ଡବଲ୍‍ ଇଞ୍ଜିନ ସରକାରର ଡବଲ କମାଲ୍‍, ମୁଖ୍ୟମନ୍ତ୍ରୀ ପ୍ରସ୍ତାବ ଦେଲେ, କେନ୍ଦ୍ରମନ୍ତ୍ରୀ ଗଡକରୀ ମଞ୍ଜୁର କଲେ

ଭୁବନେଶ୍ୱର : ଡବଲ ଇଞ୍ଜିନ ସରକାରର ଡବଲ କମାଲ । ଆଜି ଓଡ଼ିଶାରେ ବିଭିନ୍ନ ରାଜପଥ ପ୍ରକଳ୍ପର ଶୁଭାରମ୍ଭ ଅବସରରେ ସ୍ଥାନୀୟ ବରମୁଣ୍ଡା ପଡ଼ିଆରେ ଆୟୋଜିତ କାର୍ଯ୍ୟକ୍ରମରେ ଡବଲ ଇଞ୍ଜିନ ସରକାରର କାର୍ଯ୍ୟଶୈଳୀର ପ୍ରଭାବ ଦେଖିବାକୁ ମିଳିଥିଲା । ମୁଖ୍ୟମନ୍ତ୍ରୀ ବାରମ୍ୱାର କହିଛନ୍ତି ଯେ, ଡବଲ ଇଞ୍ଜିନ ସରକାରରେ ବିକାଶର ଗତି ଦୁଇଗୁଣ ହେବ । ଆଜି ବାସ୍ତବରେ ତାହା ଦେଖିବାକୁ ମିଳିଥିଲା । ମୁଖ୍ୟମନ୍ତ୍ରୀ ଓଡ଼ିଶା ପାଇଁ ବିଭିନ୍ନ ପ୍ରକଳ୍ପର ପ୍ରସ୍ତାବ ଦେଇଥିଲେ ଏବଂ କେନ୍ଦ୍ରମନ୍ତ୍ରୀ ଶ୍ରୀ ଗଡ଼କରୀ ତୁରନ୍ତ ସଭା ଉପରେ ସେହି ପ୍ରକଳ୍ପ ଗୁଡ଼ିକ ମଞ୍ଜୁର ହେଲା ବୋଲି ଘୋଷଣା କରିଥିଲେ ।

କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ଶ୍ରୀ ନିତିନ ଗଡ଼କରୀ ଆଜି ଦିନିକିଆ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ୱରର ବରମୁଣ୍ଡା ପଡ଼ିଆଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ 19ଟି ଗୁରୁତ୍ୱପୂର୍ଣ୍ଣ ସଡ଼କ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‍ଘାଟନ କରିଛନ୍ତି ।

ସୂଚନା ଯୋଗ୍ୟ ଯେ, ଏହି ପ୍ରକଳ୍ପ ଗୁଡ଼ିକ ମଧ୍ୟରୁ ୮୪୫ କୋଟିରେ ଦୁଇଟି ସଡ଼କ ପ୍ରକଳ୍ପର ଲୋକାର୍ପଣ, 3332 କୋଟି ଟଙ୍କା ବ୍ୟୟ ଅଟକଳ ସହିତ ୧୭ଟି ପ୍ରକଳ୍ପର ଶିଳାନ୍ୟାସ ଏବଂ ଭୂମିପୂଜନ କରାଯାଇଛି । ଏହାଦ୍ୱାରା ଓଡ଼ିଶାରେ ବିକାଶର ଗତି ତ୍ୱରାନ୍ୱିତ ହେବ ।

କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଗଡ଼କରୀ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ପ୍ରସ୍ତାବିତ ୧୩ ଟି ପ୍ରକଳ୍ପ ମଞ୍ଜୁର କରିଥିଲେ । ଏହି ପ୍ରକଳ୍ପ ଗୁଡ଼ିକର ମୁଲ୍ୟ ୯୦୨୩ କୋଟି ଟଙ୍କା ।

ଏହି ପ୍ରକଳ୍ପ ଗୁଡ଼ିକ ହେଲା –

୧ – କନକତୋରା-ଝାରସୁଗୁଡା ରାସ୍ତା ୪ ଲେନ ବିଶିଷ୍ଟ ହେବ । ୬୮ କିଲୋମିଟର ବିଶିଷ୍ଟ ଏହି ରାସ୍ତା ପାଇଁ ୨ ହଜାର କୋଟି ଟଙ୍କା ବିନିଯୋଗ ହେବ । ଏହା ଦ୍ୱାରା ଏହି ସଡ଼କରେ ୧୧ଟି ବ୍ଲାକ୍‍ ସ୍ପଟ୍‍ ଦୂର ହେବ । ଯାତ୍ରା ସମୟ ୩ ଘଣ୍ଟାରୁ କମି ୧ ଘଣ୍ଟା ହେବ ।

