ଏମ୍‌.ବି.ବି.ଏସ୍‌ ପାଠ୍ୟକ୍ରମ ପାଇଁ ଯୋଗ୍ୟ ବିବେଚିତ ବଣ୍ଡା ଜନଜାତି ଛାତ୍ର ମଙ୍ଗଳା ମୁଦୁଲିଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଆଜି ଲୋକସେବା ଭବନଠାରେ ବ୍ରହ୍ମପୁର ଏମ୍‌.କେ.ସି.ଜି ମେଡିକାଲ କଲେଜରେ ଏମ୍‌ବିବିଏସ୍‌ ପାଠ୍ୟକ୍ରମ ପାଇଁ ନିଟ୍‌-୨୦୨୪ ଦ୍ବାରା ଯୋଗ୍ୟ ବିବେଚିତ ହୋଇଥିବା ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ୍‌ ଅନ୍ତର୍ଗତ ବଡବେଲ ଗ୍ରାମର ବଣ୍ଡା ଜନଜାତି ଛାତ୍ର ଶ୍ରୀ ମଙ୍ଗଳା ମୁଦୁଲିଙ୍କୁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ସମ୍ବର୍ଦ୍ଧିତ କରିଛନ୍ତି । ଫୁଲତୋଡା ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିବା ସହିତ ଏକ ଲାପଟପ୍‌ ମଧ୍ୟ ମୁଖ୍ୟମନ୍ତ୍ରୀ ତାଙ୍କୁ ଉପହାର ଦେଇଥିଲେ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ତାଙ୍କର ଉଜ୍ଜଳ ଭବିଷ୍ୟତ କାମନା କରିବା ସହିତ ଆଶୀର୍ବାଦ କରି କହିଥିଲେ ଯେ ବଣ୍ଡା ସମାଜର ପ୍ରଥମ ଡାକ୍ତର ଭାବେ ଭଲ ପାଠ ପଢି, ଭଲ ଡାକ୍ତର ହୋଇ ତୁମ ଅଞ୍ଚଳବାସୀଙ୍କର ସେବା କର ।

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ ଦୃଢ ଇଚ୍ଛା ଶକ୍ତି ଆଗରେ ଆର୍ଥିକ ଅନଟନ ଓ ଅଭାବ ଅସୁବିଧା ସବୁକିଛି ହାର୍‌ ମାନିଥାଏ । ତାହାର ଜ୍ବଳନ୍ତ ଉଦାହରଣ ହେଉଛନ୍ତି ମଙ୍ଗଳା ମୁଦୁଲି । ମଙ୍ଗଳାଙ୍କ ମେଡିକାଲ ପାଠ୍ୟକ୍ରମ ଜାରି ରଖିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦିଆଯିବ ବୋଲି ସେ କହିଥିଲେ । ମଙ୍ଗଳାଙ୍କ ପରି ଅନୁସୂଚିତ ଜନଜାତି ଓ ଜାତି ବର୍ଗର ଗରିବ କୃତୀ ଛାତ୍ରଛାତ୍ରୀ ମାନଙ୍କୁ ମଧ୍ୟ ସେମାନଙ୍କ ପାଠପଢା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସହଯୋଗ ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି ।

ସୂଚନାଯୋଗ୍ୟ ଯେ ମଙ୍ଗଳାଙ୍କର ପିତାମାତା ଦିନ ମଜୁରିଆ ଭାବେ କାମ କରିବା ସହିତ ଚାଷବାସ କରି ଚଳନ୍ତି । ମଙ୍ଗଳା ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗ ଅଧୀନସ୍ଥ ମୁଦୁଲିପଡା ଉଚ୍ଚ ବିଦ୍ୟାଳୟରୁ ମାଟ୍ରିକ ପାସ୍‌ କରିଥିବା ସହିତ ବୋଲଦିଆଗୁଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରୁ ଯୁକ୍ତ ଦୁଇ ବିଜ୍ଞାନରେ କୃତିତ୍ବର ସହ ପାସ୍‌ କରିଛନ୍ତି । ସ୍କୁଲ ପଢିବା ସମୟରୁ ନିଜ ଅଞ୍ଚଳର ସ୍ବାସ୍ଥ୍ୟସେବା ଓ ସ୍ବାସ୍ଥ୍ୟଜନିତ ଅନ୍ୟାନ୍ୟ ସମସ୍ୟାକୁ ଅନୁଧ୍ୟାନ କରି ଭବିଷ୍ୟତରେ ଜଣେ ଡାକ୍ତର ହେବାପାଇଁ ପ୍ରେରଣା ପାଇଥିଲେ । ଶ୍ରୀ ମଙ୍ଗଳା ମୁଦୁଲି ବଣ୍ଡା ଜନଜାତି ବର୍ଗର ପ୍ରଥମ ଛାତ୍ର ଭାବରେ ଏମ୍‌ବିବିଏସ୍‌ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି ।

ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଅନୁସୁଚିତ ଜନଜାତି ଓ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ, ମାଲକାନଗିରି ବିଧାୟକ ଶ୍ରୀ ନରସିଂହ ମାଡକାମି, ନବରଙ୍ଗପୁର ବିଧାୟକ ଶ୍ରୀ ଗୌରୀଶଙ୍କର ମାଝୀ, ଭଟଲି ବିଧାୟକ ଶ୍ରୀ ଇରାଶିଷ ଆଚାର୍ଯ୍ୟ, ଅନୁସୁଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗର ନିର୍ଦ୍ଦେଶକ ଶ୍ରୀ ଇନ୍ଦ୍ରମଣି ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ ।