ଭୁବନେଶ୍ୱର : ସମଗ୍ର ଶିକ୍ଷା କାର୍ଯ୍ୟକ୍ରମରେ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ସ୍ତରରେ ସ୍କିମାଟିକ୍ କନିଷ୍ଠ ଶିକ୍ଷକମାନେ [Junior Teacher ( Schematic)] ନିୟୋଜିତ ହୋଇଛନ୍ତି। ସେମାନଙ୍କୁ ମାସିକ 11,100 ଟଙ୍କା ପାରିଶ୍ରମିକ ଦିଆଯାଉଛି ।
ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏହି ବର୍ଗର ଶିକ୍ଷକ ମାନଙ୍କର ମାସିକ ପାରିଶ୍ରମିକକୁ ବୃଦ୍ଧି କରିବା ପାଇଁ ନିଷ୍ପତ୍ତି ନେଇ ଏ ସଂପର୍କିତ ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି ।
ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ଅନୁଯାୟୀ ଏହି ଶିକ୍ଷକ ମାନଙ୍କ ମାସିକ ପାରିଶ୍ରମିକ 11,100 ଟଙ୍କାରୁ ବୃଦ୍ଧି ପାଇ 16,000 ଟଙ୍କା କରାଯାଇଛି । ଏହାସହିତ ଏହି ବର୍ଗର ଶିକ୍ଷକ ମାନଙ୍କ ଇପିଏଫ ପରିମାଣ ମଧ୍ୟ 1443 ଟଙ୍କାରୁ 1950 ଟଙ୍କାକୁ ବୃଦ୍ଧି ପାଇଛି । ଏହି ନିଷ୍ପତ୍ତି ଦ୍ୱାରା ରାଜ୍ୟ ସରକାର ପ୍ରତ୍ୟେକ ସ୍କିମାଟିକ କନିଷ୍ଠ ଶିକ୍ଷକଙ୍କ ପାଇଁ ପୂର୍ବରୁ 12,543 ଟଙ୍କା ପ୍ରଦାନ କରୁଥିବା ବେଳେ, ଏବେ ମାସକୁ 17,950 ଟଙ୍କା ପ୍ରଦାନ କରିବେ ।
ସୂଚନାଯୋଗ୍ୟ ଯେ ରାଜ୍ୟରେ ବର୍ତ୍ତମାନ 13,740 ଜଣ ସ୍କିମାଟିକ କନିଷ୍ଠ ଶିକ୍ଷକ କାର୍ଯ୍ୟରତ ଅଛନ୍ତି । ଏଥିପାଇଁ ରାଜ୍ୟ ସରକାର ବର୍ଷକୁ ଅତିରିକ୍ତ 89.15 କୋଟି ଟଙ୍କା ବହନ କରିବେ ।
ରାଜ୍ୟରେ ପ୍ରାଥମିକ ଶିକ୍ଷାର ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । 16,000 ରୁ ଅଧିକ କନିଷ୍ଠ ଶିକ୍ଷକ ନିଯୁକ୍ତି କରାଯାଇଛି । ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା କାର୍ଯ୍ୟକାରୀ କରିଛନ୍ତି । ଏହାଦ୍ୱାରା ଏହି ବର୍ଗର କନିଷ୍ଠ ଶିକ୍ଷକମାନେ ଉପକୃତ ହେବେ ଏବଂ ଏହାଦ୍ୱାରା ପ୍ରାଥମିକ ଶିକ୍ଷାରେ ଗୁଣାତ୍ମକ ଉନ୍ନତି ଆସିବ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଛନ୍ତି ।