ଦାଦନ ଶ୍ରମିକ ବିସ୍ଥାପନ ସମସ୍ୟା ନେଇ ଟାସ୍କ ଫୋର୍ସର ବୈଠକ

ଭୁବନେଶ୍ୱର : ଆଜି ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ଏବଂ ଶକ୍ତି ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଦାଦନ ଶ୍ରମିକ ବିସ୍ଥାପନ ସମସ୍ୟା ସମାଧାନ ଦିଗରେ ଗଠନ ହୋଇଥିବା ଉଚ୍ଚସ୍ତରୀୟ ଟାସ୍କ ଫୋର୍ସର ବୈଠକ ଅନୁଷ୍ଠିତ ହୋଇଥିଲା l ଦାରିଦ୍ର୍ୟ ମୁକ୍ତ ଲକ୍ଷ୍ୟ ନେଇ କାର୍ଯ୍ୟ କରୁଥିବା ସ୍ଵେଚ୍ଛାସେବୀ ଅନୁଷ୍ଠାନ ନଜ ଫାଉଣ୍ଡେସନ ଓଡ଼ିଶାରେ ଦାଦନ ଶ୍ରମିକ ବିସ୍ଥାପନ ଜନିତ ସମସ୍ୟା ସମାଧାନ ଦିଗରେ କାର୍ଯ୍ୟକରିବାକୁ ଆଗ୍ରହୀ l ଏହା ପୂର୍ବରୁ ପଶ୍ଚିମ ବଙ୍ଗ ଓ ଝାଡ଼ଖଣ୍ଡରେ ଏହି ସ୍ଵେଚ୍ଛାସେବୀ ଅନୁଷ୍ଠାନ ସଫଳତାର ସହ କାର୍ଯ୍ୟ ସମାପନ କରିଛି l ରାଜ୍ୟ ବାହାରକୁ ଦାଦନ ହିସାବରେ କାମ କରିବାକୁ ପ୍ରମୁଖ ଦୁଇଟି କାରଣ ପାଇଁ ଲୋକ ଯାଇଥାନ୍ତି l ପ୍ରଥମତଃ ଆଶାନୁରୂପ ଅଧିକ ରୋଜଗାର, ଦ୍ଵିତୀୟତଃ ନିଜ ଅଞ୍ଚଳରେ ଜୀବିକା ନିର୍ବାହ କରିବା ସମ୍ଭବପର ନ ହେବା ଯୋଗୁଁ l ଗଞ୍ଜାମ, ବଲାଙ୍ଗିର, କଳାହାଣ୍ଡି, ଝାରସୁଗୁଡା, ବରଗଡ଼ ପ୍ରଭୃତି ଜିଲ୍ଲାରୁ ଅପେକ୍ଷାକୃତ ଅଧିକ ଲୋକ ଦାଦନ ଶ୍ରମିକ ଭାବେ ଅନ୍ୟ ରାଜ୍ୟକୁ କମ ଅନ୍ଵେଷଣରେ ଯାଇଥାନ୍ତି l ତନ୍ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ବାହାର ରାଜ୍ୟକୁ ଯାଉଥିବା ଲୋକେ ମୁଖ୍ୟତଃ ଅଧିକ ଟଙ୍କା ରୋଜଗାର ଆଶାରେ ଯାଇଥାନ୍ତି ଏବଂ ଅନ୍ୟ ଜିଲ୍ଲା ଗୁଡିକରୁ ଜୀବିକା ନିର୍ବାହ ଅନ୍ଵେଷଣରେ ଯାଇଥାନ୍ତି l

ଜୀବିକା ନିର୍ବାହ ଅନ୍ଵେଷଣରେ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଥିବା ଲୋକଙ୍କୁ ନିଜ ରାଜ୍ୟରେ ସ୍ଥାୟୀ ଜୀବିକା ଅର୍ଜନର ସମସ୍ତ ସୁବିଧା ଯୋଗାଇ ଦେଲେ ଏହି ସମସ୍ୟାର କିଛିମାତ୍ରାରେ ଅନ୍ତ ଘଟିବ l ସମ୍ପୃକ୍ତ ଅଞ୍ଚଳର ଜଳବାୟୁ, ପରିବେଶ ଏବଂ ଆବଶ୍ୟକତା ଅନୁଯାୟୀ ନଜ ଫାଉଣ୍ଡେସନ ଲୋକଙ୍କୁ ଜୀବିକା ଅର୍ଜନର ପନ୍ଥା ଯୋଗାଇ ଦେବ l ଏସବୁ ନିମନ୍ତେ ପ୍ରଥମେ ଓଡ଼ିଶାର ଦାଦନ ପ୍ରବଣ ଜିଲ୍ଲା ତଥା ଗ୍ରାମ ପଞ୍ଚାୟତ ଗୁଡିକରେ ମୂଳ କାରଣ ଓ ସମାଧାନ ଦିଗରେ ନଜ ଫାଉଣ୍ଡେସନ ଅନୁଧ୍ୟାନ କରିବ l ଅନୁଧ୍ୟାନକୁ ନେଇ ସରକାରଙ୍କ ସହ ଆଲୋଚନା ଭିତ୍ତିରେ ଭବିଷ୍ୟତ ପନ୍ଥା ନିରୂପଣ କରାଯିବ ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ କହିଛନ୍ତି l

ଖାଦ୍ୟ ସୁରକ୍ଷା, ସାମାଜିକ ସୁରକ୍ଷା, ସ୍ଥାୟୀ ଜୀବିକା ଅର୍ଜନ ପନ୍ଥା ଓ ଆଶାନୁରୂପ ରୋଜଗାର (ଗ୍ରାଜୁଏସନ ଆପରୋଚ) ଦ୍ଵାରା ଏହି ସମସ୍ୟାର ନିରାକରଣ ହୋଇପାରିବ l ଥରେ ଜୀବିକା ଅର୍ଜନ ପନ୍ଥା ଯୋଗାଇ ଦେବା ପରେ ନିୟମିତ ବ୍ୟବଧାନରେ ନଜ ଫାଉଣ୍ଡେସନ ସେମାନଙ୍କର ଆର୍ଥିକ ଏବଂ ସାମାଜିକ ସ୍ଥିତି ଅନୁଧ୍ୟାନ କରିବ l ଯେଉଁ ପଞ୍ଚାୟତ କିମ୍ବା ବ୍ଲକରେ ଅଧିକ ମାଇଗ୍ରେସନ ହେଉଛି ସେଠାରେ କ୍ଲଷ୍ଟର ଆପ୍ରୋଚ ବ୍ୟବହାର କରିବା ପାଇଁ ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ ମତପ୍ରକାଶ କରିଥିଲେ l

ଟାସ୍କ ଫୋର୍ସର ଅନ୍ୟ ସଦସ୍ୟ ରାଜସ୍ୱ ଓ ବିପର୍ଯୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ, ଗ୍ରାମ୍ୟ ଉନ୍ନୟନ ଏବଂ ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାଏକ, ଜଙ୍ଗଲ,ପରିବେଶ ଓ ଜଳବାୟୁ, ଶ୍ରମିକ ଓ କର୍ମଚାରୀ ବୀମା ମନ୍ତ୍ରୀ ଶ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ, ଉନ୍ନୟନ କମିଶନର ଅନୁ ଗର୍ଗ, ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ଶାଶ୍ଵତ ମିଶ୍ର ପ୍ରମୁଖ ବୈଠକରେ ଯୋଗଦେଇଥିଲେ l