ଭୁବନେଶ୍ୱର : ସଂସଦରେ କେନ୍ଦ୍ରୀୟ ବଜେଟ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ୱାରା ଆଗତ ହେବା ପରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନ୍ଗୋ ଓ ଗଣମାଧ୍ୟମ ବିଭାଗ ସଂପାଦକ ପ୍ରଶାନ୍ତ ଶତପଥି କହିଥିଲେ ଯେ ଏହା ଏକ ମିଛି ସ୍ୱପ୍ନର ବଜେଟ ଯାହା ବାସ୍ତବତା ଠାରୁ ବହୁତ ଦୂରରେ । ଶ୍ରୀ କାନୁନ୍ଗୋ କହିଥିଲେ ଯେ, ଆଜିର ବଜେଟରେ ମଧ୍ୟବିତ, ନିମ୍ନ ମଧ୍ୟବିତ ଓ ଗରୀବ ଶ୍ରେଣୀର ଲୋକଙ୍କ ପାଇଁ ସେପରି କୌଣସି ବ୍ୟବସ୍ଥା ଗ୍ରହଣ କରାଯାଇନାହିଁ । ଅତ୍ୟଧିକ ମୁଦ୍ରାସ୍ପିତି ଓ ଉତ୍କଟ ଦରଦାମ୍ ବୃଦ୍ଧିକୁ କମ୍ କରିବା ପାଇଁ ସେପରି କିଛି ପ୍ରାବଧାନ ନାହିଁ । ଆଜିର ଦିନରେ ଦେଶରେ ୮୧ କୋଟି ୩୫ ଲକ୍ଷ ଗରୀବ ଲୋକ ୫ କେଜି ମାଗଣା ଚାଉଳ ଉପରେ ନିର୍ଭରଶୀଳ ଥିବାବେଳେ ୨୫ କୋଟି ଲୋକଙ୍କୁ ଦାରିଦ୍ର୍ୟସୀମା ରେଖା ଉପରକୁ ଉଠାଇବା ସଂପୂର୍ଣ୍ଣ ଅଯୋକ୍ତିକ ଓ ହାସ୍ୟାସ୍ପଦ । ଏ ଦେଶରେ ପାରିବାରିକ ଆୟର ୫୦ ପ୍ରତିଶତ ବଢ଼ିଥିବା ଦାବୀ ସଂପୂର୍ଣ୍ଣ ରୂପେ ଅମୂଳକ । କାରଣ ସରକାରୀ ତଥ୍ୟ କୁହେ ଯେ, ଦେଶର ପ୍ରତ୍ୟେକ ପରିବାରର ଆୟ ୨୫ ପ୍ରତିଶତ କମ୍ ହୋଇଛି । ଲକ୍ଷପତି ଦିଦି ଯୋଜନା ବିଷୟରେ କୁହାଯିବା ଏକ ବିଭ୍ରାନ୍ତିକର ତଥ୍ୟ ପ୍ରଦାନ କରେ । ଦେଶର ବେରୋଜଗାରୀ ୪୫ ବର୍ଷରେ ରେକର୍ଡ଼ ଭାଙ୍ଗିଛି ଏବଂ ପାରିବାରିକ ଖର୍ଚ୍ଚ ଅତ୍ୟଧିକ ଦରଦାମ ବୃଦ୍ଧି ଯୋଗୁ ୫ ଗୁଣ ବଢ଼ିଯାଇଛି । ଏଭଳି ଏକ ସମୟରେ ଯେତେବେଳେ କୃଷିକ୍ଷେତ୍ର, ସ୍ୱାସ୍ଥ୍ୟ ଓ ଶିକ୍ଷାଭଳି ବିଭାଗ ଗୁଡ଼ିକରେ ବଜେଟ୍ ଦେୟର ପରିମାଣ କ୍ରମାଗତ ଭାବେ କମିଚାଲିଛି ଅମୃତକାଳ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ କହିବା ଏକ ମିଛ ସ୍ୱପ୍ନ ଛଡ଼ା ଆଉ କିଛି ନୁହେଁ । ସ୍କିଲ୍ ଇଣ୍ଡିଆ ଯୋଜନାରେ ଟ୍ରେନିଂ ନେଇଥିବା ଯୁବବର୍ଗଙ୍କ ମଧ୍ୟରୁ ମାତ୍ର ୧ ପ୍ରତିଶତ ରୋଜଗାରକ୍ଷମ ହେବା ଅତ୍ୟନ୍ତ ଚିନ୍ତାର ବିଷୟ । ଏହି ବଜେଟରେ ପ୍ରତିରକ୍ଷା ବିଭାଗକୁ ଛାଡ଼ିଦେଲେ ଅନ୍ୟ ସବୁ ବିଭାଗରେ ବ୍ୟୟ ବରାଦ କମ୍ କରାଯାଇଛି । ଶ୍ରୀ ଶତପଥି ଉଲ୍ଲେଖ କରିଥିଲେ ଯେ ମଧ୍ୟବିତ ଦରମା ତଥା ପେନସନ୍ ପାଉଥିବା ବ୍ୟକ୍ତି ବିଶେଷ ଏହି ବଜେଟରେ ସଂପୂର୍ଣ୍ଣ ଭାବେ ନିରାଶ ହୋଇଛନ୍ତି । ପ୍ରତ୍ୟେକ କର ଯଥା କମ୍ପାନୀ ଟ୍ୟାକ୍ସରୁ କର ସଂଗ୍ରହ କମ୍ କରି କର୍ପୋରେଟକୁ ଲାଭ ପହଞ୍ଚାଯାଉଥିବାବେଳେ ଜିଏସ୍ଟି ଭଳି ପରୋକ୍ଷ ଟିକସରୁ ମାତ୍ରାଧିକ ଟ୍ୟାକ୍ସ ସଂଗ୍ରହ ଏ ଦେଶରେ ମଧ୍ୟବିତ ନିମ୍ନମଧ୍ୟବିତ ଓ ଗରୀବଙ୍କ ଉପରେ ବୋଝ ସଦୃଶ ହୋଇଛି । ଦେଶର ରପ୍ତାନି କ୍ରମାଗତ ଭାବେ କମିଚାଲିଛି । ବିତୀୟ ନିଅଣ୍ଟ ଏବେ ମଧ୍ୟ ୬ ପ୍ରତିଶତ ରହିଛି । ମୁଦ୍ରାସ୍ପିତିକୁ ନିୟନ୍ତ୍ରଣ କରିବାରେ ସରକାର ସଂପୂର୍ଣ୍ଣ ଭାବେ ବିଫଳ ହୋଇଛି । ଦେଶର ଋଣଭାର ସର୍ବକାଳୀନ ରେକର୍ଡ଼ ୨୫୪ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଲାଣି । ହେଲେ ଏଭଳି ସମୟରେ ସରକାର କାମଚଳା ବଜେଟ ଆଗତ କରି ବାସ୍ତବ ସମସ୍ୟାକୁ ନିରାକଣ କରିବା ବଦଳରେ ଦେଶବାସୀଙ୍କୁ ୫୦ ବର୍ଷର ସ୍ୱପ୍ନ ଦେଖାଇବା ସଂପୂର୍ଣ୍ଣ ଅମୂଳକ ବୋଲି ଶ୍ରୀ ଶତପଥି କହିଛନ୍ତି ।