କଂଗ୍ରେସରେ ମିଶିଲେ ଡ. ଷ୍ଟାଲିନ ମିଶ୍ର

ନୂଆଦିଲ୍ଲୀ : ଆଇଟି ପ୍ରଫେସନାଲ୍ ତଥା ଯୁବ ନେତା ଡ. ଷ୍ଟାଲିନ ମିଶ୍ର ବୁଧବାର ଦିନ କଂଗ୍ରେସ ମୁଖ୍ୟ କାର୍ଯ୍ୟାଳୟ ୨୪ ଆକବର ରୋଡ଼ରେ ଓଡ଼ିଶା ପ୍ରଭାରୀ ଡକ୍ଟର ଏ. ଚେଲ୍ଲାକୁମାରଙ୍କ କାର୍ଯ୍ୟାଳୟରେ ଆନୁଷ୍ଠାନିକ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ଡ. ଷ୍ଟାଲିନ ମିଶ୍ର ଆଇଟି କ୍ଷେତ୍ରରେ ଜଣେ ଆରକ୍ଷ କାର୍ଯ୍ୟନିର୍ବାହୀ ଅଧିକାରୀ । ସେ ଆନାଲିସିସିରେ ପି.ଏଚ୍‌.ଡ଼ି ଲାଭ କରିଛନ୍ତି । ସେ ମଧ୍ୟ ଅଖିଳ ଭାରତୀୟ ହିନ୍ଦୁ ମହାସଭାର ରାଷ୍ଟ୍ରୀୟ ଉପସଭାପତି ଥିଲେ । ସେ ଆସ୍ଥା ଫାଉଣ୍ଡେସନ ନାମକ ଏକ ବେସରକାରୀ ସଂସ୍ଥା ଗଢ଼ି ତା’ର ଅଧ୍ୟକ୍ଷ ରହିଛନ୍ତି ଓ ଏହି ସଂସ୍ଥା ଶିକ୍ଷା ବିକାଶ, ଯୁବ ସଶକ୍ତିକରଣ ତଥା ଆନ୍ତର୍ଜାତିକ ସଂପର୍କ ସୁଦୃଢ଼କରଣ କ୍ଷେତ୍ରରେ  କାର୍ଯ୍ୟରତ ଅଛି । ଛାତ୍ରବାସରୁ ରାଜନୀତି ପ୍ରତି ଆକୃଷ୍ଠ ହୋଇ ଆଜି ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମରେ ଭାଗ ନେଇଛନ୍ତି ।  ଡ. ମିଶ୍ର ଜଣେ ରାଜନୈତିକ ବ୍ୟକ୍ତି ଭାବେ ଗଣମାଧ୍ୟମରେ ବିଭିନ୍ନ ତର୍କ ବିତର୍କରେ ଭାଗ ନେବା ସହିତ ଖବରକାଗଜରେ ସ୍ତମ୍ଭ ଲେଖିବାରେ ଋଚି ରଖିଛନ୍ତି । ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକଙ୍କ ସୁପାରିଶ କ୍ରମେ ଡଃ ଏ ଚେଲ୍ଲାକୁମାର ତାଙ୍କୁ କଂଗ୍ରେସରେ ଗ୍ରହଣ କରିଛନ୍ତି । ଡଃ ଏ. ଚେଲ୍ଲାକୁମାର, ଏ.ଆଇ.ସି.ସି. ସଂପାଦକ ରୁଦ୍ର ରାଜୁ, ସଭାପତି ଶରତ ପଟ୍ଟନାୟକଙ୍କ ସହ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ପିସିସି ମିଡ଼ିଆ ଅଧ୍ୟକ୍ଷ ଗଣେଶ୍ୱର ବେହେରା, ପିସିସି ମୁଖପାତ୍ର ପଦ୍ମାକର ଗୁରୁ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଡଃ ମିଶ୍ରଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଶ୍ରୀ ମିଶ୍ର କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ, ଶ୍ରୀମତୀ ସୋନିଆ ଗାନ୍ଧୀ ଓ ଶ୍ରୀ ରାହୁଲ ଗାନ୍ଧୀଙ୍କ ନେତୃତ୍ୱ ପ୍ରତି ଆସ୍ଥା ପ୍ରକଟ କରି କଂଗ୍ରେସରେ ସାମିଲ ହୋଇଛନ୍ତି ଓ ସର୍ତ୍ତହୀନ ଭାବେ କଂଗ୍ରେସ ପାଇଁ ସାଧ୍ୟମତେ ଦାୟିତ୍ୱ ନିର୍ବାହ କରିବେ ବୋଲି ପ୍ରତିକ୍ରିୟାରେ ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *