କଳିଙ୍ଗ ଷ୍ଟାଡିୟମ ଠାରେ ଆୟୋଜିତ ହେବ ୩୯ତମ ଜାତୀୟ ଜୁନିୟର ଆଥଲେଟିକ୍ସ ଚମ୍ପିୟାନସିପ୍

ଭୁବନେଶ୍ୱର : ଆସନ୍ତା ଡିସେମ୍ବର ୭ ତାରିଖ ଠାରୁ ୧୧ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିୟମ୍ ଠାରେ ୩୯ତମ ଜାତୀୟ ଜୁନିୟର ଆଥଲେଟିକ୍ସ ଚମ୍ପିୟାନସିପ୍ ଅନୁଷ୍ଠିତ ହେବ । ପାଞ୍ଚ ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ପ୍ରତିଯୋଗିତାରେ ପ୍ରାୟ ୨୦୦୦ କ୍ରୀଡ଼ାବିତ୍‌ ଭାଗ ନେଉଥିବାର ସୂଚନା ମିଳିଛି ।

ହରିୟାଣାରୁ ସର୍ବାଧିକ ୧୫୦ ଜଣ କ୍ରୀଡ଼ାବିତ୍‌ ଏହି ପ୍ରତିଯୋଗିତାରେ ଭାଗନେବେ । ସେହିପରି ଓଡ଼ିଶାରୁ ସର୍ବମୋଟ ୭୮ ଜଣ କ୍ରୀଡ଼ାବିତ୍ ପ୍ରତିଯୋଗିତାରେ ଭାଗ ନେବେ । ଓଡ଼ିଶାରୁ ଭାଗ ନେଉଥିବା କ୍ରୀଡ଼ାବିତ୍‌ ମାନଙ୍କ ମଧ୍ୟରୁ ୪୩ ଜଣ ପୁରୁଷ କ୍ରୀଡ଼ାବିତ୍‌ ରହିଥିବା ବେଳେ ୩୫ ଜଣ ମହିଳା କ୍ରୀଡ଼ାବିତ୍‌ ରହିଛନ୍ତି ।

ଓଡ଼ିଶାରେ ଜାତୀୟ ଜୁନିୟର ଆଥଲେଟିକ୍ସ ଚମ୍ପିୟାନସିପ୍ ଆୟୋଜିତ ହେବା ସମ୍ବନ୍ଧରେ କ୍ରୀଡ଼ାମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି ଯେ, ଆସନ୍ତା ଡିସେମ୍ବର ୭ ତାରିଖ ଠାରୁ ୧୧ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିୟମ୍ ଠାରେ ୩୯ତମ ଜାତୀୟ ଜୁନିୟର ଆଥଲେଟିକ୍ସ ଚମ୍ପିୟାନସିପ୍ ଅନୁଷ୍ଠିତ ହେବାକୁ ଯାଉଛି । ଓଡ଼ିଶାରୁ ସର୍ବମୋଟ ୭୮ଜଣ କ୍ରୀଡ଼ାବିତ୍‌ ପ୍ରତିଯୋଗିତାରେ ଭାଗ ନେବେ। ସମସ୍ତ କ୍ରୀଡ଼ାବିତ୍‌ମାନେ ପ୍ରତିଯୋଗିତାରେ ଭଲ ପ୍ରଦର୍ଶନ କରିବେ ବୋଲି ମୁଁ ଆଶା କରୁଛି ।

ପ୍ରକାଶଯୋଗ୍ୟ ଯେ, ଚଳିତ ବର୍ଷ ଓଡ଼ିଶାରେ ୨୭ତମ ନ୍ୟାସନାଲ ଫେଡେରେସନ ସିନିୟର ଆଥଲେଟିକ୍ସ, ୭୦ତମ ଓଡ଼ିଶା ରାଜ୍ୟ ସିନିୟର ଓ ଜୁନିୟର ଆଥଲେଟିକ୍ସ ଚମ୍ପିୟାନସିପ୍ ଏବଂ ୩୫ତମ ଇଷ୍ଟଜୋନ୍‌ ଜୁନିୟର ଆଥଲେଟିକ୍ସ ଚାମ୍ପିୟାନସିପ୍ ଆଦି କ୍ରୀଡ଼ା ପ୍ରତିଯୋଗିତା ମଧ୍ୟ ଆଗରୁ ଅନୁଷ୍ଠିତ ହୋଇସାରିଛି ।