ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କେନ୍ଦ୍ର ଇସ୍ପାତ ସଚିବ

ଭୁବନେଶ୍ୱର : କେନ୍ଦ୍ର ଇସ୍ପାତ ସଚିବ ଶ୍ରୀ ସନ୍ଦିପ ପୌଣ୍ଡ୍ରିକ ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ଓଡିଶାରେ ଇସ୍ପାତ ଶିଳ୍ପର ବିକାଶ ସଂପର୍କରେ ଆଲୋଚନା କରିଛନ୍ତି । ଏହା ଆଲୋଚନାରେ SAIL, NMDC ଓ ଇସ୍ପାତ ବିଭାଗ ଅଧୀନସ୍ଥ ଅନ୍ୟାନ୍ୟ ପବ୍ଲିକ୍‌ ସେକ୍ଟର ଅଣ୍ଡରଟେକିଙ୍ଗର ଉଚ୍ଚପଦସ୍ଥ ଅଧିକାରୀ ମାନେ ଯୋଗ ଦେଇଥିଲେ ।

ଆଲୋଚନାରେ କେନ୍ଦ୍ର ଇସ୍ପାତ ସଚିବ ସୂଚନା ଦେଇଥିଲେ ଯେ ରାଉରକେଲା ଷ୍ଟିଲ ପ୍ଲାଣ୍ଟର ସଂପ୍ରସାରଣ କରାଯାଇ ଏହାର ଉତ୍ପାଦନ କ୍ଷମତାକୁ ୪.୫ ମିଲିଅନ ଟନ୍‌ରୁ ୯ ମିଲିଅନ ଟନ୍‌କୁ ବୃଦ୍ଧି କରାଯିବ । ଏଥିପାଇଁ ରାଜ୍ୟ ସରକାରଙ୍କ ସହଯୋଗ ସେ କାମନା କରିଥିଲେ। ରାଜ୍ୟ ସରକାର ଏଥିନିମନ୍ତେ ସମସ୍ତ ସହଯୋଗ ଯୋଗାଇ ଦେବେ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶୃତି ଦେଇଥିଲେ ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ରାଉରକେଲାର ଆଇ.ଜି.ଏଚ୍‌ ହସ୍‌ପିଟାଲ ଏବଂ ଅନ୍ୟ ଖଣି ଅଞ୍ଚଳରେ ବିଭିନ୍ନ ବିଭାଗୀୟ PSU ଦ୍ବାରା ପରିଚାଳିତ ହେଉଥିବା ହସ୍‌ପିଟାଲ ଗୁଡିକରେ ଅଧିକ ଉନ୍ନତି ଅଣାଯିବା ଆବଶ୍ୟକ। ଏହାଦ୍ବାରା କର୍ମଚାରୀ ଓ ସ୍ଥାନୀୟ ଲୋକମାନେ ଉତ୍ତମ ସ୍ବାସ୍ଥ୍ୟସେବା ପାଇପାରିବେ ବୋଲି ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇ କହିଥିଲେ ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ କେନ୍ଦ୍ର ଇସ୍ପାତ ମନ୍ତ୍ରାଳୟର ବିଭିନ୍ନ PSU ସଂସ୍ଥା ଯଥା SAIL, OMDC ଆଦି ସଂସ୍ଥା ପକ୍ଷରୁ ସେମାନଙ୍କ କର୍ପୋରେଟ ସାମାଜିକ ଦାୟିତ୍ବ ପାଣ୍ଠି ସହାୟତାରେ ଓଡିଶାରେ ଅଧିକ ଉନ୍ନୟନମୂଳକ କାର୍ଯ୍ୟ କରାଯିବା ଆବଶ୍ୟକ ।

ଏହି ବୈଠକରେ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ନିକୁଞ୍ଜ ବିହାରୀ ଧଳ, ଇସ୍ପାତ ଓ ଖଣି ବିଭାଗ ଏବଂ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଦେଓରଂଜନ କୁମାର ସିଂହ ଏବଂ ଓଡିଶା ଖଣି ନିଗମର ଅଧ୍ୟକ୍ଷ ଶ୍ରୀ ସୁରେନ୍ଦ୍ର କୁମାର ଉପସ୍ଥିତ ଥିଲେ ।