ଭୁବନେଶ୍ୱର : ରାଜୀବ ଗାନ୍ଧୀ ପଞ୍ଚାୟତି ରାଜ ସଂଗଠନର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଆଜି କଂଗ୍ରେସ ଭବନରେ ରାଜ୍ୟ ସଭାପତି ଶ୍ରୀ ସୁଦର୍ଶନ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ସଂଗଠନ ପକ୍ଷରୁ ରାଜ୍ୟର ସମସ୍ତ ୨୧ଟି ଲୋକସଭା ନିର୍ବାଚ ମଣ୍ଡଳୀରେ ପରିବର୍ତ୍ତନ ସମାବେଶମାନ ଆୟୋଜନ କରିବା ପାଇଁ ଆଜି ବୈଠକରେ ପ୍ରସ୍ତାବ ପାରିତ ହୋଇଛି । ଏହି କାର୍ଯ୍ୟକାରିଣୀରେ ଯୋଗଦେଇ ସଂଗଠନର ଜାତୀୟ ଅଧ୍ୟକ୍ଷା ମିନାକ୍ଷୀ ନଟରାଜନ କହିଲେ ଯେ ବିଜେଡ଼ି ଓ ବିଜେପି ସରକାର ପଞ୍ଚାୟତ ବ୍ୟବସ୍ଥାର ବିରୋଧି । ପଞ୍ଚାୟତ ପ୍ରତିନିଧିମାନଙ୍କ ପ୍ରତି ଏହି ସରକାରର ସମ୍ମାନ ନାହିଁ । କଂଗ୍ରେସ ସରକାର ଆସିଲେ ପଞ୍ଚାୟତ ଓ ପଞ୍ଚାୟତ ପ୍ରତିନିଧିମାନଙ୍କୁ ସେମାନଙ୍କର ଅଧିକାର ଦେବା ସହିତ କ୍ଷମତାର ବିକେନ୍ଦ୍ରିକରଣକୁ ଆହୁରି ସଂପ୍ରସାରିତ କରାଯିବ । ପ୍ରଦେଶ କଂଗ୍ରେସର ସଭାପତି ଶ୍ରୀ ଶରତ ପଟ୍ଟନାୟକ କାର୍ଯ୍ୟକାରିଣୀକୁ ସମ୍ବୋଧନ କରି କହିଲେ ଯେ ବିଜେପି ଓ ବିଜେଡ଼ି ସରକାର ସମୟରେ ଓଡ଼ିଶାବାସୀ ଅତିଷ୍ଠ । ଦୁର୍ନିତି ରାଜ୍ୟରେ କାୟା ବିସ୍ତାର କରିଛି । ପଞ୍ଚାୟତ ଠାରୁ ଆରମ୍ଭ କରି ତୃତୀୟ ମହଲା ପର୍ଯ୍ୟନ୍ତ ଦୁର୍ନିତୀର ରାକ୍ଷସ ସରକାରୀ ବ୍ୟବସ୍ଥାକୁ କବ୍ଜା କରିଛି । ଏ ସରକାର ପତନ ନହେଲେ ରାଜ୍ୟର ଏବଂ ପଞ୍ଚାୟତ ବ୍ୟବସ୍ଥାର ସୁଧାର ହେବ ନାହିଁ । ତେଣୁ ରାଜ୍ୟରେ କ୍ଷମତାର ପରିବର୍ତନ ପାଇଁ ସେ ଆହ୍ୱାନ ଦେଇଥିଲେ । ରାଜ୍ୟ ସଭାପତି ସୁଦର୍ଶନ ଦାସ ପଞ୍ଚାୟତ ପ୍ରତିନିଧି, ସରପଞ୍ଚ, ମେୟର ଇତ୍ୟାଦିଙ୍କ ଦରମା ବୃଦ୍ଧିକୁ ସ୍ୱାଗତ କଲାବେଳେ ପଞ୍ଚାୟତ ପ୍ରତିନିଧିମାନଙ୍କର ଅଧିକାର ପ୍ରତି ସରକାର ନୀରବ ରହିବା ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି । ଆଜିର ଏହି କାର୍ଯ୍ୟକାରିଣୀରେ ସଂଗଠନର ଜାତୀୟ ଆବାହକ ଶ୍ରୀ ସୁନିଲ ବାର୍ନାଜୀ, ପୂର୍ବତନ ବିଧାୟକ ଶ୍ରୀ ଉମାବଲ୍ଲଭ ରଥ, ବିସ୍ମୟ ମହାପାତ୍ର, ବିଜୟ ପ୍ରଧାନ, ଲବ କୁମାର ସାହୁ, ରୂପକ ତୁରୁକ, ପ୍ରଦ୍ୟୁମ୍ନ ଦାସ, ପଦ୍ମଲୋଚନ ବେହେରା, ତ୍ରିଲୋଚନ ଦାସ, ସରୋଜ ବାଗ, ପ୍ରଦୀପ୍ତ ନନ୍ଦ, ପ୍ରତାପ ପ୍ରଧାନ, ଭୁବନ କୁମାର ସାହୁ, ଜବା ଟୁଡୁ, ନିରଦବରଣ ଖୁଂଟିଆ, ଗଣେଶ ସାହୁ, ଧରଣୀଧର ବେହେରା ପ୍ରମୁଖ ଯୋଗଦେଇଥିଲେ ।