ସମ୍ବଲପୁର ରେଳ ମଣ୍ଡଳରେ ୮୬ତମ ରାଜଭାଷା କାର୍ଯ୍ୟାନ୍ୱୟନ କମିଟି ବୈଠକ ଆୟୋଜିତ

ସମ୍ବଲପୁର : ସମ୍ବଲପୁର ରେଳ ମଣ୍ଡଳରେ ୮୬ତମ ରାଜଭାଷା କାର୍ଯ୍ୟାନ୍ୱୟନ କମିଟି ବୈଠକ ଆୟୋଜିତ ହୋଇଯାଇଅଛି । ଏହି ଅବସରରେ ମଣ୍ଡଳ ରେଳ ପ୍ରବନ୍ଧକ, ସମ୍ବଲପୁର, ଶ୍ରୀ ସୁବାଷ ଚନ୍ଦ୍ର ଚୌଧରୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ପ୍ରଗତି ରିପୋର୍ଟ ସମୀକ୍ଷା କରିଥିଲେ ଏବଂ ହିନ୍ଦୀ ଭାଷାରେ ଦୈନନ୍ଦିନ କାର୍ଯ୍ୟଗୁଡିକୁ ବୃଦ୍ଧି କରିବା ପାଇଁ ପରାମର୍ଶ ଦେଇଥିଲେ । ଏହି ଅବସରରେ ଅତିରିକ୍ତ ମୁଖ୍ୟ ରାଜଭାଷା ଅଧିକାରୀ ଏବଂ ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ, ସମ୍ବଲପୁର, ଶ୍ରୀ ମନଜିତ ସିଂହ ସନସନୱାଲ ଗତ ତ୍ରୈମାସିକରେ ଆୟୋଜିତ ହୋଇଥିବା ରାଜଭାଷା କାର୍ଯ୍ୟକଳାପ ବିଷୟରେ ସଂକ୍ଷିପ୍ତ ସୂଚନା ଦେଇଥିଲେ । କାର୍ଯ୍ୟକ୍ରମର ଅଂଶ ସ୍ୱରୂପ, ହୀରାଖଣ୍ଡ ହିନ୍ଦୀ ପତ୍ରିକାରେ ପ୍ରକାଶିତ କାହାଣୀ ଲେଖା, କବିତା ଏବଂ ଚିତ୍ରାଙ୍କନରେ ସୃଜନଶୀଳ ଅବଦାନ ପାଇଁ ବତିଶ ଜଣ ରେଳ କର୍ମଚାରୀ ଏବଂ ସେମାନଙ୍କ ପରିବାର ସଦସ୍ୟମାନଙ୍କୁ ସମ୍ମାନିତ କରାଯାଇଥିଲା । ମୁଖ୍ୟ ଅତିଥି ଶ୍ରୀ ଚୌଧରୀ ସେମାନଙ୍କୁ ନଗଦ ପୁରସ୍କାର ପ୍ରଦାନ କରିଥିଲେ । ମଣ୍ଡଳର ସମସ୍ତ ଶାଖା ଅଧିକାରୀ ବୈଠକରେ ଅଂଶଗ୍ରହଣ କରିଥିଲେ ଏବଂ ଶ୍ରୀ ପ୍ରଣବ କୁମାର, ରାଜଭାଷା ଅଧିକାରୀ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ ।