ଡିଡିୟୁ-ଜିକେୱାଇ ଦକ୍ଷତା ବିକାଶ ତାଲିମ୍‌ କାର୍ଯ୍ୟକ୍ରମର ଶୁଭାରମ୍ଭ

ଭୁବନେଶ୍ୱର : ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଅଧୀନସ୍ଥ ଓର୍‌ମାସ୍‌ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ନିଯୁକ୍ତିଭିତ୍ତିକ ଦକ୍ଷତା ବିକାଶ ତାଲିମ୍‌ କାର୍ଯ୍ୟକ୍ରମ ଦୀନ୍‌ଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଲ୍ୟ ଯୋଜନା (ଡିଡିୟୁ-ଜିକେୱାଇ)ର ତାଲିମ୍‌ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି । ଶୁକ୍ରବାର ପୂର୍ବାହ୍ନରେ ଖୋର୍ଦ୍ଧା ଜିଲ୍ଲା କଣ୍ଟାବାଡ଼ଠାରେ ଥିବା ଡିଡିୟୁ-ଜିକେୱାଇର ଦୁଇଟି ତାଲିମ୍‌ କେନ୍ଦ୍ରରେ ଏହି ତାଲିମ କାର୍ଯ୍ୟକ୍ରମର ଶୁଭ ଉଦ୍‌ଘାଟନ କରାଯାଇଥିଲା । କାର୍ଯ୍ୟକ୍ରମରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିିଭାଗ ଏବଂ ଗ୍ରାମ୍ୟ ଉନ୍ନୟନ ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ରବି ନାରାୟଣ ନାଏକ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ମନ୍ତ୍ରୀ ଶ୍ରୀ ନାଏକ ପ୍ରଥମେ ସାହାନା କ୍ଲଥିଂ କମ୍ପାନି ଦକ୍ଷତା ବିକାଶ ତାଲିମ୍‌ କେନ୍ଦ୍ରରେ ତାଲିମ କାର୍ଯ୍ୟକ୍ରମର ଶୁଭ ଉଦ୍‌ଘାଟନ କରିଥିଲେ । ଏହି ଅବସରରେ ସେଠାରେ ସିଲାଇ ମେସିନ୍‌ ଅପରେଟର ଟ୍ରେଡ୍‌ରେ ତାଲିମ୍‌ ଗ୍ରହଣ କରୁଥିବା ପ୍ରଶିକ୍ଷାର୍ଥୀଙ୍କ ସହିତ ମନ୍ତ୍ରୀ ବାର୍ତ୍ତାଳାପ କରିବା ସହ ସିଲାଇ ମେସିନ୍‌ ଲାବ୍‌, କମ୍ପୁ୍ୟଟର ଲ୍ୟାବ୍‌, କ୍ୟାଣ୍ଟିନ୍‌, ହଷ୍ଟେଲ ଏବଂ ଶ୍ରେଣୀଗୃହ ଆଦି ବୁଲି ଦେଖିଥିଲେ । ପରେ ଆୟୋଜିତ ସଭାରେ ନବାଗତା ପ୍ରଶିକ୍ଷାର୍ଥୀମାନଙ୍କୁ ମନ୍ତ୍ରୀ ପାଠ୍ୟ ଉପକରଣ ପ୍ରଦାନ କରିଥିଲେ । ଏଥି ସହ ପୂର୍ବରୁ ସିଲାଇ ମେସିନ୍‌ ଅପରେଟର ଟ୍ରେଡ୍‌ରେ ତାଲିମ୍‌ ଗ୍ରହଣ କରି ସାହାନା କମ୍ପାନିରେ ତାମିଲନାଡୁର କୋଏମ୍ବାଟୁର ସହରରେ ଚାକିରି କରିଥିବା ଓଡ଼ିଆ ଯୁବତୀଙ୍କ ସହ ଆଭାସି ଜରିଆରେ ମନ୍ତ୍ରୀ ଶ୍ରୀ ନାଏକ ବାର୍ତ୍ତାଳାପ କରିବା ସହ ସେମାନଙ୍କ ଭଲମନ୍ଦ ପଚାରି ବୁଝିଥିଲେ । ତାଲିମ୍‌ ବ୍ୟବସ୍ଥାରେ ବିଭିନ୍ନ ସୁବିଧା ଓ ପ୍ରଶିକ୍ଷାର୍ଥୀମାନଙ୍କ ଅନୁଭୂତି ଜାଣିବା ପରେ ମନ୍ତ୍ରୀ ଓର୍‌ମାସ୍‌ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ଏହି ଯୋଜନାକୁ ନେଇ ଖୁସି ପ୍ରକଟ କରିଥିଲେ । ଆୟୋଜିତ ସଭାରେ ମନ୍ତ୍ରୀ ଶ୍ରୀ ନାଏକ ପ୍ରଶିକ୍ଷାର୍ଥୀମାନଙ୍କୁ ଆଗାମୀ ଦିନରେ ତାଲିମ୍‌ ଗ୍ରହଣ କରି କେବଳ ଚାକିରି ନ କରି ଆତ୍ମନିର୍ଭରଶୀଳ ହେବା କିମ୍ବା ନିଜ ଦ୍ୱାରା କୌଣସି କେନ୍ଦ୍ର ଆଦି ଖୋଲିବା ବା ପରିଚାଳନା କରିବା ଉପରେ ଗୁରୁତ୍ୱ ପ୍ରଦାନ କରିବାକୁ ପରାମର୍ଶ ଦେଇଥିଲେ । ଏହା ପରେ କଣ୍ଟାବାଡ଼ଠାରେ ଥିବା କଟନ୍‌ ବ୍ଲୁସମ୍‌ କମ୍ପାନି ତାଲିମ କେନ୍ଦ୍ରରେ ମନ୍ତ୍ରୀ ତାଲିମ୍‌ କାର୍ଯ୍ୟକ୍ରମର ଶୁଭ ଉଦ୍‌ଘାଟନ କରିଥିଲେ । ଏହି ଅବସରରେ ମନ୍ତ୍ରୀ ତାଲିମ କେନ୍ଦ୍ର ପ୍ରଦର୍ଶନ କରିବା ସହ ସେଠାରେ ପ୍ରଶିକ୍ଷାର୍ଥୀମାନଙ୍କ ସହିତ ତାଲିମ ବ୍ୟବସ୍ଥା, ହଷ୍ଟେଲ ସୁବିଧା, ସେମାନଙ୍କ ପରିବାର କଥା ଆଦି ପ୍ରସଙ୍ଗରେ କଥାବାର୍ତ୍ତା କରିଥିଲେ । ସେଠାରେ ମଧ୍ୟ ମନ୍ତ୍ରୀ ନବାଗତା ପ୍ରଶିକ୍ଷାର୍ଥୀଙ୍କୁ ପାଠ୍ୟ ଉପକରଣ ବଣ୍ଟନ କରିଥିଲେ । ଜିଲ୍ଲା ପ୍ରଶାସନ, ଖୋର୍ଦ୍ଧା ଏବଂ ଓର୍‌ମାସ୍‌ର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଓର୍‌ମାସ୍‌ର ଅତିରିକ୍ତ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଚକ୍ରବର୍ତ୍ତୀ ସିଂହ ରାଠୋରଙ୍କ ସମେତ ଓର୍‌ମାସ୍‌ର ବରିଷ୍ଠ ଅଧିକାରୀ, ଖୋର୍ଦ୍ଧା ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ, ଦୁଇ ତାଲିମ୍‌ କେନ୍ଦ୍ରର କର୍ମଚାରୀ ଉପସ୍ଥିତ ଥିଲେ । କେନ୍ଦ୍ରୀୟ ଅନୁଦାନପ୍ରାପ୍ତ ଏହି ଡିଡିୟୁ-ଜିକେୱାଇ ଯୋଜନାରେ ୨୦୨୫-୨୬ ବର୍ଷ ପାଇଁ ୧୧ ହଜାର ୪୩୨ ଜଣ ଯୁବକଯୁବତୀଙ୍କୁ ତାଲିମ ପ୍ରଦାନ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଏଥି ପାଇଁ ୧୩ଟି ପ୍ରକଳ୍ପ କାର୍ଯ୍ୟକାରୀ ସଂସ୍ଥା (Project Implementing Agencies)କୁ ଚୟନ କରାଯାଇଛି । ୧୩ଟି କେନ୍ଦ୍ରରେ ଏହି ତାଲିମ୍‌ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି ।