‘ବୁଲବୁଲ’ ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତି ସମୀକ୍ଷା କଲେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ

ଉଚ୍ଚସ୍ତରୀୟ ବୈଠକରେ

ନୂଆଦିଲ୍ଲୀ:ସାମୁଦ୍ରିକ ଝଡ଼ ‘ବୁଲବୁଲ’କୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚିନ୍ତା ବ୍ୟକ୍ତ କରିବା ପରେ ଆଜି ଏକ ଉଚ୍ଚସ୍ତରୀୟ ବୈଠକରେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡ. ପି.କେ ମିଶ୍ର ଓଡ଼ିଶା, ପଶ୍ଚିମବଙ୍ଗ ଏବଂ ଆଣ୍ଡାମାନ ଓ ନିକୋବାର ଦ୍ୱୀପସମୂହର ସରକାରଙ୍କ ସହିତ ଏହାର ମୁକାବିଲା ପାଇଁ ହୋଇଥିବା ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ।

ଗତ କିଛି ଘଣ୍ଟା ମଧ୍ୟରେ ବାତ୍ୟା ‘ବୁଲବୁଲ’ ସ୍ଥଳଭାଗ ଦିଗରେ ଗତି କରୁଥିବା କାରଣରୁ ଦେଖାଦେଇଥିବା ସ୍ଥିତି ସମ୍ପର୍କରେ ଏହି ବୈଠକରେ ସମୀକ୍ଷା କରାଯାଇଥିଲା ।

ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ବାତ୍ୟା ‘ବୁଲବୁଲ’ର ବିସ୍ତୃତ ପୂର୍ବାନୁମାନ ସମ୍ପର୍କରେ ସୂଚନା ଦେଇଥିଲେ ।

ବିଶେଷ କରି ସମୁଦ୍ରରେ ଏହାର ଦିଗ ଓ ପବନର ବେଗ, ବର୍ଷାର ପରିମାଣ, ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳରେ ଏହାର ପ୍ରଭାବ ସମ୍ପର୍କରେ ସେ ସୂଚନା ଦେଇଥିଲେ ।

ବୈଠକରେ ସୂଚନା ଦିଆଯାଇଥିଲା ଯେ ଏହି ବାତ୍ୟା ପ୍ରଭାବରେ ନଭେମ୍ବର ୮ ତାରିଖରେ ଉପକୂଳ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ଘଣ୍ଟା ପ୍ରତି ୭୦ରୁ ୮୦ କିମି ବେଗରେ ପବନ ବହିବ ।

ସ୍ଥଳ ବିଶେଷରେ ପବନର ବେଗ ଘଣ୍ଟା ପ୍ରତି ୯୦ କିମି ଛୁଇଁପାରେ ।

ନଭେମ୍ବର ୯ ତାରିଖରେ ପଶ୍ଚିମବଙ୍ଗ ଉପକୂଳରେ ମଧ୍ୟ ଏଭଳି ସ୍ଥିତି ରହିବ ।

ଏହି ସମୟରେ ସମୁଦ୍ର ଅଶାନ୍ତ ରହୁଥିବା କାରଣରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ନଯିବା ଲାଗି ସତର୍କ କରି ଦିଆଯାଇଛି ।

ବାତ୍ୟା ପାଇଁ ସମସ୍ତ ଆଗୁଆ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଥିବା ବେଳେ ଉପକୂଳ ଅଞ୍ଚଳରେ ୨୪ ଘଣ୍ଟିଆ ଅନୁଧ୍ୟାନ ବ୍ୟବସ୍ଥା ଆରମ୍ଭ କରାଯାଇଥିବା ରାଜ୍ୟର ମୁଖ୍ୟ ଶାସନ ସଚିବମାନେ ସୂଚନା ଦେଇଥିଲେ ।

ଆହୁରି ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ଯିବା ପାଇଁ ବାରଣ କରାଯାଇଥିବା ବେଳେ ସମୁଦ୍ରରେ ଥିବା ମତ୍ସ୍ୟଜୀବୀଙ୍କୁ ଯଥାଶୀଘ୍ର କୂଳକୁ ଫେରି ଆସିବା ପାଇଁ କୁହାଯାଇଛି ।

ଏନଡିଆରଏଫ ଡିଜି ସୂଚନା ଦେଇଥିଲେ ଯେ ପରିସ୍ଥିତିର ମୁକାବିଲା ପାଇଁ ସେମାନଙ୍କ ଟିମ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି ଏବଂ ଗଛ କଟା, ବିଦ୍ୟୁତ ଖୁଂଟ କଟା ଯନ୍ତ୍ର ଆଦି ସରଞ୍ଜାମ ପ୍ରସ୍ତୁତ କରି ରଖାଯାଇଛି ।

ଭାରତୀୟ ଉପକୂଳ ସୁରକ୍ଷା ବାହିନୀ ମଧ୍ୟ ସତର୍କ ରହିଛି ଏବଂ ମାଛଧରା ଓ ବାଣିଜ୍ୟିକ ଜାହାଜଗୁଡ଼ିକୁ ସମୁଦ୍ର ମଧ୍ୟକୁ ନଯିବା ଲାଗି ସତର୍କ କରି ଦେଇଛି ।

