ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୧୦ବର୍ଷର ଶାସନ କାଳରେ ଦେଶରେ ବିଭିନ୍ନ କ୍ଷେତ୍ରରେ ଅନ୍ୟାୟ ବୃଦ୍ଧି ପାଇଛି । ଦେଶର ଗରିବ ସାଧାରଣ ଜନତା ହୁଅନ୍ତୁ କି କୃଷକ, ମହିଳା ହୁଅନ୍ତୁ କି ଯୁବପିଢ଼ି, ସେନା ବାହିନୀ, ରାଷ୍ଟ୍ରାୟତ ଉଦ୍ୟୋଗ, କ୍ଷୁଦ୍ରଶିଳ୍ପ, ଏପରିକି ଗଣମାଧ୍ୟମ ମଧ୍ୟ ମୋଦିଙ୍କ ଅନ୍ୟାୟରୁ ବର୍ତିପାରି ନାହିଁ । ରାଜନୈତିକ ଅନ୍ୟାୟ ତ ଚରମ ସୀମାରେ ପହଞ୍ଚିଛି । କହିବାକୁ ଗଲେ ମୋଦି ଜଣେ ଅନ୍ୟାୟର ସୌଦାଗର । ଆଉ ଏସବୁ ଅନ୍ୟାୟ ବିରୋଧରେ ଓଡ଼ିଶାର ନବୀନ ସରକାର ଥରଟିଏ ବି ମୁହଁ ନ ଖୋଲି ମୋଦିଙ୍କୁ ଖୋଲା ସମର୍ଥନ କରିଆସୁଛନ୍ତି ବୋଲି ଅଖିଳ ଭାରତ କଂଗ୍ରେସ କମିଟି ମୁଖପାତ୍ର ଶ୍ରୀ ଆଲୋକ ଶର୍ମା କହିଛନ୍ତି । ଶନିବାର କଂଗ୍ରେସ ଭବନଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଶର୍ମା କହିଲେ ଯେ ୨୦୧୩-୧୪ରେ ମୋଦି ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମକୁ ପ୍ରସଙ୍ଗ କରି ବହୁ ବଡ଼ ବଡ଼ ଭାଷଣ ଦେଇଥିଲେ । ମାତ୍ର ସେ ଶାସନକୁ ଆସିବା ପରେ ଦରଦାମ ଆକାଶଛୁଆଁ ହୋଇଛି । ୪୧୦ ଟଙ୍କାର ରନ୍ଧନ ଗ୍ୟାସ ମୂଲ୍ୟ ବର୍ତମାନ ସବ୍ସିଡି ସତ୍ୱେ ୧୦୦୦ ଟଙ୍କାରୁ ଅଧିକ ହେଲାଣି । ସେହିପରି ବେକାରୀ ସମସ୍ୟା ବର୍ତମାନ ଦେଶର ପ୍ରମୁଖ ସମସ୍ୟା ଭାବେ ଛିଡ଼ା ହୋଇଛି । ୨୦୧୪ରେ ଦେଶରେ ପ୍ରାୟ ୧କୋଟି ଯୁବକ ବେକାର ଥିବାବେଳେ ବର୍ତମାନ ଏହି ସଂଖ୍ୟା ୪କୋଟି ଛୁଇଁଲାଣି । ବିଶେଷ କରି ଓଡ଼ିଶାର ଜନସଂଖ୍ୟାକୁ ଦେଖିଲେ ୨୧ରୁ ୨୨ ପ୍ରତିଶତ ଯୁବବର୍ଗ ବେକାର ଅଛନ୍ତି । ଏଥିପାଇଁ ମୋଦି ନା ନବୀନ ଦାୟୀ ବୋଲି ଶ୍ରୀ ଶର୍ମା ପ୍ରଶ୍ନ କରିଛନ୍ତି । ଦେଶରେ ବହୁ ସରକାରୀ ପଦବି ଖାଲି ପଡ଼ିଥିବାବେଳେ ତାହା ପୂରଣ ନ କରି ଅଗ୍ନିପଥ ଭଳି ଯୋଜନା ଆଣି ଦେଶର ସୁରକ୍ଷା ଓ ଯୁବପିଢ଼ିଙ୍କ ଭବିଷ୍ୟତକୁ ମୋଦି ସରକାର ଅନ୍ଧାରକୁ ଠେଲି ଦେଇଛନ୍ତି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସେନା ବାହିନୀରେ ଠିକା ନିଯୁକ୍ତି ପାଇଁ ଅଗ୍ନିପଥ ଯୋଜନା ଆଣିବା ପୂର୍ବରୁ ମୋଦି ସରକାର ଦେଶର ସେନା ମୁଖ୍ୟଙ୍କ ସହ ଆଲୋଚନା ମଧ୍ୟ କରିନାହାନ୍ତି । ସେହିପରି