ୱର୍ଗତଃ ସାହୁଙ୍କ ପତ୍ନୀଙ୍କୁ ଡ୍ରଗ୍ସ ଦେଇ ଅନୈତିକ ସମ୍ପର୍କ ରଖିବା, ସ୍ୱର୍ଗତଃ ସାହୁ ଓ ଗଣଶିକ୍ଷାମନ୍ତ୍ରୀ ଶ୍ରୀ ଦାଶଙ୍କ ମଧ୍ୟରେ ଲକ୍ଷ ଲକ୍ଷ ଟଙ୍କା କାରବାର ଓ ବିନ୍ଦାସ ଚିନୁ ସେହି ଭିଡିଓ ଦେଖାଇ ସ୍ୱର୍ଗତଃ ସାହୁଙ୍କୁ ବ୍ଲାକମେଲିଂ କରି ପ୍ରତିମାସ ହଜାର ହଜାର ଟଙ୍କା ନେଉଥିବା ଅନ୍ଲାଇନ ଟ୍ରାଜେକ୍ସନ୍ ଓ ଅଡିଓ ଭାଇରାଲ ହେଉଛି । ସ୍ୱର୍ଗତଃ ସାହୁଙ୍କ ଆତ୍ମହତ୍ୟାର ଯଥେଷ୍ଟ ପ୍ରମାଣ ଥାଇବି ଏଯାଏଁ ଓଡ଼ିଶା ପୋଲିସ ତଦନ୍ତ ନକରି ମନ୍ତ୍ରୀ ଶ୍ରୀ ଦାଶଙ୍କୁ ଘଣ୍ଟ ଘୋଡାଉଛି । ରାଜ୍ୟ ସରକାର ମା’କୁ ସମ୍ମାନ ଓ ସାଢ଼େ ଚାରି କୋଟି ଓଡ଼ିଆ ମୋ ପରିବାର କଥା କହୁଛନ୍ତି । କିନ୍ତୁ ସେହି ପରିବାର ଭିତରେ ବା ବିଜୁ ଜନତା ଦଳରେ ଥାଇ ବି ମଧ୍ୟ ସ୍ୱର୍ଗତଃ ସାହୁଙ୍କ ଆତ୍ମହତ୍ୟାର ତଦନ୍ତ ଏଯାଏଁ କାହିଁକି ହୋଇନାହିଁ ରାଜ୍ୟ ସରକାର ଏହା ସ୍ପଷ୍ଟ କରନ୍ତୁ ବୋଲି ଡ. ଲେଖାଶ୍ରୀ କହିଛନ୍ତି । ସେହିପରି ଭାରତୀୟ ଜନତା ପାର୍ଟିର କାର୍ଯ୍ୟକର୍ତା ଏସିପି, ଡିସିପି ଓ ପୋଲିସ କମିଶନରଙ୍କୁ ବାରମ୍ବାର ଭେଟି ଅଭିଯୋଗ ଦେବା ସତ୍ୱେ କାହିଁକି କେସ୍ର ତଦନ୍ତ ଆଗଉ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ତଥା ଓଡ଼ିଶା ପୋଲିସ ଡିଜି ଏହାର ଉତର ରଖନ୍ତୁ । ଓଡ଼ିଶା ପୋଲିସ ସମ୍ବିଧାନକୁ ମାନିବା ସହ ନିଜର ବିବେକାନୁମୋଦିତ କାର୍ଯ୍ୟ କରିବାଲାଗି ଡ. ଲେଖାଶ୍ରୀ ଆହ୍ୱାନ ଦେଇଛନ୍ତି । ଶାସକ ଦଳର ମନ୍ତ୍ରୀ, ବିଧାୟକ ଓ ନେତାଙ୍କୁ ଦୁର୍ନୀତି, ଭ୍ରଷ୍ଟାଚାରୀ ଓ କେଳେଙ୍କାରୀ କରିବା ଲାଗି ତାଙ୍କ ଦଳର ମୁଖିଆ ପ୍ରଶ୍ରୟ ଦେଉଛନ୍ତି । ସବୁଠୁ ଆଶ୍ଚର୍ଯ୍ୟ କଥା ଦୁର୍ନୀତିଖୋର ନେତାଙ୍କ ବିରୋଧରେ ଶାସକ ଦଳ ମୁଖିଆ କାର୍ଯ୍ୟାନୁଷ୍ଠାନ ବଦଳରେ ନୂଆ ନେତାଙ୍କୁ ସ୍ଥାନ ଦେଇ ଓଡ଼ିଶାର ଜନସାଧାରଣଙ୍କୁ ଭକୁଆ ବନାଉଛନ୍ତି । ପ୍ରତାପ ଜେନା, ଅରୁଣ ସାହୁ ଓ ଦିବ୍ୟଶଙ୍କର ମିଶ୍ର ତିନି ଜଣ ପ୍ରଧାନମନ୍ତ୍ରୀ ଆବାସ ଯୋଜନା କେଳେଙ୍କାରୀ, ମାହାଙ୍ଗା ଟ୍ରିପୁଲ ମଡର କେସ, ପରୀ ଓ ମମିତା ହତ୍ୟା କାଣ୍ଡରେ ସମ୍ପୃକ୍ତ ଥିଲେ ବି ଏମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନନେଇ କେବଳ ମନ୍ତ୍ରୀମଣ୍ଡଳରୁ ବାଦ୍ ଦେଇ ଅନ୍ୟମାନଙ୍କୁ ମନ୍ତ୍ରୀମଣ୍ଡଳ ଟିମ୍ରେ ନେଇ ବିଜେଡି ମୁଖିଆ ଓଡ଼ିଶାବାସୀଙ୍କୁ କେବଳ ଭ୍ରମିତ କରୁଛନ୍ତି । ଲେଡି ବ୍ଳାକମେଲର ଅର୍ଚ୍ଚନାଙ୍କ ବାସଭବନରେ ବିଜୁ ଜନତା ଦଳର ୧୨ରୁ ଊର୍ଦ୍ଧ୍ୱ ମନ୍ତ୍ରୀ, ୩୦ରୁ ଅଧିକ ବିଧାୟକ ଯା’ଆସ କରିବା ସହ ସେଠାରେ କୋଟି କୋଟି ଟଙ୍କାର ଟ୍ରାଞ୍ଜାକ୍ସନ କରାଯାଉଥିଲା । ଏପରିକି ଟ୍ରାନ୍ସଫର୍, ପୋଷ୍ଟିଂ ଓ ଟେଣ୍ଡର ଫିକ୍ସିଂ ଭଳି ନିଷ୍ପତି ନିଆଯାଉଥିଲା ସେଠାରେ । ଜଣକୁ ଗୋଟିଏ ବି ପାସ୍ ବା ଟିକେଟ୍ ମିଳୁନଥିବାବେଳେ ସବୁଠୁ ଆଶ୍ଚର୍ଯ୍ୟ ଯେ, ଅର୍ଚ୍ଚନା ନାଗଙ୍କୁ ଭାରତ-ସାଉଥଆଫ୍ରିକା ମ୍ୟାଚ୍ର ୨୦୦ପାସ୍ ମିଳିଥିଲା । ଏପରିକି ମ୍ୟାଚ ଦିନ ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା ଅର୍ଚ୍ଚନା ନାଗଙ୍କୁ ଷ୍ଟାଡିୟମ ପର୍ଯ୍ୟନ୍ତ ଏସ୍କଟ୍ କରି ନେଇଥିଲେ ବି ପୋଲିସ କାହିଁକି ଏହାର ତଦନ୍ତ କରୁନାହିଁ ବୋଲି ଡ. ଲେଖାଶ୍ରୀ ଦାବି କରିଛନ୍ତି । ରାଜ୍ୟ ସରକାର ଓ ଓଡ଼ିଶା ପୋଲିସ ସ୍ପଷ୍ଟ କରନ୍ତୁ ଅର୍ଚ୍ଚନା ନାଗଙ୍କ କଳା ସାମ୍ରାଜ୍ୟ ପଛରେ କେଉଁ ନେତା, ମନ୍ତ୍ରୀଙ୍କ ହାତ ରହିଛି । ଯଦି ଉପରୋକ୍ତ ଘଟଣା ଗୁଡିକର ରାଜ୍ୟ ସରକାର ନିରପେକ୍ଷ ତଦନ୍ତ ନକରନ୍ତି ତାହାଲେ ଆଗାମୀ ୭ଦିନ ଭିତରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ରାଜ୍ୟର ସମସ୍ତ ୫୮ଟି ସବଡିଭିଜନରେ ଆନ୍ଦୋଳନ ପ୍ରତିବାଦ କରାଯିବ ବୋଲି ଡ. ଲେଖାଶ୍ରୀ ଚେତାବନୀ ଦେଇଛନ୍ତି । ଏହି ଅବସରରେ ରାଜ୍ୟ ଉପସଭାନେତ୍ରୀ ଶ୍ରୀମତୀ ପ୍ରଭାତି ପରିଡା, ଅନିତା ଶୁଭଦର୍ଶୀନି ପଟ୍ଟନାୟକ, ବରିଷ୍ଠ ନେତା ତଥା କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ସଜ୍ଜନ ଶର୍ମା, ବରିଷ୍ଠ ନେତା ଶ୍ରୀ ସୁଦର୍ଶନ ନାୟକ, ଗଣମାଧ୍ୟମ ମୁଖ୍ୟ ଶ୍ରୀ ଦିଲୀପ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ ।