ମାନବୀୟ ଭାବନାର ସବୁଠୁ ଚମତ୍କାର ଅଭିବ୍ୟକ୍ତି ହେଉଛି କବିତା:ଉପରାଷ୍ଟ୍ରପତି ଏମ ଭେଙ୍କେୟା ନାଇଡ଼ୁ

ଆମେ କରୁଣା, ଦୟା ଏବଂ ସକାରାତ୍ମକତାର ପ୍ରଦର୍ଶନ କରିବା ଆବଶ୍ୟକ

 ବିଶ୍ୱ କବି ସମ୍ମିଳନୀରେ ଉପରାଷ୍ଟ୍ରପତି ଶ୍ରୀ ଏମ ଭେଙ୍କେୟା ନାଇଡ଼ୁଙ୍କ ଅଭିଭାଷଣ

 

ଭୁବନେଶ୍ୱର:ବିଶ୍ୱ କବି ସମ୍ମିଳନୀର ଉଦଯାପନୀ ସମାରୋହ ପାଇଁ ସାରା ଭାରତରୁ ଏବଂ ବିଶ୍ୱର ବିଭିନ୍ନ ଦେଶରୁ ଏଠାରେ ଏକତ୍ରିତ ହୋଇଥିବା ପ୍ରତିଭା ସମ୍ପନ୍ନ ଓ ଉତ୍ସାହୀ କବିମାନଙ୍କ ଗହଣରେ ନିଜକୁ ପାଇ ମୁଁ ଆନନ୍ଦିତ ।

କଳିଙ୍ଗ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି (କିଟ) ଏବଂ କଳିଙ୍ଗ ଇନଷ୍ଟିଚ୍ୟୁଟ ଅଫ ସୋସିଆଲ ସାଇନ୍ସେସ (କିସ)କୁ ଆସି ମୁଁ ଆନନ୍ଦିତ ।

ଦେଶ ତଥା ବିଦେଶର ୨୭ ହଜାର ଛାତ୍ରଛାତ୍ରୀଙ୍କୁ ନେଇ ଏହି ଶିକ୍ଷାନୁଷ୍ଠାନର ଗୌରବ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ।

ଉତ୍କର୍ଷ ପ୍ରତି ପୂର୍ଣ୍ଣ ସମର୍ପଣ ଲାଗି ଏହି ଶିକ୍ଷାନୁଷ୍ଠାନ ବିଭିନ୍ନ ଅନ୍ତର୍ଜାତୀୟ ତଥା ଜାତୀୟ ପୁରସ୍କାର ଓ ସମ୍ମାନ ପାଇଥିବା ଜାଣି ମୁଁ ଆନନ୍ଦିତ ।

ଜନଜାତି ସମୁଦାୟର ପିଲାମାନଙ୍କୁ ଶିକ୍ଷା ଦାନ ଲାଗି ଏହି ଶିକ୍ଷାନୁଷ୍ଠାନର ପ୍ରୟାସ ମଧ୍ୟ ବାସ୍ତବରେ ଉଲ୍ଲେଖନୀୟ ।

ସମସ୍ତଙ୍କୁ ଉନ୍ନତମାନର ଶିକ୍ଷା ପ୍ରଦାନ କରି ‘ଉତ୍କର୍ଷ ମାନ୍ୟତା’ ପାଇଥିବା କିଟକୁ ମୁଁ ଅଭିନନ୍ଦନ ଜଣାଉଛି ।

ମୁଁ ମଧ୍ୟ ଏହି ଅବସରରେ କିଟର ଉତ୍ସାହୀ ପ୍ରତିଷ୍ଠାତା ଶ୍ରୀ ଅଚ୍ୟୁତ ସାମନ୍ତଙ୍କୁ ଅଭିନନ୍ଦନ ଏବଂ ପ୍ରଶଂସା ଜଣାଇବାକୁ ଚାହେଁ ।