୨ – ବଡରମା ବନ୍ୟଜୀବ କ୍ଷେତ୍ରରେ ୪ ଲେନ୍‍ ବିଶିଷ୍ଟ ରାସ୍ତା ହେବ । ୨୭ କିଲୋମିଟର ବିଶିଷ୍ଟ ଏ ରାସ୍ତା ପାଇଁ ୮୫୦ କୋଟି ଟଙ୍କା ବିନିଯୋଗ ହେବ ।

୩ – ପୁରୀ-କୋଣାର୍କ ଲିଙ୍କ ରୋଡ଼ ୪ ଲେନ ବିଶିଷ୍ଟ ହେବ । ୨୫ କିଲୋମିଟର ବିଶିଷ୍ଟ ଏ ରାସ୍ତା ପାଇଁ ୮୦୦ କୋଟି ଟଙ୍କା ବିନିଯୋଗ ହେବ ।

୪ – ଭଞ୍ଜପୁର-ତେଲବଣୀ ରାସ୍ତା ୪ ଲେନ ହେବ । ୨୫ କିଲୋମିଟର ବିଶିଷ୍ଟ ଏ ରାସ୍ତା ପାଇଁ ୫୧୦ କୋଟି ବିନିଯୋଗ ହେବ ।

୫ – ମୋହନାରୁ – କୋରାପୁଟ ପର୍ଯ୍ୟନ୍ତ ରାସ୍ତା ୨ ଲେନ ହେବ । ୨୦୨ କିଲୋମିଟର ବିଶିଷ୍ଟ ଏ ରାସ୍ତା ପାଇଁ ୧୫୨୬ କୋଟି ବିନିଯୋଗ ହେବ ।

୬ – କୋଟାରୁ – ମୋଟୁ ପର୍ଯ୍ୟନ୍ତ ରାସ୍ତା ହେବ । ୧୮୬ କିଲୋମିଟର ବିଶିଷ୍ଟ ଏ ରାସ୍ତା ପାଇଁ ୧୬୦୦ କୋଟି ବିନିଯୋଗ ହେବ ।

୭ – ଦେବଗଡ଼ – ଖେରାପଲ୍ଲୀ ପର୍ଯ୍ୟନ୍ତ ରାସ୍ତା ୨ ଲେନ ହେବ । ୭୧ କିଲୋମିଟର ବିଶିଷ୍ଟ ଏ ରାସ୍ତା ପାଇଁ ୪୭୨ କୋଟି ବିନିଯୋଗ ହେବ ।

୮ – ଅଙ୍ଗ ନଦୀ ଉପରେ ୨ ଲେନ ବିଶିଷ୍ଟ ସେତୁ । ୨ କିଲୋମିଟର ବିଶିଷ୍ଟ ଏ ସେତୁ ପାଇଁ ୩୫୦ କୋଟି ବିନିଯୋଗ ହେବ ।

୯ – ପୋଡମାରୀ – ମୋହନା ପର୍ଯ୍ୟନ୍ତ ରାସ୍ତା ୨ ଲେନ ହେବ । ୨୯ କିଲୋମିଟର ବିଶିଷ୍ଟ ଏ ରାସ୍ତା ପାଇଁ ୩୫୦ କୋଟି ଟଙ୍କା ବିନିଯୋଗ ହେବ ।

୧୦ – କଳାହାଣ୍ଡି ଜିଲ୍ଲାରେ ତେଲ ନଦୀ ଉପରେ ସେତୁ । ୨ କିଲୋମିଟର ବିଶିଷ୍ଟ ଏ ସେତୁ ପାଇଁ ୯୨ କୋଟି ଟଙ୍କା ବିନିଯୋଗ ହେବ ।

୧୧ – ସୋନପୁରରେ ୨ ଲେନ ବିଶିଷ୍ଟ ବାଇପାସ୍‍ । ୯ କିଲୋମିଟର ବିଶିଷ୍ଟ ଏ ରାସ୍ତା ପାଇଁ ୧୭୮ କୋଟି ଟଙ୍କା ବିନିଯୋଗ ହେବ ।

