
ସମ୍ବଲପୁର:( ସାମ୍ବାଦିକ ଅନୀଲ ଶ୍ରୀରାମକାଙ୍କ ଠାରୁ) ସମ୍ବଲପୁରୀ ନୃତ୍ୟ ସଂଗୀତ ଓ ନାଟକ ଆଜି ରାଜ୍ୟ ଓ ରାଜ୍ୟ ବାହାରେ ପରିଚୟ ପାଇ ସାରିଲାଣି, ଅନେକ ନୃତ୍ୟ ଦଳ ବିଦେଶ ରେ ସମ୍ବଲପୁରୀ ଲୋକ ନୃତ୍ୟ ପରିବେଷଣ କରି ଅଂଚଳ ପାଇଁ ସମ୍ମାନ ଆଣି ସାରିଥିବା ବେଳେ କଳା ପ୍ରଦର୍ଶନ ପାଇଁ ଆଜିଯାଏ ସରକାରୀ ସ୍ତରରେ ଏକ ଅତ୍ୟାଧୁନିକ ସ୍ୱୟଂ ସମ୍ପୂର୍ଣ୍ଣ ପ୍ରେକ୍ଷାଳୟ ହୋଇପାରିନଥିବା ଦୁର୍ଭାଗ୍ୟ ର ବିଷୟ । ସମ୍ବଲପୁର ବିଶ୍ୱବିଦ୍ୟାଳୟ,ବୁର୍ଲା,ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ, ଭିସୁଟ ଓ ଭୀମସାର, ବୁର୍ଲା ରେ ଅତ୍ୟାଧୁନିକ ପ୍ରେକ୍ଷାଳୟ ହୋଇପାରିଥିବା ବେଳେ ସହରରେ କଳାକାରମାନଙ୍କ ପାଇଁ ଅନେକ ଦିନରୁ ଏକ ଅତ୍ୟାଧୁନିକ ପ୍ରେକ୍ଷାଳୟ ପ୍ରତିଷ୍ଠା ପାଇଁ ଦାବୀ ହୋଇ ଆସୁଥିବା ବେଳେ ଜିଲ୍ଲା ପ୍ରଶାସନ କିମ୍ବା ରାଜ୍ୟ ସରକାର ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇନାହିଁ l କେବଳ ସେତିକି ନୁହେଁ ଏକ ବୃହତ ମୁକ୍ତ ମଞ୍ଚ ମଧ୍ୟ୍ୟ ପ୍ରତିଷ୍ଠା ହୋଇପାରିନାହିଁ । ଏହି ପରିପେକ୍ଷି ରେ ନାଟ ନାଟୁଆ ଅନୁଷ୍ଠାନର ସଂଯୋଜକ ସୂର୍ଯ୍ୟ ପାଣିଗ୍ରାହୀଙ୍କର ଆବାହକତ୍ୱରେ ସମ୍ବଲପୁର ର ବିଭିନ୍ନ ଅନୁଷ୍ଠାନର ଏକ ପ୍ରତିନିଧି ଦଳ ଏକ ଦାବୀ ପତ୍ର ସମ୍ବଲପୁର ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲଙ୍କୁ ପ୍ରଦାନ କରିଛନ୍ତି । ସମ୍ବଲପୁରର ଏହି କଳାକାରମାନେ ତୁରନ୍ତ ସଂସ୍କୃତି ସମ୍ପନ୍ନ ସମ୍ବଲପୁର ସହର ରେ ଏକ ସ୍ୱୟଂ ସମ୍ପୂର୍ଣ୍ଣ ଅତ୍ୟାଧୁନିକ ଅନ୍ତତଃ 1000 ଦର୍ଶକଙ୍କ ପାଇଁ ଉଦ୍ଧିଷ୍ଟ ଏକ ପ୍ରେକ୍ଷାଳୟ ତଥା ଏକ ବୃହତ ମୁକ୍ତ ରଙ୍ଗମଞ୍ଚ ପ୍ରତିଷ୍ଠା ପାଇଁ ଜିଲ୍ଲା ପ୍ରଶାସନକୁ ଦାବୀ ଜଣାଇଛନ୍ତି । ସମ୍ବଲପୁର ଜିଲ୍ଲାରେ କାମଚଳା ଜିଲ୍ଲା ସଂସ୍କୃତି