ଲକ୍ଷ ଲକ୍ଷ ଆଦିବାସୀ ଲୋକଙ୍କ ଜୀବନରେ ସଂସ୍କାର ଓ ପରିବର୍ତନ ଆଣିବା ଲାଗି ତାଙ୍କର ନିରନ୍ତର ପ୍ରୟାସ ବାସ୍ତବରେ ପ୍ରଶଂସନୀୟ ।

ଶାନ୍ତି ଓ ଭ୍ରାତୃତ୍ୱ ଭାବର ପ୍ରୋତ୍ସାହନ ଲାଗି କବିତାକୁ ଶ୍ରେଷ୍ଠ ମାଧ୍ୟମ ଭାବେ ପରିକଳ୍ପନା କରିଥିବାରୁ ତାଙ୍କୁ ମୁଁ ପ୍ରଶଂସା କରିବାକୁ ଚାହେଁ ।

ତାଙ୍କର ଏହି ପରିକଳ୍ପନା କାରଣରୁ ଆଜି ଆମେ ସମସ୍ତେ ଏଠାରେ ବିଚାର, ଶବ୍ଦ, ଭାଷା, ଛନ୍ଦ ଓ ଅର୍ଥର ଉତ୍ସବ ପାଳିବା ଲାଗି ଏକାଠି ହୋଇଛୁ ।

ବିଶ୍ୱ କବି ସମ୍ମିଳନୀ ଚଳିତ ବର୍ଷ ଭାରତର ଏହି ସୁନ୍ଦର ଏବଂ ଐତିହାସିକ ରାଜ୍ୟ ଓଡ଼ିଶାରେ ଆୟୋଜନ କରାଯିବା ଆମ ସମସ୍ତଙ୍କ ପାଇଁ ଗୌରବର ବିଷୟ ।

ଏହି ସମ୍ମିଳନୀର ବିଷୟବସ୍ତୁ “କବିତା ମାଧ୍ୟମରେ ସହୃଦୟତା” ଦ୍ୱାରା ମୁଁ ଗଭୀର ଭାବେ ପ୍ରଭାବିତ ।

ମୋର ବିଶ୍ୱାସ ଯେ କରୁଣା ଆମ ସମସ୍ତଙ୍କର ଜନ୍ମଜାତ ପ୍ରବୃତି ।

ଏହାକୁ ଆମେ ହୃଦୟଙ୍ଗମ କରିବା ଉଚିତ ଏବଂ ଯେ ପର୍ଯ୍ୟନ୍ତ ଏହା ଆମ ଅଭ୍ୟାସ ଓ କାର୍ଯ୍ୟରେ ପରିଣତ ନହୋଇଛି ଏହାକୁ ସଚେତନ ଭାବେ ଅଭ୍ୟାସ କରିବା ଉଚିତ ।

ଆମେ କରୁଣା, ଦୟା ଏବଂ ସକାରାତ୍ମକତାର ପ୍ରଦର୍ଶନ କରିବା ଆବଶ୍ୟକ ।

ସହୃଦୟତା କବିତାର କେନ୍ଦ୍ରବିନ୍ଦୁ ।

ପ୍ରଥମ ଶ୍ଳୋକ “ମା ନିଶାଦ”ର ଉଚ୍ଚାରଣ ସହିତ ଆଦି କାବ୍ୟ ରାମାୟଣ ଆରମ୍ଭ ହୋଇଛି, ଏଥିରେ ମହର୍ଷି ବାଲ୍ମିକୀ ପକ୍ଷୀର ଜୀବନ ରକ୍ଷା ଲାଗି ଶିକାରୀକୁ ନିବେଦନ କରୁଛନ୍ତି ।

ମୂଲ୍ୟବାନ ଜୀବନ ହାନିକୁ ଦେଖି ତାଙ୍କର ‘ଶୋକ’ରୁ ହିଁ ‘ଶ୍ଳୋକ’ ବା ‘କବିତା’ର ଜନ୍ମ ହୋଇଛି ।

କରୁଣାରୁ ହିଁ କରୁଣା ଉତ୍ପନ୍ନ ହୋଇଥାଏ ।

ଏହି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବିଚାର, ଯେତେବେଳେ କବିତାର ଶକ୍ତିଶାଳୀ ମାଧ୍ୟମରେ ପ୍ରଚାରିତ ହୋଇଥାଏ, ଏଥିରେ ଦୁନିଆକୁ ବଦଳାଇ ଦେବାର ସାମର୍ଥ୍ୟ ଥାଏ ।

ସାରା ବିଶ୍ୱରୁ ଓଡ଼ିଶାକୁ ଆସିଥିବା କବିମାନଙ୍କୁ ମୁଁ ସ୍ୱାଗତ କରୁଛି ।

ମୁଁ ନିଶ୍ଚିତ ଯେ ଆପଣମାନେ ଏହି ସମ୍ମିଳନୀ ଏବଂ ଭାରତରୁ ସୁନ୍ଦର ଅନୁଭୂତି ନେଇ ଫେରିବେ ।

ମୋର ପ୍ରିୟ ଭାଇ ଓ ଭଉଣୀମାନେ, ମାନବୀୟ ଭାବନାର ସବୁଠୁ ଚମତ୍କାର ଅଭିବ୍ୟକ୍ତି ହେଉଛି କବିତା ।

ଏହା ଗଭୀର ଅନ୍ତଦୃଷ୍ଟିକୁ ବ୍ୟକ୍ତ କରିଥାଏ, ଭାବନାକୁ ବିସ୍ତାରିତ କରିଥାଏ ତଥା ମାନବୀୟ ଅଭିଜ୍ଞତାକୁ ଉଚ୍ଚସ୍ତରର ଚେତନା ଆଡ଼କୁ ନେଇଯାଇଥାଏ ।

ତେବେ ମାନବୀୟ ଭାବନାର ଗଭୀର ରସାୟନ ଉପରେ ଏହାର ପ୍ରଭାବକୁ ବିବେଚନା କରିବା ଗୁରୁତ୍ୱପୂର୍ଣ୍ଣ ।

ଆମେ କିଭଳି ଗ୍ରହଣ କରିଥାଉ, କିଭଳି ପ୍ରତିକ୍ରିୟା ପ୍ରକାଶ କରିଥାଉ ଏବଂ କିଭଳି ଆଚରଣ କରିଥାଉ-ଏସବୁ ସାହିତ୍ୟ ଏବଂ ଲଳିତ କଳା ଦ୍ୱାରା ବ୍ୟାପକ ଭାବେ ବ୍ୟକ୍ତ ହୋଇଥାଏ ।

ସାହିତ୍ୟ ମଞ୍ଚରେ କବିତାର ଏକ ବିଶେଷ ପ୍ରଭାବ ରହିଛି ।

କବିତା କେବଳ ଏକ ରଚନା ନୁହେଁ, ଏହା ଏକ ସୁନ୍ଦର ଅଭିବ୍ୟକ୍ତି ।

କବିମାନେ କେବଳ ସାଧାରଣ ଶବ୍ଦଗୁଡ଼ିକ ମାଧ୍ୟମରେ ନିଜକୁ ବ୍ୟକ୍ତ କରିନଥା’ନ୍ତି ବରଂ ସେମାନେ ନିଜ ଶବ୍ଦ ଜରିଆରେ ଚିତ୍ର ଆଙ୍କିଥାନ୍ତି ।

ସେମାନେ ପଦ, ଛନ୍ଦ ଓ ମାଧୁର୍ଯ୍ୟ ମାଧ୍ୟମରେ ଜୀବନ ସଂଚାର କରିଥାନ୍ତି ।

କବିତା ଗଭୀର ଭାବନାକୁ ବ୍ୟକ୍ତ କରିଥାଏ, ଚମତ୍କାର ଚିତ୍ର ଓ ଲାଳିତ୍ୟ ସୃଷ୍ଟି କରିଥାଏ ଏବଂ ସତ୍ୟକୁ ସୁନ୍ଦର ଭାବେ ପରିବେଷଣ କରିଥାଏ ।

କବିତା ସହିତ ଭାରତର ସମ୍ପର୍କ ଏହାର ସଭ୍ୟତା ଭଳି ପ୍ରାଚୀନ ।

ପ୍ରାଚୀନ ଭାରତରେ କବିତା ଅଧିକ ସମୃଦ୍ଧ ହୋଇଥିଲା ।

ରାମାୟଣ ଓ ମହାଭାରତ ଭଳି ମହାନ ଭାରତୀୟ ମହାକାବ୍ୟକୁ ବର୍ତମାନ ସୁଦ୍ଧା ରଚିତ ହୋଇଥିବା କବିତା ମଧ୍ୟରୁ ସବୁଠୁ ଶ୍ରେଷ୍ଠ ଉଦାହରଣ ଭାବେ ବିବେଚନା କରାଯାଇଥାଏ ।

ବିଷୟବସ୍ତୁ, ଅସାଧାରଣ ଉଚ୍ଚାଙ୍ଗ ସାହିତ୍ୟ ତଥା ଏଥିରେ ଥିବା ଗଭୀର ସନ୍ଦେଶ ପାଇଁ କେବଳ ଭାରତରେ ନୁହେଁ ସାରା ବିଶ୍ୱରେ ଏସବୁ କାବ୍ୟର ସ୍ୱତନ୍ତ୍ର ଖ୍ୟାତି ରହିଛି ।

ଏସବୁ ମହାକାବ୍ୟ ଭାରତୀୟ ପରମ୍ପରାର ଗନ୍ତାଘର ଏବଂ ନୈତିକତା, ଧର୍ମ, ରାଜନୀତି ଓ ଆଦର୍ଶର ମହାନ ବିଶ୍ୱକୋଷ ।

ଭାରତର ଏକ ସୁଦୀର୍ଘ ଚମକ୍ରାର କାବ୍ୟ ପରମ୍ପରା ରହିଛି ଏବଂ ଏ ମାଟିରେ କାଳିଦାସ, ମୀରା ବାଇ, ତୁଲସୀ ଦାସ, ଅମିର ଖୁସ୍ରୁ, କବିର ଦାସ, ସରୋଜିନୀ ନାଇଡୁ, ସୁବ୍ରମଣ୍ୟ ଭାରତୀ, ମିର୍ଜା ଗାଲିବ, ରବୀନ୍ଦ୍ରନାଥ ଠାକୁରଙ୍କ ଭଳି ମହାନ କବିମାନେ ଜନ୍ମ ନେଇଛନ୍ତି ଯେଉଁମାନେ ସେମାନଙ୍କ କାବ୍ୟକୃତି ବଳରେ ସମସ୍ତଙ୍କୁ ବିମୁଗ୍ଧ କରିପାରିଛନ୍ତି ।

ଭାରତ ସମ୍ପର୍କରେ ମାର୍କ ଟ୍ୱାଇନଙ୍କ ବକ୍ତବ୍ୟକୁ ମୁଁ ମନେ ପକାଇଦେବାକୁ ଚାହେଁ- “ଭାରତ ମାନବ ସଭ୍ୟତାର ଉତ୍ପତିସ୍ଥଳ, ଭାଷାର ଜନ୍ମସ୍ଥାନ, ଇତିହାସର ମାତା, ମହାଗାଥାର ମାତାମହୀ, ପରମ୍ପରାର ପ୍ରମାତାମହୀ ।”

ମୋର ପ୍ରିୟ ଭାଇ ଓ ଭଉଣୀମାନେ, ମୋର ବିଶ୍ୱାସ ଯେ ଏକ ସଚେତନ ଏବଂ ସୁସ୍ଥ ସମାଜ ଗଠନ ଲାଗି କଳା ଓ ସଂସ୍କୃତିର ପ୍ରୋତ୍ସାହନ ଜରୁରି ।