୧୨ – ଆସ୍କା ସହରରେ ୨ ଲେନ ବିଶିଷ୍ଟ ବାଇପାସ୍‍ । ୧୧ କିଲୋମିଟର ବିଶିଷ୍ଟ ଏ ରାସ୍ତା ପାଇଁ ୧୭୫ କୋଟି ଟଙ୍କା ବିନିଯୋଗ ହେବ ।

୧୩ – କୋଲାବିରାରେ ୨ ଲେନ ବିଶିଷ୍ଟ ବାଇପାସ୍‍ । ୫ କିଲୋମିଟର ବିଶିଷ୍ଟ ଏ ରାସ୍ତା ପାଇଁ ୧୨୦ କୋଟି ଟଙ୍କା ବିନିଯୋଗ ହେବ ।

କାର୍ଯ୍ୟକ୍ରମରେ ଅଭିଭାଷଣ ରଖି ଶ୍ରୀ ଗଡକରୀ କହିଲେ ଯେ, ଓଡ଼ିଶାରେ ପ୍ରାୟ ୨ ଲକ୍ଷ କୋଟି ଟଙ୍କାର ସଡକ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି । ସେ କହିଥିଲେ ଯେ, ଓଡ଼ିଶାରେ ୬୦ ହଜାର କୋଟି ଟଙ୍କାର କାମ ସମ୍ପୂର୍ଣ୍ଣ ହୋଇସାରିଛି । ବର୍ତ୍ତମାନ ୬୦ ହଜାର କୋଟି ଟଙ୍କାର କାମ ଚାଲିଛି ଏବଂ ଅଳ୍ପ କିଛିଦିନ ମଧ୍ୟରେ ଆଉ ୭୫ ହଜାର କୋଟି ଟଙ୍କାର (Upcoming Projects) କାମ କରାଯିବ ।  ଆଗାମୀ ୨ ବର୍ଷରେ ୩ ଲକ୍ଷ କୋଟି ଟଙ୍କାର ପ୍ରକଳ୍ପ କାର୍ଯ୍ୟକାରୀ ହେବ ବୋଲି ସେ କହିଥିଲେ ।

ସଭାରେ ମୁଖ୍ୟମନ୍ତ୍ରୀ କେନ୍ଦ୍ର ସଡ଼କ ଭିତ୍ତିଭୂମି ପାଣ୍ଠି (CRIF) ରୁ ଓଡ଼ିଶାକୁ ସଡ଼କ ଉନ୍ନତିକରଣ ପାଇଁ ୮୦୦ କୋଟି ଟଙ୍କା ଦେବାକୁ ପ୍ରସ୍ତାବ ଦେଇଥିଲେ ।   ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବକୁ ଗ୍ରହଣ କରି ଶ୍ରୀ ଗଡକରୀ କହିଥିଲେ ଯେ, ଏହାକୁ ତୁରନ୍ତ ମଞ୍ଜୁର କରାଗଲା ଏବଂ ଏହା ସହିତ ତାଙ୍କ ନିଜ ସାଂସଦ ପାଣ୍ଠିରୁ ଆଉ ୨୦୦ କୋଟି ଟଙ୍କା ଦେବେ । ଏ ବାବଦରେ ଓଡ଼ିଶାକୁ ୧୦୦୦ କୋଟି ଟଙ୍କା ମିଳିବ ବୋଲି ସେ କହିଥିଲେ ।

ଏହା ସହିତ ଓଡ଼ିଶା ପାଇଁ ପ୍ରାୟ ୫ ହଜାର କୋଟି ଟଙ୍କାର ୮ ଟି ବାଇପାସ୍‍ ମଧ୍ୟ ମଞ୍ଜୁର କରିଥିଲେ । ଏହି ବାଇପାସ୍‍ ଗୁଡ଼ିକ ହେଲା ବ୍ରହ୍ମପୁର, ସମ୍ୱଲପୁର, ବଲାଙ୍ଗୀର, ନୟାଗଡ଼, ଝାରସୁଗୁଡ଼ା, ନବରଙ୍ଗପୁର, ଫୁଲବାଣୀ ଓ ରାୟଗଡ଼ା ।

