ନଭେମ୍ବର ୭ରୁ ୨୬ ଓଡ଼ିଶା ଗାଇବ “ବନ୍ଦେ ମାତରମ୍‌”

ଭୁବନେଶ୍ୱର : ରାଷ୍ଟ୍ରଗୀତ “ବନ୍ଦେ ମାତରମ୍‌”କୁ ୭ ନଭେମ୍ବରରେ ୧୫୦ ବର୍ଷ ପୁରିବାକୁ ଯାଉଛି । ୧୮୭୫ ମସିହାରେ ବଙ୍କିମଚନ୍ଦ୍ର ଚାଟାର୍ଜୀ ଏହାକୁ ରଚନା କରିଥିଲେ । ଏହି ଗୀତ ଗାଇ ହଜାର ହଜାର ସ୍ୱାଧୀନତା ସଂଗ୍ରାମୀ ହସି ହସି ଜେଲ୍ ଚାଲିଯାଉଥିଲେ, ତ କିଏ ନିଜର ପାଠପଢ଼ା ଓ ଚାକିରି ଆଦି ଛାଡି ସ୍ୱାଧୀନତା ସଂଗ୍ରାମରେ ସାମିଲ ହେଉଥିଲେ, କିଏ ହସି ହସି ବିଟ୍ରିଶ ସରକାରଙ୍କ ଗୁଳିର ସମ୍ମୁଖୀନ ହେଉଥିଲେ ତ ଆଉ କିଏ ଫାଶୀ ଖୁଂଟରେ ଝୁଲି ଶହୀଦ ହୋଇଯାଉଥିଲେ । ଏହି ରାଷ୍ଟ୍ରଗୀତ ସ୍ୱାଧୀନତା ସଂଗ୍ରାମ ଆନ୍ଦୋଳନରେ ସମସ୍ତଙ୍କ ପାଇଁ ଉତ୍ସାହ ଓ ପ୍ରେରଣାର ଗୀତ ଥିଲା । ସ୍ୱଦେଶୀ ଆନ୍ଦୋଳନ ଓ ସ୍ୱତନ୍ତ୍ରତା ପାଇଁ ଦେଶବାସୀଙ୍କ ପ୍ରେରଣା ସାଜିଥିଲା । ମାତ୍ର କଂଗ୍ରେସ ମୁସ୍‌ଲିମ୍ ତୃଷ୍ଟିକରଣର ବଶବର୍ତୀ ହୋଇ ବନ୍ଦେ ମାତରମ୍ ଗୀତର ବିରୋଧ କରିଥିଲା ବୋଲି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଉପସଭାପତି ଶ୍ରୀ ବିଷ୍ଣୁ ଦାସ କହିଛନ୍ତି । ଶ୍ରୀ ଦାସ କହିଛନ୍ତି ଯେ, ୧୯୨୩ ମସିହାରେ କଂଗ୍ରେସ ଏହି ଗୀତ ଗାଇବାକୁ କୁଂଠା ବୋଧ କଲା । ପରେ କଂଗ୍ରେସ ବିଭିନ୍ନ କାର୍ଯ୍ୟକ୍ରମରେ ଏହି ଗୀତ ନ ଗାଇବା ପାଇଁ ଆନୁଷ୍ଠାନିକ ଭାବେ ନିଷ୍ପତି ନେଇଥିଲା । ଦେଶ ସ୍ୱାଧୀନ ହେଲାପରେ ୧୯୫୦ ମସିହାରେ ପ୍ରଥମ ରାଷ୍ଟ୍ରପତି ସ୍ୱର୍ଗତ ରାଜେନ୍ଦ୍ର ପ୍ରସାଦଜୀ “ବନ୍ଦେ ମାତରମ୍‌”କୁ ରାଷ୍ଟ୍ର ଗୀତର ମାନ୍ୟତା ଦେଇଥିଲେ । ଆଜି କାରଗିଲ୍ ଯୁଦ୍ଧଠାରୁ ଆରମ୍ଭ କରି ଯେଉଁଠି ବି ଲୋକେ ଦେଶ ପାଇଁ ଆନ୍ଦୋଳନ କରନ୍ତି ସେଠାରେ ସେମାନେ “ବନ୍ଦେ ମାତରମ୍‌” ନାରା ଦେବାଠାରୁ ଆରମ୍ଭ କରି