ସିଙ୍ଗାପୁର ରାଷ୍ଟ୍ରପତି, ଓଡ଼ିଶାର ଖାଦ୍ୟ, କଳା ଓ ହସ୍ତଶିଳ୍ପର ଉଚ୍ଚ ପ୍ରଶଂସା କଲେ

ଭୁବନେଶ୍ଵର : ସିଙ୍ଗାପୁର ରାଷ୍ଟ୍ରପତି ଶ୍ରୀ ଥରମନ୍ ସନମୁଗରତ୍ନମ୍ ଆଜି ଭୁବନେଶ୍ୱର ସ୍ଥିତ ହସ୍ତଶିଳ୍ପ ସଂଗ୍ରହାଳୟ କଳାଭୂମିରେ ଦୀର୍ଘ ୪ ଘଣ୍ଟା ସମୟ ବିତାଇ ଓଡ଼ିଶାର କଳା, ହସ୍ତତନ୍ତ ଓ ହସ୍ତଶିଳ୍ପର ଉଚ୍ଚ ପ୍ରଶଂସା କରିଛନ୍ତି । ସନ୍ଧ୍ୟା ୭.୩୦ ରୁ ୧୧.୩୦ ପର୍ଯ୍ୟନ୍ତ ରାଷ୍ଟ୍ରପତି ସନମୁଗରତ୍ନମ୍ ସେଠାରେ ସମୟ ଅତିବାହିତ କରିଥିଲେ ।

ଏହି ଅବସରରେ ସିଙ୍ଗାପୁର ରାଷ୍ଟ୍ରପତିଙ୍କ ସହିତ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ବମପାଟି, ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏବଂ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ଥିଲେ ।

କଳା ଭୂମିର ବିଭିନ୍ନ ଗ୍ୟାଲେରୀ ପରିଦର୍ଶନ କରି ରାଷ୍ଟ୍ରପତି ସନମୁଗରତ୍ନମ୍ ଓଡ଼ିଶାର କଳା, ହସ୍ତତନ୍ତ ଓ ହସ୍ତଶିଳ୍ପ ସାମଗ୍ରୀ ଦେଖିଥିଲେ । ଜଗନ୍ନାଥ ଗ୍ୟାଲେରୀ ରେ ସେ ବେଶ୍ କିଛି ସମୟ ବିତାଇ ଓଡ଼ିଶାର ଆଧ୍ୟାତ୍ମିକ ଚେତନା ଓ ପରମ୍ପରାର ମଧ୍ୟ ପ୍ରଶଂସା କରିଥିଲେ ।

ଏହି ଅବସରରେ ରାଷ୍ଟ୍ରପତିଙ୍କ ପତ୍ନୀ ଏକ ଶାଢୀ ମଧ୍ୟ କିଣିଥିଲେ । ଏହାର ମୂଲ୍ୟ ସେ UPI ଜରିଆରେ ପ୍ରଦାନ କରିଥିଲେ । ସୂଚନା ଯୋଗ୍ୟ ଯେ ଏକ ସହଜ ଓ ସରଳ ଦେୟ ପ୍ରଦାନ ବ୍ୟବସ୍ଥା ଭାବେ, ଭାରତର ଏହି ଡିଜିଟାଲ ପେମେଣ୍ଟ ବ୍ୟବସ୍ଥା ସାରା ପୃଥିବୀରେ ପ୍ରସିଦ୍ଧି ଅର୍ଜନ କରିଛି ।

ଏହି ଅବସରରେ ରାଷ୍ଟ୍ରପତି ସେଠାରେ ରାତ୍ରୀ ଭୋଜନ କରିବା ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଦେଖିଥିଲେ । ଏଥିରେ ରାଷ୍ଟ୍ରପତିଙ୍କୁ ପାରମ୍ପରିକ ଓଡ଼ିଆ ଖାଦ୍ୟ ପରସା ଯାଇଥିଲା । ରାଷ୍ଟ୍ରପତି ସନମୁଗରତ୍ନମ୍ ଓଡ଼ିଶାର ଖାଦ୍ୟ ଅତ୍ୟନ୍ତ ସ୍ଵାଦିଷ୍ଟ ବୋଲି ମନ୍ତବ୍ୟ ଦେଇଥିଲେ ।

ରାଷ୍ଟ୍ରପତି ଓ ତାଙ୍କ ପତ୍ନୀଙ୍କ ଉଦ୍ଦେଶ୍ୟରେ ଓଡ଼ିଶୀ ନୃତ୍ୟ ସହିତ ଓଡ଼ିଶା ଓ ସିଙ୍ଗାପୁରର ଏକ ଫୁଜନ୍ ନୃତ୍ୟ ପରିବେଷଣ କରାଯାଇଥିଲା । ରାଷ୍ଟ୍ରପତି ସନମୁଗରତ୍ନମ୍ ଓଡ଼ିଶୀ ନୃତ୍ୟ ଓ ସଙ୍ଗୀତର ମଧ୍ୟ ଭୂୟସୀ ପ୍ରଶଂସା କରିଥିଲେ ।