ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଦେବଗଡ଼ ଜିଲ୍ଲା ଗସ୍ତରେ ଯାଇ ସେଠାରେ ପ୍ରାୟ୨୦୫ କୋଟି ଟଙ୍କା ମୂଲ୍ୟର ୧୫ଟି ବିଭିନ୍ନ ଜନକଲ୍ୟାଣକାରୀ ପ୍ରକଳ୍ପର ଶୁଭ ଉଦ୍ଘାଟନ ଓ ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି । ଏଥିସହିତ ଦେବଗଡ଼ ଜିଲ୍ଲା ପାଇଁ ଆଜି ୩୦୦ ଶଯ୍ୟା ବିଶିଷ୍ଟ ନବ ନିର୍ମିତ ଡାକ୍ତରଖାନା ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ କରକମଳରେ ଉଦ୍ଘାଟିତ ହୋଇଛି ।
ସୂଚନା ଥାଉକି ଏହି ପ୍ରକଳ୍ପ ଗୁଡିକ ମଧ୍ୟରେ ୧୧ଟି ସ୍ୱାସ୍ଥ୍ୟସେବା ପ୍ରକଳ୍ପ ଏବଂ 4 ଟି ଶିକ୍ଷା ଭିତ୍ତିଭୂମି ଉନ୍ନତିକରଣ ପ୍ରକଳ୍ପ ରହିଛି ।
ଏହି କାର୍ଯ୍ୟକ୍ରମ ଅବସରରେ ରାଜ୍ୟର ସମସ୍ତ କେନ୍ଦୁପତ୍ର ତୋଳାଳୀ ଓ ବନ୍ଧାଳିଙ୍କ ପାଇଁ ୪୧ କୋଟି ୧୭ ଲକ୍ଷ ଟଙ୍କାର ସହାୟତା ରାଶି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ଏଥିରେ କେନ୍ଦୁପତ୍ର ତୋଳାଳୀଙ୍କୁ ଚପଲ ପାଇଁ ୧୬୦ ଟଙ୍କା, କେରି ସଂଗ୍ରହ କପଡା ପାଇଁ ୨୦୦ ଟଙ୍କା, ତୋଳାଳୀ ଓ ସିଜନାଲ ଷ୍ଟାଫଙ୍କ ଟୋପି ପାଇଁ ୧୦୦ ଟଙ୍କା, ବନ୍ଧାଳି ମାନଙ୍କ ପାଇଁ ମଶାରୀ ଓ କମ୍ବଳ ପାଇଁ ଜଣଙ୍କ ପିଛା ୭୦୦ ଟଙ୍କା ପ୍ରଦାନ କରାଯିବ । ଏହାଦ୍ୱାରା ରାଜ୍ୟର ପ୍ରାୟ ୯ ଲକ୍ଷ କେନ୍ଦୁପତ୍ର ତୋଳାଳୀ, ବନ୍ଧାଳି ଓ ସିଜନାଲ ଷ୍ଟାଫ ଉପକୃତ ହେବେ ।
ନିଜ ଅଭିଭାଷଣରେ ମୁଖ୍ୟମନ୍ତ୍ରୀ କହିଥିଲେଯେ, ଦେବଗଡ ଜିଲ୍ଲାର ବିକାଶ ପାଇଁ ସମସ୍ତ ସାମର୍ଥ୍ୟ ଅଛି । ଆମେ ତାହାର ସଠିକ ଉପଯୋଗ କରି ଜିଲ୍ଲାକୁ ରାଜ୍ୟ ବିକାଶ ଧାରାର ମୁଖ୍ୟସ୍ରୋତରେ ଯୋଡିବୁ । ଆମ ସରକାର ଆସିବା ପରେ ଆମେ ଓଡିଶାର 30ଟି ଜିଲ୍ଲାର ସମାନୁପାତିକ ବିକାଶକୁ ଗୁରୁତ୍ୱ ଦେଉଛୁ । ସମାଜର ଶେଷ ଧାଡ଼ିରେ ଥିବା ଲୋକଟିଏ ଯେପରି ସବୁ ମୌଳିକ ସୁବିଧା ପାଇପାରିବ ସେଥିପ୍ରତି ଆମେ ଗୁରୁତ୍ୱ ଦେଉଛୁ ।
