ଜିଲ୍ଲାସ୍ତରୀୟ ସୂଚନା ଅଧିକାର ଆଇନ କର୍ମଶାଳା ଅନୁଷ୍ଠିତ

ଝାରସୁଗୁଡ଼ା : ଜିଲ୍ଲା କାର୍ଯ୍ୟାଳୟ ସ୍ଥିତ ଜିଲ୍ଲା ଖଣିଜ ପାଣ୍ଠି ଗୃହ ପରିସରରେ ଓଡ଼ିଶା ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗର ମାର୍ଗଦର୍ଶିକା ଅନୁଯାୟୀ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ପକ୍ଷରୁ ଜିଲ୍ଲାସ୍ତରୀୟ ‘ସୂଚନା ଅଧିକାର ଆଇନ, ୨୦୦୫’ କର୍ମଶାଳା-୨୦୨୬ ଅନୁଷ୍ଠିତ ହୋଇଯାଇଛି । ଏହି ଜିଲ୍ଲାସ୍ତରୀୟ କର୍ମଶାଳାରେ ଜିଲ୍ଲାପାଳ ଶ୍ରୀ କୁଣାଲ ମୋତିରାମ ଚହ୍ବାଣଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଏକ ଦିନିକିଆ କର୍ମଶାଳାରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ଜି. ଆର ରାଘବେନ୍ଦ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବ୍ରଜ ବନ୍ଧୁ ଭୋଇ ମଧ୍ୟ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସୁଶ୍ରୀ କୃଷ୍ଣାକେଶୀ ବଳିଆରସିଂହ ସମଗ୍ର କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

ଜିଲ୍ଲାପାଳ ଶ୍ରୀ କୁଣାଲ ମୋତିରାମ ଚହ୍ବାଣ ନିଜ ଅଭିଭାଷଣରେ କହିଥିଲେ ଯେ, RTI ମାଧ୍ୟମରେ ସରକାରୀ କାର୍ଯ୍ୟରେ ସ୍ୱଚ୍ଛତା ଓ ଉତ୍ତରଦାୟିତ୍ୱ ବୃଦ୍ଧି ହେବା ସହ ନାଗରିକମାନେ ସରକାରୀ ଯୋଜନା ବିଷୟରେ ସିଧାସଳଖ ତଥ୍ୟ ପାଇପାରିବେ। ଏହି ଆଇନ ପ୍ରଶାସନ ଓ ଜନସାଧାରଣଙ୍କ ମଧ୍ୟରେ ଥିବା ଦୂରତାକୁ ହ୍ରାସ କରିଥାଏ । ବିଶେଷ କରି ‘ସେକ୍ସନ ୪’ ଅନୁଯାୟୀ ସ୍ୱତଃପ୍ରବୃତ୍ତ ସୂଚନା ପ୍ରଦାନ (Proactive Disclosure) ଉପରେ ଗୁରୁତ୍ୱ ଦେଲେ ନାଗରିକଙ୍କ ବିଶ୍ୱାସ ବୃଦ୍ଧି ପାଇବା ସହ ଆବେଦନ ସଂଖ୍ୟା ମଧ୍ୟ ହ୍ରାସ ପାଇବ । ଏହାକୁ ଏକ ବୋଝ ନଭାବି ସେବା ପ୍ରଦାନର ଏକ ଅଭିନ୍ନ ଅଙ୍ଗ ଭାବେ ଗ୍ରହଣ କରିବାକୁ ସେ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ ।

ସେହିଭଳି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ଜି. ଆର ରାଘବେନ୍ଦ୍ର କହିଥିଲେ ଯେ, RTI କୁ କେବଳ ଆଇନଗତ ପ୍ରକ୍ରିୟା ବା ଅଭିଯୋଗ ପଦ୍ଧତି ଭାବେ ନଦେଖି ଏକ ଉନ୍ନତ ‘ମ୍ୟାନେଜମେଣ୍ଟ ସିଷ୍ଟମ’ ଭାବେ ଗ୍ରହଣ କରିବା ଉଚିତ । ପୋଲିସ ବିଭାଗରେ ଏହାର ପ୍ରଭାବଶାଳୀ ରୂପାୟନ ଏକ ଜନ-କୈନ୍ଦ୍ରିକ ପ୍ରଶାସନ ଗଠନ କରିବାରେ ସହାୟକ ହେବ ।

ଏହି କର୍ମଶାଳାରେ ୧୦୦ ରୁ ଉର୍ଦ୍ଧ୍ୱ ଜନ ସୂଚନା ଅଧିକାରୀ, ସହକାରୀ ଜନ ସୂଚନା ଅଧିକାରୀ, ଡେପୁଟି କଲେକ୍ଟର ଏବଂ ବିଭିନ୍ନ ବିଭାଗର ପଦାଧିକାରୀମାନେ ଅଂଶଗ୍ରହଣ କରିଥିଲେ । ଲୁମିନସ ପ୍ରାଇଭେଟ୍ ଲିମିଟେଡର ପ୍ରଶିକ୍ଷକ ଶ୍ରୀ ରଞ୍ଜନ କୁମାର ବକ୍ସି ସୂଚନା ଅଧିକାର ଆଇନ ରେ ଦରଖାସ୍ତ ଗ୍ରହଣ ଅନଲାଇନ ରେ ସମସ୍ତ ପ୍ରକ୍ରିୟା ସମ୍ପାଦାନ କୌଶଳ , କାର୍ଯ୍ୟାଳୟରେ ସୂଚନା ଅଧିକାର ଆଇନ ନିମିତ୍ତ ଆବଶ୍ୟକ ରେଜିଷ୍ଟର ଲିପିବଦ୍ଧ କରିବା, ଜନ ସୂଚନା ଅଧିକାରୀ, ସହକାରୀ ଜନ ସୂଚନା ଅଧିକାରୀ ଆଦି ପ୍ରଦର୍ଶିତ କରିବା ଆଦି ବିଷୟରେ ବିଶଦ ଆଲୋଚନା କରିଥିଲେ ।

ଏହି ଅବସରରେ ସୂଚନା ଅଧିକାର ଆଇନ ଉପରେ ଆୟୋଜିତ ବକ୍ତୃତା ପ୍ରତିଯୋଗିତାରେ କୃତୀ ପ୍ରତିଯୋଗୀମାନଙ୍କୁ ଜିଲ୍ଲାପାଳ ଓ ଅତିଥିମାନଙ୍କ ଦ୍ୱାରା ନଗଦ ଅର୍ଥରାଶି ଏବଂ ମାନପତ୍ର ପ୍ରଦାନ କରାଯାଇଥିଲା । ଏଥିସହ ପ୍ରଶ୍ନୋତ୍ତର ଅଧିବେଶନରେ ଅଧିକାରୀ ମାନେ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ଏହି କର୍ମଶାଳାରେ ଡେପୁଟି କଲେକ୍ଟର ଶ୍ରୀ ସୌମେଶ ଆଚାର୍ଯ୍ୟ ଧନ୍ୟବାଦ ଅର୍ପଣ କରିଥିଲେ ।