ପିଏମ୍ ଫସଲ ବୀମା ଆର୍ଥିକ ସହାୟତା ତୁରନ୍ତ ପ୍ରଦାନ କରାଯାଉ

ଭୁବନେଶ୍ୱର : ବର୍ଷା ଋତୁ ଆରମ୍ଭ ସହିତ ଶସ୍ୟ ଅମଳ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଯାଇଛି । ମାତ୍ର ଅର୍ଥ ସମସ୍ୟା କାରଣରୁ ରାଜ୍ୟ ବହୁ ଅଂଚଳରେ ଚାଷୀମାନେ ଚାଷ କାର୍ଯ୍ୟ ଆରମ୍ଭ କରିବାରେ ଅସମର୍ଥ୍ୟ ହେଉଛନ୍ତି । ଗତ ୨୦୨୧ ମସିହା ଖରିଫ ଚାଷରେ କ୍ଷତି ସହିଥିବା ଚାଷୀଙ୍କ ନିକଟରେ ଅର୍ଥର ଅଭାବ ରହିଛି । ବିଶେଷ ଭାବେ ବଲାଙ୍ଗୀର, କଳାହାଣ୍ଡି, ବରଗଡ, ସମ୍ବଲପୁର, ସୁନ୍ଦରଗଡ ସମେତ ଅନ୍ୟାନ୍ୟ ଜିଲ୍ଲାମାନଙ୍କରେ ଚାଷୀମାନେ ଅଧିକ ପ୍ରଭାବିତ ହେବା କାରଣରୁ ଚାଷ କାର୍ଯ୍ୟ ବହୁ ମାତ୍ରାରେ ବାଧାପ୍ରାପ୍ତ ହେଉଛି । ଚାଷ କାର୍ଯ୍ୟ ପାଇଁ ଏହି ସମୟ ଉପଯୁକ୍ତ ହୋଇଥିବାବେଳେ ଚାଷୀମାନଙ୍କ ନିକଟରେ ଅର୍ଥ ଅଭାବ ମୁଖ୍ୟ ବାଧକ ସାଜିଛି । ୨୦୨୧ ଖରିଫ ଫସଲ ବୀମା ଆର୍ଥିକସହାୟତା ବର୍ତମାନ ତାଙ୍କ ପାଇଁ ଏକମାତ୍ର ସାହା ଭରସା । ତେଣୁ ଚାଷୀକୁଳର ବୃହତ ସ୍ୱାର୍ଥ ଦୃଷ୍ଟିରୁ ଯଥାଶୀଘ୍ର ୨୦୨୧ ମସିହା (ଖରିଫ) ପ୍ରଧାନମନ୍ତ୍ରୀ ଫସଲ ବୀମା ଆର୍ଥିକ ସହାୟତା ତୁରନ୍ତ ପ୍ରଦାନ କରିବା ପାଇଁ ବିଜେପି ବିଧାୟକମାନେ ଅତିରିକ୍ତ ରାଜ୍ୟ ଶାସନ ସଚିବ ତଥା କୃଷି ଉତ୍ପାଦନ କମିଶନରଙ୍କ ନିକଟରେ ଦାବୀ କରିଛନ୍ତି ।
ଫସଲ ନଷ୍ଟ ହୋଇଥିବା ଚାଷୀଙ୍କୁ ସୁରକ୍ଷା ପ୍ରଦାନ କରିବା ଦିଗରେ ମୋଦି ସରକାରଙ୍କ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଏକ ଐତିହାସିକ ଯୋଜନା ବିଶେଷ ଭାବେ ବନ୍ୟା, ମରୁଡି, ବାତ୍ୟା ତଥା ପ୍ରକୃତିକ ବିପର୍ଯ୍ୟୟ ସମୟରେ ପ୍ରଭାବିତ ଚାଷୀଙ୍କୁ ଏହି ଯୋଜନାରେ ଆର୍ଥିକ ସହାୟତା ମିଳିଥାଏ । ଦେଶରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ କୃଷି, ସହକାରିତା ଓ କୃଷକକଲ୍ୟାଣ ବିଭାଗ ଦ୍ୱାରା ୫ଟି ରାଷ୍ଟ୍ରାୟତ ସାଧାରଣ ବୀମା କଂପାନୀ ସମେତ ରାଜ୍ୟ ତଥା କେନ୍ଦ୍ରଶାସିତ ସରକାରମାନେ ପ୍ରତି ବର୍ଷ ବିଡିଂ ମାଧ୍ୟମରେ ୧୮ଟି ସାଧାରଣ ବୀମା କଂପାନୀକୁ ୩ ବର୍ଷ ପାଇଁ ସାମିଲ କରିଥାନ୍ତି । ମାତ୍ର ରାଜ୍ୟ ସରକାରଙ୍କ ପ୍ରୋତ୍ସାହନରେ ବୀମା କଂପାନୀମାନେ ଟାଳଟୁଳ ନୀତି ଗ୍ରହଣ କରୁଥିବାରୁ ଚାଷୀମାନେ ଫସଲ ବୀମା ସହାୟତା ରାଶି ପାଇବାରୁ ବଂଚିତ ରହୁଛନ୍ତି ଏବଂ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ତେଣୁ ରାଜ୍ୟରେ ଯେଉଁ ଯେଉଁ ଜିଲ୍ଲାର ଚାଷୀମାନେ ଫସଲ ବୀମା ସହାୟତା ଅର୍ଥ ପାଇବାରୁ ବର୍ତମାନ ସୁଦ୍ଧା ବଂଚିତ ଅଛନ୍ତି । ସେମାନଙ୍କୁ ତୁରନ୍ତ ସହାୟତା ରାଶି ପ୍ରଦାନ କରିବା ପାଇଁ କମିଶନର ବିହୀତ ପଦକ୍ଷେପ ଗ୍ରହଣ କରିବାକୁ ପ୍ରତିନିଧି ଦଳ ଦାବୀ କରିଛନ୍ତି । ଏହି ପ୍ରତିନିଧି ଦଳରେ ରାଜ୍ୟ ଉପସଭାପତି ତଥା ବିଧାୟକ ନାଉରୀ ନାୟକ,  ଲଲିତେନ୍ଦୁ ବିଦ୍ୟାଧର ମହାପାତ୍ର, ସୁବାଷ ଚନ୍ଦ୍ର ପାଣିଗ୍ରାହୀ, ଡ.ମୁକେଶ ମହାଲିଙ୍ଗ, କୁସୁମ ଟେଟେ, ନିତ୍ୟାନନ୍ଦ ଗଣ୍ଡ, ଡ.ବୁଧନ ମୁର୍ମୁ, ଇଂ.ଗଣେଷରାମ ସିଂହ ଖୁଂଟିଆ ପ୍ରମୁଖ ସାମିଲ ଥିଲେ ।

 

Leave a Reply

Your email address will not be published. Required fields are marked *