ଏହି ଗୀତ ମଧ୍ୟ ଗାଇଥାନ୍ତି । ଦେଶର ଯୁବବର୍ଗ ମଧ୍ୟରେ ଏହି ଦେଶ ପ୍ରେମର ଭାବନାକୁ ପୁର୍ନଜୀବିତ କରିବା ପାଇଁ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀ ୧ ଅକ୍ଟୋବର ୨୦୨୫ରେ କେନ୍ଦ୍ର କ୍ୟାବିନେଟ୍‌ରେ ସାରା ଦେଶରେ ରାଷ୍ଟ୍ରଗୀତ “ବନ୍ଦେ ମାତରମ୍‌”ର ୧୫୦ ବର୍ଷକୁ ମହାସମାରୋହରେ ପାଳନ କରିବାକୁ ନିଷ୍ପତି ନେଇଛନ୍ତି । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଉତ୍ସାହ ସହ ଏହି କାର୍ଯ୍ୟକ୍ରମ କରିବାକୁ ସ୍ଥିର କରିଛନ୍ତି । ଭାରତୀୟ ଜନତା ପାର୍ଟି ସବୁବେଳେ ଏହି ଗୀତକୁ ପ୍ରାଧାନ୍ୟ ଦେଇଆସିଛି । ଏନେଇ ଦଳ ପକ୍ଷରୁ ମଧ୍ୟ ଏହି ଗୀତକୁ ସାରା ଦେଶରେ ପାଳନ କରିବାକୁ ସ୍ଥିରକୃତ ହୋଇଛି । ଆସନ୍ତା ୭ ତାରିଖରେ ଏହି ଗୀତର ଉଦ୍‌ଘାଟନୀ କାର୍ଯ୍ୟକ୍ରମ ସାରାଦେଶର ୧୫୦ଟି ସ୍ଥାନରେ ହେବାକୁ ନିଷ୍ପତି ହୋଇଛି । ଓଡ଼ିଶାର ୫ଟି ପ୍ରମୁଖ ସହର ଭୁବନେଶ୍ୱର, ବ୍ରହ୍ମପୁର, ବାଲେଶ୍ୱର, କେନ୍ଦୁଝର ଓ ରାଉରକେଲାରେ ଏହାକୁ ଆୟୋଜନ କରାଯିବ । ଏହାପରେ ୮ରୁ ୨୬ ତାରିଖ ମଧ୍ୟରେ ପ୍ରତ୍ୟେକ ବିଧାନସଭାରେ ଗୋଟିଏ କାର୍ଯ୍ୟକ୍ରମ ଆୟୋଜିତ ହେବ । ଏଥିରେ ଓଡ଼ିଶାର ସମସ୍ତ ଜନତା, ବୁଦ୍ଧିଜୀବୀ, ମା’, ଭଉଣୀ ଓ ଛାତ୍ରଛାତ୍ରୀ, ଧାର୍ମିକ ଅନୁଷ୍ଠାନ, ଯୁବ ସଂଗଠନ ଯୋଗଦିଅନ୍ତୁ ଏବଂ “ବନ୍ଦେ ମାତରମ୍‌” ଗୀତ ଗାଇ ସ୍ୱଦେଶୀ ସଂକଳ୍ପ ଓ ଦେଶପ୍ରେମର ଭାବନାକୁ ଉଜ୍ଜୀବିତ କରି ରାଷ୍ଟ୍ର ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରନ୍ତୁ ବୋଲି ଶ୍ରୀ ଦାସ ଆହ୍ୱାନ ଦେଇଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଗଣମାଧ୍ୟମ ସଂଯୋଜକ ସୁଜିତ୍ କୁମାର ଦାସ ଉପସ୍ଥିତ ଥିଲେ ।