ବିଜୁ ଜନତା ଦଳ ସରକାର ସମୟରେ କାହିଁ କି ଅନ୍ୟ ମୁଖ୍ୟମନ୍ତ୍ରୀମାନଙ୍କୁ ସଠିକ୍ ସମ୍ମାନ ଦିଆଯାଉନଥିଲା

ଭୁବନେଶ୍ୱର : ଏପ୍ରିଲ ମାସ ୨୪ ତାରିଖକୁ ପଂଚାୟତିରାଜ ଦିବସ ଭାବରେ ପାଳନ କରିବା ପାଇଁ ରାଜ୍ୟ ସରକାର ନେଇଥିବା ନିଷ୍ପତି ସ୍ୱାଗତଯୋଗ୍ୟ । ଭାରତ ବର୍ଷର ଗଣତନ୍ତ୍ରରେ ଏପ୍ରିଲ ୨୪ ତାରିଖ ହେଉଛି ଏକ ଐତିହାସିକ ଦିନ । ଏହି ଦିନରେ ଦେଶରେ ସମ୍ବିଧାନର ୭୩ତମ ସଂଶୋଧନକୁ ଲାଗୁ କରାଯାଇ ପଂଚାୟତିରାଜ ବ୍ୟବସ୍ଥାକୁ ସାମ୍ବିଧାନିକ ମାନ୍ୟତା ମିଳିଥିଲା । ଯାହାଫଳରେ ଆଜି ଦେଶରେ ଲକ୍ଷ ଲକ୍ଷ ତୃଣମୂଳ ସ୍ତରର ପଂଚାୟତ ଜନପ୍ରତିନିଧିମାନେ ଗଣତନ୍ତ୍ରରେ ଭାଗନେବାର ସୁଯୋଗ ପାଉଛନ୍ତି ଏବଂ ନିଜ ଅଂଚଳର ଦାୟିତ୍ୱ ନିଜେ ନେଇପାରୁଛନ୍ତି । ରାଜନୈତିକ ସ୍ୱାର୍ଥ ପାଇଁ ପଂଚାୟତିରାଜ ଦିବସକୁ ବିଭ୍ରାନ୍ତି କରିଥିଲା ବିଜେଡି ବୋଲି ରାଜ୍ୟ ମୁଖପାତ୍ର ଶ୍ରୀ ଅନିଲ ବିଶ୍ୱାଳ କହିଛନ୍ତି । ଶ୍ରୀ ବିଶ୍ୱାଳ କହିଛନ୍ତି ଯେ, ଯେତେବେଳେ ସାରା ଦେଶ ଏପ୍ରିଲ ୨୪କୁ ପଂଚାୟତିରାଜ ଦିବସ ଭାବେ ପାଳନ କରୁଛି ଓଡିଶା ମଧ୍ୟ ଏହିଦିନକୁ ପଂଚାୟତିରାଜ ଦିବସ ଭାବରେ ପାଳନ କରିବା ପାଇଁ ଯାଉଛି । ଆଶ୍ଚର୍ଯ୍ୟ ଯେ ବିଜେଡିକୁ କାହିଁକି ଏହା ବାଧୁଛି, ସେମାନେ କାହିଁକି ଏହାର ସମାଲୋଚନା କରୁଛନ୍ତି ? କେବଳ ନିଜର ରାଜନୈତିକ ସ୍ୱାର୍ଥରେ ବାଧା ଆସୁଥିବାରୁ ବିଜେଡି ବୋଧେ ଏପ୍ରିଲ ୨୪ ଭଳି ଐତିହାସିକ ଦିନକୁ ଭୁଲି ଯାଇଥିଲା । ରାଜ୍ୟ ସରକାର ମାର୍ଚ୍ଚ ୫ ତାରିଖକୁ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀକୁ ସରକାରୀ ସ୍ତରରେ ମହାସମାରୋହରେ ପାଳନ କରିବା କଥା ସ୍ପଷ୍ଟ କରିସାରିଛନ୍ତି । ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକଙ୍କୁ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ନିମନ୍ତ୍ରଣ ମଧ୍ୟ କରିଛନ୍ତି । ତେଣୁ ଏ ନେଇ କୌଣସି ବିବାଦ ବିଜୁ ଜନତା ଦଳ କରିବା ଉଚିତ୍ ନୁହେଁ ବୋଲି ଶ୍ରୀ ବିଶ୍ୱାଳ କହିଛନ୍ତି । ଓଡିଶାର ଅନେକ ପୂର୍ବତନ ମୁଖ୍ୟମନ୍ତ୍ରୀ ଯେପରିକି ଉତ୍କଳ କେଶରୀ ହରେକୃଷ୍ଣ ମହତାବ, ଜାନକୀ ବଲ୍ଲଭ ପଟ୍ଟନାୟକ, ନନ୍ଦିନୀ ଶତପଥୀ, ନବକୃଷ୍ଣ ଚୌଧୁରୀଙ୍କ ଜନ୍ମ ଜୟନ୍ତୀ ସରକାରୀ ସ୍ତରରେ ପାଳନ କରାଯାଉଛି । ସେଭଳି ବିଜୁ ବାବୁଙ୍କର ମଧ୍ୟ ପାଳନ କରାଯିବ । କୌଣସି ଅନ୍ୟ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କର ଜନ୍ମଜୟନ୍ତୀକୁ ବିଜେଡି ସରକାର ସମୟରେ ଛୁଟି ଭାବରେ ଘୋଷଣା କରାଯାଇଥିଲା କି ? ବିଜୁ ଜନତା ଦଳ କାହିଁକି ତାଙ୍କ ସରକାର ସମୟରେ ଅନ୍ୟ ପୂର୍ବତନ ମୁଖ୍ୟମନ୍ତ୍ରୀମାନଙ୍କୁ ସଠିକ୍ ସମ୍ମାନ ଦେଉନଥିଲା ତାହାର ଉତର ବିଜେଡି ଦେବା ଦରକାର । ଓଡିଶା ଗଠନରେ ଅନେକ ବରେଣ୍ୟ ନେତୃତ୍ୱ ମାନଙ୍କର ଅବଦାନ ରହିଆସିଛି । କିନ୍ତୁ ବିଜୁ ଜନତା ଦଳ ଏହାକୁ ସ୍ୱୀକାର କରିବାକୁ ନାରାଜ୍ ଯାହା ଦୁଃଖଦାୟକ । ସେହିଭଳି ବିଜୁବାବୁଙ୍କ ଭଳି ବଳିଷ୍ଠ ନେତୃତ୍ୱର ଅଧିକାରୀ ବ୍ୟକ୍ତିଙ୍କୁ ବିଜୁ ଜନତା ଦଳ ନିଜ ଦଳ ଭିତରେ ସୀମିତ ରଖିବାର ପ୍ରୟାସ ସେମାନଙ୍କର ଦୂରଦୃଷ୍ଟି ହୀନତାର ପ୍ରମାଣ ବୋଲି ଶ୍ରୀ ବିଶ୍ୱାଳ କହିଛନ୍ତି ।