ଭୁବନେଶ୍ୱର : ଆସନ୍ତା ଡିସେମ୍ବର ୪ ତାରିଖରେ ନୌସେନା ଦିବସ ପାଳନ ଅବସରରେ ପୁରୀର ବ୍ଲୁ ଫ୍ଲାଗ ସାମୁଦ୍ରିକ ବେଳାଭୂମିରେ ଭାରତୀୟ ନୌସେନା ଏହାର ଦକ୍ଷତାର ନମୁନା ତଥା ଶକ୍ତି ପ୍ରଦର୍ଶନ କରିବ । ଏହି କାର୍ଯ୍ୟକ୍ରମରେ ଭାରତର ମାନ୍ୟବର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିବାର କାର୍ଯ୍ୟକ୍ରମ ରହିଛି । ସେଦିନ ଏଠାରେ ନୌସେନା ସମେତ ବିଭିନ୍ନ ଅତିଥି ଏବଂ ନିମନ୍ତ୍ରିତ ଅତିଥିଙ୍କୁ ମିଶାଇ ପ୍ରାୟ ୭୫୦୦ ଅତିଥି ଯୋଗଦେବେ । ଦେଶାତ୍ମବୋଧକ ଚେତନା ଜାଗ୍ରତ କରୁଥିବା ଏହି ବିରଳ ତଥା ଆକର୍ଷଣୀୟ ଦୃଶ୍ୟକୁ ଦେଖିବା ପାଇଁ ପୁରୀ ବେଳାଭୂମିରେ ଲକ୍ଷାଧିକ ଜନସାଧାରଣଙ୍କର ସମାଗମ ହେବ ବୋଲି ଆକଳନ କରାଯାଉଛି ।
ଏହି କାର୍ଯ୍ୟକ୍ରମ ସୁଚାରୁରୂପେ ଅନୁଷ୍ଠିତ ହେବା ଓ ପରିଚାଳନା ପାଇଁ ଭାରତୀୟ ନୌସେନା, ଓଡ଼ିଶା ସରକାର ତଥା ପୁରୀ ଜିଲ୍ଲା ପ୍ରଶାସନ ମିଳିତ ଭାବେ ପ୍ରସ୍ତୁତି ଜାରି ରଖିଛନ୍ତି । ଏହି ପରିପ୍ରେକ୍ଷୀରେ ଚଳିତ ନଭେମ୍ବର ୧୪ ତାରିଖରେ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଏକ ପ୍ରାରମ୍ଭିକ ବୈଠକରେ ଆଲୋଚନା କରାଯାଇଥିଲା । ତଦନୁସାରେ ଆବଶ୍ୟକ ସବିଶେଷ ପ୍ରସ୍ତୁତି ସଂପର୍କରେ ଆଉ ଏକ ବୈଠକ ରାଜ୍ୟ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଗତ ସୋମବାର ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠିତ ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଗୃହ(ସ୍ୱରାଷ୍ଟ୍ର) ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ, ରାଜ୍ୟ ପୁଲିସ୍ ମହାନିର୍ଦ୍ଦେଶକ ଶ୍ରୀ ଓ୍ୱାଇ.ବି.ଖୁରାନିଆ, ଡିଜିପି-ଅଗ୍ନିଶମ ସେବା ବିଭାଗ ଡଃ. ସୁଧାଂଶୁ ଷଡଙ୍ଗୀଙ୍କ ସମେତ ପୂର୍ତ୍ତ ବିଭାଗ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, କ୍ରୀଡା ଓ ଯୁବସେବା ତଥା ଶକ୍ତି ବିଭାଗ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ଆଦି ବିଭାଗର ପ୍ରମୁଖ ଶାସନ ସଚିବ , କମିଶନର ତଥା ଶାସନ ସଚିବ, ରାଜ୍ୟ ପରିବହନ କମିଶନର, ନିର୍ଦ୍ଦେଶକ ,ପର୍ଯ୍ୟଟନ ବିଭାଗ, ନିର୍ଦ୍ଦେଶକ,ସୂଚନା ଓ ଲୋକ ସଂପର୍କ ବିଭାଗଙ୍କ ସମେତ ଅନ୍ୟ ସମ୍ପୃକ୍ତ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ ଏବଂ ଭାରତୀୟ ନୌସେନାର ପ୍ରତିନିଧି ଅଧିକାରୀମାନେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଭଲଭାବରେ ଓ ଶାନ୍ତି ଶୃଙ୍ଖଳାର ସହ ଅନୁଷ୍ଠିତ ହେବା ପାଇଁ ବିଭିନ୍ନ ଆଲୋଚନା କରାଯିବା ସହ ସଂପୃକ୍ତ ବିଭାଗୀୟ ମୁଖ୍ୟମାନଙ୍କୁ ସେମାନଙ୍କର ସଂପର୍କିତ କାର୍ଯ୍ୟ ସୁଚାରୁରୂପେ ନିର୍ବାହ କରିବା ପାଇଁ ଅନୁରୋଧ କରାଯାଇଛି । ବିଭିନ୍ନ କାର୍ଯ୍ୟ ମଧ୍ୟରେ ପୂର୍ତ୍ତ ବିଭାଗ ତରଫରୁ ସମଙ୍ଗ ଏବଂ ପୁରୀ କ୍ରୀଡ଼ା କମ୍ପ୍ଲେକ୍ସ ଠାରେ ଅସ୍ଥାୟୀ ହେଲିପ୍ୟାଡ ପ୍ରସ୍ତୁତି, ପାର୍କି ଅଂଚଳର ପ୍ରସ୍ତୁତି, ବିଭିନ୍ନ ସ୍ଥାନରେ ଆବଶ୍ୟକ ବେରିକେଡିଂ ଏବଂ ରାସ୍ତା ମରାମତି ପାଇଁ ଅନୁରୋଧ କରାଯାଇଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଆବଶ୍ୟକ ଆମ୍ବୁଲାନ୍ସ ବ୍ୟବସ୍ଥା, ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଧିକ ଶଯ୍ୟା ବ୍ୟବସ୍ଥା ସହ ପ୍ରସ୍ତୁତି ରଖାଯିବା, ଭିଭିଆଇପି ଅଂଚଳ ସମେତ ଜନଗହଳି ସ୍ଥାନରେ ପ୍ରାଥମିକ ଚିକିତ୍ସା ବ୍ୟବସ୍ଥା ଏବଂ ଯଥେଷ୍ଟ ସଂଖ୍ୟକ ଓଆରଏସ୍ ପ୍ୟାକେଟ ରଖାଯିବା ପାଇଁ ପରାମର୍ଶ ସହ ଅଧିକ ଆବଶ୍ୟକତା ଦୃଷ୍ଟିରୁ ଏମସ୍ ଭୁବନେଶ୍ୱରକୁ ମଧ୍ୟ ସହାୟତା ପାଇଁ ଅନୁରୋଧ କରାଯାଇଛି । ସିଭିଲ ଡିଫେନ୍ସ ସ୍ୱେଚ୍ଛାସେବୀ ଓ ସେଣ୍ଟ ଜୋନ ଆମ୍ବୁଲାନ୍ସର ମଧ୍ୟ ସହଯୋଗ ନିଆଯିବ । ଭୁବନେଶ୍ୱରରୁ ପୁରୀ ଏବଂ ପୁରୀ ମଧ୍ୟରେ ଟ୍ରାଫିକ୍ ନିୟନ୍ତ୍ରଣ, ଯାନବାହନ ପାର୍କିଂ, ଜନଗହଳି ସ୍ଥାନର ପରିଚାଳନା, ନୌସେନା ଅତିଥିମାନଙ୍କୁ ନେବା ଆଣିବା କରିବାକୁ ଥିବା ବସ ତଥା ଯାନର ପାର୍କିଂ, ଭୁବନେଶ୍ୱର-ପୁରୀ ମୁଖ୍ୟ ରାସ୍ତା ସମେତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଅଗ୍ନିଶମ ବିଭାଗ ଏବଂ ପୁଲିସ ବିଭାଗ ତରଫରୁ କର୍ମଚାରୀ ଓ ଅଧିକାରୀ ମୁତୟନ ରହିବେ । ବିଭିନ୍ନ ସ୍ଥାନରେ ଟ୍ରାଫିକ୍ ପରାମର୍ଶ ସୂଚନା ( ସାଇନେଜ୍ ) ଓ ହୋଡିଂ ଆଦି ଲଗାଯିବ ଏବଂ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ସିସିଟିଭି କ୍ୟାମେରା ଲଗାଯିବା ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା । ଏହି କାର୍ଯ୍ୟକ୍ରମକୁ କଳିଙ୍ଗ ଷ୍ଟାଡିଅମ, ଭୁବନେଶ୍ୱରରୁ ଏବଂ କଟକର ବାରବାଟୀ ଷ୍ଟାଡିଅମରୁ ସିଧାପ୍ରସାରଣ ଦେଖିବା ବ୍ୟବସ୍ଥା ପାଇଁ କ୍ରୀଡା ଓ ଯୁବସେବା ବିଭାଗକୁ ଅନୁରୋଧ କରାଯାଇଛି । ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ତରଫରୁ ବ୍ଲୁ ଫ୍ଲାଗ୍ ସମେତ ପୁରୀ ସମୁଦ୍ର କୂଳରେ ପ୍ରାୟ ୧୦୦ ଅସ୍ଥାୟୀ ବାୟୋ ଟଏଲଟ ସ୍ଥାପନ କରାଯିବ ଏବଂ ଏହାର ସୁପରିଚାଳନା ପାଇଁ ମଧ୍ୟ ଅନୁରୋଧ କରାଯାଇଛି । ସମୁଦ୍ର କୂଳକୁ ଯାଇଥିବା ସମସ୍ତ ରାସ୍ତାର ସୌନ୍ଦର୍ଯ୍ୟକରଣ ବ୍ୟବସ୍ଥା ପାଇଁ ମଧ୍ୟ ଅନୁରୋଧ କରାଯାଇଛି । ଅଧିକ ଜନଗହଳି ସ୍ଥାନରେ ଏଲଇଡି ସ୍କ୍ରିନ ସାହାର୍ଯ୍ୟରେ କାର୍ଯ୍ୟକ୍ରମ ପ୍ରସାରଣ ସହ ଧାରା ବିବରଣୀ ପ୍ରଦାନ ବ୍ୟବସ୍ଥା ରହିବ । ନୌସେନାର କୌଶଳ ପ୍ରଦର୍ଶନ କାର୍ଯ୍ୟକ୍ରମ ଥିବାରୁ ଏହି ସ୍ଥଳକୁ ନଭେମ୍ବର ୨୭ ରୁ ଡିସେମ୍ବର ୫ ତାରିଖ ପର୍ଯ୍ୟନ୍ତ ନୋ ଫିସିଂ ଜୋନ (ମାଛଧରା ନିଷେଧ ଅଂଚଳ) ଘୋଷଣା କରାଯିବ । ଏ ସଂପର୍କରେ ମତ୍ସ୍ୟ ଓ ପ୍ରାଣୀ ସଂପଦ ବିକାଶ ବିଭାଗ ତରଫରୁ ମତ୍ସ୍ୟଜୀବୀମାନଙ୍କୁ ସୂଚନା ପ୍ରଦାନ କରାଯିବ । କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ପୁରୀ ବେଳାଭୂମି ପରିସର ପରିସ୍କାର, ପରିଚ୍ଛନ୍ନତା, ସଂଲଗ୍ନ ବିଭିନ୍ନ ରାସ୍ତାକୁ ଅବରୋଧ ମୁକ୍ତ କରାଯିବା ସଂପର୍କରେ ବୈଠକରେ ଆଲୋଚନା ପୂର୍ବକ ନିଷ୍ପତ୍ତି ନିଆଯାଇଛି । ପୁରୀ ଜିଲ୍ଲାପାଳ ଏବଂ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ସାମଗ୍ରିକ ଭାବେ ସମସ୍ତ ବ୍ୟବସ୍ଥା ତଦାରଖ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ରାଜ୍ୟସ୍ତରରୁ ବିଭିନ୍ନ ବିଭାଗର ସଚିବ ତଥା ବରିଷ୍ଠ ଅଧିକାରୀମାନଙ୍କୁ ଏହି କାର୍ଯ୍ୟକ୍ରମ ସୁଚାରୁରୂପେ ପରିଚାଳନା କରିବା ପାଇଁ ତଦାରଖ କରିବା ପାଇଁ ଅନୁରୋଧ କରାଯାଇଛି । ପ୍ରାରମ୍ଭିକ ପର୍ଯ୍ୟାୟରେ ପ୍ରାୟ ୫୦ ଓଡିଶା ପ୍ରଶାସନିକ ସେବା ଅଧିକାରୀଙ୍କୁ ଏହି କାର୍ଯ୍ୟକ୍ରମର ସୁପରିଚାଳନା ପାଇଁ ନିୟୋଜିତ କରିବା ପାଇଁ ବୈଠକରେ ପ୍ରସ୍ତାବ ଦିଆଯାଇଥିଲା । ଗୃହ ବିଭାଗ ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ଆର.କେ.ଶର୍ମାଙ୍କୁ ବିଭିନ୍ନ କାର୍ଯ୍ୟର ସମନ୍ୱୟ ପାଇଁ ନୋଡାଲ ଅଧିକାରୀ ଭାବେ ମନୋନୀତ କରାଯାଇଛି ।