କଳା ସମାଜରେ ସୃଜନଶୀଳତାକୁ ପରିପୃଷ୍ଟ କରିଥାଏ ।

ସୃଜନାତ୍ମକ ସ୍ୱର ନଥିଲେ ସମାଜ ନିଶ୍ଚଳ ହୋଇଯାଇଥାଏ ।

ଜୀବବିଜ୍ଞାନୀମାନଙ୍କ ଯୁକ୍ତି ହେଉଛି ମାନବୀୟ କ୍ରମବିକାଶର ସବୁଠୁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହେଉଛି ସୃଜନଶୀଳତାର ବିକାଶ ।

ସୃଜନଶୀଳ ବ୍ୟକ୍ତିଙ୍କ ବିନା ସମାଜର ପ୍ରଗତି ସମ୍ଭବ ନୁହେଁ ।

କଳାକାରମାନେ ଜୀବନକୁ ଅଧିକ ଜୀବନ୍ତ କରିଥାନ୍ତି ।

କିଛି କଳାକାର ଆମ ଜୀବନରେ ପରିବର୍ତନ ଆଣିଥାନ୍ତି, ସେମାନେ ଆମ ଦୃଷ୍ଟିକୋଣକୁ ବଦଳାଇ ଦେଇଥାନ୍ତି ।

କଳାକାରମାନେ ଅନେକ ସମୟରେ ସମାଜର ବିବେକକୁ ସୁରକ୍ଷା ଦେଇଥାନ୍ତି ।

ବିକୃତ ଓ ଅଯୌକ୍ତିକ ଚିନ୍ତାଧାରା ଓ କାର୍ଯ୍ୟକଳାପ ପ୍ରତି ସେମାନେ ନିରନ୍ତର ପ୍ରଶ୍ନ କରିଥାନ୍ତି ଏବଂ ସମାଜରେ ସକାରାତ୍ମକ ମୂଲ୍ୟବୋଧ ଜାଗ୍ରତ କରିବାରେ ସହାୟକ ହୋଇଥାନ୍ତି ।

ସାଂସ୍କୃତିକ ସମ୍ପର୍କକୁ ପ୍ରସାରିତ କରି ସେମାନେ ଆମ ହୃଦୟକୁ ଯୋଡ଼ିଥାନ୍ତି ।

ଏହା ଅବ୍ୟକ୍ତ ମାନବୀୟ ବିଶେଷତ୍ୱକୁ ଉଜାଗର କରିଥାଏ ।

ଗୋଟିଏ ପଢ଼ିରୁ ଅନ୍ୟ ପିଢ଼ି ମଧ୍ୟରେ ମୂଲ୍ୟବୋଧ ଓ ଜ୍ଞାନର ହସ୍ତାନ୍ତରଣରେ କବିତା ଏକ ଶକ୍ତିଶାଳୀ ମାଧ୍ୟମ ଭାବେ କାର୍ଯ୍ୟ କରିଥାଏ ।

ସଂଗୀତ ଓ କବିତାକୁ ଉପଯୋଗ କରି ନୈତିକତା ଏବଂ ମୂଲ୍ୟବୋଧର ଜ୍ଞାନ ଓ ଶିକ୍ଷା ଗୋଟିଏ ପିଢ଼ିରୁ ଅନ୍ୟ ପିଢ଼ିକୁ ହସ୍ତାନ୍ତରିତ ହୋଇ ଆସୁଛି ।

ଜ୍ଞାନ ଏପରିକି ବୈଜ୍ଞାନିକ ଜ୍ଞାନ ସଂଚାରଣ ଲାଗି ଭାରତୀୟ ପରମ୍ପରା କବିତା ଉପରେ ନିର୍ଭର କରି ଆସିଛି ।

ସର୍ବୋପରି, ମାନସିକତା, ଚିନ୍ତାଧାରା ଓ ସାମାଜିକ ମାନ୍ୟତାକୁ ପରିବର୍ତନ କରିବାର ସାମର୍ଥ୍ୟ କବିତା ପାଖରେ ରହିଛି ।

ସହାନୁଭୂତିଶୀଳ ବିଶ୍ୱ ପାଇଁ କବିତା ସବୁଠୁ ଶକ୍ତିଶାଳୀ ମାଧ୍ୟମ ହୋଇପାରିବ ।

ପ୍ରିୟ ଭାଇ ଓ ଭଉଣୀମାନେ ଏତେ ସଂଖ୍ୟକ କବିଙ୍କ ଗହଣରେ ଥାଇ ମୁଁ ଆନନ୍ଦିତ ।

ଏଠାରେ ଉପସ୍ଥିତ ଥିବା ଆପଣମାନଙ୍କ ମଧ୍ୟରୁ ପ୍ରତ୍ୟେକଙ୍କ ନିକଟରେ ପ୍ରଭାବ ସୃଷ୍ଟିକାରୀ ଏବଂ ମତ ସୃଷ୍ଟିକାରୀ ସାମର୍ଥ୍ୟ ରହିଛି ।

ବିଚାର, ଭାବନା ଓ ଦୃଷ୍ଟିକୋଣକୁ ରୂପ ଦେବାର ଅଭିନବ ସମ୍ଭାବନା ଆପଣମାନଙ୍କ ନିକଟରେ ରହିଛି ।

ମୋର ବିଶ୍ୱାସ ଯେ ଆପଣମାନେ ଏହି ମହାନ ଶକ୍ତିକୁ ଏକ ଉନ୍ନତ ବିଶ୍ୱ ନିର୍ମାଣରେ ଉପଯୋଗ କରିବେ ।

କବିତା ଶାନ୍ତିର ପ୍ରଚାର କରିବା ଉଚିତ, ସାର୍ବଜନୀନ ଭ୍ରାତୃତ୍ୱଭାବ, ସାମାଜିକ ସୌହାର୍ଦ୍ଦ୍ୟ ଓ ଶାନ୍ତି ପ୍ରତି ଲୋକମାନଙ୍କୁ ଅନୁପ୍ରାଣିତ କରିବା ଉଚିତ୍ ।

ସାମାଜିକ ପରିବର୍ତନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାର ଶକ୍ତିଶାଳୀ  ଭାବେ କାର୍ଯ୍ୟ କରିବାର ସାମର୍ଥ୍ୟ କବିତା ନିକଟରେ ରହିଛି ।

ବିଦ୍ୟାଳୟରେ କବିତା ଆବୃତି ଆୟୋଜନ କରିବା ଏବଂ ଏହାକୁ ପାଠ୍ୟକ୍ରମର ଏକ ବାଧ୍ୟତାମୂଳକ ବିଷୟବସ୍ତୁ ଭାବେ ସ୍ଥାନ ଦେବା ଲାଗି ମୁଁ ଅନୁରୋଧ କରୁଛି ।

ସାହିତ୍ୟ, କଳା ଓ ସମାଜ ବିଜ୍ଞାନ ଶିକ୍ଷାକୁ ପ୍ରୋତ୍ସାହିତ କରିବା ଲାଗି ମୁଁ ବିଶ୍ୱବିଦ୍ୟାଳୟଗୁଡ଼ିକୁ ଆହ୍ୱାନ କରୁଛି ।

ଡାକ୍ତର, ଇଞ୍ଜିନିୟର, ବୈଜ୍ଞାନିକଙ୍କ ଭଳି ଆମର କବି ଓ ଲେଖକ ଏବଂ କଳାକାର ଓ ସଙ୍ଗୀତଜ୍ଞଙ୍କ ଆବଶ୍ୟକତା ରହିଛି ।

ମୋ ହୃଦୟର ଅତି ନିକଟତର ଉଦ୍ଦେଶ୍ୟ, ଭାଷା ସଂରକ୍ଷଣ ଏବଂ ପ୍ରୋତ୍ସାହନ ଲାଗି ସାହିତ୍ୟର ପ୍ରୋତ୍ସାହନ ଏକ ପ୍ରଭାବଶାଳୀ ପଦ୍ଧତି ।

