ମାର୍ଚ୍ଚ ୨୪ ତାରିଖ ଠାରୁ Common Application Form ପୂରଣ ପ୍ରକିୟା ଆରମ୍ଭ

ଭୁବନେଶ୍ୱର : ଆଗାମୀ ଶିକ୍ଷାବର୍ଷ ୨୦୨୫-୨୬ ନିମନ୍ତେ ଦୁଇ ବର୍ଷିଆ ବି. ଏଡ଼/ଏମ. ଏଡ଼/ ବି.ଏଚ.ଏଡ଼ ପାଠ୍ୟକ୍ରମରେ ନାମଲେଖା ପ୍ରକିୟା ଶୀଘ୍ର ଆରମ୍ଭ କରାଯିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଛାତ୍ରଛାତ୍ରୀମାନଙ୍କର ଭବିଷ୍ୟତ ଓ ବୃହତ୍ତର ସ୍ୱାର୍ଥକୁ ଦୃଷ୍ଟିରେ ରଖି ଶିକ୍ଷାବର୍ଷ ୨୦୨୫-୨୬ ପାଇଁ ନାମଲେଖା ପ୍ରକିୟାକୁ ଶୀଘ୍ର ଆରମ୍ଭ କରିବା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ।

ଏଥିପାଇଁ ଆବେଦନକାରୀମାନଙ୍କ ପାଇଁ ଆସନ୍ତା ମାର୍ଚ୍ଚ ୨୪ ତାରିଖ (୨୪.୦୩.୨୦୨୫) ଠାରୁ Common Application Form (CAF) ପୂରଣ ପ୍ରକିୟା ଆରମ୍ଭ ହେବ ।

ବିଗତ ବର୍ଷ ଭଳି ଆଗାମୀ ଶିକ୍ଷା ବର୍ଷ ୨୦୨୫-୨୬ ପାଇଁ ମଧ୍ୟ ଦୁଇ ବର୍ଷିଆ ବି. ଏଡ଼/ଏମ. ଏଡ଼/ ବି.ଏଚ. ଏଡ଼ ପାଠ୍ୟକ୍ରମରେ ନାମଲେଖା ଏବଂ ଚୟନ ପ୍ରକିୟା ଏଥିପାଇଁ ଉଦ୍ଦିଷ୍ଟ ପ୍ରବେଶିକା ପରୀକ୍ଷାର ମାର୍କ ଆଧାରରେ ହିଁ କରାଯିବ। ପ୍ରବେଶିକା ପରୀକ୍ଷା ଆସନ୍ତା ଜୁନ୍‌ ମାସ ପ୍ରଥମ ସପ୍ତାହରେ ଅନୁଷ୍ଠିତ ହେବ ।

ଏଥିସହ ଶିକ୍ଷା ବର୍ଷ ୨୦୨୫-୨୬ରେ ଦୁଇ ବର୍ଷିଆ ବି. ଏଡ଼/ଏମ. ଏଡ଼/ ବି.ଏଚ. ଏଡ଼ ପାଠ୍ୟକ୍ରମକୁ ଆସନ୍ତା ୨୪ ଜୁଲାଇ, ୨୦୨୫ ତାରିଖ ସୁଦ୍ଧା ଆରମ୍ଭ କରାଯିବା ପାଇଁ ଲକ୍ଷ୍ୟ ରଖାଯାଇଛି ।

ସରକାରଙ୍କ ଏହି ନିଷ୍ପତ୍ତି ଫଳରେ ସଠିକ ସମୟରେ ପାଠ୍ୟକ୍ରମ ଆରମ୍ଭ ହୋଇ ସଠିକ ସମୟରେ ପରୀକ୍ଷା କରାଯାଇ ଫଳାଫଳ ମଧ୍ୟ ଘୋଷଣା କରାଯାଇପାରିବ, ଯାହାଦ୍ୱାରା ଛାତ୍ରଛାତ୍ରୀମାନେ ଉପକୃତ ହୋଇପାରିବେ ।