ଦେଶର କୃଷକମାନଙ୍କ ପାଇଁ ସ୍ୱାମୀନାଥନ କମିଶନଙ୍କ ରିପୋର୍ଟ ଲାଗୁ କରିବାରେ ସରକାର ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି । ଅନ୍ୟପଟେ ଚାଷ ପାଇଁ ବ୍ୟବହୃତ ବିଭିନ୍ନ କିଟନାଶକ, ସାର ଓ ଅନ୍ୟାନ୍ୟ ସାମଗ୍ରୀରେ ଜିଏସ୍ଟି ଲାଗୁ କରି କୃଷକଙ୍କୁ ଶୋଷଣ କରାଯାଉଛି । ଯଦି ଏସବୁ ଅନ୍ୟାୟ ବିରୋଧରେ କୃଷକମାନେ ଆନ୍ଦୋଳନ କରୁଛନ୍ତି, ସେମାନଙ୍କୁ ଲାଠି, ପାଣି ଓ ଗୁଳିମାଡ଼ କରି ଦମନ କରାଯାଉଛି । ପରିଣାମ ସ୍ୱରୂପ ଆଜି ଦେଶରେ ଚାଷୀ ଆତ୍ମହତ୍ୟା ବଢ଼ିଚାଲିଛି, ଯାହାକି ଏନ୍ସିଆରବି ରିପୋର୍ଟରୁ ସ୍ପଷ୍ଟ ହୋଇଛି । ସେହିପରି କଳାଧନ ଫେରାଇ ଆଣିବାକୁ କହି ବିମୁଦ୍ରିକରଣ କରାଗଲା । ହେଲେ କେତେ ପ୍ରତିଶତ କଳାଧନ ଆସିଲା ଓ ତାହା କାହା ପାଖକୁ ଗଲା ସେ ସମ୍ପର୍କରେ ଦେଶବାସୀଙ୍କୁ ଅବଗତ କରାଗଲା ନାହିଁ । ଜିଏସ୍ଟି ଲାଗୁ କରି ଏମଏସଏମଇ ଉଦ୍ୟୋଗକୁଡିକୁ ଧ୍ୱଂସ କରିଦିଆଗଲା । ପରିଣାମ ସ୍ୱରୂପ ଆଜି ବେକାରୀ ସମସ୍ୟା ଉତ୍କଟ ହୋଇଛି । ବର୍ତମାନ ମହିଳାଙ୍କ ଉପରେ ଅତ୍ୟାଚାର ବଢ଼ିଚାଲିଥିବା ବେଳେ ନରେନ୍ଦ୍ର ମୋଦି ଏନେଇ ମୁହଁ ଖୋଲୁନାହାନ୍ତି । ମଣିପୁର ହିଂସା ବେଳେ ନୈତିକତା ଦୃଷ୍ଟିରୁ ପ୍ରଧାନମନ୍ତ୍ରୀ ଥରଟିଏ ମଧ୍ୟ ସେଠାକୁ ଗଲେ ନାହିଁ । ମା’କୁ ସମ୍ମାନ କଥା କହୁଥିବା ନବୀନ ପଟ୍ଟନାୟକ ମଧ୍ୟ ସେତେବେଳେ ଚୁପ୍ ରହିଲେ । ଦେଶ ପାଇଁ ତ୍ୟାଗ ଓ ବଳିଦାନ ଦେଇଥିବା ନେହେରୁଜୀ ଓ ଇନ୍ଧିରା ଗାନ୍ଧିଜୀଙ୍କୁ ସମାଲୋଚନା କରିବାରେ ମୋଦି ଅଯଥା ସମୟ ଅପଚୟ କରୁଛନ୍ତି । କଂଗ୍ରେସ ଶାସନ କାଳରେ ଦେଶରେ ଗଢ଼ିଉଠିଥିବା ବହୁ କ୍ଷୁଦ୍ର, ମଧ୍ୟମ ଓ ରାଷ୍ଟ୍ରାୟତ ଉଦ୍ୟୋଗଗୁଡିକୁ ନିଜର ନିର୍ଦ୍ଦିଷ୍ଟ କେତେଜଣ ପୁଞ୍ଜିପତି ବନ୍ଧୁଙ୍କୁ ସେ ବିକିବାରେ ଲାଗିଛନ୍ତି । ସବୁବେଳେ ଦେଶର ସୁରକ୍ଷା କଥା କହୁଥିବା ମୋଦି ସରକାର ଚୀନକୁ କ୍ଲିନ୍ଚିଟ୍ ଦେଇ ଦେଶର ଯବାନମାନଙ୍କ ପ୍ରତି ବିଶ୍ୱାସଘାତକତା କରିଛନ୍ତି । ୨୦୧୯ ଫେବୃୟାରୀ ୧୪ରେ ହୋଇଥିବା ପୁଲୱାମା ଆତଙ୍କବାଦୀ ଆକ୍ରମଣ ଘଟଣାର ଉପଯୁକ୍ତ ତଦନ୍ତ ଏ ପର୍ଯ୍ୟନ୍ତ ହେଲା ନାହିଁ । ଦେଶର ୪୦ଜଣ ବୀର ଯବାନ ସହିଦ ହୋଇଥିବା ଏହି ସମ୍ବେଦନଶୀଳ ବିସ୍ଫୋରଣ ଘଟଣାରେ ବ୍ୟବହୃତ ଗାଡ଼ି