ହାବିଲଦାର, କନଷ୍ଟେବଳମାନଙ୍କୁ ପୂର୍ବରୁ ପାଉଥିବା ଏକ ମାସର ଅଧିକ ଦରମା ନୂତନ ବେତନ ହାରରେ ପ୍ରଦାନ କରାଯିବ

ଭୁବନେଶ୍ୱର : ହାବିଲଦାର, କନଷ୍ଟେବଳ ଓ ସିପାହୀମାନେ ଏଣିକି ପୂର୍ବ ରୁମିଳୁଥିବା ଏକ ମାସ ର ଅଧିକ ଦରମା ନୂତନ ବେତନ ହାର ରେ ପାଇବେ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ସୂଚନା ଦେଇଛନ୍ତି ।

ଏହା ସହ ହାବିଲଦାର ଓ କନଷ୍ଟେବଳମାନେ ପୂର୍ଵରୁ ସାଇକେଲ ଭତ୍ତା ବାବଦରେ ମାତ୍ର 3 ଶହ ଟଙ୍କା ପାଉଥିଲେ ଏବେ ମୋଟର ସାଇକେଲ ଭତ୍ତା ବାବଦରେ ଏକ ହଜାର ଟଙ୍କା ପାଇବେ ବୋଲି ମୁଖ୍ୟମନ୍ତ୍ରୀ କଟକରେ ଆୟୋଜିତ ଓଡିଶା ପୋଲିସ, ଓ. ଏସ. ଏ. ପି. ହାବିଲଦାର, କନଷ୍ଟେବଳ ଓ ସିପାହୀ ମହାସଂଘର ବାର୍ଷିକ ଉତ୍ସବ ଅବସରରେ ଘୋଷଣା କରିଛନ୍ତି ।

ଏହା ସହ ପୂର୍ବରୁ ପୋଷାକ, ଜୋତା ଇତ୍ୟାଦି ବାବଦ ରେ ପାଉଥିବା 5 ହଜାର ଟଙ୍କା ବଦଳରେ ଏଣିକି 10 ହଜାର ଟଙ୍କା ମିଳିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।

ଚତୁର୍ଥ ଶ୍ରେଣୀ କର୍ମଚାରୀ ନିଯୁକ୍ତି ସମ୍ପର୍କରେ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିବା ସହ ଭୁବନେଶ୍ୱର ଠାରେ ମହାସଂଘର ନୂତନ ଗୃହ ନିର୍ମାଣ ପାଇଁ ଆବଶ୍ୟକ ଅର୍ଥ ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି ।

ରାଜ୍ୟର ପ୍ରଗତି ପାଇଁ ସବୁଠାରୁ ମହତ୍ଵପୂର୍ଣ୍ଣ ଭୂମିକା ରାଜ୍ୟର ପୋଲିସ ବଳ ତୁଲାଇଥାନ୍ତି । ଏହି ପୋଲିସ ବିଭାଗରେ କନଷ୍ଟେବଳ ଏବଂ ସିପାହୀମାନେ ସବୁଠାରୁ ଗୁରୁ ଦାୟିତ୍ଵ ତୁଲାଉଛନ୍ତି । ତୃଣମୂଳ ସ୍ତରରେ ଆଇନ ଶୃଙ୍ଖଳାଠାରୁ ଆରମ୍ଭ କରି ଗୁଇନ୍ଦା ପାଇଁ ଖବର ସଂଗ୍ରହ କରିବା ପରି ଦାୟିତ୍ଵ ତୁଲାଉଛନ୍ତି । କନଷ୍ଟେବଳ ଏବଂ ସିପାହୀମାନେ ପୋଲିସ ବିଭାଗର ମେରୁଦଣ୍ଡ ସଦୃଶ ବୋଲି ମହାସଂଘର ବାର୍ଷିକ ଉତ୍ସବ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ମତବ୍ୟକ୍ତ କରିଛନ୍ତି ।

ଖରା, ବର୍ଷା, ଶୀତ କାକରକୁ ଭୃକ୍ଷେପ ନକରି କନଷ୍ଟେବଳ ଓ ସିପାହୀମାନେ ନିଜର ଦାୟିତ୍ଵ ସମ୍ପାଦନ କରୁଥିବାରୁ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଉଚ୍ଚ ପ୍ରଶଂସା କରିଥିଲେ । ସେମାନଙ୍କ ପ୍ରତି ଆମ ସରକାରଙ୍କର ଯଥେଷ୍ଟ ସଂବେଦନଶୀଳତା ଓ ଦାୟିତ୍ୱବୋଧ ରହିଛି ବୋଲି ମୁଖ୍ୟମନ୍ତ୍ରୀ ମତବ୍ୟକ୍ତ କରିଥିଲେ । ପୋଲିସ ସେବାକୁ ଆହୁରି ପ୍ରଭାବୀ କରିବା ପାଇଁ ଭିତ୍ତିଭୂମି ଏବଂ ମାନବ ସମ୍ବଳ ଯୋଗାଇ ଦେବାକୁ ଆମ ସରକାର ପ୍ରତିଶୃତିବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।  

ପୋଲିସ ବଳ ହେଉଛି ଅତ୍ୟନ୍ତ ଶୃଙ୍ଖଳିତ । ବିଶୃଙ୍ଖଳାକୁ କୌଣସି ପ୍ରକାରେ ବରଦାସ୍ତ କରାଯିବ ନାହିଁ । କିନ୍ତୁ ବିଶୃଙ୍ଖଳିତ କିମ୍ବା ଦୁର୍ନୀତିଗ୍ରସ୍ତଙ୍କୁ କୌଣସି ପ୍ରକାରେ କ୍ଷମା କରାଯିବ ନାହିଁ ବୋଲି ନିଜ ଅଭିଭାଷଣରେ ମୁଖ୍ୟମନ୍ତ୍ରୀ କହିଛନ୍ତି ।  