ପରିଷଦ କାର୍ଯ୍ୟ କରୁଥିବା ବେଳେ ଆଜିଯାଏ ସ୍ଥାୟୀ ଜିଲ୍ଲା ସଂସ୍କୃତି ପରିଷଦ ଗଠନ ହୋଇପାରିନାହିଁ । ତେଣୁ ଯଥା ଶୀଘ୍ର ଏକ ସ୍ଥାୟୀ ଜିଲ୍ଲା ସଂସ୍କୃତି ପରିଷଦ ଗଠନ କରାଯାଉ । ସମ୍ବଲପୁରୀ ଲୋକ ନୃତ୍ୟ, ସଂଗୀତ ଓ ନାଟକ ଏତେ ପ୍ରତିଷ୍ଠା ପାଇଥିଲେ ମଧ୍ୟ ଅଭ୍ୟାସ ପାଇଁ ଆଜି ମଧ୍ୟ ଅଭ୍ୟାସ ପାଇଁ ଏଠି ସେଠି ଦାଣ୍ଡ ହୋଇ ଅଭ୍ୟାସ କରୁଛନ୍ତି । ତେଣୁ ସଂସ୍କୃତି ବିଭାଗ ପକ୍ଷରୁ କଳାକାର ମାନଙ୍କ ପାଇଁ ଅଭ୍ୟାସ ସ୍ୱତନ୍ତ୍ର କକ୍ଷର ପ୍ରତିଷ୍ଠା କରାଯାଉ । ସମ୍ବଲପୁର ଲୋକ ମହୋତ୍ସବ ସର୍ବ ପ୍ରଥମେ ଓଡିଶା ରେ ଲୋକ ଉତ୍ସବର ଆୟୋଜନ କରିଥିଲା । ଆଜି ଏହା ସାରା ଓଡ଼ିଶାରେ ସମସ୍ତ ଜିଲ୍ଲା ରେ ଆୟୋଜନ ହେଉଛି । ମଣ୍ଡେଇ, ପଏଁରି, ପରବ, ତିହାର, ଯତରା ପରି ସମସ୍ତଙ୍କ ସହମତି ରେ ସମ୍ବଲପୁର ଲୋକ ମହୋତ୍ସବର ମଧ୍ୟ ଏକ ସ୍ୱତନ୍ତ୍ର ନାମକରଣ କରାଯାଉ । ସମ୍ବଲପୁରରେ କଳା ସଂସ୍କୃତି ସହ ଜଡିତ ଅନେକ ସମସ୍ୟା ବିଷୟରେ ଦାବୀ ପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଥିଲା । ସମ୍ବଲପୁର ନାଟ୍ୟକଳା ପରିଷଦର ଗୋରେଖଲାଲ ଦାସ, ପୂର୍ଣ୍ଣ ଚନ୍ଦ୍ର ଦାସ,ପଣ୍ଡିତ ଲକ୍ଷ୍ମୀ ନାରାୟଣ ସାଂସ୍କୃତିକ ଅନୁଷ୍ଠାନର ସନ୍ତୋଷ ମିଶ୍ର, ନାଟନାଟୁଆ ର ଯୁଗ୍ମ ସଂଯୋଜକ ତଥା ଶବ୍ଦ ସାଂସ୍କୃତିକ ଅନୁଷ୍ଠାନର ବିରୁପାକ୍ଷ ପ୍ରଧାନ, ମଞ୍ଚନାୟକ ର ସଂଜୀବ ପାଢ଼ୀ, ଅଦୃଶ୍ୟ ନାଟ୍ୟ ଆଶ୍ରମ ର ନରେନ୍ଦ୍ର ବେହେରା, ସିଂ.ସଂ.ସାଂ. ର ବବଲୁ ବାଗ, ସାଧନାର ଯୋଗେଶ ନନ୍ଦ, ଶ୍ରୀ କଲଚରାଲ ଆସୋସିଏସନ ର ଲଳିତ ମୋହନ ବେବର୍ତ୍ତା,ଆର୍ଟିଷ୍ଟ ଅଭିନୟ ପରିଚୟ ର ପ୍ରଶାନ୍ତ ମହାରଣା,ଚିତ୍ରୋତ୍ପଳା ସାଂସ୍କୃତିକ ଅନୁଷ୍ଠାନ ର ସୁବାଷ ନନ୍ଦ, ଅଜୟ କୁମାର ନାଥ, କମଳ ଲୋଚନ ପଣ୍ଡା ଓ ଜ୍ୟୋତିଷ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।