ଦୈନନ୍ଦିନ ଜୀବନରେ ଭାଷାର ବ୍ୟାପକ ଉପଯୋଗ ଦ୍ୱାରା ହିଁ ଏହାର ସଂରକ୍ଷଣ ଏବଂ ପ୍ରୋତ୍ସାହନ ସମ୍ଭବ ।

ଅଧିକରୁ ଅଧିକ ସଂଖ୍ୟକ ଲୋକଙ୍କୁ ସେମାନଙ୍କ ମାତୃଭାଷାରେ କବିତା, ଗଳ୍ପ, ଉପନ୍ୟାସ ଓ ନାଟକ ଲେଖିବା ନିମନ୍ତେ ପ୍ରୋତ୍ସାହନ ଦିଆଯିବା ଆବଶ୍ୟକ ।

ମୋର ଆଶା ଯେ ବିଶ୍ୱ ସମ୍ମୁଖରେ ଆପଣଙ୍କ କାବ୍ୟକୃତିକୁ ଉପସ୍ଥାପନ କରିବା ଲାଗି ବିଶ୍ୱ କବି ସମ୍ମିଳନୀ ଭଳି ସମାରୋହ ମଞ୍ଚ ପ୍ରଦାନ କରିବାରେ ସହାୟକ ହେବ ।

ସେହିପରି, ଏହି କାର୍ଯ୍ୟକ୍ରମ ଜରିଆରେ ନବାଗତ କବିମାନେ ଅନ୍ୟ କବିମାନଙ୍କ ଠାରୁ ପ୍ରେରଣା ଲାଭ କରିପାରିବେ ।

ବିଶିଷ୍ଟ ଭାରତୀୟ କବି ମମ୍ମଟଙ୍କୁ ଯେତେବେଳେ ପଚରାଗଲା ଯେ ସେ କାହିଁକି କବିତା ଲେଖନ୍ତି, ତାଙ୍କର ଏହି ଉତର ସହ ମୁଁ ମୋର ଅଭିଭାଷଣ ଶେଷ କରିବାକୁ ଚାହୁଁଛି ।

ସେ କହିଥିଲେ, “ମୁଁ ନାଁ କମାଇବା ଲାଗି ଓ ପ୍ରସିଦ୍ଧ ହେବା ଲାଗି ଲେଖୁଛି ।

ମୁଁ ମୋ ଜୀବିକା ନିର୍ବାହ ପାଇଁ ଲେଖୁଛି । କିନ୍ତୁ, ଏସବୁର ଊଦ୍ଧ୍ୱର୍ରେ, ବିଶ୍ୱରୁ ନକାରାତ୍ମକତା ଓ ମାନବ ସମାଜ ପାଇଁ ଅମଙ୍ଗଳକାରୀ ଚିନ୍ତାଧାରାକୁ ବଦଳାଇବା ପାଇଁ ମୁଁ ଲେଖୁଛି ।”

ମୋର ଆଶା ଯେ ଆପଣମାନେ କବିତାର ରେଶମୀ ସୂତାକୁ ଗୁନ୍ଥିବା ଦ୍ୱାରା ସାରା ବିଶ୍ୱର ବିଭିନ୍ନ ବର୍ଗର ଲୋକଙ୍କୁ ରୋମାଂଚିତ ଓ ଜାଗ୍ରତ କରିବେ ।

ଏହା ସାମଗ୍ରିକ ଭାବେ ଜନକଲ୍ୟାଣ ଲାଗି ପ୍ରେରଣାର ଅନ୍ତର୍ନିହିତ, ଅଦୃଶ୍ୟ ତଥା ନିରନ୍ତର ଉତ୍ସ ହୋଇପାରିବ ।

ମୁଁ ଆପଣମାନଙ୍କୁ ସମସ୍ତଙ୍କୁ ଶୁଭକାମନା ଜଣାଉଛି । ଧନ୍ୟବାଦ! ଜୟ ହିନ୍ଦ!