ଶିକ୍ଷା, ସ୍ୱାସ୍ଥ୍ୟ, ଭିତ୍ତିଭୂମି, କୃଷି, ଶିଳ୍ପ, ପୁଞ୍ଜିନିବେଶ ଓ ରୋଜଗାର ଉପରେ ଗୁରୁତ୍ୱ ଦେଲେ ହିଁ ସମୃଦ୍ଧ ଓଡ଼ିଶା ଗଠନର ସ୍ଵପ୍ନ ସମ୍ଭବ ହୋଇପାରିବ । ସମସ୍ତଙ୍କୁ ନେଇ ସବୁ କ୍ଷେତ୍ରର ବିକାଶ ଜରିଆରେ ୨୦୩୬ ମସିହା ସୁଦ୍ଧା ସମୃଦ୍ଧ ଓଡିଶା ଏବଂ ୨୦୪୭ ମସିହା ସୁଦ୍ଧା ବିକଶିତ ଭାରତ ଗଠନର ଲକ୍ଷ୍ୟ ପୂରଣ କରିବା ପାଇଁ ଆମର ଉଦ୍ୟମ ଜାରି ରହିଛି ବୋଲି ସେ କହିଥିଲେ ।
ସେ କହିଥିଲେ ଯେ, ଦେବଗଡ ଜିଲ୍ଲାକୁ ରାଜ୍ୟର ଏକ ଅଗ୍ରଣୀ ଓ ବିକଶିତ ଜିଲ୍ଲା ଭାବରେ ଗଢି ତୋଳିବା ଆମର ପ୍ରାଥମିକ ଲକ୍ଷ୍ୟ । ଏହି ଲକ୍ଷ୍ୟକୁ ପୂରଣ କରିବା ପାଇଁ ଜିଲ୍ଲାର ସମସ୍ତ ଜନସାଧାରଣଙ୍କୁ ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟଜଳ, ବିଜୁଳି ଓ ଗମନାଗମନ ଭଳି ମୌଳିକ ସୁବିଧା ଯୋଗାଇ ଦେବା ପାଇଁ ଆମ ସରକାର ତ୍ୱରିତ ପଦକ୍ଷେପ ଗ୍ରହଣ କରୁଛନ୍ତି ।
ସେ ପୁଣି କହିଥିଲେଯେ, ଓଡିଶାର ଜନସାଧାରଣକୁ ଯେଉଁ ପ୍ରତିଶ୍ରୁତି ଦେଇ ଆମେ ଲୋକଙ୍କ ସେବା କରିବାର ଦାୟିତ୍ୱ ନେଇଛୁ, ତାକୁ କାର୍ଯ୍ୟରେ ପରିଣତ କରିବା ପାଇଁ ଆମେ ଗୋଟିଏ ମିନିଟ ବି ନଷ୍ଟ କରିନାହୁଁ । ଆମ ସରକାର ଆସିବାର ଏକ ବର୍ଷ ହେବାକୁ ମାତ୍ର ୯ ଦିନ ବାକି ଅଛି । ଆଉ ଏଇ ଏକ ବର୍ଷ ଭିତରେ ଆମେ ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ଜିଲ୍ଲା ତଥା ରାଜ୍ୟର ସାମଗ୍ରୀକ ବିକାଶ ପାଇଁ ଅନେକ ଉନ୍ନୟନମୂଳକ ଓ କଲ୍ୟାଣକାରୀ ପଦକ୍ଷେପ ଗ୍ରହଣ କରିଛୁ ।
କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ମନ୍ତ୍ରୀ, ଡ. ମୁକେଶ ମହାଲିଙ୍ଗ, ଦେବଗଡ ବିଧାୟକ, ଶ୍ରୀ ରୋମାଞ୍ଚ ରଞ୍ଜନ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ ।
କାର୍ଯ୍ୟକ୍ରମରେ ଜିଲ୍ଲାପାଳ, ଦେବଗଡ, ଶ୍ରୀ କବିନ୍ଦ୍ର ଚନ୍ଦ୍ର ସାହୁ ସ୍ୱାଗତ ଭାଷଣ ଦେଇଥିବା ବେଳେ, ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ ଡଃ ବିଶ୍ଵମୋହନ ମିଶ୍ର ଧନ୍ୟବାଦ ଦେଇଥିଲେ ।