ଭୁବନେଶ୍ୱର : ବାତ୍ୟା ‘ଦାନା’ର ଲ୍ୟାଣ୍ଡଫଲ୍ ପରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ସକାଳୁ ସ୍ୱତନ୍ତ୍ର ରିଲିଫ୍ କମିଶନର କାର୍ଯ୍ୟାଳୟକୁ ଯାଇ ପରିସ୍ଥିତିର ସମୀକ୍ଷା କରିବା ସହିତ ଓ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।
ସମୀକ୍ଷା ପରେ ଗଣମାଧ୍ୟମକୁ ବିବୃତି ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଗତ କାଲି ମଧ୍ୟ ରାତ୍ରରୁ ଆଜି ସକାଳ ୭ଟା ସୁଦ୍ଧା ଭିତରକନିକା ଓ ଧାମରା ମଧ୍ୟବର୍ତ୍ତୀ ଅଞ୍ଚଳରେ ବାତ୍ୟା ‘ଦାନା’ର ଲ୍ୟାଣ୍ଡଫଲ୍ ହୋଇଛି ।
ହସ୍ତଗତ ହୋଇଥିବା ତଥ୍ୟ ଅନୁଯାୟୀ ଆମେ ଆମର ‘ଜିରୋ କାଜୁଆଲ୍ଟି’ ଲକ୍ଷ୍ୟ ହାସଲ କରିଛୁ। ବାତ୍ୟା ମୁକାବିଲାରେ ଆମେ ସମ୍ପୂର୍ଣ୍ଣ ସଫଳତା ହାସଲ କରିଛୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ବାତ୍ୟା ପରବର୍ତ୍ତୀ କ୍ଷୟକ୍ଷତି ଆକଳନ କରିବା ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏହି କାର୍ଯ୍ୟରେ ନିୟୋଜିତ ଥିବା ମନ୍ତ୍ରୀ ଓ ବରିଷ୍ଠ ଅଧିକାରୀମାନେ ପରିସ୍ଥିତି ଉପରେ ନଜର ରଖିଛନ୍ତି। ସରକାର ଓ ପ୍ରଶାସନର ତତ୍ପରତା ଯୋଗୁ ପ୍ରାୟତଃ କ୍ଷୟକ୍ଷତି ଘଟି ନାହିଁ ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଯେଉଁ ସବୁ ଜାଗାରେ ଗଛ ପଡି ରାସ୍ତା ଅବରୋଧ ହୋଇଛି, ଆଜି ଅପରାହ୍ନ ଗୋଟାଏ ସୁଦ୍ଧା ସେସବୁ ହଟାଯିବ ।
ବିଦ୍ୟୁତ ସରବରାହ ବ୍ୟାଘାତ ହୋଇଥିବା ସ୍ଥାନଗୁଡିକରେ ସନ୍ଧ୍ୟା ୬ଟା ସୁଦ୍ଧା ବିଦ୍ୟୁତ ସଂଯୋଗ ଯୋଗାଇଦିଆଯିବ। ରେଳ ସେବା ମଧ୍ୟ ଆରମ୍ଭ ହୋଇଯାଇଛି। ଭୁବନେଶ୍ୱର ଓ ପୁରୀରୁ ନିର୍ଦ୍ଧାରିତ ସମୟରେ ରେଳ ଚଳାଚଳ କରିବ ବୋଲି ସେ କହିଛନ୍ତି ।
ସେହିପରି ବିମାନ ଚଳାଚଳ ସ୍ୱାଭାବିକ ହୋଇଛି। ଆଜି ସକାଳ ୯ଟା ରେ ଭୁବନେଶ୍ୱର ବିମାନ ବନ୍ଦରରେ ପ୍ରଥମ ବିମାନ ଅବତରଣ କରିଛି ।
ପ୍ରଭାବିତ ଅଞ୍ଚଳରେ ବିଭିନ୍ନ ସ୍ୱାସ୍ଥ୍ୟ କେନ୍ଦ୍ର ଓ ମା’ ଗୃହକୁ ସ୍ଥାନାନ୍ତରିତ ହୋଇଥିବା ଗର୍ଭବତୀ ମହିଳାଙ୍କ ମଧ୍ୟରୁ ୧୬୦୦ରୁ ଅଧିକ ମହିଳା ନବଜାତ ଶିଶୁଙ୍କୁ ସୁରକ୍ଷିତ ଭାବେ ଜନ୍ମ ଦେଇଛନ୍ତି। ଆମ ପାଇଁ ଖୁସିର କଥା ଉଭୟ ମା’ ଓ ଶିଶୁମାନେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି ।
ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ, ବାତ୍ୟା ‘ଦାନା’ର ପ୍ରଭାବ କମି ଗଲାଣି। ଲୋକମାନେ ଆଶ୍ରୟ ସ୍ଥଳୀରୁ ନିଜ ନିଜ ଘରକୁ ଫେରିବା ଆରମ୍ଭ କଲେଣି ।
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅଶେଷ କୃପା ଓ ଆମର ଟିମ୍ ସ୍ପିରିଟ୍ ଯୋଗୁ ଆମେ ବାତ୍ୟାର ସଫଳ ମୁକାବିଲା କରିପାରିଲୁ ।
ମୁଖ୍ୟମନ୍ତ୍ରୀ ଏଥିପାଇଁ ଜନସାଧାରଣ, ପ୍ରଶାସନିକ ଅଧିକାରୀ, ଉଦ୍ଧାରକାରୀ ଦଳ, ଡାକ୍ତରୀ ଦଳ, ପୋଲିସ୍, ଅଗ୍ନିଶମ ବାହିନୀ ଓ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଧନ୍ୟବାଦ ଜଣାଇଥିଲେ ।