Categories
NATIONAL
Newsroll

RELATED BY

  • ଓଡ଼ିଶାରେ ୬ ବର୍ଷ ମଧ୍ୟରେ ୯ହଜାର ୯ ଶହ ୩୭ ଦଳିତ ଅତ୍ୟାଚାର ହୋଇଛନ୍ତି : କେନ୍ଦ୍ରମନ୍ତ୍ରୀ

    ଭୁବନେଶ୍ୱର: ସମାଜରେ ଦଳିତ ଓ ନିଷ୍ପେସିତମାନଙ୍କ ଉପରେ ହେଉଥିବା ଅତ୍ୟାଚାର ରୋକିବା ଉପରେ କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ରାମଦାସ ଅଠାୱଲେ ଗୁରୁତ୍ୱାରୋପ କରିଛନ୍ତି । ଆଜି ଭୁବନେଶ୍ୱରଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ...
  • ଓଡ଼ିଶାର ମୁଖ୍ୟ ଶାସନ ସଚିବଙ୍କୁ କାରଣ ଦର୍ଶାଅ ନୋଟିସ୍

    ଭୁବନେଶ୍ୱର : କେନ୍ଦ୍ରାପଡା ଜିଲ୍ଲାରେ ଏକ୍ସପାରି କୃମି ଔଷଧ ଖାଇ ୩୬ ଜଣ ଶିଶୁ ଅସୁସ୍ଥ ହେବା ଘଟଣାରେ ସ୍ୱାସ୍ଥ୍ୟ ବିଭାଗର ଅହେତୁକ ଅବହେଳା ପ୍ରମାଣିତ ହୋଇଛି । ଡାକ୍ତର ଓ ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କର ଦାୟିତ୍ୱହୀନତାରୁ ଶିଶୁମାନେ ଅସୁସ୍ଥ ହୋଇଥିବା...
  • ଦ୍ୱାଦଶ ସ୍ଥାନରେ ଓଡ଼ିଶା,ଶୀର୍ଷରେ କର୍ଣ୍ଣାଟକ

    ଦିଲ୍ଲୀ : ନୀତି ଆୟୋଗ ଦ୍ୱାରା ୨୦୧୯ ବର୍ଷ ପାଇଁ ଭାରତ ନବୋନ୍ମେଷ ସୂଚକାଙ୍କ ପ୍ରକାଶ ପାଇଛି । ଦେଶର ବୃହତ ରାଜ୍ୟଗୁଡ଼ିକ ମଧ୍ୟରେ କର୍ଣ୍ଣାଟକ ସର୍ବାଧିକ ନବୋନ୍ମେଷୀ ରାଜ୍ୟ ଭାବେ ପ୍ରଥମ ସ୍ଥାନ ହାସଲ କରିଛି । ଏହାପଛକୁ...
  • ହ୍ୱାଟ୍ସଆପ ଓ ଫେସବୁକ ମେସେଞ୍ଜର ମାଧ୍ୟମରେ ୨ ଲକ୍ଷ ଘଣ୍ଟା ପ୍ରଶିକ୍ଷଣ

    କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ ଶ୍ରୀ ଅର୍ଜୁନ ମୁଣ୍ଡା ‘ଗୋଲ’ (ଗୋଇଙ୍ଗ ଅନଲାଇନ ଆଜ ଲିଡର୍ସ)ର ଦ୍ୱିତୀୟ ପର୍ଯ୍ୟାୟ ଘୋଷଣା କରିଛନ୍ତି । ଏହା ଫେସବୁକର ଏକ କାର୍ଯ୍ୟକ୍ରମ ଯାହାର ଉଦ୍ଦେଶ୍ୟ ହେଉଛି ଦେଶବ୍ୟାପୀ ଜନଜାତିର ମହିଳାମାନଙ୍କୁ ସେମାନଙ୍କ ସମୁଦାୟ...