ଧନଜୀବନ ହାନିକୁ ଯଥାସମ୍ଭବ ଏଡ଼ାଇବା ଲାଗି ସମସ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ନିମନ୍ତେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ସେମାନଙ୍କୁ ପରାମର୍ଶ ଦେଇଥିଲେ ।

କେନ୍ଦ୍ର ସରକାରଙ୍କ ପକ୍ଷରୁ ସମସ୍ତ ଆବଶ୍ୟକ ସହାୟତା ଯୋଗାଇ ଦିଆଯିବ ବୋଲି ସେ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଥିଲେ ।

ଏହି ବୈଠକରେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା, ସ୍ୱରାଷ୍ଟ୍ର ବ୍ୟାପାର ସଚିବ, ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ସଚିବ, ଏନଡିଏମଏ ସଦସ୍ୟ, ଏନଡିଆରଏଫ ଓ ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ, ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ, ସ୍ୱରାଷ୍ଟ୍ର ଏବଂ ପ୍ରତିରକ୍ଷା ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

ଏହାବ୍ୟତୀତ ପଶ୍ଚିମବଙ୍ଗ, ଓଡ଼ିଶା ଏବଂ ଆଣ୍ଡାମାନ ନିକୋବର ଦ୍ୱୀପସମୂହ ସରକାରଙ୍କ ମୁଖ୍ୟ ଶାସନ ସଚିବ, ପ୍ରତିନିଧିମାନେ ଭିଡିଓ କନଫରେନ୍ସ ମାଧ୍ୟମରେ ଯୋଡ଼ି ହୋଇଥିଲେ ।

Categories
NATIONAL

RELATED BY

  • ସୂଚନା ଓ ଲୋକସଂପର୍କ ବିଭାଗ ଶାସନ ସଚିବ ଓଡ଼ିଶା ମଣ୍ଡପ ପରିଦର୍ଶନ କଲେ

    ନୂଆଦିଲ୍ଲୀ: ନୂଆଦିଲ୍ଲୀର ପ୍ରଗତି ମଇଦାନରେ ଚାଲିଥିବା ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା ପଞ୍ଚମ ଦିନରେ ପହଞ୍ଚିଛି । ସୋମବାର ଦିନ (୧୮-୧୧-୨୦୧୯) ଓଡ଼ିଶାର ସୂଚନା ଓ ଲୋକସଂପର୍କ, ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ବିଭାଗର କମିଶନର ତଥା ଶାସନ...
  • ନଭେମ୍ବର 26ରେ ଭାରତ ଏହାର 70ତମ ସମ୍ବିଧାନ ଦିବସ ପାଳନ କରିବ : ପ୍ରଧାନମନ୍ତ୍ରୀ

    ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସଂସଦର ଚଳିତ ଅଧିବେଶନକୁ ଗୁରୁତ୍ୱପୂର୍ଣ୍ଣ ବୋଲି ପ୍ରକାଶ କରିଛନ୍ତି କାରଣ ଏହା ହେବ ରାଜ୍ୟସଭାର 250ତମ ଅଧିବେଶନ ଏବଂ ଭାରତୀୟ ସମ୍ବିଧାନର 70ତମ ବାର୍ଷିକୀ । ଆଜି ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ...
  • ଛତିଶଗଡ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସାକ୍ଷାତ୍

    ନୂଆଦିଲ୍ଲୀ/ଭୁବନେଶ୍ୱର: ନୂଆଦିଲ୍ଲୀ ସ୍ଥିତ ବାସଭବନରେ ଛତିଶଗଡର ମୁଖ୍ୟମନ୍ତ୍ରୀ ଶ୍ରୀ ଭୁପେଶ ବାଘେଲ ରବିବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟିଛନ୍ତି । ଉଭୟ ମନ୍ତ୍ରୀ ରାଜ୍ୟରେ ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ ଏବଂ ଇସ୍ପାତ ମନ୍ତ୍ରଣାଳୟର ଅଧୀନରେ ଚାଲୁଥିବା ବିଭିନ୍ନ ପ୍ରକଳ୍ପ ଗୁଡିକର...
  • ଆଗାମୀ ଦିନରେ ଲଦାଖର ବିକାଶରେ ବହୁତ ବଡ ପରିବର୍ତନ ହେବ:ଅମିତ ଶାହ

    ନୂଆଦିଲ୍ଲୀ/ଭୁବନେଶ୍ୱର: ନୂଆଦିଲ୍ଲୀରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଦ୍ୱାରା ଭିଡିଓ କନଫରେନ୍ସିଂ ମାଧ୍ୟମରେ ଲଦାଖରେ ଦେଶରେ ପ୍ରଥମ ଆଇଓସିଲ ଦ୍ୱାରା ତିଆରି ହୋଇଥିବା ସ୍ୱତନ୍ତ୍ର ଶୀତକାଳୀନ-ଗ୍ରେଡ୍ ଡିଜେଲ୍ ଯୋଗାଣର ଶୁଭାରମ୍ଭ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ହୋଇଯାଇଛି । କେନ୍ଦ୍ର...
Call Now ButtonCALL TO MR. SAMIR