ଭୁବନେଶ୍ୱର : ଶ୍ରୀଯୁକ୍ତ ସୁରେଶ ପୂଜାରୀ ନୂଆକରି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଆଜି ଅଚାନକ ଭାବେ ଭୁବନେଶ୍ୱରସ୍ଥିତ ତହସିଲ କାର୍ଯ୍ୟାଳୟ ପରିଦର୍ଶନ କରିଥିଲେ । ଏହି ଅବସରରେ ମନ୍ତ୍ରୀ ଶ୍ରୀ ପୂଜାରୀ ସାଧାରଣ ଲୋକ, ଓକିଲ ଓ ସରକାରୀ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ । ତହସିଲ ଅଫିସରେ କିଭଳି କାର୍ଯ୍ୟ ହେଉଛି ଓ ଜନସାଧାରଣ କିପରି ସେବା ପାଉଛନ୍ତି ଓ ଏ ସମ୍ପର୍କିତ ଅଭିଯୋଗ ଉପରେ ମଧ୍ୟ ଆଲୋଚନା କରିଥିଲେ । ମନ୍ତ୍ରୀ ଶ୍ରୀ ପୂଜାରୀ ଭୂମି, ବାସସ୍ଥାନ, ଜାତିଗତ ପ୍ରମାଣପତ୍ର ଆବେଦନ ଓ ତୁରନ୍ତ ଏସବୁ ସେବା ମିଳିବା ନେଇ ସମୟସୀମା ଧାର୍ଯ୍ୟ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଏହା ସହ ସାଧାରଣ ଲୋକେ ଯେପରି ତହସିଲ କାର୍ଯ୍ୟାଳୟରେ ବିଭିନ୍ନ କାମ ପାଇଁ ଆସୁଥିବାବେଳେ ଯେପରି ହଇରାଣ ନ ହୁଅନ୍ତି ଓ ସମସ୍ତ ସେବା ସୁବିଧାରେ ପାଇପାରିବେ ସେ ନେଇ ଏକ ଚୂଡ଼ାନ୍ତ ରୂପରେଖ ପ୍ରସ୍ତୁତ କରିବା ପାଇଁ ଉପସ୍ଥିତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ଅବସରରେ ଗଣମାଧ୍ୟମର ପ୍ରତିନିଧିମାନଙ୍କର ବିଭିନ୍ନ ପ୍ରଶ୍ନର ଉତ୍ତରରେ ମାନ୍ୟବର ମନ୍ତ୍ରୀ କହିଲେ ଯେ, ସରକାରୀ କାର୍ଯ୍ୟରେ ପିସି କାରବାର କିମ୍ବା ଦୁର୍ନୀତିର ପ୍ରମାଣ ମିଳିଲେ ତୁରନ୍ତ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏ କ୍ଷେତ୍ରରେ ‘ଶୂନ ସହନଶୀଳତା’ ହେଉଛି ଆମର ମାପଦଣ୍ଡ । ଜନସାଧାରଣଙ୍କ ନିକଟରେ ରାଜସ୍ୱ ପ୍ରଶାସନ କିପରି ସହଜରେ ପହଞ୍ଚି ପାରିବ ସେ ନେଇ ଯଦି କାହାର କିଛି ପ୍ରସ୍ତାବ ରହିଥାଏ ତେବେ ସେ ସବୁକୁ ସ୍ୱାଗତ କରାଯିବ । ଏ କ୍ଷେତ୍ରରେ ସାଧାରଣ ଲୋକଜଣେ ଚାହିଁଲେ ମଧ୍ୟ ମନ୍ତ୍ରୀଙ୍କୁ ସିଧାସଳଖ ଭେଟି ପାରିବେ ଓ ନିଜର ସମସ୍ୟା ସମ୍ପର୍କରେ ଅବଗତ କରାଇ ପାରିବେ ।