ଓଡିଶା ପୋଲିସର ମୂଳ ମନ୍ତ୍ର ହେଉଛି, ‘ସେବା ଓ ସୁରକ୍ଷା’। ପ୍ରତ୍ୟେକ କାର୍ଯ୍ୟରେ ଦାୟିତ୍ୱବୋଧ ଓ ସମ୍ବେଦନଶୀଳ ହୋଇ କାର୍ଯ୍ୟ କରିବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ  ସଂଘର କର୍ମକର୍ତ୍ତା ଏବଂ ଅନ୍ୟ ସଦସ୍ୟ ମାନଙ୍କୁ ପରାମର୍ଶ ଦେଇଛନ୍ତି ।

ଏହି ଅବସରରେ ଏକକାଳୀନ ଲୋକସଭା ଓ ବିଧାନସଭା ସାଧାରଣ ନିର୍ବାଚନ ସମୟରେ  ରାଜ୍ୟ ପୋଲିସର ଭୂମିକାକୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିବା ସହ କନଷ୍ଟେବଳ ମାନଙ୍କ ସହଯୋଗ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା ବୋଲି କହିଥିଲେ ।

ଏହାସହ ଖୁବଶୀଘ୍ର ରାଜ୍ୟର ପ୍ରତି ଥାନାକୁ ମୋଟର ସାଇକେଲ ଯୋଗାଇ ଦେବାସହ ଏହି ବାବଦରେ ଅତିରିକ୍ତ ବଜେଟରେ ୩୫ କୋଟି ଟଙ୍କାର ପ୍ରାବଧାନ କରାଯାଇଛି ବୋଲି ସେ କହିଥିଲେ ।

ସେହିପରି ରାଜ୍ୟରେ ଅତିରିକ୍ତ CAPF ପ୍ରତିଷ୍ଠା ପାଇଁ ୨୯୯ କୋଟି ଟଙ୍କା ଏବଂ ପୋଲିସର ତ୍ଵରିତ ଗମନାଗମନ ପାଇଁ ୧୬ କୋଟି ଟଙ୍କା ପ୍ରବଧାନ କରାଯାଇଛି, ଯେଉଁଥିରେ ୬୪୯ ଗୋଟି ଉତ୍କୃଷ୍ଟ ଯାନ ପୋଲିସକୁ ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।    

କାର୍ଯ୍ୟକ୍ରମରେ ବିଧାୟକ ପ୍ରକାଶ ସେଠୀ ଯୋଗ ଦେଇ ପୋଲିସର ଉତ୍ସର୍ଗୀକୃତ ମନୋଭାବ, ଲୋକଙ୍କ ପ୍ରତି ନିଷ୍ଠା ଓ କର୍ତ୍ତବ୍ୟ ପରାୟଣତାକୁ ସାଲୁଟ କରୁଛି ବୋଲି ମତବ୍ୟକ୍ତ କରିଥିଲେ ।

କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଡିଜିପି ଶ୍ରୀ ଯୋଗେଶ ବାହାଦୁର ଖୁରାନିଆ ଯୋଗଦେଇ କନଷ୍ଟେବଳ ଏବଂ ସିପାହୀ  ମାନଙ୍କ ସହଯୋଗ ବିନା ପୋଲିସ କେବେ ସଶକ୍ତ କିମ୍ବା ସମୃଦ୍ଧ ହୋଇ ପାରିବ ନାହିଁ ବୋଲି କହିଥିଲେ । ପ୍ରତିକୂଳ ପରିସ୍ଥିତିରେ ଥାଇ ମଧ୍ୟ ଜନସାଧାରଣଙ୍କୁ ସୁରକ୍ଷା ଦେବା ସହ ଗୁଣାତ୍ମକ ପୋଲିସ ସେବା ଯୋଗାଇ ଦେବା ଆମର ପ୍ରାଥମିକ କର୍ତବ୍ୟ ହେବା ଉଚିତ ବୋଲି ଡିଜିପି ଶ୍ରୀ ଖୁରାନିଆ ମତବ୍ୟକ୍ତ କରିଥିଲେ। “ସେବା ଓ ସୁରକ୍ଷା” ସ୍ଲୋଗାନ କୁ ପାଥେୟ କରି ସମସ୍ତେ  ମିଳିମିଶି , ଓଡିଶା  ପୋଲିସ କୁ ସଶକ୍ତ, ସମୃଦ୍ଧ ଏବଂ ଜନସାଧାରଣଙ୍କ  ପ୍ରତି ଉତ୍ସର୍ଗୀକୃତ ହେବା ନିମନ୍ତେ ଡିଜିପି ଶ୍ରୀ ଖୁରାନିଆ ଆହ୍ଵାନ ଦେଇଥିଲେ । 

ଏହି ବାର୍ଷିକ ଉତ୍ସବରେ ଓଡ଼ିଶା ପୋଲିସ ହାବିଲଦାର, କନେଷ୍ଟବଳ ଏବଂ ସିପାହୀ ମହାସଂଘ ର ସଭାପତି, ଶ୍ରୀ ଅନିଲ କୁମାର ଷଣ୍ଢ, ଉପସଭାପତି, ଶ୍ରୀ ସନ୍ତୋଷ କୁମାର ମହାନ୍ତି, ସାଧାରଣ ସମ୍ପାଦକ, ଶ୍ରୀ କିଶୋର କୁମାର ମହାନ୍ତି ସମେତ ଅନ୍ଯାନ୍ଯ ସଦସ୍ୟମାନେ ଉପସ୍ଥିତ ଉପସ୍ଥିତ ଥିଲ ।