ଭୁବନେଶ୍ୱର : ଓଡ଼ିଆ ଲିପି ଓ ଭାଷାର ସ୍ୱତନ୍ତ୍ରତାକୁ କେନ୍ଦ୍ର ସରକାର ତାଙ୍କ ମାନଦଣ୍ଡରେ ପରୀକ୍ଷା କରିବା ପରେ ଆଜିକୁ ୧୦ବର୍ଷ ତଳେ ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ଭାଷା ଭାବରେ ସୀକୃତି ପ୍ରଦାନ କରିଥିଲେ । ମାତ୍ର ଦୁଃଖ ଓ ପରିତାପର ବିଷୟ ଦୀର୍ଘ ଅବଧି ପରେ ମଧ୍ୟ ରାଜ୍ୟ ସରକାର ଶାସ୍ତ୍ରୀୟ ମାନ୍ୟତାପ୍ରାପ୍ତ ଭାଷାର ଯେଉଁଭଳି ଭାବେ ପ୍ରସାର ଓ ଅଭିବୃଦ୍ଧି କରିବା କଥା ସେ ଦିଗରେ ଆଦୌ ଦୃଷ୍ଟି ଦେଇନାହାନ୍ତି । ଫଳରେ ୧୯୫୪ ମସିହାର ଓଡ଼ିଆ ଭାଷା ଆଇନ ଏବଂ ୧୯୫୬ମସିହାରେ ଦୋକାନ ଓ ବ୍ୟବସାୟ ପ୍ରତିଷ୍ଠାନ ଆଇନ ପାରିତ ହୋଇଥିଲେ ମଧ୍ୟ ବାସ୍ତବରେ ତାହା ଏଯାଏଁ କାର୍ଯ୍ୟକାରୀ ହୋଇପାରିନାହିଁ । ରାଜ୍ୟ ସରକାର ଭାଷା ଆଇନକୁ ପାଳନ କରିବା ଦିଗରେ ନିଜର କର୍ତବ୍ୟ ନିର୍ବାହ କରିଥିବା ପ୍ରମାଣିତ କରିବାକୁ ଯାଇ ୨୬ ଡିସେମ୍ବର ୨୦୧୭ରେ ପୁରୀଠାରେ ତାଙ୍କର ଐତିହ୍ୟ ମନ୍ତ୍ରୀମଣ୍ଡଳ ବୈଠକ କରିଥିଲେ । ବୈଠକର ନିଷ୍ପତି ଅନୁଯାୟୀ ୧ଏପ୍ରିଲ ୨୦୧୮ ଉତ୍କଳ ଦିବସଠାରୁ ରାଜ୍ୟ ସରକାରଙ୍କ ସମସ୍ତ ଦପ୍ତରରେ ବାଧ୍ୟତାମୂଳକଭାବେ ଓଡ଼ିଆ ଭାଷା ବ୍ୟବହାର କରାଯିବ ବୋଲି ନିଷ୍ପତି ନିଆଯାଇଥିଲେ ମଧ୍ୟ ଘୋଷଣାକୁ ୬ବର୍ଷ ବିତିଗଲାଣି ମାତ୍ର ତାହା କାର୍ଯ୍ୟକାରୀ ନହେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଓଡ଼ିଆ ଭାଷା ଆମ ରାଜ୍ୟ ଗଠନର ଭିତି ଅଟେ । ଭାରତ ବର୍ଷରେ ଆମ ରାଜ୍ୟ ପ୍ରଥମ ଭାଷା ଭିତିକ ରାଜ୍ୟ ଭାବରେ ଆମ ପାଇଁ ଗର୍ବର ବିଷୟ ହୋଇଥିବାବେଳେ କ୍ଷୋଭର ବିଷୟ ଯେ, ଭାରତ ବର୍ଷରେ ଏକମାତ୍ର ରାଜ୍ୟ ଓଡ଼ିଶା, ଯେଉଁଠାରେ କୋର୍ଟ କଚେରୀ ଗୁଡିକରେ ଆମ ଭାଷା ଓଡ଼ିଆ ଚାଲେନାହିଁ । ଆମ ରାଜ୍ୟର ବିଭିନ୍ନ ସରକାରୀ କାର୍ଯ୍ୟାଳୟ ତଥା ବ୍ୟବସାୟ ପ୍ରତିଷ୍ଠାନ ସମେତ ଅନ୍ୟାନ୍ୟ ସଂସ୍ଥାର ନାମଫଳକ ଗୁଡିକରେ ଓଡ଼ିଆ ଭାଷା ବି ବ୍ୟବହାର କରାଯାଉ ନାହିଁ । ଯଦି ବି କୌଣସି ସ୍ଥାନରେ ନାମ ଫଳକରେ ଓଡ଼ିଆ ଭାଷା ଲେଖାଯାଉଛି ତାହା ଅତ୍ୟନ୍ତ ତ୍ରୁଟିପୂର୍ଣ୍ଣ ଦୃଷ୍ଟି ଗୋଚର ହେଉଛି । ଏହାଛଡା ବିଭିନ୍ନ ନାମଫଳକରେ ଏକ ଫୁଟକିଆ ଆକାରର ଇଂରାଜୀ ଅକ୍ଷର ଲେଖାଯାଉଥିବାବେଳେ ତା ତଳେ ଦୁଇ ଇଞ୍ଚ ଆକାରର ଓଡ଼ିଆ ଅକ୍ଷର କେତୋଟି ଲେଖି ଧର୍ମକୁ ଆଖିଠାର ନୀତିରେ ସରକାରୀ ଆଦେଶନାମା ପାଳନର ଅପଚେଷ୍ଟା କରାଯାଉଛି । କେନ୍ଦ୍ର ସରକାର ଓଡିଶାରେ ଶାସ୍ତ୍ରୀୟ ଓଡିଆ ଉତ୍କର୍ଷ ଅଧ୍ୟୟନ କେନ୍ଦ୍ରକୁ ସ୍ୱୟଂ ଶାସିତ କରିବାକୁ ଯାଉଥିଲେ ମଧ୍ୟ ରାଜ୍ୟ ସରକାର ଆମ ଭାଷା ପ୍ରତି ଚରମ ଅବହେଳା ପ୍ରଦର୍ଶନ କରିବା ତାଙ୍କ ଓଡ଼ିଆପ୍ରୀତି ଏବଂ ଅସ୍ମିତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରୁଛି ବୋଲି ବିଜେପି ବାର୍ତା ସମ୍ପାଦକ ତଥା ବରିଷ୍ଠ ନେତା ପ୍ରଫେସର ପୂର୍ଣ୍ଣଚନ୍ଦ୍ର ମଲ୍ଲିକ କହିଛନ୍ତି । ରାଜ୍ୟ ସରକାର ତୁରନ୍ତ ଓଡିଆ ଭାଷାକୁ ତାଙ୍କ ପୂର୍ବ ଘୋଷଣା ଅନୁଯାୟୀ ସରକାରୀ ଦପ୍ତରର ସମସ୍ତ ନଥିରେ ବ୍ୟବହାର କରିବାର ବ୍ୟବସ୍ଥା ଏବଂ ଏହାର ଖିଲାପକାରୀମାନଙ୍କୁ ଦଣ୍ଡବିଧାନ ତଥା ଓଡ଼ିଆ ବିଶ୍ୱବିଦ୍ୟାଳୟ ମାଧ୍ୟମରେ ସ୍ନାତକତୋର ପାଠ୍ୟକ୍ରମରେ ଯଥାଶୀଘ୍ର ଓଡ଼ିଆ ଶିକ୍ଷାର ବ୍ୟବସ୍ଥା କରିବା ପାଇଁ ପ୍ରଫେସର ମଲ୍ଲିକ ରାଜ୍ୟ ସରକାରଙ୍କଠାରେ ଦାବି କରିଛନ୍ତି ।