କାହାର ଥିଲା, ଆତଙ୍କବାଦୀ ସେଠାକୁ କେମିତି ଆସିଲେ ଆଦି ଅନେକ ଘଟଣା ଆଜି ବି ଅନ୍ଧାରରେ ରହିଛି । କେନ୍ଦ୍ର ସରକାର ପ୍ରଚଳନ କରିଥିବା ଇଲେକ୍ଟୋରାଲ ବଣ୍ଡ୍କୁ ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟ ଅସାମ୍ବିଧାନିକ ଘୋଷଣା କରିବା ପରେ ମୋଦି ସରକାରଙ୍କ ଅସଲ ଚେହେରା ସାମ୍ନାକୁ ଆସିଛି । ଇଲେକ୍ଟୋରାଲ ବଣ୍ଡ୍ ଆଳରେ ଭାରତୀୟ ଜନତା ପାର୍ଟି କିଛି ନିର୍ଦ୍ଦିଷ୍ଟ ପୁଞ୍ଜିପତିଙ୍କଠାରୁ ସର୍ବାଧିକ ପାଣ୍ଠି ସଂଗ୍ରହ କରିଥିବାବେଳେ ଆଞ୍ଚଳିକ ଦଳ ଭାବେ ଦ୍ୱିତୀୟ ସର୍ବାଧିକ ପାଣ୍ଠି ସଂଗ୍ରହ କରିଛି ବିଜେଡି । ଖାଲି ସେତିକି ନୁହେଁ, ଉଭୟ ଦଳ ଓଡ଼ିଶାକୁ ଲୁଟ୍ କରୁଛନ୍ତି । ରାଜ୍ୟର ଖଣିଜ ସମ୍ପଦକୁ କିଛି ନିର୍ଦ୍ଦିଷ୍ଟ ପୁଞ୍ଜିପତି ଓ ଅଣଓଡ଼ିଆଙ୍କ ହାତରେ ଟେକି ଦେଇଛନ୍ତି । ସର୍ବୋଚ୍ଚ ନ୍ୟାୟାଳୟଙ୍କ ରାୟ ପରେ ମୋଦି ସରକାର ଆକ୍ରୋଶମୂଳକ ଭାବେ ଆୟକର ବିଭାଗ ଦ୍ୱାରା କଂଗ୍ରେସର ଆକାଉଂଟକୁ ଫ୍ରିଜ କରିଛନ୍ତି । ଏହା ଗଣତନ୍ତ୍ରର ହତ୍ୟା ନୁହେଁ ତ ଆଉ କ’ଣ ବୋଲି ଶ୍ରୀ ଶର୍ମା କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଇଡି, ସିବିଆଇ ଆଦି ତଦନ୍ତକାରୀ ସଂସ୍ଥାକୁ ନିଜ ହାତମୁଠାରେ ରଖିଛନ୍ତି ମୋଦି ସରକାର । ସେମାନେ ଭାରତୀୟ ଜନତା ପାର୍ଟିର କାର୍ଯ୍ୟକର୍ତା ଭାବେ କାମ କରୁଛନ୍ତି । ଇଡି, ସିବିଆଇ ଭୟରେ ଆଜି ନବୀନ ସରକାର ସବୁକ୍ଷେତ୍ରରେ ମୋଦିଙ୍କୁ ଖୋଲା ସମର୍ଥନ କରୁଛନ୍ତି । ଦେଶରେ ବିଭିନ୍ନ କ୍ଷେତ୍ରରେ ବ୍ୟାପକ ଅନ୍ୟାୟ ହେଉଥିଲେ ମଧ୍ୟ ନବୀନ ଥରଟିଏ ବି ପାଟି ଖୋଲିବାକୁ ଉଚିତ୍ ମଣୁନାହାନ୍ତି । ଖାଲି ସେତିକି ନୁହେଁ, ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ କୁହାଯାଉଥିବା ଗଣମାଧ୍ୟମର କଣ୍ଠରୋଧ କରିବାକୁ ମଧ୍ୟ ମୋଦି ସରକାର ପଛଘୁଞ୍ଚା ଦେଇନାହାନ୍ତି ବୋଲି ଶ୍ରୀ ଶର୍ମା କହିଛନ୍ତି । ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଏଆଇସିସି ସମ୍ପାଦକ ଶରତ ରାଉତ, ପିସିସି ଗଣମାଧ୍ୟମ ଓ ଯୋଗାଯୋଗ ବିଭାଗ ମୁଖ୍ୟ ଡ.ବିଶ୍ୱରଞ୍ଜନ ମହାନ୍ତି, ପିସିସି ମୁଖପାତ୍ର ମନୋରଞ୍ଜନ ଦାଶ ଓ ପ୍ରଶାନ୍ତ ଶତପଥୀ ପ୍ରମୁଖ ଉପସ୍ଥିତ ଥିଲେ ।