ସେ କହିଥିଲେ ଯେ, ଓଡ଼ିଶାରେ ନୂଆ ସରକାର ଆସିବା ପରେ, ମୁଖ୍ୟମନ୍ତ୍ରୀ ଭାବେ ଶ୍ରୀ ମୋହନ ଚରଣ ମାଝୀ ଦାୟିତ୍ୱ ନେବା ପରେ ଓଡ଼ିଶାର ବିକାଶର ଗତିରେ ତ୍ୱରଣ ଆସିଛି । ଓଡ଼ିଶା ସରକାର ଓଡ଼ିଶାର ବିକାଶ ପାଇଁ ଯାହା ବି ପ୍ରସ୍ତାବ ଦେବେ, ତାହା ତୁରନ୍ତ ମଞ୍ଜୁର ହେବ ବୋଲି ସେ କହିଥିଲେ । 

କାର୍ଯ୍ୟକ୍ରମରେ ଅଭିଭାଷଣ ରଖି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କହିଲେ ଯେ, କୌଣସି ଅଞ୍ଚଳର ବିକାଶର ଦର୍ପଣ ହେଉଛି ଏହାର ରାସ୍ତା । ତେଣୁ ଆମେ ଓଡ଼ିଶା ବିକାଶ ପାଇଁ ଯେଉଁ ସଂକଳ୍ପ ନେଇଛୁ ସେଥିପାଇଁ ଆମେ ଆମର ସଡକ ଭିତ୍ତିଭୂମିକୁ ସୁଦୃଢ଼ କରିବୁ । 

ସେ କହିଥିଲେ ଯେ, ପୁଞ୍ଜି ଆକର୍ଷଣରେ ଓଡ଼ିଶା ଅଭୁତପୂର୍ବ ସଫଳତା ହାସଲ କରିଛି । ଏହି ସବୁ ପ୍ରକଳ୍ପ ଗୁଡ଼ିକୁ କାର୍ଯ୍ୟକାରୀ କରିବା ପାଇଁ ସୁଦୃଢ଼ ଭିତ୍ତିଭୂମି ଆବଶ୍ୟକ । ତେଣୁ ଭିତ୍ତିଭୂମି ଉପରେ ଗୁରୁତ୍ବାରୋପ କରାଯାଉଛି । ଓଡ଼ିଶା ରାଜ୍ୟ ରାଜପଥ କର୍ତ୍ତୃପକ୍ଷ ଗଠନ ପାଇଁ ବିଲ୍‍ ପାସ୍‍ କରାଯାଇଛି । ଆସନ୍ତା ୫ ବର୍ଷରେ ଓଡ଼ିଶାରେ ୭୫ ହଜାର କିଲୋମିଟର ବିଶ୍ୱସ୍ତରୀୟ ସଡ଼କ ନିର୍ମାଣ ପାଇଁ ମଧ୍ୟ ନିଷ୍ପତ୍ତି କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ସହରରୁ ପଞ୍ଚାୟତ ପର୍ଯ୍ୟନ୍ତ ସବୁ ରାସ୍ତାର ଉନ୍ନତିକରଣ କରାଯିବ ।

ସେ କହିଲେ ଯେ, କେନ୍ଦ୍ରମନ୍ତ୍ରୀ ଶ୍ରୀ ଗଡକରୀ ଭରସା ଦେଇଛନ୍ତି ଯେ ଓଡିଶାର ସବୁ ପ୍ରସ୍ତାବକୁ ଗ୍ରହଣ କରାଯିବ । ତେଣୁ ଆମେ ଯେଉଁ ପ୍ରସ୍ତାବ ଦେଇଛୁ ତା ସହିତ ଆଗାମୀ ଦିନରେ ଆହୁରି ଅଧିକ ପ୍ରସ୍ତାବ ଅନୁଧ୍ୟାନ କରି ଦିଆଯିବ ।

କାର୍ଯ୍ୟକ୍ରମରେ  ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ, ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା, ପୁର୍ତ୍ତ ଆଇନ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ବୀରାଜ ହରିଚନ୍ଦନ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀ ବିଭୁତି ଭୂଷଣ ଜେନା, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ମନ୍ତ୍ରୀ, ଶ୍ରୀ ଗଣେଶ ରାମ ସିଂହ ଖୁଣ୍ଟିଆ, ଭୁବନେଶ୍ୱର ଲୋକସଭା ସାଂସଦ ଶ୍ରୀମତୀ ଅପରାଜିତା ଷଡଙ୍ଗୀ, ଅନ୍ୟ ସାଂସଦ ଓ ବିଧାୟକମାନେ ଯୋଗ ଦେଇଥିଲେ ।